ବିଜୟଧାରା ଜାରି ରଖିବ କି ଟିମ୍ ଇଣ୍ଡିଆ?

ମୁମ୍ବାଇ: ୱାଙ୍ଖଡେରେ ଜବରଦସ୍ତ ହେବ ଫାଇଟ୍। ମୁହାଁମୁହିଁ ହେବେ ବିଶ୍ବକପର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ନ୍ୟୁଜିଲାଣ୍ଡ। ଖେଳାଯିବ ପ୍ରଥମ ସେମିଫାଇନାଲ। ଚଳିତ ବିଶ୍ବକପରେ ବିଜୟଧାରା ଜାରି ରଖିଛି ଭାରତ। ଲଗାତର ୯ଟି ଲିଗ୍ ବିଜୟ ସହ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ସମସ୍ତ ପ୍ଲେୟାର ଫର୍ମରେ ଅଛନ୍ତି୍। ବୋଲିଂରେ ଚମକପ୍ରଦ ପ୍ରଦର୍ଶନ ଦଳର ଆତ୍ମବିଶ୍ବାସ ଆହୁରି ବଢାଇଛି । ବ୍ୟାଟ୍ସମ୍ୟାନ୍ ପୂର୍ବରୁ ଏହା ପ୍ରମାଣ କରି ସାରିଛନ୍ତି। ତେବେ ୨୦୧୯ର ଇତିହାସ ଦୋହରାଇବାକୁ ଚାହିଁବେନି ରୋହିତ ଆଣ୍ଡ କୋ। ଏଥର ସେମି ଜିତି ଫାଇନାଲ ହାତେଇବାକୁ ଲକ୍ଷ୍ୟ ରଖିଛି।

ମୁମ୍ବାଇର ୱାଙ୍ଖଡେରେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ। ବେଶ ଦମଦାର ହେବ ଏହି ମ୍ୟାଚ୍ । ଭାରତ ଏବଂ କିୱି ଦଳ ମଧ୍ୟରେ ଚାଲିବ ହାଇଭୋଲଟେଜ ଟକ୍କର। ମଝିରେ ଆଉ ଗୋଟିଏ ଦିନ । ସେମିରେ ବିଜୟ ନେଇ ଭାରତର ମନୋବଳ ଦୃଢ ରହିଛି  ।  ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରହିଛି ଟିମ ଇଣ୍ଡିଆ। ଭାରତ ସେମି ଜିତି ଫାଇନାଲକୁ କବଜା କରିବାକୁ ଲକ୍ଷ୍ୟ ରଖିଛି। ଲିଗ୍ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ରୋହିତ ବାହିନୀ ମଧ୍ୟରେ ବିଜୟ ନେଇ ଭରି ରହିଛି ଆତ୍ମବିଶ୍ବାସ । ଆଉ ଏହାକୁ ପଡିଆରେ କରି ଦେଖାଇବ ଟିମ ଇଣ୍ଡିଆ।

୨୦୧୯ ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ସହ ଭାରତର ସାମ୍ନାସାମ୍ନି ହୋଇଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ୧୮ ରନରେ ହାରିଥିଲା ଭାରତ । ବର୍ଷା ଯୋଗୁଁ ଦୁଇ ଦିନ ଧରି ଖେଳାଯାଇଥିଲା ଏହି ସେମିଫନାଲ। ସେଇ ଇତିହାସର ପୁନରାବୃତ୍ତି କରିବାକୁ ଚାହିଁବନି ଭାରତ। ଏଥର ଭାରତ ପାଖରେ ବଛାବଛା ଖେଳାଳି ରହିଛନ୍ତି । ସ୍ପେଶାଲିଷ୍ଟ ପେସର ଭାରତର ଦମ୍ଭ । ମହମ୍ମଦ ସାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରା ଭଳି ପେସର ବିଶ୍ବର ଯେକୌଣସି ବ୍ୟାଟସମ୍ୟାନର ୱିକେଟ ଦୋହଲାଇବାକୁ ସକ୍ଷମ। କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଏହାସହ ଟିମ ଇଣ୍ଡିଆର ଶକ୍ତିଶାଳୀ ମିଡିଲ୍ ଅର୍ଡର ପ୍ରତିପକ୍ଷର ଟାର୍ଗେଟ୍ ପୂରଣ କରିବାକୁ ଦମ୍ଭ ରଖିଛନ୍ତି । କ୍ୟାପଟେନ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, କେ.ଏଲ ରାହୁଲ ଓ ଶ୍ରେୟାସ ଆୟର ଟପ୍ ଫର୍ମରେ ଅଛନ୍ତି ।

ନ୍ୟୁଜିଲାଣ୍ଡ ମଧ୍ୟ ଭଲ ଫର୍ମରେ ରହିଛି । ଦିନିକିଆ ରେକର୍ଡରେ ଭାରତ ଆଗରେ ଥିବାବେଳେ ବିଶ୍ବକପ ରେକର୍ଡରେ କିୱି ଦଳ ଆଗରେ ରହିଛି । ବ୍ୟାଟର ରଚିନ ରବୀନ୍ଦ୍ର ଟପ୍ ଫର୍ମରେ ଅଛନ୍ତି । ୱିଲିମସନ, କନୱେ ଚଳିତ ବିଶ୍ବକପରେ ଦମଦାର ଖେଳ ଦେଖାଇଛନ୍ତି । ସେହିପରି ଟିମ ସାଉଦି, ଲକି ଫର୍ଗୁସନ ଏବଂ ଟ୍ରେଣ୍ଟ ବୋଲ୍ଟ ଯେକୌମସି ସମୟରେ ବୋଲିଂରେ ପଟ୍ଟ ପରିବର୍ତ୍ତନ କରିବାର ଶକ୍ତି ରଖିଛନ୍ତି । କେବେ ବିଶ୍ବକପ ଜିତିନଥିବା ନ୍ୟୁଜିଲାଣ୍ଡ ମଧ୍ୟ ଏଥର ବିଶ୍ବକପ ହାତେଇବାକୁ ଟାର୍ଗେଟ କରିଛି ।