spot_img
Home Blog Page 2431

କାଲିଠୁ ରାଜ୍ୟରେ ବଦଳିବ ପାଗ

ଭୁବନେଶ୍ବର: କାଲିଠୁ ରାଜ୍ୟରେ ବଦଳିବ ପାଗ । କମିବ ତାତି, ବଢିବ ଥଣ୍ଡା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାରା ରାଜ୍ୟରେ ଆସନ୍ତା କାଲିଠାରୁ ପଶ୍ଚିମା ଝଡର ପ୍ରଭାବ କମିବା ସହ ଓଡ଼ିଶାକୁ ପ୍ରବେଶ କରୁଥିବା ପୂର୍ବାଳୀ ତରଙ୍ଗାୟିତ ଗରମ ଶୁଷ୍କ ବାୟୁ ପ୍ରବାହ କମିବ । ଏହାସହ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସ୍ରକିୟ ହେବାକୁ ଯାଉଛି । ଯାହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହ ବଢିବ ।

ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ରାତ୍ରୀର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ପାହାଡିଆ ଅଞ୍ଚଳ କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଆଦି ଜିଲ୍ଲାରେ ଶୀତ ବଢିବ । ତେବେ ଆଜି ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ ସହ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ବନ୍ଧୁଗାଁରେ ସର୍ବାଧିକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମାଲକାନଗିରି ମାଥିଲିରେ ୬୦ ଏବଂ ଗଞ୍ଜାମରେ ୩୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ୩୫ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ରାଜ୍ୟରେ ଉତ୍ତପ୍ତ ସହର ହୋଇଥିବା ବେଳେ ୧୩ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବରେ ରେକର୍ଡ କରିଛି ।

୧୨ ବର୍ଷର ସମ୍ପର୍କ ଶେଷ: ହନି ସିଂ-ଶାଲିନୀ ତଲଓ୍ବାରଙ୍କ ଛାଡ଼ପତ୍ର ମଞ୍ଜୁର

ନୂଆଦିଲ୍ଲୀ: ରାପର ହନି ସିଂଙ୍କ ପତ୍ନୀ ଶାଲିନୀଙ୍କ ସହ ଛାଡ଼ପତ୍ର । ଦୀର୍ଘଦିନ ହେଲା ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ହନି । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଦେଢ଼ ବର୍ଷ ହେଲା ଚାଲିଥିଲା ଏହି ବହୁ ଚର୍ଚ୍ଚିତ ଛାଡ଼ପତ୍ର ମାମଲାର ବିଚାର ।

ଶାଲିନୀ ହନିଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ପୂର୍ବରୁ ପତ୍ନୀ ସହ ରହିବାକୁ ଚାହୁଁଛ କି ବୋଲି କୋର୍ଟ ହନିଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ହନି କହିଥିଲେ, ଏବେ ଏକାଠି ରହିବା ସମ୍ଭବ ହେବନି । ହନିଙ୍କ ଉତ୍ତରରେ ଶାଲିନୀ ମଧ୍ୟ ସହମତ ହୋଇଥିଲେ ।

ଏହାସହ ହନି ଏବଂ ଶାଲିନୀ ପରସ୍ପର ଉପରେ ଲଗାଇ ଥିବା ଆରୋପ ପ୍ରତ୍ୟାହାର କରି ନେଇଥିଲେ । ହେଲେ କେଉଁ ସର୍ତ୍ତରେ ଉଭୟଙ୍କୁ ଛାଡ଼ପତ୍ର ମିଳିଛି ତାହା ଏକ ବନ୍ଦ ଲଫାପାରେ ରଖାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ, କୋର୍ଟଙ୍କ ରାୟ ଅନୁସାରେ ହନି ଶାଲିନୀଙ୍କୁ ଏକ କୋଟି ଟଙ୍କାର ଡ୍ରାଫ୍ଟ ଚେକ୍ ପ୍ରଦାନ କରିଥିଲେ । ସେପଟେ ଶାଲିନୀ ହନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଭୟର ବାତାବରଣରେ ରହୁଛନ୍ତି । କାରଣ ହନି ଓ ତାଙ୍କ ପରିବାର ପକ୍ଷରୁ ମାନସିକ, ଶାରୀରିକ, ଯୌନ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି ।

ଏଠାରେ କହି ରଖିବାକୁ ଚାହୁଁଛି, ହନି ଏବଂ ଶାଲିନ ପ୍ରେମ ବିବାହ କରିଥିଲେ । ଉଭୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଏହାପରେ ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ବାରରେ ଶିଖ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଏହା ପ୍ରକାଶ କରି ନଥିଲେ । ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିବା ପରେ ବିବାହ କଥା ହନି ସ୍ବୀକାର କରିଥିଲେ ।

ନୀତିଶ କୁମାରଙ୍କ ‘ଯୌନ କ୍ରିୟା’ ମନ୍ତବ୍ୟ, କ୍ଷମା ଦେବେନି ମହିଳା

ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଯାହା କହିଲେ ତାହା ସର୍ବଦା କଳଙ୍କିତ ହୋଇ ରହିବ । ଜନସଂଖ୍ୟା ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି ନୀତିଶ । ଯେ କେହିବି ତାଙ୍କର ଏହି ମନ୍ତବ୍ୟ ଶୁଣୁଛନ୍ତି ତାଙ୍କ ମୁଣ୍ଡ ତଳକୁ ହୋଇଯାଉଛି । ନୀତିଶଙ୍କ ଏପରି ମନ୍ତବ୍ୟ ପାଇଁ ମହିଳା ସମାଜ କେବେ ତାଙ୍କୁ କ୍ଷମା ଦେବେନି ।

ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସରକାରଙ୍କ ପ୍ରଶଂସା କରିବା ବେଳେ ନୀତିଶ ଏମିତି କିଛି କହିଗଲେ ଯାହା ତାଙ୍କ ଛବିକୁ କେବଳ ଖରାପ କରିନି, ନାରୀ ଜାତିଙ୍କୁ ଅପମାନିତ କରିଛି ।

ଝିଅମାନେ ପାଠ ପଢ଼ିଲେ ଜନସଂଖ୍ୟା ଆପେ ଆପେ କମିଯିବ ବୋଲି ନୀତିଶ କହିବାକୁ ଚାହୁଁଥିଲେ । ଏହାକୁ ବୁଝାଇବାକୁ ଯାଇ ଯୌନ କ୍ରିୟାକୁ ଏଥିରେ ସାମିଲ କରିଥିଲେ । କହୁ କହୁ ନୀତିଶ କହି ଥିଲେ, ଆଗରୁ ମହିଳାମାନେ ସହଜରେ ଗର୍ଭବତି ହୋଇ ଯାଉଥିଲେ । ହେଲେ ଏବେକାର ପାଠୁଆ ମହିଳା ଯୌନ କ୍ରିୟାରେ ଭିନ୍ନ ଆଚରଣ କରୁଛନ୍ତି । ନୀତିଶ କୁମାର ଭାବ ଭଙ୍ଗିର ସହ ବିଧାନସଭା ପରି ପବିତ୍ର ଗୃହରେ ଏମିତି ଅପମାନ ଜନକ ଶବ୍ଦ ବ୍ୟବହାର କରୁଥିବା ବେଳେ ନିଜ ଦଳର ସଦସ୍ୟ ବି ଅସହଜ ହୋଇଯାଇଥିଲେ । ନୀତିଶଙ୍କ ଏପରି ମନ୍ତବ୍ୟ ଶୁଣି ବିଧାୟକ ଓ ମନ୍ତ୍ରୀମାନେ ପରସ୍ପରର ମୁହଁକୁ ବଲ ବଲ କରି ଅନାଉଥିବା ବେଳେ ଆଉ କିଏ ମୁଣ୍ଡ ତଳକୁ କରିଦେଇଥିଲେ ।

ସୂଚନାଯୋଗ୍ୟ, ସେକ୍ସକୁ ନେଇ ଏମିତି ମନ୍ତବ୍ୟ ଦେବା ନୀତିଶ କୁମାରଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ । ଗତ ମାର୍ଚ୍ଚରେ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ କହିଥିଲେ, ଯେତେ ପରିଶ୍ରମ କଲେ ବି ପୁରୁଷ ଭୁଲ କରିଥାଏ । ଯେବେ ମୁଁ ସାଂସଦ ଥିଲି ସେ ସମୟରେ ଦିନେ ସକାଳେ ଜଣେ ପୁରୁଷ ଲୋକ ଗୋଟିଏ ପଶୁ ସହ ଯୌନ କ୍ରିୟା କରୁଥିବା ଦେଖିଥିଲି । ସେ ସମୟରେ ବି ନୀତିଶ କେବଳ କଥାରେ କଥାରେ ଏମିତି କହି ନଥିଲେ, ପୂରା ଭାବ ଭଙ୍ଗିର ସହ ଆକ୍ସନ କରି ଦେଖାଇଥିଲେ ।

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତା  । ନବୀନ ନିବାସରେ ଭି.କେ ପାଣ୍ଡିଆନଙ୍କୁ ୮ଟି ସଂଗଠନର କର୍ମକର୍ତ୍ତା ସାକ୍ଷାତ କରି ନୂଆ ଦାୟିତ୍ବ  ପାଇଁ ଅଭିନନ୍ଦନ ଜଣାଇଛନ୍ତି  । ଓଡ଼ିଶା ରାଜ୍ୟ ଶୀର୍ଷ ସମବାୟ ସଂସ୍ଥାର ସମସ୍ତ କର୍ମକର୍ତ୍ତା, ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘ, ଲିଙ୍ଗିପୁର ସନ୍ଥ ବିହାର ଉନ୍ନୟନ ସମିତି, ST-SC  ବିଭାଗର କର୍ମଚାରୀ ମେତା, ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ନେତୃବୃନ୍ଦ, ଡାଓସିସି ଅଫ କଟକ ଚର୍ଚ୍ଚ ଅଫ୍ ନର୍ଥ ଇଣ୍ଡିଆର କର୍ମକର୍ତ୍ତାମାନେ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ, ଓଡ଼ିଶା ଚକ୍ଷୁ ଚିକିତ୍ସା ସେବାସଂଘ, ଅଲ୍ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମ୍ମୁଖ୍ୟର କର୍ମୀକର୍ତ୍ତାମାନେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଛନ୍ତି । ଭି.କେ ପାଣ୍ଡିଆନଙ୍କ ନେତୃତ୍ବରେ ରାଜ୍ୟରେ ରୂପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବ ବୋଲି ସମସ୍ତ ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ରାଜ୍ୟର ଦ୍ରୁତ ବିକାଶରେ ସମସ୍ତ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଫାଇଭ-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଟେବୁଲ ଟେନିସ ଏକାଡେମୀ ଏବଂ ୨୯ତମ ରାଜ୍ୟ ଟେବୁଲ ଟେନିସ ଚମ୍ପିୟାନସିପ-୨୦୨୩ର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡ଼ାକୁ ସର୍ବଦା ଗୁରୁତ୍ବ ଦେବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଗୁରୁତ୍ବ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ସାଧାରଣରେ ସବୁବେଳେ ପ୍ରଶଂସା ମଧ୍ୟ କରାଯାଇଛି ।

କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କାଙ୍କ ସମେତ କ୍ରୀଡା ବିଭାଗର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଷ୍ଟାଡିୟମ ନିର୍ମାଣ ଦ୍ୱାରା ଛୋଟ ପିଲାଙ୍କ ଠାରୁ ଯୁବ ଖେଳାଳିଙ୍କ ପାଇଁ ଉତ୍ତମ ପରିବେଷ ସୃଷ୍ଟି ହୋଉଛି । ଜିମ, ଟେବୁଲ ଟେନିସ, ଭଲିବଲ କୋର୍ଟ, ଟେନିସ କୋର୍ଟ ସମେତ ଖେଳାଳିଙ୍କ ବିଶ୍ରାମ କକ୍ଷ, ପିଲାଙ୍କ ଖେଳ ପାଇଁ ବ୍ୟବସ୍ଥା ରହିଛି । ଷ୍ଟାଡିୟମ ନିର୍ମାଣ ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପ୍ୟାରିସ ଏୟାରପୋର୍ଟରେ ସମୂହ ନମାଜ ପାଠ, ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା

ପ୍ୟାରିସ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଣି ଚର୍ଚ୍ଚାରେ ଫ୍ରାନ୍ସ । ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ୟାରିସ ଏୟାରପୋର୍ଟରେ ହୋଇଛି ନମାଜ ପାଠ । ନମାଜ ପାଠର ଭିଡିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ପ୍ୟାରିସ ସ୍ଥିତ ଚାର୍ଲସ ଡି ଗଲ ଏୟାରପୋର୍ଟରେ ସମୂହ ନମାଜ ପାଠରୁ ବିବାଦ ସୃଷ୍ଟି ହୋଇଛି । ବିବାଦ ବଢୁଥିବା ଦେଖି ଏୟାରପୋର୍ଟ ସଂଚାଳନ କରୁଥିବା ସଂସ୍ଥା ଏଡିପି ସିଇଓ ଘଟଣାକୁ ନିନ୍ଦା କରିଛନ୍ତି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଏକାଧିକ ମୁସଲିମ ଯାତ୍ରୀ ଜୋଡାନକୁ ବିମାନ ଯିବା ପୂର୍ବରୁ ପ୍ରସ୍ଥାନ ହଲରେ ନମାଜ ପାଠ କରିଥିଲେ । ଇସ୍ରାଏଲ ହମାସ ଯୁଦ୍ଧକୁ ନେଇ ଫ୍ରାନ୍ସରେ ଅସନ୍ତୋଷ ବଢୁଥିବା ସମୟରେ ଏମିତି ନମାଜ ପାଠକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପ୍ରାୟ ୧ହ ମିନିଟ୍ ୩୦ରୁ ଅଧିକ ଯାତ୍ରୀ ଏମିତି ନମାଜ ପାଠ କରିଥିଲେ । ଫ୍ରାନ୍ସରେ ବହୁ ସଂଖ୍ୟାରେ ମୁସଲିମ ଓ ଇହୁଦି ସମ୍ପ୍ରଦାୟର ଲୋକ ରହୁଛନ୍ତି । ଏମିତି ସ୍ଥିତିରେ ନମାଜ ପାଠକୁ ଫ୍ରାନ୍ସ ସରକାର ଗମ୍ଭୀରତାର ସହ ନେଇଛନ୍ତି ।

ସୂଚନାଯୋଗ୍ୟ, ଫ୍ରାନ୍ସ ଏକ ଧର୍ମନିରପେକ୍ଷ ରାଷ୍ଟ ହୋଇଥିଲେ ବି ଏୟାରପୋର୍ଟ, ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ଧାର୍ମିକ ପ୍ରଦର୍ଶନ ଉପରେ ରୋକ ଲାଗିଛି । ଏଠାରେ ସବୁ ଧର୍ମର ଲୋକଙ୍କୁ ପ୍ରଦର୍ଶନ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଦିଆଯାଇଛି ।

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ଥିବା ନୋଏଲ ଲେନୋଇର ନମାଜ ପାଠର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିବା ସହ ଏୟାରପୋର୍ଟକୁ ପ୍ରାର୍ଥନା ସ୍ଥଳରେ ପରିବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ଶାସକ ଦଳର ସାଂସଦ ଏୟାରପୋର୍ଟ ସମେତ ପୂରା ଫ୍ରାନ୍ସରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଜୋର ଦେଇଛନ୍ତି । ଘଟଣାକୁ ନେଇ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗୁଛି ।

ପାଖେଇ ଆସୁଛି ଦୀପାବଳି, ଦୀପ ତିଆରିରେ ବ୍ୟସ୍ତ କୁମ୍ଭାର

ନୟାଗଡ଼: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦୀପାବଳିରେ ଘରେ ଘରେ ଦୀପ ଜାଳିବାର ପରମ୍ପରା ରହିଥୁବାରୁ ଦୀପ କାମରେ ବ୍ୟସ୍ତ କାରିଗର। ନୟାଗଡ଼ ରଣପୁର ବ୍ଲକ ସୁର୍କାବାଡି ଗାଁରେ କାରିଗରମାନେ ଭିନ୍ନ ଭିନ୍ନ ପ୍ରକାର ଦୀପ ତିଆରି କରିବାରେ ଲାଗିଛନ୍ତି । ୨୫ରୁ ଉର୍ଦ୍ଧ୍ବ ପରିବାର ତିଆରି କରୁଛନ୍ତି ଦୀପ ।

ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗିଲ ଲାଇଟ ଏବଂ ଦୀପରେ ସଜେଇହେବ ଘର । ଦୀପ ପ୍ରସ୍ତୁତ କରି  ଭଲ ବ୍ୟବସାୟ ଲକ୍ଷ୍ୟରେ ନୟାଗଡ଼ ରଣପୁର ସୁର୍କାବାଡି ଗାଁର କାରିଗର। ପୁରୁଷ ଓ ମହିଳା ଉଭୟ ଦୀପ ପ୍ରସ୍ତୁତିରେ ଲାଗିପଡିଛନ୍ତି। କିଏ ମାଟି ଚକଟି ସୁନ୍ଦର ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ଯସ୍ତ । ପୁଣି କିଏ ଭାଟିରେ ଦୀପକୁ ପୋଡୁଛି।

ସୁର୍କାବାଡି ଗାଁର କିଛି କୁମ୍ଭକାର ମାନେ ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ନିଜ ପାରମ୍ପରିକ ବେଉସାକୁ ଜାବୁଡି ଧରିଛନ୍ତି। ବର୍ଷ ତମାମ ରହିଥାଏ ଏହି ମାଟି ଦୀପର ଚାହିଦା। କିନ୍ତୁ ଦୀପାବଳି ଆସିଲେ ଏହି ଦୀପର ଚାହିଦା ଆହୁରି ବଢିଯାଏ । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ 5ରୁ 7 ପ୍ରକାର ଦୀପ ପ୍ରସ୍ତୁତ କରିଛନ୍ତି କାରିଗର। ସୁର୍କାବାଡି ଗାଁର ୨୫ରୁ ଉର୍ଦ୍ଧ୍ବ ପରିବାର ଦୀପ ପ୍ରସ୍ତୁତ କରୁଛନ୍ତି। ଗତବର୍ଷ ଅପେକ୍ଷା ଏ ବର୍ଷ ବ୍ୟବସାୟ ଭଲ ହେବା ନେଇ କୁମ୍ଭକାର ପରିବାର ଆଶାବାଦୀ ରହିଛନ୍ତି ।

 

ଚାକିରୀ ଛାଡ଼ି ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

କେନ୍ଦ୍ରାପଡ଼ା: ଚାଷ କରି ସ୍ବାବଲମ୍ବୀ ଯୁବ ଇଞ୍ଜିନିୟର। ପ୍ରିତିଷ୍ଠିତ କମ୍ପାନୀରୁ ଚାକିରି ଛାଡି କରୁଛନ୍ତି ଆଖୁ ଏହଂ କାଜୁ ଚାଷ। କେନ୍ଦ୍ରାପଡା ମହାକାଳପଡା ନଳଦିଆ ପାଳନ୍ଦା ଗାଁର ଯୁବ ଇଞ୍ଜିନିୟର ଦିବ୍ୟରଞ୍ଜନ ସାମନ୍ତରାୟ। କେବଳ ଚାଷ କରୁନାହାନ୍ତି ଚାଷ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ନିୟୋଜିତ କରି ପାରିଶ୍ରମିକ ମଧ୍ୟ ଦେଉଛନ୍ତି ।

ପେସାରେ ଜଣେ ଇଂଜିନିୟର। ନିଶା ତାଙ୍କର ଚାଷ କରିବା । ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ କେନ୍ଦ୍ରାପଡା ମହାକାଳପଡା ନଳଦିଆ ପାଳନ୍ଦା ଗାଁର ଯୁବ ଇଞ୍ଜିନିୟର ଦିବ୍ୟରଞ୍ଜନ ସାମନ୍ତରାୟ।  ନିଜ ପଡିଆ ପଡିଥିବା ଜମିରେ କାଜୁ ବାଦାମ ଏବଂ ଆଖୁ ଚାଷ କରି ଗାଁର ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଦିବ୍ୟ । ୨୫ ଏକର ଜମିରେ ଆଖୁ ଚାଷ କରିବା ସହିତ ତିନି ଏକର ନିଜ ଜାଗାରେ ହୋଇଛି କାଜୁ ବାଦାମ ଚାଷ।

ଆଖୁଗଛରେ ପୋକ ଲାଗି ଯିବାରୁ ଦିଲ୍ଲୀର ଏକ ଘରୋଇ କମ୍ପାନୀ ସହିତ କଥାହୋଇ ଔଷଧ ଏବଂ ସାର ପକାଇବା ପାଇଁ ଡ୍ରୋନ ଆଣିଥିଲେ। ଡ୍ରୋନ ଟି ୨୫ ଲିଟର କ୍ଷମତା ଥିବାବେଳେ  ଡ୍ରୋନ ରେ ଥରକେ ୧୦ ଲିଟର କିଟ ନାଶକ ନେଇ ୧ ଏକର ଜମିରେ କିଟନାଶକ ଔଷଧ ନେଇ ଛିଞ୍ଚନ କରିଥିଲା। ଗାଁର ୨୦ ରୁ ୨୫ ଜଣଙ୍କୁ କାଜୁ ବାଦାମ ଓ ଆଖୁ ଚାଷରେ ବିଭିନ୍ନ୍ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ମଧ୍ଯ ଦେଇଛନ୍ତି। ଆଧୁନିକ ପ୍ରଣାଳୀ ରେ ଏହିସବୁ ଚାଷ କରି ଜଣେ ସଫଳ ଚାଷୀ ହେବା ସହିତ  ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦିବ୍ୟରଞ୍ଜନ।

 

ଐତିହାସିକ କଟକ ବାଲିଯାତ୍ରାରେ ଏଥର ମୁଖ୍ୟ ଆକର୍ଷଣ ସାଜିବ ଟନେଲ ଆକ୍ବାରିୟମ

କଟକ: ଐତିହାସିକ କଟକ ବାଲିଯାତ୍ରାରେ ଏଥର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି ଟନେଲ ଆକ୍ବାରିୟମ । ଯେଉଁଠି ସମୁଦ୍ର ମଧ୍ୟରେ ଚାଲି ଚାଲି ଯିବାର ଅନୁଭୂତି ନେବେ ଦର୍ଶକ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଏଭଳି ବ୍ୟବସ୍ଥା କରାଯାଉଛି। ସେପଟେ ଯୁଦ୍ଧ କାଳୀନ ଭିତ୍ତିରେ ଉପର ଓ ତଳ ପଡିଆ ପ୍ଲଟ ମାର୍କିଂ ସହ ବିଦ୍ୟୁତକରଣ କାମ ଚାଲିଛି।

କଟକର ବାଲିଯାତ୍ରା ଦେବ ବ୍ୟାଙ୍କକର ଅନୁଭବ । ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ବୁଲି ଅଣ୍ଡର ଓ୍ବାଟର ଟନେଲର ମଜା ଉଠାଇବେ ପର୍ଯ୍ୟଟକ । ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଟନେଲ ଆକ୍ବାରିୟମ ।୨୦୦ ଫୁଟ ଲମ୍ବ, ୬୦ଫୁଟ ଚଉଡ଼ାର ଟନେଲ ଅକ୍ବାରିୟମରେ ଦେଖିବାକୁ ମିଳିବ ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ। ଛୋଟ ସାର୍କ, ଜେଲି ଫିସ ସହ ବିଭିନ୍ନ ପ୍ରକାର ରଙ୍ଗୀନ ମାଛ ଓ ଅକ୍ଟୋପସ  ଦେଖିବାକୁ ମିଳିବ।

ଟନେଲରେ ପ୍ରବେଶ କଲେ ଲାଗିବ ଯେପରି ସମୁଦ୍ର ଭିତରେ ଆପଣ ଚାଲି ଚାଲି ଯାଉଛନ୍ତି । ଆଉ ଆପଣଙ୍କ ଉଭୟ ପଟ ଓ ମୁଣ୍ଡ ଉପର ଦେଇ ଏହି ସାମୁଦ୍ରିକ ଜୀବ ମାନେ ବିଚରଣ କରୁଛନ୍ତି । ଚେନ୍ନାଇର ଏକ ସଂସ୍ଥା ଜରିଆରେ କଟକର ସିରିଡି ସାଇବାବା ଏଣ୍ଟରପ୍ରାଇଜର ଏ ପ୍ରକାର ବ୍ୟବସ୍ଥା କରିବାକୁ ଯାଉଛି । ଖୁବଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଥିବାବେଳେ ଟିକେଟ ଦର ଶହେ ଟଙ୍କାରୁ ଦେଢ଼ ଶହ ରଖାଯିବ  ।

ଅନ୍ୟପଟେ ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଏବେ ଦ୍ରୁତ ଗତିରେ କାମ ଚାଲିଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ତଳ ପଡ଼ିଆରେ ପ୍ଲଟ ମାର୍କିଂ କାମ ବି ଆରମ୍ଭ ହୋଇଗଲାଣି । ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜି ସୁଦ୍ଧା ୪୫୦ରୁ ଅଧିକ ବ୍ୟବସାୟୀ ପ୍ଲଟ ନିଲାମ ପାଇଁ ପଞ୍ଜିକରଣ କରିସାରିଲେଣି ।

 

ନଳିତା ଚାଷ ଦେଉଛି ରୋଜଗାର

ବାଙ୍କୀ: ନଳିତା ଚାଷର ପେଣ୍ଠସ୍ଥଳ ପାଲିଟିଛି ବାଙ୍କୀ ବିଲିପଡ଼ା ଗାଁ। ଏଠାରେ ପ୍ରାୟ ଦେଢ଼ଶହ ଚାଷୀ ନଳିତା ଚାଷ କରି ଭଲ ରୋଜଗାର କରୁଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଛି । ଫଳରେ ଏଥର ଦୀପାବଳୀରେ କାଉଁରିଆ କାଠି ବିକ୍ରିକରି ଭଲ ରୋଜଗାର କରିପାରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ନଳିତା ଚାଷ କରି ସେଥିରୁ ବାହାରୁଥିବା ଝୋଟକୁ ବିକ୍ରି କରିବା ସହିତ ଦୀପାବଳୀରେ ବ୍ୟବହୃତ ହେଉଥିବା କାଉଁରିଆ କାଠିକୁ ମଧ୍ୟ ବିକ୍ରିକରି ଭଲ ଦୁଇ ପଇସା ଆୟ କରିଥାନ୍ତି।

ନଳିତା ଚାଷରୁ ରୋଜଗାର । ନଳିତା ଚାଷର ପେଣ୍ଠସ୍ଥଳ ପାଲିଟିଛି କଟକ ବାଙ୍କୀ  ବିଲିପଡ଼ା ଗାଁ । ଏହି ଗାଁର ଅଧିକାଂଶ ଚାଷୀ ପରିବାର ନଳିତା ଚାଷ କରି ବେଶ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଛି । କୃଷି ବିଭାଗ କେନ୍ଦ୍ରରୁ ନଳିତା ମଞ୍ଜି କିଣି ଜ୍ୟେଷ୍ଠ ମାସରେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି ଚାଷୀ । ପ୍ରାୟ ଦୁଇ ମାସ ପରେ ନଳିତା ଗଛ ପାକଳ ହୋଇଯିବା ପରେ ତାକୁ ଜମିରୁ କାଟି ଆଣି ବିଡା କରିବା ସହିତ ପୋଖରୀ କିମ୍ବା ଗାଡ଼ିଆ ଭିତରେ ବୁଡାଇ ରଖିଦିଅନ୍ତି। ପାଖାପାଖି ଏକ ମାସ ପରେ ଏହି ଗଛ ସବୁ ପାଣିରେ ଭିଜି ସାରିଥାଏ। ପରେ ତାକୁ ପାଣିରୁ ବାହାର କରି ସେଥିରୁ ଝୋଟ ପ୍ରସ୍ତୁତ କରାଯାଇଥାଏ।

ନଳିତାରୁ ପ୍ରଥମେ ଝୋଟକୁ ବାହାର କରି ସାରିବା ପରେ ସେଥିରୁ କାଉଁରିଆ କାଠିକୁ ଅଲଗା କରିଦିଆଯାଏ। ସେହି କାଠିକୁ ଶୁଖାଇ ବିକ୍ରି କରିବା ପାଇଁ ପ୍ରସ୍ତୁତ କରିଥାନ୍ତି ଚାଷୀ । ଅନେକ ଚାଷୀ ଏହି କାଠିକୁ ନେଇ ଗାଁ ଗାଁ ବୁଲି ବିକ୍ରି କରିବାକୁ ନେଉଥିବା ବେଳେ ଆଉ କିଛି କମ ଲାଭରେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥାନ୍ତି ।