ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ’ସ୍ବୟମ’

1 min read

ଭୁବନେଶ୍ବର: ରାଜ୍ଯର ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରିବାକୁ ରାଜ୍ଯ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଯୁବପିଢିଙ୍କୁ ସ୍ବତନ୍ତ୍ର ଯୁବ ଉଦ୍ଯମୀ ଭାବେ ଗଡିତୋଳିବାକୁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ସ୍ବୟଂ । ଯୋଜନାରେ ବ୍ଯବସାୟ କରିବା ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ମିଳିବ ସୁଧମୁକ୍ତ ଋଣ । ଏହାକୁ କ୍ଯାବିନେଟରେ ଅନୁମୋଦନ କରାଯାଇଛି । ଯୋଜନାରେ ଗ୍ରାମୀଣ ବେରୋଜଗାର ଯୁବକଯୁବତୀ ଅଥବା ରାଜ୍ଯ ସହାୟକ କୌଣସି ଯୋଜନାରେ ଋଣ ନେଇନଥିବା ଏବଂ ଋଣ ନେଇ ପରିଶୋଧ କରିସାରିଥିବା ଯୁବବର୍ଗ ଯୋଜନାର ଲାଭପାଇବେ । ୧୮ରୁ ୩୫ ବର୍ଷୀୟ ଯୁବକଯୁବତୀମାନେ ନୂତନ ବ୍ଯବସାୟ ଆରମ୍ଭ ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏକ ଲକ୍ଷ ଯୋଗ୍ଯ ଗ୍ରାମୀଣ ଯୁବକ ଓ ଯୁବତୀଙ୍କୁ ଋଣ ଯୋଗାଇ ଦେବାକୁ ରାଜ୍ଯ ସରକାର ଲକ୍ଷ ରଖିଛନ୍ତି । ଏଥିପାଇଁ ବଜେଟରେ ୪୪୮ କୋଟି ଟଙ୍କାର ବ୍ଯୟ କରାଯିବ । ଯୋଜନାଟି ବିଜ୍ଞପ୍ତି ପ୍ରକାଶ ପାଇବାଠାରୁ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ।  ଋଣ ସମ୍ପୂର୍ଣ୍ଣ ସୁଧ ରାଜ୍ଯ ସରକାର ବହନ କରିବେ । ଋଣ ନିମନ୍ତେ କୋ-ଲାଟେରାଲ ଏବଂ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ । ଋଣ ପରିଶୋଧର ଅବଧି ୪ ବର୍ଷ ରଖାଯାଇଛି । ଏଥିରେ ୩ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି । ସମ୍ପର୍ଣ୍ଣ ସୁଧଭାର ଏବଂ ବାର୍ଷିକ ଗ୍ଯାରେଣ୍ଟି ନିମନ୍ତେ ନିର୍ଦ୍ଧାରିତ ଦେୟ ଭାର ବହନ କରିବାକୁ ରାଜ୍ଯ ସରକାର ୨୨୪ କୋଟି ଟଙ୍କା ବ୍ଯୟବରାଦ କରିବେ ।