ମାଟିତଳୁ ନାବାଳିକାଙ୍କ ଶବ ମିଳିବା ଘଟଣାରେ ୩ ଗିରଫ

1 min read

ନୟାଗଡ଼: ମାଟି ତଳୁ ନାବାଳିକା ଝିଅର ଶବ ଉଦ୍ଧାର ଘଟଣାରେ ନୟାଗଡ଼ ନୂଆଗାଁ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ l ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ବାପାକୁ ଖୋଜୁଛି ପୋଲିସ l ଏହି ଘଟଣା ଅନର କିଲିଂ ବୋଲି ସନ୍ଦେହ କରୁଛି ପୋଲିସ  l ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ନୟାଗଡ ନୂଆଗାଁ ଥାନା ସୋରଡ଼ା ଗାଁର ବିପ୍ର ନାୟକଙ୍କ ନାବାଳିକା ଝିଅ ଜଣେ ପୁଅକୁ ପ୍ରେମ କରୁଥିଲା । ବାପା ମା’ ତାଗିତ କରିବା ପରେ ଝିଅ ମାନି ନଥିଲା l ଏହି ଘଟଣାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା l

ଗତ ୧୦ ତାରିଖରେ ଝିଅକୁ ଆକଟ କରିବାକୁ ପରିବାର ଲୋକେ ପିଟି ପିଟି ମାରି ଦେଇଥିବା ସନ୍ଦେହ କରୁଛି ପୋଲିସ l ଘଟଣାକୁ ଲୁଚାଇବାକୁ ଯାଇ ମୃତଦେହକୁ ଏକ କାରରେ ନେଇ ଫୁଲୁବାଣୀ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋତି ଦେଇଥିଲେ l ନୂଆଗାଁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଞ୍ଚଳ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା l ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ପୋତା ହୋଇଥିବା ସ୍ଥାନରୁ ଶବକୁ ଉଧାର କରିଥିଲେ l ନୂଆଗାଁ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନାବାଳିକାର ପିଉସା ପତିତପାବନ ପ୍ରଧାନ, ୨ ସମ୍ପର୍କୀୟ ଭାଇ ବିକାଶ କୁମାର ନାୟକ ଏବଂ ଚିନ୍ମୟ ନାୟକ । ଫେରାର ଥିବା ବାପାକୁ ଖୋଜୁଛି ପୋଲିସ ।