ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ

1 min read

ଭୁବନେଶ୍ବର: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ। ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ। ୭୫୦ ଶଯ୍ଯା ବିଶିଷ୍ଟ ବିଶ୍ବସ୍ତରୀୟ କର୍କଟ ହସପିଟାଲକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଇନଫୋଭ୍ୟାଲି-୨ ରେ ରାଜ୍ଯ ସରକାର ଯୋଗାଇଦେଇଥିବା ୨୦ ଏକର ପରିମିତ ଅଂଚଳରେ ସ୍ବତନ୍ତ୍ର କ୍ଯାନସର ହସ୍ପିଟାଲ ନିର୍ମାଣ ହୋଇଛି।

ପ୍ରଥମେ ୫୦୦ ଶହ ଶଯ୍ଯା ବିଶିଷ୍ଟ ହସ୍ପିଟାଲ ପାଇଁ ଯୋଜନା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୭୫୦କୁ ବୃଦ୍ଧି କରାଯାଇଛି। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୨୫ ପ୍ରତିଶତ ବେଡ୍ ରହିବ। କ୍ୟାନସର ଚିକିତ୍ସାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ। କ୍ୟାନସର ହସ୍ପିଟାଲ ସମେତ ୧୦୦ ଶଯ୍ୟା ବିଶିଷ୍ଟ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ ହୋଇଛି।

ବିଶ୍ୱର ବୃହତ କ୍ଯାନସର ହସ୍ପିଟାଲରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ। ଲୋକଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇକୁ ଲକ୍ଷ୍ଯ ରଖାଯାଇଛି। ହସ୍ପିଟାଲରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ରହିଛି। ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରାକୃତିକ ଖାଲୁଆ ଜାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରାଯାଉଛି।