spot_img
Home Blog Page 2456

ବଜରଙ୍ଗଙ୍କ ପରେ ବୀରେନ୍ଦ୍ର ଫେରାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଫଳାଫଳ ଆସିବା ପରେ ବଢ଼ିବାରେ ଲାଗିଛି ବିବାଦ । ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ପ୍ରତିବାଦ ଆରମ୍ଭ ହୋଇଛି । ଏହାକୁ ନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦିକାନ୍ଦି ଅବସର ଘୋଷଣା କରିଥିଲେ ।

ସାକ୍ଷୀଙ୍କ ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଗତକାଲି ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଥିଲେ । ଏହି କ୍ରମରେ କୁସ୍ତିଯୋଦ୍ଧା ବୀରେନ୍ଦ୍ର ସିଂହ ସାକ୍ଷୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ସେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି ।

ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତକୁ ଦେଇ ଚାଲିଥିବା ରେଟିଂକୁ ନେଇ ନୂଆ ବିତର୍କ

ଭୁବନେଶ୍ବର: ଦରଦାମ କମୁନି କି ଖାଉଟିଙ୍କୁ ନିସ୍ତାର ମିଳୁନି । ତଥାପି ଦେଶ ଆର୍ଥିକ କ୍ଷେତ୍ରରେ ଉନ୍ନତି କରୁଛି । ହେଲେ ଅନ୍ତଃରାଷ୍ଟ୍ରୀୟ ରେଟିଂ ସଂସ୍ଥା ଭାରତର ଆର୍ଥିକ ରେଟିଂକୁ ୧୫ ବର୍ଷ ଧରି ଅପରିବର୍ତ୍ତିତ ରଖୁଛନ୍ତି । ଏହା ଗ୍ରହଣୀୟ ନୁହେଁ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ରେଟିଂ ଏଜେନ୍ସି ଉପରେ ଅସନ୍ତୋଷ ଦେଶରେ ସୃଷ୍ଟି କରିଛି ନୂଆ ବିତର୍କ । ଆର୍ଥିକ ପରିଚାଳନା ସଠିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇ ଚାଲିଛି କେନ୍ଦ୍ର । ଅଥଚ ନିଜ ନିୟମ ନିଜେ ପାଳନ କରିପାରିନାହାନ୍ତି । କେନ୍ଦ୍ର ସରକାର ନିଜେ ଆତ୍ମ ବିଶ୍ଲେଷଣ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ଭାରତର ଆର୍ଥିକ ପ୍ରଗତି ଆନ୍ତର୍ଜାତିକ ରେଟିଂ ଏଜେନ୍ସିକୁ ଦେଖାଯାଉନି । ମୁଡି, ଫିଚ୍, ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ ରେଟିଂ ଏଜେନ୍ସିଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ବରନ୍ । ୨୦୦୮ରେ ଆର୍ଥିକ ପ୍ରଗତିରେ ଦ୍ବାଦଶ ସ୍ଥାନରେ ଥିବା ଦେଶ ଆଜି ପଞ୍ଚମ ସ୍ଥାନରେ ପହଞ୍ଚିଲାଣି । କିନ୍ତୁ ୧୫ ବର୍ଷ ଧରି ଭାରତର ସୋଭେରିନ୍ ରେଟିଂ BBBରେ ଅପରିବର୍ତ୍ତିତ ରହିଛି । ଏସବୁ ଆନ୍ତର୍ଜାତିକ ରେଟିଂ ଏଜେନ୍ସି କେତେବେଳେ କ’ଣ କହୁଛନ୍ତି ତାହାର ତାଳମେଳ ରହୁନି ।

ନାଗେଶ୍ବରନଙ୍କ ଏପରି ମନ୍ତବ୍ୟ ଏବେ ସୃଷ୍ଟି କରିଛି ନୂଆ ବିତର୍କ । ଆନ୍ତର୍ଜାତିକ ରେଟିଂ ସଂସ୍ଥା ଯଦି ବାସ୍ତବରେ ପାତରଅନ୍ତର କରୁଥାନ୍ତି ତାହା ନିନ୍ଦନୀୟ । ତା’ସହ କେନ୍ଦ୍ର ସରକାର ନିଜେ ନିଜକୁ ଆତ୍ମସମୀକ୍ଷା କରିବା ଦରକାର । ଏବେର କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦରଦାମ ନିୟନ୍ତ୍ରଣରେ ନାହିଁ । ଗଲା ନଭେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗିଲା । କରୋନା ପୂର୍ବରୁ ଓ ପରେ ବେରୋଜଗାରୀ ବଢି ଚାଲିଛି । କ୍ଷୁଧା ସୂଚକାଙ୍କ, ନିରନ୍ତର ବିକାଶ ଲକ୍ଷ୍ୟ, ମାନବସମ୍ବଳ ବିକାଶ ସୂଚକାଙ୍କରେ ଭାରତ ଅନ୍ୟ ଦେଶ ତୁଳନାରେ ପଛରେ ପଡିଛି । ସଂଘୀୟ ବ୍ୟବସ୍ଥାରେ ଅଣ ବିଜେପି ଶାସିତ ରାଜ୍ୟଙ୍କୁ ଏବେ କେନ୍ଦ୍ର ଅବହେଳାର ଶିକାର ହେବାକୁ ପଡୁଛି । ଏସବୁ କାହିଁକି କେନ୍ଦ୍ରର ଆଖି ଦେଖାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ।

ଭାରତର ରେଟିଂ ଅପରିବର୍ତ୍ତିତ ରହିବାରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତକୁ ପୁଞ୍ଜି ଆସିବାରେ ଅନ୍ତରାୟ ସୃଷ୍ଟି କରୁଛି । ଏକଥା ସତ, କିନ୍ତୁ ରେଟିଂ ପାଇଁ ଧାର୍ଯ୍ୟ ୬ଟି ସର୍ତ୍ତକୁ କେନ୍ଦ୍ର ସରକାର ପୂରଣ କରିପାରିନାହାନ୍ତି । ମୁଣ୍ଡପିଛା ଆୟ, ମୁଦ୍ରାସ୍ଫୀତି, ବେରୋଜଗାରୀ, ଚଳନ୍ତି ଖାତା ନିଅଣ୍ଟ, ଋଣଭାର, ଡଲାର ତୁଳନାରେ ମୁଦ୍ରା ବିନିମୟ । ଏହି ୬ଟିରେ ଭାରତ ଏପର୍ଯ୍ୟନ୍ତ ସଫଳତା ପାଇନି । ପେଟ୍ରୋଲ-ଡିଜେଲ ମୂଲ୍ୟ କମୁନି । ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଲୋକେ । ଖୋଦ ରିଜର୍ଭ ବ୍ୟାଙ୍କ ମଧ୍ୟ ଏକାଧିକ ଥର ମୁଦ୍ରାନୀତି ସଂଶୋଧନ କରି ବି ଲାଭ ମିଳୁନି । କେନ୍ଦ୍ର ସରକାରଙ୍କ ଅଖିକୁ କ’ଣ ଏହା ଦିଶୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅର୍ଥନୀତି ସମୀକ୍ଷକ ପ୍ରଦୀପ ପଣ୍ଡା ।

ଦେଶ ଆର୍ଥିକ ପ୍ରଗତି କରୁ, ଏକଥା ତ ସମସ୍ତେ ଚାହାଁନ୍ତି । କିନ୍ତୁ ବାସ୍ତବ ଅଭିବୃଦ୍ଧି ବଦଳରେ ନାମମାତ୍ର ଅଭିବୃଦ୍ଧିକୁ ନେଇ ଉତ୍ସାହିତ ହେବା ଆଦୌ ଗ୍ରହଣୀୟ ନୁହେଁ । ତା’ ସହିତ ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ମାନଦଣ୍ଡରେ କିପରି ଉନ୍ନତି ଆସିବ ସେ ନେଇ ପଦକ୍ଷେପ ନେବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ।

ବିସ୍କୁଟ୍, କେକ୍ ପ୍ୟାକେଟରେ ଲୁଚି ରହିଥିଲା ୧୧ ବିରଳ ସାପ

0

ନନ୍ଦିଘୋଷ ବ୍ୟୁରୋ: ସାପ ଚୋରା ଚାଲାଣ ମାରିଲା ଫେଲ୍ । ବିସ୍କୁଟ୍ ଏବଂ କେକ୍ ପ୍ଯାକେଟରେ ଚୋରା ଚାଲାଣ କରୁଥିଲେ ୧୧ ବିଷଧର ସାପ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ଯାଙ୍କକ୍ ଫ୍ଲାଇଟରେ । ଫ୍ଲାଇଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ତାଙ୍କ ସହ ୯ଟି ଅଜଗର, ୨ଟି ବିରଳ ପ୍ରଜାତିର ସାପ ବିସ୍କୁଟ୍ ଓ କେକ୍ ପ୍ଯାକେଟରେ ଲୁଚେଇ ରଖିଥିଲେ । ଯେତେବେଳେ ଯାତ୍ରୀଙ୍କ ବ୍ଯାଗ୍ ଯାଞ୍ଚ କରାଯାଇଥିଲା ତାଙ୍କ ପାଖରୁ ପ୍ରାୟ ୧୧ ଟି ବିରଳ ପ୍ରଜାତିର ସାପ ଉଦ୍ଧାର କରାଯାଇଥିଲା ।

ରାଜସ୍ବ ଇଣ୍ଚେଲିଜେନ୍ସି ନିର୍ଦ୍ଦେଶକଙ୍କ ଦାବି ମୁତାବିକ, ବ୍ୟକ୍ତି ଜଣକ ବନ୍ଯ ଜନ୍ତୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଯାତ୍ରୀ ଜଣକ ବ୍ୟାଙ୍କକରୁ ମୁମ୍ବାଇ ସାପ ଲୁଚାଇ ଆଣିଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଧରା ପଡିଥିଲେ ।

ସୂଚନାନୁସାରେ, ଥାଇଲାଣ୍ଡର ଧନୀ ପରିବାରର ଅଧିକାଂଶ ଲୋକେ ବନ୍ଯଜନ୍ତୁ ଚୋରା ଚାଲାଣ କରି ତାଙ୍କୁ ଗୃହପାଳିତ ପଶୁ ଓ ପଶୁପାଳନ ଭାବରେ ବ୍ଯବହାର କରନ୍ତି । ରାଜସ୍ବ ଇଣ୍ଚେଲିଜେନ୍ସି ଦ୍ବାରା ଧରାଯାଇଥିବା ଏହି ବିରଳ ସାପ ଗୁଡିକୁ ଯାତ୍ରୀ ଜଣକ ବେଆଇନ୍ ଭାବରେ ଚତୁରତାର ସହ ଲୁଚେଇ ନେଉଥିଲେ । କଷ୍ଟମ୍ ଆକ୍ଟ ୧୯୬୨ ଅନୁଯାୟୀ, ଏହା ବିରୁଦ୍ଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ ବୋଲି ରାଜସ୍ବ ଇଣ୍ଚେଲିଜେନ୍ସିର ନିର୍ଦ୍ଦେଶକ କହିଛନ୍ତି । ଓ୍ବାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ, ପଶ୍ଚିମାଞ୍ଚଳ ପୋଲିସ୍ , ନାଭି ମୁମ୍ବାଇ ପୋଲିସ ଅଧିକାରୀ ମାନେ ଜବତ ହୋଇଥିବା ସରୀସୃପଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ପୁରୀ: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନନଷ୍ଟପ୍ ବିକାଶ ସମୀକ୍ଷା

ଭୁବନେଶ୍ବର: ସାରାଦିନ ନନଷ୍ଟପ ସମୀକ୍ଷା । କୋରାପୁଟରେ ସମୀକ୍ଷା ଓ ଅନୁଧ୍ୟାନ । ସେଠୁ ଫେରି ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ସମୀକ୍ଷା । କେବଳ କଥାରେ ନୁହେଁ କାମରେ କରିଦେଖାନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି କୋରାପୁଟରେ ବିଭିନ୍ନ ଉନ୍ନତିମୂଳକ କାମର ଅନୁଧ୍ୟାନ ପରେ ଭୁବନେଶ୍ବର ଫେରି ପୁରୀ ଗସ୍ତ କରିଥିଲେ 5T ଅଧ୍ୟକ୍ଷ ।

ପୁରୀରରେ ପହଞ୍ଚି ପରିକ୍ରମା ମାର୍ଗର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଶ୍ରୀମାର୍ଗ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ ଚଲାପଥର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ପରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିକ୍ରମା କରିଥିଲେ ପାଣ୍ଡିଆନ । ଆଗାମୀ ଜାନୁଆରୀରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିବା ଜଣାପଡିଛି ।

ଏହି ଅବସରରେ ପୁରୀ ଜିଲ୍ଲାପାଳ, ଏସପି, ଉପ-ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ  ।

ବିଲଡରଙ୍କ ପାଖରୁ ପ୍ଲଟ କି ଫ୍ଲାଟ କିଣୁଥିଲେ ଦେଖନ୍ତୁ ରେରା ପଞ୍ଜୀକୃତ କି ନାହିଁ: ନହେଲେ ଜମି ଯିବ, ଟଙ୍କା ବି ଯିବ

ଭୁବନେଶ୍ବର: ରିଅଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ ରେରା ଆଇନ ଆସିବା ପରେ କେବଳ ବେଆଇନ ଆପାର୍ଟମେଣ୍ଟ ନୁହେଁ, ବେଆଇନ ପ୍ଲଟ କାରବାର ଉପରେ ବି ଲାଗିଛି ଅଙ୍କୁଶ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଏକ ଅଣ ପଞ୍ଜୀକୃତ ପ୍ଲଟିଂ ସ୍କିମର ବିକ୍ରି କବଲା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେରା କୋର୍ଟ । ଏଥିସହ ବେଆଇନ ଭାବେ ଜମି ପଞ୍ଜୀକରଣ କରିଥିବା ଯୋଗୁଁ ବାଲିଅନ୍ତାର ପୂର୍ବତନ ସବ୍-ରେଜିଷ୍ଟ୍ରାର ଏବଂ ଏବେକାର ସବ୍-ରେଜିଷ୍ଟ୍ରାରଙ୍କ ବିରୋଧରେ ଆକ୍ସନ ନେବାକୁ ଆଇଜିଆରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ବାଲିଅନ୍ତା ଭଳି ରାଜ୍ୟର ଅନ୍ୟ କେଉଁଠି କିପରି ବେଆଇନ ଭାବେ ଅଣ ପଞ୍ଜୀକୃତ ପ୍ଲଟେଡ ସ୍କିମ ବିକ୍ରି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ରେରା କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ରାଜଧାନୀ କିମ୍ବା ରାଜ୍ୟର କୌଣସି ସହରରେ ପ୍ଲଟ କିଣୁଛନ୍ତି କି ? କୌଣସି ବିଲଡରଙ୍କଠାରୁ ପ୍ଲଟ କିଣିବା ପୂର୍ବରୁ ଏହା ରେରା ପଞ୍ଜୀକୃତ କି ନାହିଁ ଜାଣିବା ଜରୁରୀ । ନ ହେଲେ ଜମି ବି ଯିବ ଆଉ ଜମି ପାଇଁ ଦେଇଥିବା ଅର୍ଥ ବି ବୁଡ଼ିବ । ବାଲିଅନ୍ତା ତହସିଲର ପ୍ରତାପଶାସନ ମୌଜା । ପ୍ଲଟ ନମ୍ବର ୪୬୪୩, ଖାତା ନମ୍ବର ୮୯୯ । ଚକ କିସମର ଜମିକୁ ମନଇଚ୍ଛା ଭାଙ୍ଗି ପ୍ଲଟିଂ ସ୍କିମ କରି ବିକ୍ରି ହୋଇଥିଲା । ଏହି ପ୍ଲଟେଡ ସ୍କିମ ରେରା ପାଖରେ ପଞ୍ଜୀକୃତ ହୋଇ ନଥିଲା । କ୍ରେତା ଏହା ଜାଣି ନପାରି ୨୦୨୧ରେ ଜମି ଖଣ୍ଡେ କିଣିଥିଲେ । ଘର କରିବାକୁ ବ୍ୟାଙ୍କକୁ ଋଣ ପାଇଁ ଗଲାବେଳେ ଜଣାପଡ଼ିଥିଲା ସତ । ଏହାପରେ କ୍ରେତା ରେରା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ରେରା କୋର୍ଟ ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ, ସଦସ୍ୟ ଗୋପାଳ ପଟ୍ଟନାୟକ ଓ ପ୍ରଦୀପ ବିଶ୍ବାଳ ଏହି ବିକ୍ରି କବଲାକୁ ବାତିଲ କରିଛନ୍ତି । କେବଳ କବଲା ବାତିଲ କରିନାହାନ୍ତି, କବଲା ପଞ୍ଜୀକୃତ କରିଥିବା ବାଲିଅନ୍ତା ପୂର୍ବତନ ଓ ଏବେକାର ସବ୍ ରେଜିଷ୍ଟ୍ରାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଜିଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆପାର୍ଟମେଣ୍ଟ ଭଳି ୮ରୁ ଊର୍ଦ୍ଧ୍ବ ପ୍ଲଟ ଥିଲେ ଏହାକୁ ରେରା କୋର୍ଟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ତେଣୁ ପ୍ଲଟ କିଣିବା ପୂର୍ବରୁ କ୍ରେତାମାନେ ପ୍ଲଟେଡ ସ୍କିମ୍ ରେରା ପାଖରେ ପଞ୍ଜୀକୃତ ହୋଇଛି କି ନାହିଁ ଯାଞ୍ଚ ହେବା ଜରୁରୀ ବୋଲି କହିଛନ୍ତି ରେରା ଆକ୍ଟିଭିଷ୍ଟ ।

୨୦୧୮ରୁ ୫ ଶହ ବର୍ଗମିଟରରୁ ଅଧିକ ପ୍ଲଟେଡ ସ୍କିମ ରେରାରେ ପଞ୍ଜୀକୃତ ହେବା ଜରୁରୀ ବୋଲି ବିଜ୍ଞପ୍ତି ବାହାରିଥିବା ବେଳେ ୨୦୨୧ରେ ବାଲିଅନ୍ତା ସବ୍-ରେଜିଷ୍ଟର ଏହାକୁ ଅବଜ୍ଞା କରିଥିଲେ । କେବଳ ଏହି ଗୋଟିଏ ପ୍ଲଟ ନୁହେଁ, ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା, ହଂସପାଳ, ଉତ୍ତରା, ସୁନ୍ଦରପଦା, ଖଣ୍ଡଗିରି, ଚନ୍ଦକା ଅଞ୍ଚଳରେ ଅନେକ ବିଲଡର ବିନା ପଞ୍ଜୀକରଣରେ ଲୋକଙ୍କୁ ପ୍ଲଟ ବିକି ଚାଲିଛନ୍ତି । ରାଜଧାନୀରେ ଖଣ୍ଡେ ପ୍ଲଟ ପାଇଁ ସ୍ବପ୍ନ ଦେଖୁଥିବା ଲୋକମାନେ ବାସ୍ତବ ସ୍ଥିତି ଯାଞ୍ଚ ନ କରି ଲକ୍ଷ ଲକ୍ଷ ଟଙ୍କା ଦେଇ ଜମି କିଣି ଫସୁଛନ୍ତି । ବିଲଡରମାନେ ମଧ୍ୟ ପ୍ଲଟ ବିକ୍ରି କରିବା ଚକ୍କରରେ ଆଇନ କାନୁନକୁ ମାନୁ ନଥିବା ଦେଖାଯାଉଛି । ରେରା ଆଇନ ଆସିବା ପରେ ଜମି କାରବାରକୁ ସ୍ବଚ୍ଛ କରିବା ପାଇଁ ଅଣ୍ଟା ଭିଡ଼ିଛି ରେରା କୋର୍ଟ । ବିଲଡରମାନେ ମଧ୍ୟ ଗ୍ରାହକଙ୍କୁ ପ୍ରତିଶ୍ରୁତି ଅନୁସାରେ କାମ କରିବା କଥା ବୋଲି ଓଡ଼ିଶା କ୍ରେଡାଇ ପୂର୍ବତନ ସଭାପତି ଡି.ଏସ୍. ତ୍ରିପାଠୀ କହିଛନ୍ତି ।

ପ୍ଲଟେଡ ସ୍କିମରେ ଗ୍ରାହକ କିଣୁଥିବା ଜମିରେ ବିଜୁଳି, ସଡ଼କ, ପାଣିର ସୁବିଧା ଯୋଗାଇବା ଦାୟିତ୍ବ ସଂପୃକ୍ତ ବିଲଡର ସଂସ୍ଥାର । ସେଥିପାଇଁ ପ୍ଲଟର ଦର ମଧ୍ୟ ଅଧିକ ରହିଥାଏ । ଏଥିପାଇଁ ପ୍ଲଟେଡ ସ୍କିମ ରେରା ପଞ୍ଜୀକରଣ ଜରୁରୀ । ହେଲେ କିଛି ବିଲଡର ଏଥିରେ ଉଲ୍ଲଙ୍ଘନ କରୁଥିବାରୁ ରେରା କୋର୍ଟଙ୍କ ନିର୍ଦ୍ଦେଶ ସ୍ବଚ୍ଛ କାରବାର ପାଇଁ ବାଟ ଫିଟାଇବ ବୋଲି ଆଶା ରହିଛି ।

କାଲିଠୁ ଅଲଟିମେଟ ଖୋଖୋ ସିଜନ-୨, ଦୁଲୁକିବ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ

କଟକ: ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାର ଶ୍ରେଷ୍ଠ ଆୟୋଜନ ପାଇଁ ସୁନାମ ଅର୍ଜନ କରିଥିବା ଓଡିଶାରେ ଆଉ ଏକ ମେଗା ଇଭେଣ୍ଟ । ଆସନ୍ତାକାଲିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଅଲଟିମେଟ ଖୋଖୋ ସିଜିନ-୨ । ଆଇପିଏଲ ଢାଞ୍ଚାରେ ୬ଟି ଟିମକୁ ନେଇ ଡିସେମ୍ବର ୨୪ରୁ ଜାନୁଆରୀ ୧୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଚାମ୍ପିଅନ ଓଡିଶା ଜଗରନଟ୍ ଓ ରାଜସ୍ଥାନ ଓ୍ବାରିୟର୍ସ ମଧ୍ଯରେ ଖେଳାଯିବ ।

ଏହାର ପ୍ରଥମ ସଂସ୍କରଣ ପୁନେରେ ଖେଳା ଯାଇଥିଲା । ଏଥିରେ ଓଡିଶା ଜଗରନଟ୍ ଚାମ୍ପିଅନ ହୋଇଥିଲା । ସିଜନ-୨ ପାଇଁ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ସୁନ୍ଦର ଭାବେ ସଜାଯାଇଛି ।

ଚଳିତ ମୁକାବିଲାରେ ଓଡିଶା ଜଗରନଟ୍, ରାଜସ୍ଥାନ ଓ୍ବାରିୟର୍ସ, ଗୁଜରାଟ ଜିଆଣ୍ଟସ, ଚେନ୍ନାଇ କୁଇକ୍ ଗନ୍ସ, ମୁମ୍ବାଇ ଖେଲାଡିଜ୍, ତେଲଗୁ ଯୋଦ୍ଧାସଙ୍କୁ ଦେଖିବାକୁ ମିଳିବ । ଓଡିଶାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ଦେଖିବାକୁ ମିଳିଛି ଉତ୍ସାହ । ଟୁର୍ଣ୍ଣାମେଣ୍ଟ ୨୦ ଦିନ ଧରି ଚାଲିବ । ଏହା ଓଡିଶା କ୍ରୀଡା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି କ୍ରୀଡାପ୍ରେମୀ ।

ପୋଲିସ ମୁଣ୍ଡବିନ୍ଧା ପାଲଟିଛନ୍ତି ସାଇବର ଠକ: କ୍ରିପ୍ଟୋ କରେନ୍ସି ଲୋଭ ଦେଖାଇ ମହିଳାଙ୍କ ପାଖରୁ ଲୁଟିଲେ ୬ ଲକ୍ଷ ୮୦ ହଜାର

କଟକ: ସାଇବର ଅପରାଧ ପୋଲିସ ପାଇଁ ସାଜିଛି ମୁଣ୍ଡବିନ୍ଧା । ଲୋଭନୀୟ ଅଫର ଦେଇ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ଅଦୃଶ୍ୟ ଠକ । ଯିଏ ଥରେ ଫସିଲା ସିଏ ହରାଉଛି ଲକ୍ଷାଧିକ ଟଙ୍କା । କଟକ ସଦର ଅଞ୍ଚଳର ଜଣେ କର୍ମଜୀବୀ ମହିଳାଙ୍କୁ କ୍ରିପ୍ଟୋ କରେନ୍ସି ଲୋଭ ଦେଖାଇ ୬ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଛି ସାଇବର ଲୁଟେରା । କେବଳ ସେ ନୁହନ୍ତି ଚଳିତ ବର୍ଷକ ଭିତରେ ୧୦ କୋଟିରୁ ଊର୍ଦ୍ଧ୍ବ ଠକେଇ ସାମ୍ନାକୁ ଆସିଛି । କିଛି କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଥିବାବେଳେ ସଚେତନତା ହିଁ ଏଥିରୁ ମୁକୁଳିବାର ଏକମାତ୍ର ଉପାୟ ବୋଲି କହିଛନ୍ତି ବିଶେଷଜ୍ଞ ।

ଟେଲିଗ୍ରାମ ଫ୍ରଡର ଶିକାର ହେଲେ ପୁଣି ଜଣେ ମହିଳା । କ୍ରିପ୍ଟୋ କରେନ୍ସି ଲୋଭରେ ହରାଇଲେ ୬ ଲକ୍ଷ ୮୦ ହଜାର ଟଙ୍କା । ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଏଥର ଠକେଇର ଶିକାର ହୋଇଛନ୍ତି କଟକ ସଦର ଅଞ୍ଚଳରେ ଜଣେ କର୍ମଜୀବୀ ମହିଳା । ଲୋଭନୀୟ ଅଫର ଦେଖାଇ ଲୁଟି ନେଇଛନ୍ତି ସାଇବର ଠକ । ଖାଲି ଏହି ଗୋଟିଏ ଘଟଣା ନୁହେଁ ଏକବର୍ଷ ମଧ୍ୟରେ ଥାନାକୁ ଆସିଲାଣି ଏମିତି ଅନେକ ମାମଲା । ବର୍ଷକ ମଧ୍ୟରେ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଲେଣି ଅଦୃଶ୍ୟ ଠକ । ୧୯ ମାମଲାରେ ପୋଲିସ ଅପରାଧୀଙ୍କୁ ଧରିବା ସହିତ ଏକ କୋଟି ୫୦ ଲକ୍ଷ ଟଙ୍କା ଜବତ କରିବାକୁ ସଫଳ ହୋଇଛି । ତେବେ ବାରମ୍ବାର ସଚେତନ ସତ୍ତ୍ବେ ଲୋକେ ଲୋଭରେ ପଡ଼ି ସାଇବର ଠକେଇର ଶିକାର ହେଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଅନେକାଂଶରେ ଯୁବପିଢି ଓ ବରିଷ୍ଠ ନାଗରିକ ଠକେଇର ଶିକାର ହେଉଛନ୍ତି । ଅଧିକ ଟଙ୍କା ରୋଜଗାର କରିବାର ନିଶାରେ ଜାଲ ବିଛାଉଛନ୍ତି ଠକ । ପ୍ରଥମେ କିଛି ଲାଭ ଦେଇ ପରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ପୋଲିସକୁ କିଛି କ୍ଷେତ୍ରରେ ସଫଳତା ମିଳୁଥିଲେ ସୁଦ୍ଧା ସଚେତନତା ହିଁ ଏଥିରୁ ମୁକୁଳିବାର ଏକମାତ୍ର ଉପାୟ ବୋଲି କହିଛନ୍ତି ବିଶେଷଜ୍ଞ ।

ଉତ୍ତରକାଶୀ ଟନେଲ ଉଦ୍ଧାରକାରୀ ରାଟ୍ ମାଇନର୍ସ କାହିଁକି ଫେରାଇଲେ ୫୦ ହଜାର ଟଙ୍କାର ଚେକ୍ ?

ଡେରାଡୁନ: ଗତ ମାସ ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇ ହୃଦୟ ଜିତିଥିଲେ ରାଟ୍‌ ହୋଲ୍‌ ମାଇନର୍ସ  । ଏବେ ପୁଣି ଥରେ ଚର୍ଚ୍ଚାରେ ଏହି ଉଦ୍ଧାରକାରୀ ଟିମ୍‌  । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦେଇଥିବା ପୁରସ୍କାର ରାଶି ଫେରାଇ ଦେଇଛନ୍ତି ଟିମ୍‌ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସା ଯୋଗ୍ୟ  । କିନ୍ତୁ ଏହା ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ରାଟ୍‌ ହୋଲ୍‌ ମାଇନର୍ସ  ।

ନିଜ ଜୀବନକୁ ବାଜି ଲଗାଇ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲୁ  । କିନ୍ତୁ ରାଜ୍ୟ ସରକାର ଦେଇଥିବା ୧୨ ଜଣ ସଦସ୍ୟଙ୍କ ପାଇଁ ମାତ୍ର ୫୦ ହଜାର ଟଙ୍କା ସନ୍ତୋଷଜନକ ନୁହେଁ  । ଯେତେବେଳେ ମେସିନ ଟନେଲ ଭିତରେ ଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ଥିଲା ସେତେବେଳେ ମାନୁଆଲି ଡ୍ରିଲିଂ କରିଥିଲେ ରାଟ୍‌ ହୋଲ୍‌ ମାଇନର୍ସ  ।

ହେଲେ ଏହି ପୁରସ୍କାର ରାଶି ଯଥେଷ୍ଟ ନଥିବାରୁ ସରକାରଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ଫେରାଇ ଦେଇଛନ୍ତି ଟିମ୍‌ ସଦସ୍ୟ  । ଯେଉଁଦିନ ଚେକ୍‌ ମିଳିଥିଲା ସେଦିନ ସିଏମଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ  । କିନ୍ତୁ ସେଠାରେ ଥିବା ଅଧିକାରୀମାନେ ଦୁଇ ଦିନରେ ନୂଆ ପୁରସ୍କାର ରାଶି ଘୋଷଣା କରିବାକୁ ଆଶ୍ବସନା ଦେଇଥିଲେ  । ଏହାରି ମଧ୍ୟରେ ଦୁଇ ତିନି ଦିନ ବିତି ଯଯାଇଥିଲେ ସୁଦ୍ଧା କୌଣସି ଘୋଷଣା ହୋଇନଥିଲା  ।ଯଦି ପ୍ରତିଶ୍ରୁତି ପୂରଣ ନହୁଏ ତେବେ ସରକାରଙ୍କୁ ଚେକ୍‌ ଫେରାଇ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି  ।

କ୍ରେଡିଟ କାର୍ଡ ଠକ: ଅନ୍ୟ ନାଁରେ କାର୍ଡ କରି ଠକିଛି କୋଟି କୋଟି ଟଙ୍କା, ମାଷ୍ଟରମାଇଣ୍ଡ ସହ ୬ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ କୋଟିପତି କ୍ରେଡିଟ କାର୍ଡ ଠକ । ଅନ୍ୟ ଲୋକ ନାଁରେ କ୍ରେଡିଟ କାର୍ଡ କରି ଠକିଛି କୋଟି କୋଟି ଟଙ୍କା । ଟାର୍ଗେଟରେ ଥିଲେ ବଡ କର୍ପୋରେଟ୍ ହସ୍ପିଟାଲ । ସାମଲ ଥିଲେ ହସ୍ପିଟାଲ ବିଲିଂ ଏଜେଣ୍ଟ ଓ ବ୍ୟାଙ୍କ କର୍ମଚାରୀ । ଏହି କ୍ରେଡିଟ କାର୍ଡ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ପିପିଲିର ବିଜୁ ତ୍ରିପାଠୀ ସହ ୬ ଜଣଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । କ୍ରେଡିଟ କାର୍ଡ ମାଧ୍ୟମରେ ପାଖାପାଖି ୭ରୁ ୮ କୋଟି ଟଙ୍କା ଠକେଇ ହୋଇଥିବା ପୋଲିସ ଜାଣିବାକୁ ପାଇଛି ।

ପିପିଲିର ବିଜୁ ତ୍ରିପାଠୀଙ୍କ ପାଖରେ ମାଳମାଳ କ୍ରେଡିଟ୍ ଓ ଡେଭିଡ୍ କାର୍ଡ । ବଣ୍ଡଲ ବଣ୍ଡଲ ଟଙ୍କା । ଥାକ ଥାକ ପାସବୁକ୍, ଶହ ଶହ ଚେକ୍ ବୁକ୍ । ପୁଞ୍ଜା ପୁଞ୍ଜା ମୋବାଇଲ, ଧାଡିରେ ଥୁଆ ହୋଇଛି ସ୍ବାଇପ୍ ମେସିନ । ଟାର୍ଗେଟରେ ଥିଲା ଭୁବନେଶ୍ବରର ବଡ କର୍ପୋରେଟ୍ ହସ୍ପିଟାଲ । ସାଥ୍ ଦେଉଥିଲେ ହସ୍ପିଟାଲର ବିଲିଂ ଏଜେଣ୍ଟ । କାର୍ଡ ସ୍ବାଇପ୍ କରି ଠକକୁ ଦେଉଥିଲେ ହାର୍ଡ କ୍ୟାସ୍ । ଡମଣା ପରିବା ମାର୍କେଟରେ ସୁଧ ଲାଗୁଥିଲା ଠକେଇ ଟଙ୍କା । କମିଶନ ଦେଉଥିଲା ଅଭିଯୁକ୍ତ । ଅନ୍ୟ ନାଁରେ କାର୍ଡ ପାଇଁ ତଥ୍ୟ ଦେଉଥିଲେ ବ୍ୟାଙ୍କ କର୍ମଚାରୀ । ସକାଳେ ନେଉଥିଲେ ବ୍ୟବସାୟୀ, ସନ୍ଧ୍ୟାରେ ଫେରାଉଥିଲେ ସୁଧ ସହ ମୂଳଧନ ।

ଭୁବନେଶ୍ବର ରାକେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏଭଳି ଏକ ବଡ ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିଜୁ ତ୍ରିପାଠୀ, ପ୍ରସନ୍ନଜିତ ଦାସ, ପ୍ରଦୀପ ସାମନ୍ତରାୟ, ମୁକେଶ ମନ୍ତ୍ରୀ, ଅବଦୁଲ ରେହେମାନ ଓ ରାଜେଶ ଦାଶ । ସେମାନଙ୍କଠାରୁ ୭ ଲକ୍ଷ ୭ ହଜାର ଟଙ୍କା, ୪୫୦ଟି କ୍ରେଡିଟ୍ କାର୍ଡ, ଶହ ଶହ ପାସବୁକ୍, ଚେକବୁକ୍, ୬ଟି ମୋବାଇଲ ଓ ୬ଟି ସ୍ବାଇପ୍ ମେସିନ୍ ଜବତ ହୋଇଛି ।

ଅସୁବିଧାରେ ପଡିଥିବା ଲୋକଙ୍କୁ ଟଙ୍କା ସାହାଯ୍ୟ କରିବାକୁ କହି ତାଙ୍କ ନାଁରେ କ୍ରେଡିଟ କାର୍ଡ କରୁଥିଲା ଅଭିଯୁକ୍ତ । ଅନ୍ୟର ଆଧାର କାର୍ଡକୁ ଏଡିଟ୍ କରି ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଫେକ୍ ତଥ୍ୟରେ ବି କ୍ରେଡିଟ କାର୍ଡ କରୁଥିଲା । ପରେ ଏହାକୁ ବ୍ୟବହାର କରି ଟଙ୍କା ଉଠାଇବାକୁ ବଡ କର୍ପୋରେଟ୍ ହସ୍ପିଟାଲକୁ ଟାର୍ଗେଟ କରିଥିଲା ବିଜୁ ।

ଏହି ଠକେଇର ପରିମାଣ ୭ରୁ ୮ କୋଟି ହେବ ବୋଲି ପୋଲିସ ସନ୍ଦେହ କରୁଛି । ସେମାନେ ଆଉ କେତେ ଟଙ୍କା କାହା କାହା ନାଁରେ ଠକେଇ କରିଛନ୍ତି ସେ ନେଇ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଖୋଳତାଡ୍ କରିବ ସାଇବର ଥାନା ।

ଧର୍ମେନ୍ଦ୍ରଙ୍କୁ ମାନସଙ୍କ ପ୍ରଶ୍ନରେ ସହମତ ଓଡ଼ିଶା : ଦେଖିଲେଣି ୨ ଲକ୍ଷ     

ଭୁବନେଶ୍ୱର: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନରେ ସହମତ ଓଡ଼ିଶା। ମାନସଙ୍କ ସହ ସ୍ବର ମିଶାଇଲେ ରାଜ୍ୟବାସୀ। ୟୁଟ୍ୟୁବର କାମିୟା ଜାନୀ ଓ ଶ୍ରୀମନ୍ଦିରକୁ ନେଇ ରାଜ୍ୟ ବିଜେପି ନେତା ଅପପ୍ରଚାର ଆରମ୍ଭ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ପ୍ରଶ୍ନ କରିଥିଲେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ। ସୋସିଆଲ ମିଡ଼ିଆ ଏକ୍ସରେ ମାନସ ପଚାରିଥିବା ପ୍ରଶ୍ନକୁ ନେଇ ରାଜ୍ୟ ବିଜେପିକୁ କାଠଗଡ଼ାରେ ଠିଆ କରିଛନ୍ତି ସାଧାରଣ ଲୋକେ। କାମିୟା ଜାନୀଙ୍କ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନକୁ ନେଇ ରାଜ୍ୟ ବିଜେପି ହୀନ ରାଜନୀତି ଆରମ୍ଭ କରିବା ପରେ ବିଜେଡ଼ି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କର କିଛି ଫଟୋକୁ ଦର୍ଶାଇ ଧର୍ମେନ୍ଦ୍ରଙ୍କୁ ପାଲଟା ପ୍ରଶ୍ନ କରିଥିଲେ। ହିନ୍ଦୁ ଧର୍ମକୁ ପ୍ରଚାର ପ୍ରସାର ପାଇଁ ମୋଦୀ ଓ ଶାହା କାମିୟାଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେ ଚାରିଧାମ ସହ ଅଯୋଧ୍ୟାରେ ରାମ ମନ୍ଦିର ମଧ୍ୟ ପରିଦର୍ଶନ କରିଥଲେ। କିନ୍ତୁ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ହେବାରୁ ରାଜ୍ୟ ବିଜେପି ନେତା କାହିଁକି ଅସହିଷ୍ଣୁ ହୋଇପଡ଼ୁଛନ୍ତି ବୋଲି ମାନସ ପ୍ରଶ୍ନ କରିଥିଲେ। ଏବେ ମାନସଙ୍କ ଏହି ଫଟୋ ସମ୍ବଳିତ ପ୍ରଶ୍ନ ବିଜେପିର ଅସଲ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାରେ ଖୋଲିଦେଇଛି।

ଏକ୍ସ ବା ପୂର୍ବରୁ ଟୁଇଟର କୁହାଯାଉଥିବା ସୋସିଆଲ ସାଇଟରେ ଏବେ ଏହି ପୋଷ୍ଟ ଟ୍ରେଣ୍ଡ କରିବାରେ ଲାଗିଛି। ପ୍ରଦୀପ ସାମଲ ନାମକ ବ୍ୟକ୍ତି, ଅସହିଷ୍ଣୁ ବିଜେପି ଓୌଷଧ ବିକଳରେ ତାଟିଆ କାମୁଡ଼ୁଛି, ରାଜ୍ୟର ବିକାଶକୁ ସହି ନପାରି ଲୋକଙ୍କୁ ଜାତି, ଧର୍ମ, ଘୃଣା, ବିଦ୍ବେଷର ମଞ୍ଜି ବୁଣୁଛି ବୋଲି ମତ ରଖିଛନ୍ତି। ସେହିପରି ବିଜୟ ବିହାରୀ ପରିଡ଼ା ଏହାକୁ ବିଜେପିର ହୀନ ରାଜନୀତି ବୋଲି ମତ ରଖିଥିବା ବେଳେ, ନମିତା ଗୋଛାୟତ ନାମ୍ନୀ ମହିଳା ଜଗନ୍ନାଥ ମନ୍ଦିରର ବିକାଶମୂଳକ କାମକୁ ରାଜ୍ୟ ବିଜେପି ସହ୍ୟ କରିପାରୁନଥିବା ଲେଖିଛନ୍ତି। ୨୪ ଘଣ୍ଟା ଭିତରେ ଏହି ପୋଷ୍ଟକୁ ପାଖାପାଖି ୨ ଲକ୍ଷ ଲୋକ ଦେଖିସାରିଲେଣି। ଏପରିକି ୫ ଶହରୁ ଉର୍ଦ୍ଧ୍ବ ୟୁଜର ଏହାକୁ ରିପୋଷ୍ଟ କରିବା ସହ  ୧୮ଶହରୁ ଅଧିକ କମେଣ୍ଟ ମଧ୍ୟ କରିସାରିଲେଣି ।

ଅଧିକାଂଶ ଲୋକ ଏହାକୁ ବିଜେପିର ଦୋମୁଁହା ନୀତି ବୋଲି କହିବା ସହ ରାଜ୍ୟ ଓ କେନ୍ଦ୍ର ବିଜେପି ନେତାଙ୍କ ଭିତରେ ତାଳମେଳ ନଥିବା କମେଣ୍ଟରେ ଲେଖିଥିବା ଦେଖାଯାଇଛି ।