ହରିୟାଣା ବର୍ଡରରେ ପୋଲିସ୍-କୃଷକ ମୁହାଁମୁହିଁ, ଜଣେ କୃଷକ ଆହତ

1 min read

ଚଣ୍ଡିଗଡ଼: ଦିଲ୍ଲୀ ବିଜୟ ପାଇଁ ଚାଷୀଙ୍କ ରଣହୁଙ୍କାର। ପଞ୍ଜାବ-ହରିୟାଣା ସୀମାରେ ଗର୍ଜିଲେ ଚାଷୀ। ଆନ୍ଦୋଳନ ଭଣ୍ଡୁର କରିବାକୁ ଲୁହ ବୁହା ଗ୍ଯାସ ସହ ପାଣି ମାଡ଼ କଲା ପୋଲିସ। ବ୍ଯାରିକେଡ ଭାଙ୍ଗି ଦିଲ୍ଲୀ ମୁହାଁ ଯିବାକୁ ଚାଷୀଙ୍କ ପ୍ରୟାସ। ବ୍ଯାପକ ମାତ୍ରାରେ ଲୁହ ବୁହା ଗ୍ଯାସ ଛାଡିବା ପରେ ପଞ୍ଜାବ ଓ ହରିୟାଣାର ଚାଷୀ ମାନେ ଏଣେ ତେଣେ ପଳାଇଥିଲେ । ପୋଲିସ ସେମାନଙ୍କୁ ଜୋରଜବରଦସ୍ତି ନିଜ ନିଜ ରାଜ୍ଯକୁ ଫେରିଯିବା ପାଇଁ ବାଧ୍ୟ କରିଥିଲା। କଳା ଆଇନକୁ ନେଇ ଚାଷୀଙ୍କ ଜିଦ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଥିବା ବେଳେ ଏଥର ମଧ୍ଯ ନୂଆ ଦାବି ନେଇ ଚାଷୀ ଜୋରଦାର ଆନ୍ଦୋଳନ ଆରମ୍ଭ କରିଛନ୍ତି । ହେଲେ ଆନ୍ଦୋଳନ ଆରମ୍ଭରୁ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସିମେଣ୍ଟ ବ୍ୟାରିକେଡ୍ ଭାଙ୍ଗିଛନ୍ତି କୃଷକ । ପୋଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି । ଫଳରେ ପୋଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା । ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି । ଏହି ଆନ୍ଦୋଳନ ୬ ମାସ ଚାଲିବ ବୋଲି ଅନୁମାନ କରାଯାଉଛି । ୬ ମାସ ପର୍ଯ୍ୟନ୍ତ ଚାଷୀ ମାନେ ରାସନସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି ।
ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ । ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀ ମୁହାଁ ହୋଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମା ସିଲ୍ କରିଛି ପୋଲିସ ପ୍ରଶାସନ। ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ରାସ୍ତାରେ କଣ୍ଟାତାର ବିଛା ଯାଇଛି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ବି ବନ୍ଦ କରାଯାଇଛି। ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ପ୍ରଣୟନ କରିବାକୁ ଚାଷୀ ଦାବି କରିଛନ୍ତି ।

ଅନ୍ନଦାତାଙ୍କ ରଣ ହୁଙ୍କାର ଭିତରେ ଦିଲ୍ଲୀ ନୋଏଡା ରାସ୍ତାରେ ଟ୍ରାଫିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଭୀଷଣ ଟ୍ରାଫିକ ଜାମ ପରିସ୍ଥିତି ଉପୁଜିଛି । ୧ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ଲାଗୁଛି ୧ ଘଣ୍ଟାର ସମୟ । ଫଳରେ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘାଜିପୁର ଏବଂ ଚିଲା ବର୍ଡରରେ ମଧ୍ଯ ସ୍ଥିତି ସଂଗୀନ । ରାସ୍ତାରେ ଫସିରହିଛି ଅନେକ କାର । ଦିଲ୍ଲୀ ଗାଜିଆବାଦ ଏବଂ ନୋଏଡା ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ଦିଲ୍ଲୀର ଘାଜିପୁର,ସିଙ୍ଘୁ ଏବଂ ଟିକରି ରାସ୍ତା ଜାମ ରହିଛି । ଦିଲ୍ଲୀ ମଧ୍ଯକୁ ମାଲପରିବହନ ଗାଡି ଗୁଡିକର ପ୍ରବେଶ ଉପରେ କଟକଣା ଲଗାଯାଇଛି ।