ଏକାମ୍ର ବିକାଶରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ

1 min read

ଭୁବନେଶ୍ବର: ଏକାମ୍ର ବିକାଶରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ । ଗାଁର କୋଣଅନୁକୋଣରେ ବିକାଶକୁ ଆହୁରି ତ୍ବରାନ୍ବିତ କରାଯିବ । ଏନେଇ ଶୁକ୍ରବାର ଏକାମ୍ର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସବୁ ସରପଞ୍ଚ, ସମିତି ସଭ୍ୟ, କର୍ପୋରେଟର, ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ବିଧାୟକ ।

ଏକାମ୍ର ଭୁବନେଶ୍ବରର ଗାଁ ଗୁଡ଼ିକୁ ରୂପାନ୍ତର କରିବା ପାଇଁ ପ୍ରାୟ ୨ଶହ କୋଟିର ମେଗା ପ୍ରୋଜେକ୍ଟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଅପରାହ୍ନ ୫ଟା ରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ ।

ଜଳ ସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍ ନିର୍ମାଣ କରାଯିବ। ଏହାଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୁରହେବ । ଏହାସହ ସେଠାରେ ନିକଟର ଭବିଷ୍ୟତରେ ବୋଟିଂ ବ୍ୟବସ୍ଥା ବି କରାଯାଇ ଧଉଳୀର ପର୍ଯ୍ୟଟନ ବିକାଶ କରାଯିବ । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟାନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଇଟିପୁରଠାରେ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩ କେ.ଭି. ଗ୍ରିଡ ସବ୍-ଷ୍ଟେସନ ନିର୍ମାଣ କାର୍ଯ୍ୟର ବି ଶିଳାନ୍ୟାସ କରଯିବ ।

ଦିନଥିଲା ଭୁବନେଶ୍ବର ଉପକଣ୍ଠରେ ଥିବା ସତ୍ତ୍ବେ, ବିକାଶଠାରୁ ଦୂରରେ ଥିଲେ ଏସବୁ ପଞ୍ଚାୟତ । ହେଲେ ଗତ ଦୁଇ ଦଶନ୍ଧିରୁ ସେମାନେ ଧୀରେ ଧୀରେ ବିକାଶର ସ୍ରୋତରେ ସାମିଲ ହୋଇଛନ୍ତି । ଯାହା ସେମାନଙ୍କ ଆର୍ଥିକ, ସାମାଜିକ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିଛି ।

ଓଡ଼ିଶା ସମେତ ଏକାମ୍ର ବିକାଶ ସବୁ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛି । ଯେଉଁଥିପାଇଁ ପୁରୀ ଶ୍ରୀମନ୍ଦିର ପରି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ କାର୍ଯ୍ୟ ମିଶନ ମୋଡରେ ଚାଲିଛି ।