spot_img
Home Blog Page 2547

ମାଟିତଳୁ ନାବାଳିକାଙ୍କ ଶବ ମିଳିବା ଘଟଣାରେ ୩ ଗିରଫ

ନୟାଗଡ଼: ମାଟି ତଳୁ ନାବାଳିକା ଝିଅର ଶବ ଉଦ୍ଧାର ଘଟଣାରେ ନୟାଗଡ଼ ନୂଆଗାଁ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ l ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ବାପାକୁ ଖୋଜୁଛି ପୋଲିସ l ଏହି ଘଟଣା ଅନର କିଲିଂ ବୋଲି ସନ୍ଦେହ କରୁଛି ପୋଲିସ  l ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ନୟାଗଡ ନୂଆଗାଁ ଥାନା ସୋରଡ଼ା ଗାଁର ବିପ୍ର ନାୟକଙ୍କ ନାବାଳିକା ଝିଅ ଜଣେ ପୁଅକୁ ପ୍ରେମ କରୁଥିଲା । ବାପା ମା’ ତାଗିତ କରିବା ପରେ ଝିଅ ମାନି ନଥିଲା l ଏହି ଘଟଣାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା l

ଗତ ୧୦ ତାରିଖରେ ଝିଅକୁ ଆକଟ କରିବାକୁ ପରିବାର ଲୋକେ ପିଟି ପିଟି ମାରି ଦେଇଥିବା ସନ୍ଦେହ କରୁଛି ପୋଲିସ l ଘଟଣାକୁ ଲୁଚାଇବାକୁ ଯାଇ ମୃତଦେହକୁ ଏକ କାରରେ ନେଇ ଫୁଲୁବାଣୀ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋତି ଦେଇଥିଲେ l ନୂଆଗାଁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଞ୍ଚଳ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା l ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ପୋତା ହୋଇଥିବା ସ୍ଥାନରୁ ଶବକୁ ଉଧାର କରିଥିଲେ l ନୂଆଗାଁ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାବାଳିକାର ପିଉସା ପତିତପାବନ ପ୍ରଧାନ, ୨ ସମ୍ପର୍କୀୟ ଭାଇ ବିକାଶ କୁମାର ନାୟକ ଏବଂ ଚିନ୍ମୟ ନାୟକ । ଫେରାର ଥିବା ବାପାକୁ ଖୋଜୁଛି ପୋଲିସ ।

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ୧୬ ତାରିଖ ବେଳକୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ୧୬ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି  । ୧୬ ଓ ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  ।

୧୬ ତାରିଖରେ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିବ ପବନ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ଏହିସବୁ ଜିଲ୍ଲା ଗୁଡ଼ିକରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଏହାଛଡ଼ା ୧୬ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଅମଳ ଉପଯୋଗୀ ଧାନ । ଏଣୁ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସାମ୍ଭାବ୍ୟ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି ।

ଆଜି ବିଶ୍ବ ମଧୁମେହ ଦିବସ, ୫ଟି ଜିନିଷ ଖାଇବା କମ୍ କଲେ ବର୍ତ୍ତିପାରିବେ ମଧୁମେହରୁ

ଭୁବନେଶ୍ବର: ଆଜି ବିଶ୍ବ ମଧୁମେହ ଦିବସ । ବିଶ୍ବବ୍ୟାପୀ ପାଳିତ ହେଉଛି ଦିବସ । ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ କେବଳ ମଧୁମେହରେ ୨୦୧୬ ରେ ପ୍ରାଣ ହରାଇଥିଲେ ୧୬ ଲକ୍ଷ ଲୋକ । ଏହାର ପ୍ରଭାବ ଏପରି ଯେ ଆସନ୍ତା ୨୦୨୪ ବେଳକୁ ବିଶ୍ବର ପ୍ରାୟ ୬୩ କୋଟି ଲୋକ ମଧୁମେହରେ ପୀଡିତ ହେବେ । ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା । ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି । ୧୯୨୨ରେ ଇନସୁଲିନର ଆବିଷ୍କାର କରିଥିବା ସାର୍ ଫ୍ରେଡରିକ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ହିଁ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ବିଶ୍ବର ୧୭୦ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଛି । କାନାଡାର ମହାବିଜ୍ଞାନୀ ଫ୍ରେଡରିକଙ୍କୁ ମେଡିସିନ ଲାଗି ୧୯୨୩ରେ ମିଳିଥିଲା ନୋବେଲ ସମ୍ମାନ ।

ଆଜି ଶିଶୁଦିବସ, ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ

ଭୁବନେଶ୍ବର: ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ  । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ  । ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେକରୁଥିଲେ । ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ ।

ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁମାନେ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ  । ୧୯୬୪ ମସିହା ମଇ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା  । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା  । ଯାହାକି ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି  । ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହାର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ  ।

କରାଚି ବନ୍ଦରରେ ଚୀନର ସମରସଜ୍ଜା, ଦକ୍ଷିଣ ଏସିଆରେ ହଲଚଲ

ନନ୍ଦିଘୋଷ ବ୍ୟୁରୋ: କରାଚି ବନ୍ଦରରେ ଚୀନର ସମରସଜ୍ଜା । ଉଭୟ ପାକିସ୍ତାନ ଓ ଚୀନ ପକ୍ଷରୁ ସର୍ବବୃହତ ନୌସମରାଭ୍ୟାସ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଦକ୍ଷିଣ ଏସିଆ ହୋଇଛି ହଲଚଲ । ଭାରତୀୟ ମହାସାଗରରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିବାକୁ ଯୋଜନା ଜାରି ରଖିଥିବାବେଳେ ସି ଗାର୍ଡିଆନ-୩ ସମରାଭ୍ୟାସକୁ ଗୁରୁତ୍ବ ଦିଆଯାଉଛି ।

ଗତ ୫ ବର୍ଷ ଧରି ଭାରତ ମହାସାଗରରେ ଚୀନର ବହୁ ଗୁପ୍ତଚର ଜାହାଜ ପଇଁତରା ମାରିବା ଦେଖାଯାଉଛି । ଗତବର୍ଷ କଲମ୍ବୋରେ ସି ୟାନ ୬ ଜାହାଜ ମୁତୟନ ହୋଇଥିବାକୁ ନେଇ ଅନେକ ସସପେନସ ପ୍ରକାଶ ପାଇଥିଲା । ମୁତୟନ ହୋଇଥିବା ଜାହାଜ ମଧ୍ୟରେ ରହିଛି ଟାଇପ ୦୩୯ ଡିଜେଲ ଇଲେକ୍ର୍ଟିକ ସବମେରିନ । ଏହି ଜାହାଜ ନୌସେନାର ଅନେକ ଗୋପନୀୟ ତଥ୍ୟ ହାସଲ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଗତ ୨୦୧୩ରୁ ଚୀନର ପିପୁଲସ ଲିବରେସନ ଆର୍ମି ନାଭି ବା ପ୍ଲାନ ପକ୍ଷରୁ ଭାରତ ମହାସାଗରରେ ୮ ଥର ବୁଡାହାହାଜ ମୁତୟନ ହେଲାଣି ।

କରାଚି ବନ୍ଦରରେ ଚୀନର ଟାଇପ-୯୨୬ ସବମେରିନ ମୁତୟନ ହୋଇଥିବାବେଳେ ଟାଇପ ୫୨ ଡି ଡେଷ୍ଟ୍ରୟର, ଦୁଇଟି ଟାଇପ ୫୪ ଫ୍ରିଗେଟ, ଟାଇପ ୯୦୩ ଜାହାଜ ମୁତୟନ ହୋଇଛି । ଦୂରଗାମୀ ଅପରେସନ କରିବାରେ ଏହି ସବୁ ଜାହାଜ ସକ୍ଷମ । ଗତବର୍ଷ ଭାରତର ପ୍ରତିବାଦ ସତ୍ତ୍ବେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଡେରା ପକାଇଥିଲା ଚୀନ ଜାହାଜ ଓ୍ବାନ ଓ୍ବାଙ୍ଗ ୫ । ଏପରିକି ଓଡିଶାସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଭାରତୀୟ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ଗୋପନ ତଥ୍ୟ ହାସଲ ଏହାର ଉଦ୍ଦେଶ୍ୟ ଥିଲା ବୋଲି ଅଭିଯୋଗ ହୋଇଥିଲା ।

ଉତ୍ତରକାଶୀରେ ଟନେଲ ଧସିବା ଘଟଣା: ଆସନ୍ତାକାଲି ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭାବନା

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ ଧସିବା ଘଟଣା । ଘଟଣାସ୍ଥଳରେ ଜାରି ରହିଛି ମେଗା ରେସ୍କ୍ୟୁ ଅପରେସନ । ବୁଧବାର ହିଁ ସମସ୍ତଙ୍କୁ ଉଦ୍ଧାର ସମ୍ଭାବନା ରହିଛି ବୋଲି କହିଛନ୍ତି ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ସମ୍ପାଦକ ରଞ୍ଜିତ କୁମାର ସିହ୍ନା । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର ।

୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି । ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ।

ହାଇଡ୍ରୋଲିକ ଜ୍ୟାକ ଜରିଆରେ ୯୦୦ ମିଲିମିଟର ଓସାରର ଏକ ପାଇପକୁ ଟନେଲ ଭିତରକୁ ପଠାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଶା ରଖିଛନ୍ତି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନରେ ଜଳସେଚନ ବିଭାଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି  ।

ଅନ୍ୟପଟେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ସେମାନେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା । ଏନେଇ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।

ଜମୁଛି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର, ଭୋପାଳରେ ଗ୍ରାଣ୍ଡ ରୋଡ ସୋ’ରେ ରାହୁଲ

ମଧ୍ୟପ୍ରଦେଶ: ଜମୁଛି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର । ଆସନ୍ତା ୧୭ରେ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ ପକ୍ଷରୁ ହୋଇଛି ଜୋରଦାର ପ୍ରଚାର । ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୋପାଳରେ ଗ୍ରାଣ୍ଡ ରୋଡ ସୋ କରିଛନ୍ତି ରାହୁଲ । ସେ କହିଛନ୍ତି ଯେଉଁଠି ବିଜେପି ସରକାର କରିଥାଏ ସେଠାରେ ଦୁର୍ନୀତି ଘଟିଥାଏ । କୋଟିପତିଙ୍କ ସୁରକ୍ଷା କରିଥାଏ ଦଳ । ମଧ୍ୟପ୍ରଦେଶରେ ବିଜେପି ସରକାର ଅମଳରେ ପ୍ରଗତି ଘଟିନାହିଁ । ଜିଏସଟି ଜରିଆରେ କୃଷକଙ୍କୁ ଶୋଷଣ କରାଯାଉଛି । ବେରୋଜଗାରୀ ଶୀର୍ଷ ସ୍ଥାନରେ ପହଞ୍ଚିଛି । କର୍ଣ୍ଣାଟକରେ ବିଜେପିର ସ୍ବପ୍ନ ମଉଳି ଗଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ ଆସନ ପାଇବ ବୋଲି ଜୋର ଦେଇକହିଛନ୍ତି ରାହୁଲ । ଭ୍ରଷ୍ଟାଚାରରେ ମଧ୍ୟପ୍ରଦେଶ ସରକାର ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜୟଧାରା ଜାରି ରଖିବ କି ଟିମ୍ ଇଣ୍ଡିଆ?

ମୁମ୍ବାଇ: ୱାଙ୍ଖଡେରେ ଜବରଦସ୍ତ ହେବ ଫାଇଟ୍। ମୁହାଁମୁହିଁ ହେବେ ବିଶ୍ବକପର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ନ୍ୟୁଜିଲାଣ୍ଡ। ଖେଳାଯିବ ପ୍ରଥମ ସେମିଫାଇନାଲ। ଚଳିତ ବିଶ୍ବକପରେ ବିଜୟଧାରା ଜାରି ରଖିଛି ଭାରତ। ଲଗାତର ୯ଟି ଲିଗ୍ ବିଜୟ ସହ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ସମସ୍ତ ପ୍ଲେୟାର ଫର୍ମରେ ଅଛନ୍ତି୍। ବୋଲିଂରେ ଚମକପ୍ରଦ ପ୍ରଦର୍ଶନ ଦଳର ଆତ୍ମବିଶ୍ବାସ ଆହୁରି ବଢାଇଛି । ବ୍ୟାଟ୍ସମ୍ୟାନ୍ ପୂର୍ବରୁ ଏହା ପ୍ରମାଣ କରି ସାରିଛନ୍ତି। ତେବେ ୨୦୧୯ର ଇତିହାସ ଦୋହରାଇବାକୁ ଚାହିଁବେନି ରୋହିତ ଆଣ୍ଡ କୋ। ଏଥର ସେମି ଜିତି ଫାଇନାଲ ହାତେଇବାକୁ ଲକ୍ଷ୍ୟ ରଖିଛି।

ମୁମ୍ବାଇର ୱାଙ୍ଖଡେରେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ। ବେଶ ଦମଦାର ହେବ ଏହି ମ୍ୟାଚ୍ । ଭାରତ ଏବଂ କିୱି ଦଳ ମଧ୍ୟରେ ଚାଲିବ ହାଇଭୋଲଟେଜ ଟକ୍କର। ମଝିରେ ଆଉ ଗୋଟିଏ ଦିନ । ସେମିରେ ବିଜୟ ନେଇ ଭାରତର ମନୋବଳ ଦୃଢ ରହିଛି  ।  ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରହିଛି ଟିମ ଇଣ୍ଡିଆ। ଭାରତ ସେମି ଜିତି ଫାଇନାଲକୁ କବଜା କରିବାକୁ ଲକ୍ଷ୍ୟ ରଖିଛି। ଲିଗ୍ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ରୋହିତ ବାହିନୀ ମଧ୍ୟରେ ବିଜୟ ନେଇ ଭରି ରହିଛି ଆତ୍ମବିଶ୍ବାସ । ଆଉ ଏହାକୁ ପଡିଆରେ କରି ଦେଖାଇବ ଟିମ ଇଣ୍ଡିଆ।

୨୦୧୯ ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ସହ ଭାରତର ସାମ୍ନାସାମ୍ନି ହୋଇଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ୧୮ ରନରେ ହାରିଥିଲା ଭାରତ । ବର୍ଷା ଯୋଗୁଁ ଦୁଇ ଦିନ ଧରି ଖେଳାଯାଇଥିଲା ଏହି ସେମିଫନାଲ। ସେଇ ଇତିହାସର ପୁନରାବୃତ୍ତି କରିବାକୁ ଚାହିଁବନି ଭାରତ। ଏଥର ଭାରତ ପାଖରେ ବଛାବଛା ଖେଳାଳି ରହିଛନ୍ତି । ସ୍ପେଶାଲିଷ୍ଟ ପେସର ଭାରତର ଦମ୍ଭ । ମହମ୍ମଦ ସାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରା ଭଳି ପେସର ବିଶ୍ବର ଯେକୌଣସି ବ୍ୟାଟସମ୍ୟାନର ୱିକେଟ ଦୋହଲାଇବାକୁ ସକ୍ଷମ। କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଏହାସହ ଟିମ ଇଣ୍ଡିଆର ଶକ୍ତିଶାଳୀ ମିଡିଲ୍ ଅର୍ଡର ପ୍ରତିପକ୍ଷର ଟାର୍ଗେଟ୍ ପୂରଣ କରିବାକୁ ଦମ୍ଭ ରଖିଛନ୍ତି । କ୍ୟାପଟେନ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, କେ.ଏଲ ରାହୁଲ ଓ ଶ୍ରେୟାସ ଆୟର ଟପ୍ ଫର୍ମରେ ଅଛନ୍ତି ।

ନ୍ୟୁଜିଲାଣ୍ଡ ମଧ୍ୟ ଭଲ ଫର୍ମରେ ରହିଛି । ଦିନିକିଆ ରେକର୍ଡରେ ଭାରତ ଆଗରେ ଥିବାବେଳେ ବିଶ୍ବକପ ରେକର୍ଡରେ କିୱି ଦଳ ଆଗରେ ରହିଛି । ବ୍ୟାଟର ରଚିନ ରବୀନ୍ଦ୍ର ଟପ୍ ଫର୍ମରେ ଅଛନ୍ତି । ୱିଲିମସନ, କନୱେ ଚଳିତ ବିଶ୍ବକପରେ ଦମଦାର ଖେଳ ଦେଖାଇଛନ୍ତି । ସେହିପରି ଟିମ ସାଉଦି, ଲକି ଫର୍ଗୁସନ ଏବଂ ଟ୍ରେଣ୍ଟ ବୋଲ୍ଟ ଯେକୌମସି ସମୟରେ ବୋଲିଂରେ ପଟ୍ଟ ପରିବର୍ତ୍ତନ କରିବାର ଶକ୍ତି ରଖିଛନ୍ତି । କେବେ ବିଶ୍ବକପ ଜିତିନଥିବା ନ୍ୟୁଜିଲାଣ୍ଡ ମଧ୍ୟ ଏଥର ବିଶ୍ବକପ ହାତେଇବାକୁ ଟାର୍ଗେଟ କରିଛି ।

ପୁଣି ୧୦ ହଜାର ଟଙ୍କାର ତଣ୍ଡ ଗଣିବେ ବିଧାୟକ ମହମ୍ମଦ ମୋକିମ୍

କଟକ :  ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୋକିମ୍ ୨୦୧୯ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

ସେହି କ୍ରମରେ ଆଜି ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୫ଦିନ ସମୟ ମାଗିବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି । କୋର୍ଟ ତାଙ୍କୁ ୭ଦିନ ସମୟ ଦେବା ସହ ଆସନ୍ତା ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି | ପୂର୍ବରୁ ମଧ୍ୟ ମହମ୍ମଦ ମୋକିମକୁ ଦୁଇ ଦୁଇଥର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ ।

ଇସ୍ତଫା ଦେଲେ ପାକିସ୍ତାନ ବୋଲିଂ କୋଚ

ଇସଲାମବାଦ: ପାକିସ୍ତାନ ବୋଲିଂ କୋଚ ମର୍ଣ୍ଣି ମର୍କେଲ ଇସ୍ତଫା ଦେଇଛନ୍ତି । ମାତ୍ର ୫ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି । ଗତ ଜୁନ ମାସରେ ମର୍କେଲ ବୋଲିଂ କୋଚଭାବେ ଦାୟିତ୍ବ ଗ୍ରହଣ କରିଥିବାବେଳେ ୬ ମାସ ପାଇଁ ଚକ୍ତି କରିଥିଲେ । ଚଳିତ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସମାଲୋଚନା କରାଯାଉଛି । କୁହାଯାଉଥିଲା କି, ବାବର ଅଧିନାୟକ ପଦ ଛାଡ଼ିବେ । ମାତ୍ର ଏହା ପୂର୍ବରୁ ବୋଲିଂ କୋଚ୍ ଇସ୍ତଫା ଦେଇଥିବା ପିସିବି ତଥା ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମର୍କେଲଙ୍କ ସ୍ଥାନରେ ପାକିସ୍ତାନର ପୂର୍ବତନ ବୋଲର ଉମର ଗୁଲଙ୍କୁ ବୋଲିଂ କୋଚଭାବେ ନିଯୁକ୍ତ କରାଯାଇଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ପାକିସ୍ତାନ ୪ ମ୍ୟାଚ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଦଳ ସେମି ରେସରୁ ବାଦ ପଡ଼ିବା ସହ ଲଗାତାରା ପରାଜୟ ଦଳକୁ ସମାଲୋଚନାର ଶିକାର ସଜାଇଥିଲା । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳର ପରାଜୟକୁ ବହୁ କ୍ରିକେଟପ୍ରେମୀ ସହି ପାରିନଥିଲେ । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମଧ୍ୟ ପରାଜୟ ବରଣ କରିବା ସହ ସେମି ରେସରୁ ବାଦ ପଡ଼ିଛି ପାକିସ୍ତାନ । ଦଳର ଖେଳାଳି ସାଙ୍ଗକୁ ଦିଗଜ କ୍ରିକେଟରମାନେ ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଭାରତର ବିଜୟକୁ ମଧ୍ୟ ସହିପାରୁନାହାନ୍ତି ।