ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ମାର୍ଚ୍ଚ ୧୩ ଯାଏଁ ଦଶମ ଓ ଏପ୍ରିଲ ଦୁଇ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । କେବଳ ଆର୍ଟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟକୁ ବାଦ ଦେଲେ ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ । ଛାତ୍ରଛାତ୍ରୀମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଚଳିତବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେଉଛନ୍ତି । ଓଡ଼ିଶାରୁ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ନିୟମାବଳୀ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଛି । ପରୀକ୍ଷା ସୁଚାରୁରୂପେ ପରିଚାଳନା ପାଇଁ ସମସ୍ତ ପ୍ରକାରର ବନ୍ଦବୋସ୍ତ କରାଯାଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ପରୀକ୍ଷା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଗୁଜବ କରାଯାଉଛି । ଫେକ୍ ନ୍ଯୁଜ ଓ ଗୁଜବ ପ୍ରତି ସଚେତନ ରହିବାକୁ ସିବିଏସଇ ଅପିଲ କରିଛି ।