spot_img
Home Blog Page 2478

ଆୟକର ବିଭାଗ ହାତରେ ନାଲି ଫାଇଲ, ରହିଛି ଚାନ୍ଦା ନେଉଥିବାଙ୍କ ନାଁ

ବଲାଙ୍ଗୀର : ସୁଦପଡା ଦେଶୀ ମଦଭାଟି ଚଢ଼ାଉ ୫ମ ଦିନରେ ଚାଲିଥିବା ବେଳେ ବଲାଙ୍ଗୀର ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲି । ଏହି ଟିପା ଖାତାରେ ରହିଛି ମଦ ଭାଟିରୁ ଚାନ୍ଦା ନେଉଥିବା ଏକାଧିକ ଲୋକଙ୍କ ନାଁ । ଦୀର୍ଘ ବର୍ଷ ଧରି ଏହି ଫାଇଲ ପରିଚାଳନା କରୁଥିଲେ ମୁଖ୍ୟ ମ୍ୟାନେଜର ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁ I

ଅନେକ ବଡ଼ବଡ଼ିଆଙ୍କ ସମେତ ଗୁଣ୍ଡା ଶ୍ରେଣୀର ଲୋକ, ବିଭିନ୍ନ ପୂଜା ମଣ୍ଡପ, ମିଡିଲ ମ୍ୟାନ ଓ ଅନେକ ବ୍ୟକ୍ତିଙ୍କ ନାଁ ଏହି ଟିପା ଖାତାରେ ରହିଛି । ଏହି ଲାଲ ଫାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ I ଫାଇଲରେ ବିଭିନ୍ନ ବ୍ୟକ୍ତିଙ୍କୁ ହଜାରେ ଟଙ୍କାରୁ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦିଆଯାଉଥିବା ଉଲ୍ଲେଖ ରହିଛି I ରେଡ୍ ପରେ ଏହି ଫାଇଲ ନେଇ ତଦନ୍ତ ଆରମ୍ଭ କରିବ ଆୟକର ବିଭାଗ I ଲକ୍ଷାଧିକ ଟଙ୍କା ବଟି ନେଉଥିବା ଲୋକଙ୍କୁ ଡାକି ପଚରାଉଚରା କରିବ ଆୟକର ବିଭାଗ । ଟିପା ଖାତା ମିଳିବା ପରେ ଏବେ ଏହାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଆୟକର ବିଭାଗର ଚଢାଉ ୫ମ ଦିନରେ ପହଞ୍ଚି ଥିବା ବେଳେ ଜବତ ଟଙ୍କା ଗଣତି ବି ଜାରି ରହିଛି । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି ୧୬୪ କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । ୧୦୫ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି ୧୬୦ କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆଜି ପୁଣି ଆଉ ୭୧ଟି ବ୍ୟାଗରେ ଥିବା ଟଙ୍କା ଗଣତି ଚାଲିଛି । ଟଙ୍କା ଗଣତିରେ ଲାଗିଛନ୍ତି ୫୦ ଜଣ ବ୍ୟାଙ୍କ କର୍ମଚାରୀ ଓ ୨୫ଟି କାଉଣ୍ଟିଂ ମେସିନ୍ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ

ନୂଆଦିଲ୍ଲୀ: ଇରାନର କାରାଗାରରେ ବନ୍ଦୀ ଥିବା ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗଦେଇପାରିବେ ନାହିଁ । ଇରାନରେ ହିଜାବ ଓ ମୃତ୍ୟୁଦଣ୍ଡାଦେଶ ବିରୋଧରେ ସଂଗ୍ରାମ କରି ଶାସକଙ୍କ ରୋଷର ଶିକାର ହୋଇ ବନ୍ଦୀ ରହିଛନ୍ତି ମହମ୍ମଦି ।

ଇରାନରେ ବାହାଇ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ଓ ବିଭିନ୍ନ ସ୍ଥାନରେ ଏହି ଧର୍ମାବଲମ୍ବୀଙ୍କ ବିରୋଧରେ ପାତରଅନ୍ତର ନୀତି ପ୍ରଦର୍ଶନ କରାଯାଉଛି । ତାଙ୍କ ମୁହଁକୁ ନ ଘୋଡାଇ ଜେଲରୁ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ଦାବିରେ ସେ ଗତ ନଭେମ୍ବରରୁ ଅନଶନ କରିଆସୁଥିଲେ । ତେଣେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ ଦିନରେ ସେ ପୁଣି ଥରେ ଅନଶନ ଆରମ୍ଭ କରିଛନ୍ତି ।

ଇରାନରେ ମହିଳାଙ୍କ ସାର୍ବଭୌମତ୍ବ, ସୁରକ୍ଷା ଦାବି ସହ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ଦୀର୍ଘଦିନ ଧରି ସଂଗ୍ରାମ କରିଆସୁଥିବା ମହମ୍ମଦିଙ୍କୁ ଗତ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମହମ୍ମଦି ୧୩ ଥର ଗିରଫ ହୋଇଥିବାବେଳେ ୫ଥର ଜେଲ ଦଣ୍ଡାଦେଶ କ୍ରମେ ୩୧ ବର୍ଷ ଜେଲଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଏହାସହ ତାଙ୍କୁ ୧୫୪ ଥର ଚାବୁକ ମାଡ଼ କରାଯାଇଛି । ମହିଳା, ଜୀବନ ଓ ସ୍ବାଧୀନତାର ବାର୍ତ୍ତା ନେଇ ସେ ସଂଗ୍ରାମ ଜାରି ରଖିଛନ୍ତି ।

ଭାରତୀୟ ପରମ୍ପରାରେ ପ୍ରଭାବିତ ହୋଇ ହିନ୍ଦୁ ଯୁବକଙ୍କୁ ବାହା ହେଲେ ଜର୍ମାନୀ ମହିଳା

ନନ୍ଦିଘୋଷ ବ୍ୟୁରୋ: ପସନ୍ଦ ହେଲା ଭାରତୀୟ ପରମ୍ପରା । ଜର୍ମାନୀ ଛାଡ଼ି ଚାଲିଆସିଲେ ଭାରତ । ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଜର୍ମାନୀର ଜଣେ ମହିଳା ଭାରତରେ ବିବାହ କରିଛନ୍ତି । ମହିଳାଙ୍କ ନାଁ ହେଉଛି ଷ୍ଟିନା ।

ସେ ଉତ୍ତରପ୍ରଦେଶ ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି। ସନ୍ଦୀପ ଏବଂ ଷ୍ଟିନାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିନା ଏବଂ ସନ୍ଦୀପ ସେମୱାଲ ଉତ୍ତରପ୍ରଦେଶର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ଉଭୟଙ୍କ ପରିବାର ଉପସ୍ଥିତ ଥିଲେ। ବିବାହ ପରେ ଷ୍ଟିନା ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଜଣେ ପାହାଡ଼ି ଯୁବକଙ୍କୁ ବିବାହ କରିବା ପରେ ଷ୍ଟିନା ଏବେ ପାହାଡ଼ି ହୋଇଯାଇଛନ୍ତି । ଏପରିକି ତାଙ୍କ ନାଁ ବଦଳାଇ ରୋଭିତା ବୋଲି ରଖିଛନ୍ତି ।

ବାସ୍ତବରେ ସନ୍ଦୀପ ସେମୱାଲ ଏବଂ ଷ୍ଟିନାଙ୍କ ପ୍ରେମ କାହାଣୀ ୨୦୧୮ ରେ ଆରମ୍ଭ ହୋଇଥିଲା | ଷ୍ଟିନା ଯୋଗ ଶିଖିବା ପାଇଁ ଯୋଗର ସହର ଋଷିକେଶରେ ଆସିଥିଲେ । ଏକ ଆଶ୍ରମରେ ରହି ଯୋଗ ଶିଖୁଥିଲେ । ସେଠାରେ ୨୧ ବର୍ଷିୟ ସନ୍ଦୀପ ବି କାମ କରୁଥିଲେ । 
ଷ୍ଟିନା ଯୋଗ ଶିଖିବା ବେଳେ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହା ପରେ ସେ ଯୋଗ ଗୁରୁଙ୍କୁ ଭାରତରେ ରହିବା ଏବଂ ବିବାହ ବିଷୟରେ କହିଥିଲେ। ଏହା ପରେ ତାଙ୍କ ଗୁରୁ ସନ୍ଦୀପଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ।

କରୋନା ସମୟରେ ଷ୍ଟିନା ଜର୍ମାନୀ ଯାଇଥିଲେ ଏହାରି ଭିତରେ ଯୋଗ ଗୁରୁଙ୍କ ମୃତ୍ୟୁ ଘଟିଥିଲା। ଷ୍ଟିନା ଜର୍ମାନୀରେ ଥିଲେ କିନ୍ତୁ ତାଙ୍କ ମନ ଉତ୍ତରାଖଣ୍ଡରେ ଥିଲା । ଏହି ସମୟରେ ଷ୍ଟିନା ତାଙ୍କ ପରିବାରକୁ ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ବିବାହ କରିବାକୁ ଘର ଲୋକଙ୍କୁ କହିଥିଲେ । ଆଉ ଫେରିବା ପରେ ସେ ସନ୍ଦୀପଙ୍କୁ ବିବାହ କରିଥିଲେ ।

ଷ୍ଟିନା କହିଛନ୍ତି ଯେ, ଉତ୍ତରାଖଣ୍ଡର ସଂସ୍କୃତିର ଏକ ଅଂଶ ହୋଇଥିବାରୁ ସେ ବହୁତ ଖୁସି। ଉତ୍ତରପ୍ରଦେଶର ପ୍ରତ୍ୟେକ କୋଣରେ ଭଗବାନ ବାସ କରନ୍ତି | ସେ ଆରମ୍ଭରୁ ଆଧ୍ୟାତ୍ମିକତା ଆଡକୁ ଯିବାକୁ ଚାହୁଁଥିଲେ, ତେଣୁ ସେ ଏଠାରେ ବିବାହ କରିବାକୁ ସ୍ଥିର କଲେ | ସେ ଭାରତୀୟ ସଂସ୍କୃତି ଗ୍ରହଣ କରି ବହୁତ ଖୁସି ।

ଗଞ୍ଜାମ ବିଜେଡିର କାର୍ଯ୍ୟକାରିଣୀ ବୈଠକ: ଦଳକୁ ଆହୁରି ମଜବୁତ କରିବାକୁ ଆଲୋଚନା

ବ୍ରହ୍ମପୁର: ଗୋପାଳପୁର ପାନ୍ଥନିବାସରେ ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲାର ସମସ୍ତ ବିଧାୟକ ବିଧାୟିକା, ମନ୍ତ୍ରୀ, ସମସ୍ତ ବ୍ଲକ ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଯୁବ, ଛାତ୍ର, ମହିଳା ବୈଠକରେ ସାମିଲ । ଆଗକୁ ଦଳକୁ କିପରି ଆହୁରି ମଜବୁତ୍ କରାଯିବ ସେ ନେଇ ହେଲା ଆଲୋଚନା ।

ଗଞ୍ଜାମ ଜିଲ୍ଲାକୁ ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଲେ ଧନ୍ୟବାଦ । କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଦେବୀ ମିଶ୍ର, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟ, ଆସିକା ବିଧାୟକ ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ମେୟର, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଗୁଡ଼ି ଉଡ଼ା ହେଲା କାଳ: ଟ୍ରେନ ଧକ୍କାରେ ନାବାଳକ ମୃତ

ଭୁବନେଶ୍ବର: ସାଙ୍ଗଙ୍କ ସହ ଗୁଡ଼ି ଉଡାଇବାକୁ ଯିବା ହେଲା କାଳ । ସୂତାରୁ କଟି ଯାଇଥିବା ଗୁଡ଼ି ଆଣିବାକୁ ଯାଇ ଟ୍ରେନ୍ ଧକ୍କାରେ ନାବାଳକ ମୃତ । ଘଟଣା ଘଟିଛି ଭୁବନେଶ୍ବର ସହିଦନଗର ଅଞ୍ଚଳରେ । ମୃତ ନାବାଳକ ହେଲେ ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୯ମ ଶ୍ରେଣୀରେ ପଢୁଥିବା ପୁଅ ସୂର୍ଯ୍ୟକାନ୍ତ ପାତ୍ର ।

ସୂଚନା ଅନୁସାରେ ସୂର୍ଯ୍ୟକାନ୍ତ ସାଙ୍ଗମାନଙ୍କ ସହ ଟ୍ରେନ ଲାଇନ୍ ପାର୍ଶ୍ବରେ ଗୁଡ଼ି ଉଡ଼ାଉଥିଲେ । ଏହି ସମୟରେ ଗୁଡ଼ିଟି ସୂତାରୁ କଟି ଟ୍ରେନ ଲାଇନ୍ ଅପର ପାର୍ଶ୍ବକୁ ଚାଲି ଯାଇଥିଲା । ଗୁଡିଟିକୁ ଆଣିବାକୁ ସୂର୍ଯ୍ୟକାନ୍ତ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରାକରେ ଆସୁଥିବା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ଖେଳିବାକୁ ଯାଇ ନିଖୋଜ ଥିଲେ, କୂଅରୁ ମିଳିଲା ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ଢେଙ୍କାନାଳ: ଖେଳିବାକୁ ଯିବା ହେଲା କାଳ । କୂଅରେ ପଡ଼ି ଚାଲିଗଲା ଦୁଇ ନାବାଳକ ଭାଇଙ୍କ ଜୀବନ । ଘଟଣା ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବିମ୍ବୋଲୋ ଗାଁର । ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ପରେ ପୂରା ଗାଁରେ ଖେଳି ଯାଇଛି ଶୋକର ଛାୟା । ମୃତ ଶିଶୁ ଦୁଇ ଜଣ ହେଲେ ୫ ବର୍ଷର ସଞ୍ଜିତ ପ୍ରଧାନ ଏବଂ ୪ ବର୍ଷର ରଞ୍ଜିତ ପ୍ରଧାନ ।

ମିଳିଥିବା ସୂଚନା ଅନୁସାରେ, ବିମ୍ବୋଲୋ ଗାଁର କମ୍ପାନୀ ପ୍ରଧାନଙ୍କ ଦୁଇ ପୁଅ ଗତକାଲି ଅପରାହ୍ନରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହେବା ପରେ ପରିବା ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ପରିବାର ଓ ଗାଁ ଲୋକଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପିଲାମାନଙ୍କ କୌଣସି ସନ୍ଧାନ ମିଳି ନଥିଲା । ରାତି ଅଧିକ ହୋଇଯିବାରୁ କାଲି ଖୋଜାଖୋଜି ବନ୍ଧ ଥିଲା । ଆଜି ସକାଳେ ଗାଁର ଦୁଇ ଜଣ ଲୋକ ଶୌଚ ପାଇଁ ଯାଇଥିବା ବେଳେ ପିଲା ଦୁଇଟିଙ୍କ ମ୍ୟତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ପିଲାଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନର୍ଲା ରେଞ୍ଜ ଅଧିକାରୀଙ୍କୁ ଦଳି ମାରିଦେଲା ହାତୀ

ନର୍ଲା: କଳାହାଣ୍ଡି ଏମ୍. ରାମପୁରରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ମୃତ୍ୟୁ । ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ କରିଥିଲା ଆକ୍ରମଣ । ନର୍ଲା ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲରେ ଘଟିଛି ଘଟଣା ।

ତେବେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଖାଦ୍ୟ ଖୋଜି ଖୋଜି ହେଉ କି ଜଙ୍ଗଲ ଅଭାବ, ହାତୀ ହେଉଛନ୍ତି ଜନବସତି ମୁହାଁ । ଯାହାଦ୍ବାରା ବାରମ୍ବାର ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । କେତେବେଳେ ହାତୀର ମୃତ୍ୟୁ ଘଟୁଥିବା ବେଳେ କେତେବେଳେ ମଣିଷ ଜୀବନ ହାରୁଛି ।

ଗାଜା ଓ୍ବାର୍: ହମାସକୁ ନିପାତ କରିବାକୁ ଇସ୍ରାଏଲ ବ୍ୟବହାର କରୁଛି AI

ନୂଆଦିଲ୍ଲୀ: ଯୁଦ୍ଧକୁ ଓହ୍ଲାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନସ ବା AI । ଚିନ୍ତା କରିପାରୁଛନ୍ତି  ଯୁଦ୍ଧରେ AIର ବ୍ୟବହାର ରଚୁଥିବ କେତେ ବଡ଼ ଧ୍ବଂସଲିଳା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଜା ଯୁଦ୍ଧରେ AIର ଏଣ୍ଟ୍ରି ହୋଇ ସାରିଛି । ଇସ୍ରାଏଲ AI ବ୍ୟବହାର କରି ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛି ।

ମିଳିଥିବା ସୂଚନା ଅନୁସାରେ, ହମାସର ଟାର୍ଗେଟଗୁଡିକୁ ଠାବ କରିବା ଲାଗି ଇସ୍ରାଏଲ AIର ବ୍ୟବହାର କରୁଛି । ଗାଜାସ୍ଥିତ ହମାସର ବିଭିନ୍ନ ଗୋପନସ୍ଥଳୀକୁ AI ଜରିଆରେ ଠାବ କରି ସେଠାରେ ଆକ୍ରମଣ କରାଯାଉଛି । ରିମୋଟ ଓ ଅଟୋନମସ ସିଷ୍ଟମ ବ୍ୟବହାର କରି ଏହି ଆକ୍ରମଣ କରାଯାଉଛି ।

ଯୁଦ୍ଧରେ AIର ବ୍ୟବହାର ଯୋଗୁଁ ଆଇଡିଏଫ ନିଜର ସୈନ୍ୟଙ୍କ ସୁରକ୍ଷା କରିପାରିବା ସହ ନିଜ ସୈନ୍ୟବାହିନୀର ମନୋବଳ ମଧ୍ୟ ବଢାଉଛି । ତେବେ ଯୁଦ୍ଧରେ AIର ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଗୁଇନ୍ଦା, ସର୍ଭେଲାନ୍ସ ଓ ସାମରିକ ସର୍ଭେକ୍ଷଣ କ୍ଷେତ୍ରରେ AIର ବ୍ୟବହାର ଯୋଗୁଁ ଉଦବେପ ପ୍ରକାଶ ପାଇଛି । ବଡକଥା ହେଉଛି ବିଭିନ୍ନ ଗୋପନ ସ୍ଥଳକୁ ଟାର୍ଗେଟ କରିବା କ୍ଷେତ୍ରରେ ସୈନ୍ୟଙ୍କ ଆବଶ୍ୟକ ପଡୁନାହିଁ । AI ଜରିଆରେ ଆକ୍ରମଣ ସମ୍ଭବ ହେଉଛି । ଯୁଦ୍ଧରେ AIର ବ୍ୟବହାର ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଟ୍ରକ-କାର ଧକ୍କା: ଜଣେ ଶିଶୁ ସହ ଜୀବନ୍ତ ଜଳିଗଲେ ୮

ବରେଲି: ଉତ୍ତରପ୍ରଦେଶର ବରେଲି-ନୈନିତାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜିପୁରା ନିକଟରେ ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଟ୍ରକ ସହ କାରର ଧକ୍କା ହେବା ପରେ ଏକ ଶିଶୁ ସମେତ କାରରେ ଥିବା ୮ ଜଣ  ଯାତ୍ରୀ ପୋଡ଼ି ହୋଇ ମୃତ ।

ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ବିବାହ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ କାରର ଗୋଟିଏ ଟାୟାର ଫାଟି ଯାଇଥିଲା । ଏହାପରେ କାଟି ଟ୍ରକକୁ ଧକ୍କା ଦେଇ ରାସ୍ତାର ଅନ୍ୟ ଲେନକୁ ଚାଲିଯାଇଥିଲା । ସେଠାରେ ଅନ୍ୟ ଏକ କାର ସହ କାରର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା ।

ସେଣ୍ଟ୍ରାଲ ଲକ୍ ବ୍ୟବସ୍ଥା ଥିବା କାର ଆଉ ଖୋଲିନଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ପୋଲିସ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମୃତଦେହ ବ୍ୟବଚ୍ଛେଦ କରାଇବାକୁ ମେଡିକାଲ ପଠାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ତମାଖୁ ବିଜ୍ଞାପନ ପାଇଁ ନୋଟିସ୍

ନୂଆଦିଲ୍ଲୀ: ଅଡୁଆରେ ବି ଟାଉନର ତିନି ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ । କେତେକ ତମାଖୁ କମ୍ପାନୀ ଲାଗି ପ୍ରଚାର କରିଥିବା ଅଭିଯୋଗରେ ତିନି ଜଣଙ୍କୁ ନୋଟିସ୍ । ନୋଟିସ ଜାରି କଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ । ଏନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ମୌ ବେଞ୍ଚକୁ ଏକ ପିଟିସନ ଜରିଆରେ ସୂଚନା ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ ।

ସ୍ବାସ୍ଥ୍ୟ ପକ୍ଷେ ହାନିକାରକ କେତେକ ସାମଗ୍ରୀର ପ୍ରଚାର କରିବା ଉଦ୍ଦେଶ୍ୟରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ପଦକ୍ଷେପକୁ ନେଇ ଏକ ପିଟିସନ ଦାୟର କରିଥିଲେ ଆଡଭୋକେଟ ମୋତିଲା ଯାଦବ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିକଟରେ କହିଛନ୍ତି ଡେପୁଟି ସଲିସିଟର ଜେନେରାଲ ।

ଏହାସହ ଏକ ତମାଖୁ କମ୍ପାନୀ ବିରୋଧରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି ସେ କହିଛନ୍ତି । କଣ୍ଟ୍ରାକ୍ଟ ସରିଯାଇଥିଲେ ମଧ୍ୟ କମ୍ପାନୀ ଏକ ବିଜ୍ଞାପନ ପ୍ରସାରିତ କରିଥିବା ଅଭିଯୋଗରେ ଅମିତାଭ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ବର୍ଷ ମେ’ ୯ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।