spot_img
Home Blog Page 2485

ଭୟଙ୍କର ବିସ୍ଫୋରଣ, ଉଡିଲା ଛାତ, ଭାଙ୍ଗିଲା କାନ୍ଥ

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଝାରପଡା ଅଞ୍ଚଳରେ ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ । ବିସ୍ଫୋରଣରେ ଆହତ ହୋଇଛନ୍ତି ଝାରପଡା ଅଞ୍ଚଳର କବିରାଜ ସ୍ବାଇଁ । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।

ଗତକାଲି ରାତିରେ ଏଭଳି ଘଟଣା ଘଟିଛି । ଅନ୍ୟପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।

 

ଦୁର୍ଘଟଣା ଆଇନ ବିରୋଧରେ ଦେଶବ୍ୟାପୀ ଟ୍ରକ ଚାଳକଙ୍କ ଧର୍ମଘଟ, ବଢିପାରେ ବଜାର ଦର

ନୂଆଦିଲ୍ଲୀ: ଦେଶରେ ଚାଲୁନି ଅଧା ଟ୍ରକ୍ । ଆନ୍ଦୋଳନ କରିଛନ୍ତି ଟ୍ରକ୍ ଡ୍ରାଇଭର୍ । ହିଟ୍ ଆଣ୍ଡ ରନ୍ ଆଇନ୍ ଅନୁଯାୟୀ ଅଧିକ ଦଣ୍ଡ ଏବଂ ଜରିମାନା ବିରୋଧରେ ସାରା ଦେଶରେ ପ୍ରାୟ ଅଧା ଟ୍ରକ୍ ଚାଲୁନି । ଏହି ପ୍ରତିବାଦରେ ଯୋଗ ଦେଉଥିବା ଡ୍ରାଇଭରଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଡ୍ରାଇଭରମାନେ ଟ୍ରକକୁ ରାସ୍ତାରେ ଛାଡି ଚାଲିଯାଉଛନ୍ତି।

ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଅବସ୍ଥା ଆହୁରି ଖରାପ ହୋଇପାରେ। ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ଆଜି ଅପରାହ୍ନରେ ସାରା ଦେଶରେ ପରିବହନ ୟୁନିଅନର ଏକ ବୈଠକ ଡାକିଛି । ଯେଉଁଥିରେ ଆଗାମୀ ରଣନୀତି ସ୍ଥିର କରାଯିବ।

ଦେଶର ସମସ୍ତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ତୀବ୍ର ବିରୋଧ କରାଯାଇଛି। ଡ୍ରାଇଭରଙ୍କ ସହ ସମସ୍ତ ପରିବହନ ୟୁନିଅନ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ବି ଅନେକ ସ୍ଥାନରେ ବସ୍ ଏବଂ ଟ୍ରକ୍ ଷ୍ଟ୍ରାଇକ୍ ଯୋଗୁ ଟ୍ରାଫିକ୍ ଜାମ୍ ହେବାର ଦେଖାଯାଇଛି । ବେସରକାରୀ ବସ୍, ଟ୍ରକ୍ ଏବଂ ଏପରିକି ସରକାରୀ ବିଭାଗର ଘରୋଇ ବସ୍ ମଧ୍ୟ ଏହି ଧର୍ମଘଟରେ ଭାଗ ନେଉଛନ୍ତି।

ବାସ୍ତବରେ, ଦୁର୍ଘଟଣା ନିୟମ ଅନୁଯାୟୀ କେନ୍ଦ୍ର ସରକାର ୧୦ ବର୍ଷ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି।

ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ସଭାପତି ଅମୃତ ଲାଲ ମଦନ କହିଛନ୍ତି ଯେ, ପରିବହନ ୟୁନିଅନ ଡ୍ରାଇଭରଙ୍କ ସମର୍ଥନରେ ବାହାରିଛି। ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ଦେଶର ସମସ୍ତ ୟୁନିୟନର ଏକ ବୈଠକ ଡକାଯାଇଛି। ଏହି ବୈଠକରେ ପରବର୍ତ୍ତୀ ଋଣନୀତି ସ୍ଥିର ହେବ ଏବଂ ସ୍ଥିର ରଣନୀତି ଅନୁଯାୟୀ କିପରି ବିରୋଧ କରାଯିବ ସେ ନେଇ କାର୍ଯ୍ୟକ୍ରମ ସ୍ଥିର କରାଯିବ ।

ଅମୃତ ଲାଲ ମଦନ କହିଛନ୍ତି ଯେ, ବର୍ତ୍ତମାନ ୯୫ ଲକ୍ଷରୁ ଅଧିକ ଟ୍ରକ୍ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ୭୦ ଲକ୍ଷ ଟ୍ରକ୍ ଗୋଟିଏ ସମୟରେ ରାସ୍ତାରେ ଚାଲିଥାଏ। ଏବେ ପ୍ରତିବାଦ କରି ୩୦ ରୁ ୪୦ ପ୍ରତିଶତ ଟ୍ରକ୍ ରାସ୍ତାରେ ଠିଆ ହୋଇଛି | ୭୦ ଲକ୍ଷ ଟ୍ରକରୁ ୨୫ ଲକ୍ଷରୁ ଅଧିକ ଟ୍ରକର ଚକ ଏବେ ଅଟକି ରହିଛି। ଏପରି ଯଦି ଟ୍ରକ୍ ଧର୍ମଘଟ ଜାରି ରହେ ତାହାଲେଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇପାରେ । ଏବଂ ଏହାର ଦର ବି ବଢ଼ିପାରେ ।

 

ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ି, ବିଳମ୍ବରେ ଚାଲିଛି ୨୬ ଟ୍ରେନ୍

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି ଘନ କୁହୁଡି । ଥଣ୍ଡା ସାଙ୍ଗକୁ ଘନକୁହୁଡି ଲୋକଙ୍କୁ କରୁଛି କଲବଲ  । ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି ।

କୁହୁଡି ଯୋଗୁଁ ଦିଲ୍ଲୀରେ ୨୬ଟି ଟ୍ରେନ ବିଳମ୍ବରେ ଚାଲିଛି । ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଧ୍ୟ ଭାରତରେ ଆଗାମୀ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ବିଶେଷ କରି ମଧ୍ୟପ୍ରଦେଶ ,ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। । ୨ ଜାନୁଆରୀରୁ ୬ ଜାନୁଆରୀ ପର୍ଯ୍ୟନ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି  । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ତାମିଲନାଡୁ,ଦକ୍ଷିଣ କେରଳ ଏବଂ ଲାକ୍ଷାଦ୍ୱୀପର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  ।

ଭୂକମ୍ପରେ ଛାରଖାର ଜାପାନ, ମୃତ୍ଯୁ ସଂଖ୍ଯା ହେଲାଣି ୨୪

ଟୋକିଓ: ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ଜାପାନ । ମୃତ୍ଯୁ ସଂଖ୍ଯା ହେଲାଣି ୨୪ । ଅନେକ ବ୍ଯକ୍ତି ନିଖୋଜ ହୋଇଥିବା ସୂଚନା ମିଳିଛି । ଗତକାଲି ଇଶିକାଓ୍ବାରାରେ ୭.୫ ତୀବ୍ରତାର ଭୂକମ୍ପନ ଅନୁଭୂତ ହେବା ପରେ ଜାପାନ ସମେତ ୪ଟି ଦେଶରେ ଖେଳିଥିଲା ଆତଙ୍କ । ହୋନସୁରେ ଏକ ମିଟର ଉଚ୍ଚତା ଓ ଓ୍ବାଜିମାରେ ଦେଢ ମିଟର ଉଚ୍ଚତାର ଜୁଆର ଆସିବା ପରେ ଅନେକ କିଛି ହୋଇଛି କ୍ଷୟକ୍ଷତି ।

ଏକ ବନ୍ଦରରେ ନିଆଁ ଲାଗିଯାଇଥିବା ଜଣାଯାଇଛି । ଜରୁରୀକାଳୀନ ବୈଠକରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଅନେକ ବୃହତ କୋଠା ଟଳିପଡିଥିବାବେଳେ ହଜାର ହଜାର ଘରେ ଫାଟ ସୃଷ୍ଟି ହୋଇଛି । ୪୫ ହଜାରରୁ ଅଧିକ ଲୋକ ବିଦ୍ଯୁତରୁ ବଞ୍ଚିତ ହୋଇଛନ୍ତି । ସେପଟେ ଜାପାନ ଜାରି କରିଥିବା ସୁନାମୀ ଆଲର୍ଟକୁ ହଟାଇନିଆଯାଇଛି । ପ୍ରାୟ ୬୨ ହଜାର ଲୋକଙ୍କୁ ଘର ଖାଲି ନିର୍ଦ୍ଦେଶ ଦିଆଯାଇଥିବାବେଳେ ମିଲିଟାରୀ ବେସରେ ସହସ୍ରାଧିକ ଲୋକ ମୁଣ୍ଡ ଗୁଞ୍ଜିଛନ୍ତି । ପ୍ରାୟ ଏକ ହଜାର ସାମରିକ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବାବେଳେ ୨୦ଟି ସାମରିକ ହେଲିକପ୍ଟରକୁ ମୁତୟନ କରାଯାଇଛି ।ଟୋକିଓରେ ବୁଲେଟ ଟ୍ରେନ ସେବା ରଦ୍ଦ ହୋଇଛି । ଇଶିକାଓ୍ବାସ୍ଥିତ ଶିକା ଆଣବିକ କାରଖାନା ନିରାପଦ ଥିବା ସୂଚନା ମିଳିଛି । ଗତକାଲି ଜାପାନର ବିଭିନ୍ନ ସ୍ଥାନରେ ୧୫୫ଥର ଭୂକମ୍ପ ସୃଷ୍ଟି ହୋଇଥିବା ଜଣାଯାଇଛି ।

ବଢ଼ୁଛି କରୋନା: ୨୪ ଘଣ୍ଟାରେ ଆଉ ୪ ଆାକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ରେ ପହଞ୍ଚିଥିବା ବେଳେ ଏବେ ଆକ୍ଟିଭ କେସ ରହିଛି ୨୩ । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସଂକ୍ରମଣ ବ୍ୟାପୁଥିବାରୁ ଥଣ୍ଡା, ଜ୍ବର, କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି । ବିଶେଷ କରି ବୃଦ୍ଧ, ଶିଶୁ ଓ ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତି ବିଶେଷ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ।

ଅଢେଇ ବର୍ଷର ପୁଅର ମିଳୁନି ଖୋଜ ଖବର, ଖେଳୁଥିଲାବେଳେ ହୋଇଯାଇଛି ନିଖୋଜ

ସୋର: ସୋର ପୌରପାଳିକା ୪ ନମ୍ବର ୱାର୍ଡ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେଇ ବର୍ଷର ପୁଅର ମିଳୁନି ଖୋଜ ଖବର । ଶିଶୁଟି ଖେଳୁ ଥିବା ବେଳେ ନିଖୋଜ ହୋଇଯାଇଛି । ପରିବାର ଲୋକ ଓ ଗ୍ରାମବାସୀ ବିଭିନ୍ନ ପୋଖରୀ, ବିଲ ବାଡି, ଷ୍ଟେସନ, ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହେଲେଣି । ଖବର ପାଇ ସୋର ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଲା ପରେ ବି ପତ୍ତା ମିଳୁନି । ରାଇପୁର ସ୍ଥିତ ମୋହନ ସାହୁଙ୍କ ନିଜ ବାଡ଼ିରେ ଥିବା ପୋଖରୀରେ ଶିଶୁ ପୁତ୍ରଟି ପଡ଼ିଥିବା ସନ୍ଦେହ କରାଯାଉଛି । ଏଥିପାଇଁ ପୋଖରୀରର ପାଣି କଢ଼ାଯାଉଛି ।

ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ, ଫାଟିଲା LPG ସିଲିଣ୍ଡର

ପୁରୀ: ପୁରୀ ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ ନିକଟ ମଙ୍ଗଳପୁର ବଜାରରେ ଥିବା ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଫାଷ୍ଟ ଫୁଡ୍ ଦୋକାନ । ଦୁଇଟି LPG ସିଲିଣ୍ଡର ବିସ୍ଫୋରଣ ହେବା ସହ ହୋଟେଲର ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ପାଖ ଅଳିଆଗଦାରୁ ନିଆଁ ବ୍ୟାପିବା ପରେ ଫାଷ୍ଟ ଫୁଡ୍ ଦୋକାନରେ ନିଆଁ ଲାଗି ଥିବା ସ୍ପଷ୍ଟ ହୋଇଛି । ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

କୁହୁଡି ଯୋଗୁଁ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ସାଲେପୁର: ସାଲେପୁର କଟକ ଚାନ୍ଦାବାଲି ରାସ୍ତା କଟରପଡା ନିକଟରେ ଭୟଙ୍କର ଦୁର୍ଘଟଣା । ପ୍ରବଳ କୁହୁଡି ଯୋଗୁଁ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରାଜକନିକାର ନଳିନୀକାନ୍ତ ଗାହାଣ, ଆଳିର ଅନୂସୟା ବାରିକ । ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭରଙ୍କର ଅବସ୍ଥା ଗୁରୁତର ରହିଛି ।

ଦୁଇ ଡ୍ରାଇଭର ଏବେ ବି ଗାଡିରେ ଫସି ରହିଛନ୍ତି । କଟର ମେସିନ୍ ସହାୟତାରେ ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି । ଆହତ ଓ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୩ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ଦିନ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଫେବୃଆରୀ ୧୬ରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ୧୬ ତାରିଖରୁ ବିଜ୍ଞାନ ଓ ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ ।

ଚଳିତବର୍ଷ ମୋଟ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୪୪୭, ବାଣିଜ୍ୟରେ ୨୫ ହଜାର ୯୬୦ ଓ ଧନ୍ଦାମୂଳକରେ ୫ ହଜାର ୭୬୫ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ ୧୧ ଶହ ୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି । କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସ୍କ୍ୱାର୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି। ତ୍ରିସ୍ତରୀୟ ସ୍କ୍ୱାର୍ଡ ସହ ଜିଲ୍ଲା ସ୍ତରରେ ରହିବେ ସେଣ୍ଟ୍ରାଲ ସ୍କ୍ୱାର୍ଡ। ପରୀକ୍ଷା କେନ୍ଦ୍ର ରେ ସିସିଟିଭି ଲାଗିବା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରୁ ହେବ ଲାଇଭ ଷ୍ଟ୍ରିମିଂ।

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ 

ଭୁବନେଶ୍ବର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ  । ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା । ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ନୂଆବର୍ଷରେ ୩୦ ହଜାର ୫୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ ।  ଗତ ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ମଧ୍ୟରେ ୧ଲକ୍ଷ ୯୧ ହଜାର ୨୨୪ ଜଣ ପର୍ଯ୍ୟଟକ ଆସିଥିଲେ । ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ ।

ବଡଦିନ ଅବସରରେ ୧୯ ହଜାର ୬୨୬ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ୨୭ ତାରିଖରେ ୪୦ହଜାର ୩୧୬ ଜଣ ପର୍ଯ୍ୟଟକ, ୨୮ରେ ୩୧ ହଜାର ୨୩୭ ପର୍ଯ୍ୟଟକ, ୨୯ରେ ୩୧ହଜାର ୩୧୨ ପର୍ଯ୍ୟଟକ ଆସିଥିଲେ। ୩୦ରେ ୩୨ହଜାର ୨୦୧ ପର୍ଯ୍ୟଟକ ଆସିଥିଲେ। ବର୍ଷ ଶେଷ ଅର୍ଥାତ୍ ୩୧ରେ ୩୬ ହଜାର ୫୩୨ ପର୍ଯ୍ୟଟକ ଆସିଥିଲେ । ଗତବର୍ଷ ଏପ୍ରିଲ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୧କୋଟି ୪୯ଲକ୍ଷ ୫୮ହଜାର ୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିଲେ ।