ଉତ୍ତରକାଶୀରେ ଟନେଲ ଧସିବା ଘଟଣା: ଆସନ୍ତାକାଲି ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭାବନା

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ ଧସିବା ଘଟଣା । ଘଟଣାସ୍ଥଳରେ ଜାରି ରହିଛି ମେଗା ରେସ୍କ୍ୟୁ ଅପରେସନ । ବୁଧବାର ହିଁ ସମସ୍ତଙ୍କୁ ଉଦ୍ଧାର ସମ୍ଭାବନା ରହିଛି ବୋଲି କହିଛନ୍ତି ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ସମ୍ପାଦକ ରଞ୍ଜିତ କୁମାର ସିହ୍ନା । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର ।

୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି । ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ।

ହାଇଡ୍ରୋଲିକ ଜ୍ୟାକ ଜରିଆରେ ୯୦୦ ମିଲିମିଟର ଓସାରର ଏକ ପାଇପକୁ ଟନେଲ ଭିତରକୁ ପଠାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଶା ରଖିଛନ୍ତି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନରେ ଜଳସେଚନ ବିଭାଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି  ।

ଅନ୍ୟପଟେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ସେମାନେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା । ଏନେଇ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।