ଭିକ ମାଗି କୋଟି ପାଲଟିଛନ୍ତି ମହିଳା

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି। ଭିକ ମାଗିବା ଅଭିଯୋଗରେ ମହିଳା ଜଣକୁ ପୁଲିସ ଗିରଫ କରିଛି। ପୁଲିସକୁ ମହିଳା ଜଣକ ଦେଇଥିବା ସୂଚନା ଅନୁସାରେ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛି। ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା। ଭିକାରିଣୀ ଜଣକ ନାମ ହେଉଛି ଇନ୍ଦ୍ରା ବାଇ। ଇନ୍ଦ୍ରାର ୫ଟି ପିଲା ଓ ସ୍ବାମୀ ଅଛନ୍ତି। ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର୍ଯ୍ୟରେ ନିୟୋଜିତ କରିଛି। ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଛି। ଜମି ବି କିଣିଛି। ଏଥିସହିତ ୨୦ ହଜାର ଟଙ୍କିଆ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଘରେ ମୋଟରସାଇକଲ ବି ଅଛି। ଇନ୍ଦ୍ରାକୁ ଗିରଫ କରାଯାଇ ଜେଲ ପଠାଯାଇଛି। ଇନ୍ଦ୍ରାର ୫ ଜଣ ପିଲାଙ୍କ ମଧ୍ୟରୁ ବଡ଼ର ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ୪ ପିଲାଙ୍କର ବୟସ ଯଥାକ୍ରମେ ୮ ବର୍ଷ, ୭ ବର୍ଷ, ୩ ବର୍ଷ ଏବଂ ୨ ବର୍ଷ। ପୁଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଇନ୍ଦୋରର ଲବ କୁଶ ଛକରେ ଭିକ ମାଗିବା ଲାଗି ନିୟୋଜିତ କରାଯାଉଥିଲା। ସେଠାରୁ ଇନ୍ଦୋରର ମହାକାଳ ମନ୍ଦିରକୁ ରାସ୍ତା ଯାଇଛି। ଗତ ୯ ତାରିଖରେ ଇନ୍ଦ୍ରା ତା’ର ୭ ବର୍ଷର ଝିଅ ସହିତ ଭିକ ମାଗିବା ସମୟରେ ପୁଲିସ ହାତରେ ଧରା ପଡ଼ିଥିଲା। ସେହି ସମୟରେ ତା’ର ସ୍ବାମୀ ଓ ଦୁଇ ପିଲା ଖସି ପଳାଇଥିଲେ। ପୁଲିସ ମହିଳା ନିକଟରୁ ୧୯ ହଜାର ଟଙ୍କା ଏବଂ ଝିଅ ନିକଟରୁ ୬୦୦ ଟଙ୍କା ଜବତ କରିଛି। ଇନ୍ଦ୍ରା କହିଛି ଗିରଫ ହେବାର ୪୫ ଦିନ ପୂର୍ବରୁ ସେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଛି।