ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ

ଗଜପତି: ସ୍ମୃତି ସାଉଣ୍ଟିଛି ଆଦିବାସୀ ଉନ୍ନୟନ ବିଭାଗର ସଂଗ୍ରହାଳୟ । ଏଠି ସଜେଇ ହୋଇଛି ଆଦିବାସୀଙ୍କ  ଲୋକ କଳା, ସଂସ୍କୃତି ଓ ପରମ୍ପରାର ବହୁ ପୁରାତନ ସାମଗ୍ରୀ । ଏଥି ସହ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ଯାହାକୁ ଦେଖି ଆଦିବାସୀଙ୍କ ପୂର୍ବ ସଭ୍ୟତା ଓ ଜୀବନଶୈଳୀକୁ ମନେ ପକାଉଛନ୍ତି ବର୍ତ୍ତମାନର ପିଢ଼ି । ଜିଲ୍ଲାରେ  ରହିଛି ଏଭଳି ଦୁଇଟି ସଂଗ୍ରହାଳୟ ଯାହା ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗଜପତି ଜିଲ୍ଲାର ଆଦିବାସୀ ସଂଗ୍ରହାଳୟ । ହେଉଛି ପୁରାତନ କଳା, ସଂସୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପ୍ରସାର । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସୁବଠି ପ୍ରଶଂସା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗତପତି ଜିଲ୍ଲାରେ ଶତକଡା ୬୦ରୁ ଉର୍ଦ୍ଧ୍ବ ଭାଗ ଆଦିବାସୀ ଜନଜାତି ବସବାସ କରୁଛନ୍ତି । ସେମାନଙ୍କ ଚାଲିଚଳନ ବେଶଭୂଷା , କଳା ସଂସ୍କୃତି ତଥା ପରମ୍ପରା ଉପରେ ଜାଣିବାକୁ ପର୍ଯ୍ୟଟକଙ୍କ ଆଗ୍ରହତା ଯଥେଷ୍ଟ ରହିଥାଏ । ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାର ସେରଙ୍ଗ ଓ ଚନ୍ଦ୍ରଗିରି ଠାରେ ପ୍ରତିଷ୍ଠିତ ସଂଗ୍ରହାଳୟରେ ସଂଗୃହିତ ଆଦିବାସୀଙ୍କ ବହୁ ପୁରାତନ ଉପକରଣମାନ ଆଦିବାସୀଙ୍କ ପୁରାତନ ସଭ୍ୟତାର ଚିତ୍ର ବଖାଣୁଛି । ଯାହା ବର୍ତ୍ତମାନ ସମାଜରେ ଦେଖିବାକୁ ବିରଳ ହୋଇପଡିଛି । ଏହା ଦେଖି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପର୍ଯ୍ୟଟକ।

ବର୍ତ୍ତମାନ ଆଦିବାସୀ ସମାଜରେ ଶିକ୍ଷାର ଅନେକ ଅଗ୍ରଗତି ଘଟିଛି । ଆଧୁନିକତାର ଅନୁକରଣ କରୁଛନ୍ତି ଲୋକେ । ଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଛି ଏମାନଙ୍କ ପୁରାତନ ସଂସ୍କୃତି, ପରମ୍ପରା, ବେଶ ପୋଷାକ ଓ ଜୀବନଶୈଳୀ। ଯାହାକୁ ସଂଗ୍ରହ କରି ସାଇତି ରଖିବାକୁ ଉଦ୍ୟମ କରିଛି ପ୍ରଶାସନ । ଯାହା ଆଗାମୀ ପିଢ଼ି ପାଇଁ ସ୍ମୃତିପାଲଟିଛି । ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ସଉରା ଉନ୍ନୟନ ଅଧିକାରୀ ।