ଭୁବନେଶ୍ବର: ଭୁବନେଶ୍ବରରେ ମଦ୍ୟପ କାର ଡ୍ରାଇଭରର ବେପରୁଆ ଗାଡି ଚାଳନା । ବ୍ୟାକ ଗିୟର ପକାଇ ନେଇଗଲା ଜୀବନ । ରାଜଧାନୀ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଏଭଳି ଘଟଣା । ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଆସିଥିବା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ସ୍ବାମୀକୁ ଏମ୍ସରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ଦିଗପହଣ୍ଡି ପୋଲିସ ସହ ଯୋଗାଯୋଗ କରିଛି ଲିଙ୍ଗରାଜ ଥାନା ପୋଲିସ । ପୋଲିସ ଗାଡିକୁ ସିଜ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ଗୌତମ ମିଶ୍ରଙ୍କ ନାଁରେ ଥିବା ବେଳେ, ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ।
ମୁଖ୍ୟମନ୍ତ୍ରୀ, 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ରାଜ୍ୟର ବିଭିନ୍ନ ସଂଗଠନର କର୍ମକର୍ତ୍ତା । ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହିତ ନିଜ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏଥିସହ ଓଡ଼ିଶାର ବିକାଶ ପାଇଁ କାମ ଜାରି ରଖିଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବିଭିନ୍ନ ବିଭାଗର ଉପଦେଷ୍ଟା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, ଭୁବନେଶ୍ୱର ମେୟର, କର୍ପୋରେଟର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଉତ୍ତରକାଶୀ ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ, ଉଦ୍ଧାର କାମ ଜାରି
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଧସିବା ଘଟଣାରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ତାଲିକା ଘୋଷଣା କରିଛି ନବଯୁଗ କନଷ୍ଟ୍ରକସନ କମ୍ପାନି ।
୭ ରାଜ୍ୟ ମଧ୍ୟରୁ ଝଡଖଣ୍ଡରୁ ସର୍ବାଧିକ ୧୫ ଜଣ ଅଛନ୍ତି । ସେହିପରି ଓଡ଼ିଶାରୁ ୫ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍ । ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏକ ମୋଟର ଜରିଆରେ ଶ୍ରମିକମାନେ ପାଣିକୁ ବାହାରକୁ କାଢିବାରେ ସକ୍ଷମ ହୋଇଛନ୍ତି । ଖୁବ ଶୀଘ୍ର ଧସିଥିବା ମାଟିକୁ ବାହାର କରାଯିବା ଆଶା ରହିଛି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେଲପଲାଇନ ନମ୍ବର 7455991223 ଜାରି ହୋଇଛି ।
ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ, ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି । ବ୍ରହ୍ମଖାଲ-ଯମୁନେତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲରେ ଘଟିଛି ଏହି ଦୁର୍ଘଟଣା । ସିଲକୟାରା-ଡଣ୍ଡଲଗାଓଁକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଥିଲା ଏହି ଟନେଲ କାମ। ଫସି ରହିଥିବା ଭର୍ଟିକାଲ ଡ୍ରିଲିଂ ମେସିନ ଜରିଆରେ ଟନେଲ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି । ଟନେଲର ଆରମ୍ଭ ସ୍ଥଳରୁ ୨୦୦ ମିଟର ପରେ ଟନେଲ ଧସିଛି ବୋଲି କହିଛନ୍ତି ଉତ୍ତରକାଶୀ ଏସପି ଅର୍ପଣ ଯଦୁବଂଶୀ । ଫସିଥିବା ଶ୍ରମିକଙ୍କ ନିକଟକୁ ଖାଦ୍ୟ ବି ପଠାଯାଉଛି । ସେମାନଙ୍କୁ ନିରାପଦରେ ବାହାର କରିବା ଲାଗି ସମସ୍ତ ପ୍ରୟାସ ଜାରି ରହିଛି ।
ଏହି ଟନେଲ ହେଉଛି ଚାରଧାମ ପ୍ରକଳ୍ପର ସବୁଦିନିଆ ରାସ୍ତା ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁ ଉତ୍ତରକାଶୀରୁ ଯମୁନେତ୍ରୀ ଦୂରତା ୨୬ କିଲୋମିଟର କମିବ ।
ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ, କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଆହତ ଭର୍ତ୍ତି
ଭଦ୍ରକ: ଭଦ୍ରକରେ ବାଣ ବିସ୍ଫୋରଣରେ ୫ ଶିଶୁ ଗୁରୁତର । ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସମୟରେ ଅଘଟଣ ଘଟି ୫ ଜଣ ପିଲା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲାର ସୁଗୋ, ଯାହାଙ୍ଗୀର, କେଦାରପୁର, ସରମରା ଅଂଚଳରେ ଅଘଟଣ ଘଟିଛି । ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆ ବଜାରରେ ବାଣ ବିସ୍ପୋରଣରେ ଜଣେ ଗୁରୁତର ହୋଇଛନ୍ତି । ଶଶିକାନ୍ତ ନାୟକଙ୍କ ଡାହାଣ ହାତର ଗୋଟିଏ ଆଙ୍ଗୁଠି ଉଡ଼ିଯାଇଥିବା ସୂଚନା ମିଳିଛି ।
ସେପଟେ ଢେଙ୍କାନାଳ ସଦର ବ୍ଲକ ଠେଙ୍ଗିଆ ସାହିରେ ବାଣ ପଡ଼ି ଜଳିଗଲା ଘର । ପ୍ରଥମେ ବାଣ ପଡ଼ି ଏକ ଚାଳଘରେ ନିଆଁ ଲାଗିଯାଇଥିଲା । ପରେ ଆଉ ଏକ ଘରକୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି ।
ରାଜଧାନୀରେ ମଧ୍ୟ ବାଣ ଫୁଟାଇବା ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବରମୁଣ୍ଡା, ସାମନ୍ତରାପୁର, ଟଙ୍କପାଣି ରୋଡ୍ , ବାଲିପାଟଣା, ଯଦୁପୁରରେ ବାଣ ଫୁଟି ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ସମସ୍ତଙ୍କୁ କାଜୁଆଲଟିରେ ଚିକିତ୍ସା କରାଯାଉଛି । କାହାର ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ତରଫରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।
ସୋରର ବିଭିନ୍ନ ସ୍ଥାନରୁ ବାଣ ଫୁଟାଇ ୧୦ରୁ ଉର୍ଦ୍ଧ୍ବ ଗୁରୁତର । ଆହତ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଟେଣ୍ଟେଇ ଗାଁରେ ବାଣ ନିଆଁରେ ଚାରି ବଖରା ଘର ଜଳି ଯାଇଛି। ଦୀପାବଳି ଅବସରରେ ସନ୍ଧ୍ୟାରେ ବ୍ଲକରେ ବିଭିନ୍ନ ଗ୍ରାମରେ ବାଣ ଫୁଟାଇଥିଲେ ଲୋକେ । ବାଣ ନିଆଁରେ ଜଣେ ଶିଶୁ ସମେତ ଦଶରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଦୀପାବଳିରେ ଦିଲ୍ଲୀରେ ଫୁଟିଲାନି ବାଣ
ନୂଆଦିଲ୍ଲୀ: ସଚେତନ ହେଲେ ଦିଲ୍ଲୀବାସୀ । ଦୀପାବଳିରେ ଫୁଟିଲାନି ବାଣ । ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ଦୀପାବଳିରେ ଭଲ ରହିଥିବା ସୂଚନା ମିଳିଛି । ଗତବର୍ଷ ଦୀପାବଳିରେ ଏକ୍ୟୁଆଇ ୩୧୨ ଥିଲାବେଳେ ଚଳିତ ବର୍ଷ ଏକ୍ୟୁଆଇ ରହିଥିଲା ୨୧୮ । ୨୦୨୦ରେ ଏକ୍ୟୁଆଇ ୪୧୪ ଥିବାବେଳେ ୨୦୨୧ରେ ଏହା ଥିଲା ୩୮୨ । ବାଣ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଥିବାରୁ ଚଳିତ ବର୍ଷ ସ୍ଥିତି ହୋଇଛି ସୁଧାର ।
ତେବେ ଦିଲ୍ଲୀ ସୀମା ଅନ୍ତର୍ଗତ ପଞ୍ଜାବ, ହରିଆଣାରେ ନଡା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ପରିବେଶ ଉପରେ ପଡିଛି । ସେପଟେ ଖୋଲାରେ ବର୍ଜ୍ୟପଦାର୍ଥ ଜାଳିବା ନେଇ ୩୮୩ ଜଣଙ୍କ ବିରୋଧରେ ଚାଲାଣ କାଟିଛି ଦିଲ୍ଲୀ ମହାନଗର ନିଗମ । ସେହିପରି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ୮୨୩ଟି ଚାଲାଣ ବି କଟାଯାଇଛି । ଉଭୟ କ୍ଷେତ୍ରରେ ୧ କୋଟି ୭୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ପ୍ରବଳ ଗହଳି ହେଉଥିବା ଅଞ୍ଚଳକୁ ନ ଯିବା ଲାଗି ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ଘରୁ ନବାହାରିବା ସହ ରାସ୍ତାରେ ଦୌଡିବା, ମର୍ଣ୍ଣିଂଓ୍ବାକ, ଶାରୀରିକ ବ୍ୟାୟାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ନିୟମିତ ଆଖି ଧୋଇବା, କୁଳୁକୁଚା କରିବା ଲାଗି ମଧ୍ୟ କହିଛି ସ୍ବାସ୍ଥ୍ୟ ବିଭାଗ ।
ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୧୫ ତାରିଖରୁ ଭିଜିବ ଓଡ଼ିଶା
ଭୁବନେଶ୍ବର: ଆଜି ଆଣ୍ଡାମାନ ସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ପ୍ରଭାବରେ ୧୫ ତାରିଖରୁ ଭିଜିବ ଓଡ଼ିଶା ।
ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ବର୍ଷା ହେବ । ୧୬ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାରେ ବର୍ଷା ହେବ । ୧୭ ଏବଂ ୧୮ ତାରିଖରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଅମଳ ଯୋଗ୍ୟ ହୋଇଥିବା ଧାନକୁ ଚାଷୀମାନେ ଯଥା ସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ପରେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । କିନ୍ତୁ ବାୟୁମଣ୍ଡଳରେ ଜଳୀବାପଷ୍ପର ପରିମାଣ ନ ଥିବାରୁ ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ସିଧାସଳଖ ପ୍ରଖର କିରଣ ପାଇଁ ଦିନରେ ଗରମ ବା ତାତି ଅନୁଭୁତ ହେଉଛି ।
ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ
ବାଙ୍ଗାଲୋର: ଟିମ୍ ଇଣ୍ଡିଆର ବଡ଼ ବିଜୟ । ଚଳିତ ବିଶ୍ବକପରେ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଛି ଦଳ ।
ଚଳିତ ବିଶ୍ବକପ୍ରେ ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ। ରୋହିତ ୫୪ଟି ବଲ୍ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍ଙ୍କ ବ୍ୟାଟରୁ ୫୧ ରନ୍ ଅମଳ ହୋଇଥିଲା। ଗିଲ୍ ୩୨ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍ ୫୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଚଳିତ ବିଶ୍ବକପରେ ଭାରତ କରିଥିଲା ସର୍ବାଧିକ ସ୍କୋର । ଶ୍ରେୟସ ଆୟର ଓ କେ.ଏଲ ରାହୁଲ ଦମଦାର ଶତକ ସହାୟତାରେ ୫୦ ଓଭରରେ ୪ ଓ୍ବିକେଟ ହରାଇ ୪୧୦ ରନ କରିଥିଲା ଭାରତ । କେ.ଏଲ. ରାହୁଲ ୪ଟି ଛକା ଓ ୧୧ଟି ଚୌକା ସହାୟତାରେ ୬୪ ବଲରେ ୧୦୨ରନ ସଂଗ୍ରହ କରିଥିଲେ । ସେହିପରି ୯୪ବଲରେ ୫ଛକା ଓ ୧୦ଟି ଚୌକା ମାରି ୧୨୮ରନ କରିଥିଲେ ଶ୍ରେୟସ ଆୟର । ଶ୍ରେୟସ ଓ କେ ଏଲ ରାହୁଲଙ୍କ ୨୦୮ ରନ ପାର୍ଟନରସିପ ବଳରେ ଟିମ ଇଣ୍ଡିଆ ନେଦରଲାଣ୍ଡସ ଆଗରେ ବିଶାଳ ସ୍କୋର ଛିଡା କରିଥିଲା । ଭାରତୀୟ ହିସାବରେ ବିଶ୍ବକପରେ କେଏଲ ରାହୁଲଙ୍କ ଏହା ଦ୍ରୁତତମ ଶତକ । ସେହିପରି ୫୪ବଲରୁ ୬୧ରନ କରିଥିଲେ କ୍ୟାପଟେନ ରୋହିତ ଶର୍ମା । ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସରେ ରହିଥିଲା ୨ଛକା ଓ ୮ଟି ଚୌକା । କୋହଲି ୫୬ବଲରେ ୫୧ ଏବଂ ଶୁଭମନ ଗିଲ ୩୨ ବଲରେ ୫୧ରନ କରିଥିଲେ । ଜବାବରେ ୪୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ନିୟମିତ ଭାବେ ଦଳର ଓ୍ବିକେଟ ପତନ ନେଦରଲାଣ୍ଡସକୁ ପରାଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷରେ ୨୫୦ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।
ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍
ଭୁବନେଶ୍ବର: ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍ । ବିକାଶ ପ୍ରସଙ୍ଗ ନେଇ ସବୁବେଳେ ଦଳ ଲୋକଙ୍କ ପାଖକୁ ଯାଉଛି । ଏହି ପଥରେ ବିଜେଡି ଲଗାତାର ପାଞ୍ଚ ପାଞ୍ଚ ଥର ପାଇଛି ନିରଙ୍କୁଶ ସଫଳତା । ୨୦୧୯ ଅପେକ୍ଷା ୨୦୨୪ରେ ଅଧିକ ଆସନ ହାତେଇବାକୁ ଆହୁରି ପରିଶ୍ରମ କରିବାରେ ଲାଗିପଡ଼ିଛି ଦଳ । ବିଭିନ୍ନ କାର୍ଯ୍ୟକ୍ରମ ସହ କର୍ମୀଙ୍କୁ ଦିଗଦର୍ଶନ ଓ ଟ୍ରେନିଂ, ଦଳୀୟ କାର୍ଯ୍ୟଧାରାକୁ ଆଗେଇ ନେବାରେ ଅଧିକ ସହାୟକ ହେଉଛି ।
ଦୀପାବଳି : ଅନ୍ଧକାର ଉପରେ ଆଲୋକର ବିଜୟ । ଏହି ଅବସରରେ ରାଜ୍ୟର ବିକାଶ ଧାରାକୁ ଆହୁରି ସୁଗମ କରିବା ପାଇଁ ବିଜେଡି କସରତ ଆରମ୍ଭ କରିଛି । ଗାଁ ଗାଁରେ ବିକାଶ । ଯାହା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଜାରି ରହିଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦୀପାବଳିରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଯୋଗୁ ହିଁ ଲୋକ ପାଞ୍ଚ ପାଞ୍ଚଥର ବିଜେଡିକୁ ଲଗାତାର ଭୋଟ୍ ଦେଇଆସିଛନ୍ତି । ଉପନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଶୀର୍ଷ ସଫଳତା ପାଇଛି ବିଜେଡି । ଯାହା ୨୦୨୪ରେ ରିପିଟ୍ କରି ଅଧିକ ଆସନ ହାସଲ ଲକ୍ଷ୍ୟରେ ବିଜେଡି କାମ ଚଲାଇଛି । ଗଣିତଠାରୁ ବହୁ ଆଗକୁ ଯାଇ ବିପୁଳ ବିଜୟର ଆଶା ରଖିଛି ବିଜେଡି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଯୋଜନା ହିଁ ବିଜେଡିର ଅସଲ ପୁଞ୍ଜି । କେନ୍ଦ୍ରର ବାରମ୍ବାର ଅବହେଳାକୁ ବି ଖାତିର କରିନାହାନ୍ତି ନବୀନ । ତାଙ୍କ ଯୋଜନା ଓ ଆଦର୍ଶ ସମ୍ପର୍କରେ ବିଜେଡି କର୍ମୀମାନଙ୍କୁ ଟ୍ରେନିଂ ମାଧ୍ୟମରେ ଦିଗଦର୍ଶନ ଦିଆଯାଉଛି । ରାଜ୍ୟ ସରକାରଙ୍କ ସଫଳତା ଓ ବିକାଶର ରୂପାନ୍ତରଣ କାହାଣୀ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସକ୍ରିୟ ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି । ଯାହାକୁ ସେମାନେ ଓ୍ବାର୍ଡ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦ ଜୋନରେ ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରୁଛନ୍ତି । ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଉଛି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଶାଣିତ ସ୍ବର ଉଠାଇବା ପାଇଁ ଦଳୀୟ କର୍ମୀଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ଘରେ ଘରେ ଶଙ୍ଖ ଓ ସୋସିଆଲ ମିଡିଆର ସକାରାତ୍ମକ ବ୍ୟବହାର ଜରିଆରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଲୋକଙ୍କ ପାଖରେ ବିକାଶର ବାର୍ତ୍ତା ପହଞ୍ଚାଉଛି ।
କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ?
ଭୁବନେଶ୍ବର: କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ? ଦେଢ଼ ବର୍ଷ ହେଲା ମହଙ୍ଗା ମାଡ଼ରେ ଲୋକେ ହତାଶ । ଅଶୋଧିତ ତୈଳ ଦର ଆଧାରରେ ଡାଇନାମିକ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଅକାମି । ଲାଭ ଉପରେ ଲାଭ କରିଚାଲିଛନ୍ତି ତୈଳ ବିପଣନ କମ୍ପାନୀ । ଚଳିତ ବର୍ଷ ପ୍ରଥମ ଦୁଇ ତ୍ରୈୟମାସିକରେ ୩ ତୈଳ କମ୍ପାନୀଙ୍କ ଲାଭ ହେଲାଣି ୬୨ ହଜାର କୋଟି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧ ଡଲାରକୁ ଖସିଲେ ବି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ଏବେ କମିବାର ନାହିଁ ।
ଲାଭ । ଲାଭ ଉପରେ ଡବଲ ଲାଭ । ଓ୍ବିଣ୍ଡ୍ ଫଲ୍ ଗେନ କରି ମାଲାମାଲ ତୈଳ କମ୍ପାନୀ । ହାତ ଚିକ୍କଣ କରୁଛି କେନ୍ଦ୍ର । ଏପଟେ ପଇସା ଗଣି ଗଣି ଗ୍ରାହକଙ୍କ ହାତ ଶୁଖି ଫାଟିଲାଣି । ଅଶୋଧିତ ତୈଳ ଦର ବୃଦ୍ଧି ଓ ହ୍ରାସକୁ ଆଳକରି କେନ୍ଦ୍ର ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଦେଢ଼ବର୍ଷ ହେଲାଣି ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ୮୬ ପଇସା ରହିଛି । ଗତ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ୯୦ ଡଲାର ପାର୍ କରିଥିଲା । ଏବେ ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ରବିବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ରହିଛି ୮୧.୬୪ ଡଲାର ।
ଆଶା କରାଯାଉଥିଲା ଅଶୋଧିତ ତୈଳ କମୁଥିବାରୁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବ । କିନ୍ତୁ କମିବାର ଆଶା ଦେଖାଯାଉନି । ୨୦୧୭ରୁ ୨୦୨୨ ଭିତରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ IOCL, BPCL, HPCL ବାର୍ଷିକ ଲାଭ କରିଛନ୍ତି ୬୦ ହଜାର କୋଟି । ଗତ ଆର୍ଥିକ ବର୍ଷ ପ୍ରଥମ ଓ ଦ୍ବିତୀୟ ତ୍ରୈୟମାସିକରେ ୩ଟି ଯାକ ତୈଳ କମ୍ପାନୀ କ୍ଷତି ସହିଲେ ୨୩ ହଜାର ୮୭୦ କୋଟି ୧୯ ଲକ୍ଷ । ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ, ରୁଷିଆର ଶସ୍ତା ଅଶୋଧିତ ତୈଳ ଯୋଗୁ ଶେଷ ଦୁଇ ତ୍ରୟମାସିକରେ କ୍ଷତି ଭରଣା ହୋଇ ଲାଭ କଲେ ୩୩ ହଜାର କୋଟି ।
ବଡ଼ କଥା ହେଉଛି, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ହିଁ ତୈଳ କମ୍ପାନୀଙ୍କ ଚାନ୍ଦି ହିଁ ଚାନ୍ଦି । ଲାଭ ଉପରେ ଡବଲ ବୋନାଞ୍ଜା । ୨୦୨୩-୨୪ ଆର୍ଥିକ ବର୍ଷର ଦୁଇ ତ୍ରୟମାସିକରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲାଭ କଲେଣି ୬୨ ହଜାର କୋଟି । ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଏହି ଲାଭ ପରିମାଣ ସହଜରେ ୧ ଲକ୍ଷ କୋଟି ପାର୍ କରିଯିବ ବୋଲି ଆକଳନ କରାଯାଉଛି ।
ଅଶୋଧିତ ତୈଳ ଦର କମିବା ବଢିବା ସହିତ ଖୁଚୁରା ଦର ବଦଳିବ । ଏବର କେନ୍ଦ୍ର ସରକାର ଏଥିପାଇଁ ଡାଇନାମିକ ପ୍ରାଇସ୍ ମେକାନିଜିମ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଯେଉଁ ବ୍ୟବସ୍ଥାକୁ ଏବେ ସଂପୂର୍ଣ୍ଣ ଅକାମି କରିଦିଆଯାଇଛି । ପେଟ୍ରୋଲ ଓ ଡିଜେଲକୁ ଦୁହାଁଳିଆ ଗାଈ ବୋଲି କେନ୍ଦ୍ର ସରକାର ଧରି ନେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସବୁ ଜିନିଷର ଦର ବି ମହଙ୍ଗା ହୋଇଛି । ରୋଜଗାର ବି ସଂକୁଚିତ ହେଉଛି । ଲୋକଙ୍କ କ୍ରୟ ଶକ୍ତିର ବଡ଼ ଅଂଶ ପେଟ୍ରୋଲ ଓ ଡିଜେଲରେ ଖର୍ଚ୍ଚ ହେଉଥିବାରୁ ଆର୍ଥିକ ଅବସ୍ଥା ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥିତି ଏ ଦେଶରେ କେବେ ବି ଦେଖିବାକୁ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।
ମଥୁରାରେ ବଡଧରଣର ଅଗ୍ନିକାଣ୍ଡ
ବ୍ୟୁରୋ ରିପୋର୍ଟ: ଉତ୍ତରପ୍ରଦେଶ ମଥୁରାରେ ବଡଧରଣର ଅଗ୍ନିକାଣ୍ଡ । ବାଣ ଦୋକାନରେ ନିଆଁ ଲାଗି ଲକ୍ଷ ଟଙ୍କାର ବାଣ ନଷ୍ଟ । ଗୋପାଳବାଗ ଇଲାକାରେ ଘଟିଥିବା ଘଟଣାରେ ୨୬ଟି ଦୋକାନ ପାଉଁଶ ହୋଇଯାଇଥିବାବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ନିଆଁରେ ତେଜ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚିବାବେଳେ ସବୁକିଛି ଶେଷ ହୋଇଯାଇଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ଦେଇଛି ପୋଲିସ ।

