ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ସୁବର୍ଣ୍ଣପୁର: ଇଛାଶକ୍ତି ଥିଲେ ବୟସ ବାଧକ ସାଜେ ନାହିଁ, କିଛି ବି କରିବା ଅସମ୍ଭବ ନୁହେଁ । ପ୍ରତିକୁଳ ପରିସ୍ଥିତିରେ ବି ଏମିତି କିଛି କରି ଦେଖାଇଛନ୍ତି ଜଣେ ବୟସ୍କ ଚାଷି । ଜୈବିକ ପ୍ରଣାଳୀରେ ଚାଷ କରି ଲୋକଙ୍କୁ ଦେଉଛନ୍ତି ସଚେତନତା ବାର୍ତ୍ତା। ଚାଷ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ରକ୍ସା ଗ୍ରାମର ଶରତ କୁମାର ପୁରୋହିତ।

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପରିଶ୍ରମ ବଳରେ  ଜମିରେ ଫଳିଛି ଲଙ୍କା ମରିଚ, ବାଇଗଣ, ପିଆଜ, କୋବି ଭଳି ଅନେକ ପନ ପରିବା  । ଜମିରେ ନିଜ ଝାଳ ବୁହାଉଛନ୍ତି ଜଣେ ବୟସ୍କ । ଏକଡରୁ ସେକଡକୁ ଧାଇଁ ପଡୁଛନ୍ତି ।  ହାତରେ କୋଦାଳ ଧରି ମାଟି କୋଡି ଦେଉଛନ୍ତି ।କେତେବେଳେ ଜାର ଧରି ଗଛ ମୁଳରେ ପାଣି ଦେଉଛନ୍ତି । ପାଖରେ ଥିବା ଲୋକଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ବି ପ୍ରବର୍ତାଉଛନ୍ତି ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ଗାଁର ଶରତ କୁମାର ପୁରୋହିତ ଏଭଳି ପରିଶ୍ରମ ଦେଖି ସମସ୍ତେ ତାଜୁବ ହେଉଛନ୍ତି । ବୟସ ୬୪ ହେଲେ ବି  ସେ ଥକି ପଡୁ ନାହାଁନ୍ତି । ନିଆରା ଢଙ୍ଗରେ ବିଭିନ୍ନ ପ୍ରକାର ସମନ୍ୱିତ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ଶରତ ମଉସା ।

ପ୍ରତିକୂଳ ପରିବେଶରେ କିଛି ଅପନ୍ତରା ଜମିରେ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଶରତ । ଜୈବିକ ପ୍ରଣାଳୀରେ ସବୁଜ ପନିପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ନିଜେ ଶ୍ରମଦାନ କରିବା ସହିତ କିଛି ଶ୍ରମିକଙ୍କ ସାହାଯ୍ୟରେ ଗୋଟିଏ ଋତୁରେ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କାର ଲାଭ କରୁଛନ୍ତି ଶରତ ମଉସା ।