ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ୧୬ ତାରିଖ ବେଳକୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ୧୬ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି  । ୧୬ ଓ ୧୭ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  ।

୧୬ ତାରିଖରେ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିବ ପବନ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ ଏବଂ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ଏହିସବୁ ଜିଲ୍ଲା ଗୁଡ଼ିକରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଏହାଛଡ଼ା ୧୬ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଅମଳ ଉପଯୋଗୀ ଧାନ । ଏଣୁ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସାମ୍ଭାବ୍ୟ ଲଘୁଚାପ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି ।