spot_img
Home Blog Page 2427

ଆଉ ଜଣେ ସାଲବେଗ, ମୁସଲମାନ ହେଲେ ବି ଜଗନ୍ନାଥଙ୍କ ଭକ୍ତିରେ ନିମଗ୍ନ

କୋରାପୁଟ : ଆଉ ଜଣେ ସାଲବେଗ  । ଧର୍ମ ମୁସଲମାନ ,ହେଲେ ଜଗନ୍ନାଥଙ୍କ ଭକ୍ତିରେ ନିମଗ୍ନ  । ମୁହଁରୁ ତାଙ୍କ ଅନର୍ଗଳ ବାହାରୁଛି ଜଗନ୍ନାଥ ଚେତନା ଓ ସଂସ୍କୃତିକୁ ନେଇ ପ୍ରବଚନ  । ଶ୍ରୀଜିଉଙ୍କ ପ୍ରତି ଭକ୍ତି ତାଙ୍କୁ ଟାଣି ଆଣିଛି ଶାବର ଶ୍ରୀକ୍ଷେତ୍ର  । କୋରାପୁଟ ଜଗନ୍ନାଥ ମନ୍ଦିରର ପଚାଶ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହୋଇଛି ପଞ୍ଚ ଦିବସୀୟ ସୁବର୍ଣ୍ଣ ଉତ୍ସବ । ଅବସରରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ରରେ ଭାଗ ନେବା ପାଈଁ ସୁଦୂର କଲିକତାରୁ ଆସିଥିଲେ ଭାରତବର୍ଷର ଖ୍ୟାତି ସମ୍ପନ୍ନ ଜଗନ୍ନାଥ ଚେତନାର ଗବେଷକ ଶେଖ ମକବୁଲ ଇସଲାମ  ।

ସୁଫିପନ୍ଥୀ ଇସଲାମ ଭାବାଦର୍ଶ ସମୃଦ୍ଧ ପରିବାରରେ ଜନ୍ମ ନେଇଥିବା ଡକ୍ଟର ଇସଲାମ ପିଲାଟି ବେଳୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆକର୍ଷିତ ହୋଇଥିଲେ  । ଏହି ଆଗ୍ରହ ତାଙ୍କୁ ଜଗନ୍ନାଥ ସଂସ୍କୃତି ଉପରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଅନୁପ୍ରାଣିତ କରିଥିଲା   । ୨୦୧୫ରେ ନବ କଳେବର ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ହସ୍ତରୁ ପାଇଥିବା ନବ କଳେବର ସମ୍ମାନ ତାଙ୍କ ଜୀବନର ଏକ ଅମୂଲ୍ୟ ସମ୍ପଦ ବୋଲି ଡ଼. ଇସଲାମ କହିଛନ୍ତି  । ଏହି ଆଲୋଚନା ଚକ୍ରରେ ଡକ୍ଟର ଶେଖ ମକବୁଲ ଇସଲାମ, ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ଭଳି ଅନେକ ଜଗନ୍ନାଥ ସଂସ୍କୃତି  ଗବେଷକ ଯୋଗଦେଇଥିଲେ  ।

ଚାହା ତିଆରୀରେ ବିଳମ୍ବ ହେବାରୁ ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ୱାମୀ

ଗାଜିଆବାଦ : ଚାହା ତିଆରୀରେ ବିଳମ୍ବ ହେତୁ ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ବାମୀ । ଏହି ଘଟଣାରେ ସ୍ବାମୀକୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ସକାଳେ ଚାହା ତିଆରି କରିବାର ବିଳମ୍ବ ହେବାକୁ ନେଇ ସ୍ତ୍ରୀ ସୁନ୍ଦରୀ(୫୦)କୁ ଖଣ୍ଡାରେ ହାଣିଛି ସ୍ବାମୀ ଧରମବୀର(୫୨) । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଗାଜିଆବାଦର ଭୋଜପୁର ଗାଁରେ ଘଟିଛି ।

ଚାହା ତିଆରି କରିବାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଏତେ ବଢି ଯାଇଥିଲା ଯେ, ଧରମବୀର ନିଜ ସ୍ତ୍ରୀ ସୁନ୍ଦରୀକୁ ଖଣ୍ଡାରେ ହାଣି ଦେଇଥିଲା । ରିପୋର୍ଟ ଅନୁଯାୟୀ ଏହି ଘଟଣା ସମୟରେ ତାଙ୍କର ଚାରି ପିଲା ଅନ୍ୟ କୋଠରୀରେ ଶୋଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘର ଭିତରକୁ ଆସି ସୁନ୍ଦରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ଫଳରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ପୋଲିସ କହିଛି ।

ସ୍ଥାନୀୟ ଏସିପି ଜ୍ଞାନ ପ୍ରକାଶ ରାୟଙ୍କ ସୂଚନା ଅନୁଯାୟୀ, ଧମରବୀରଙ୍କର ସୁନ୍ଦରୀଙ୍କ ସହ ଚାହା ତିଆରି ପାଇଁ ଝଗଡା ହୋଇଥିଲା । ଯାହା ଫଳରେ ଧରମବୀର ଏକ ତୀକ୍ଷ୍ନ ଅସ୍ତ୍ରରେ ସୁନ୍ଦରୀଙ୍କ ବେକକୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସୁନ୍ଦରୀଙ୍କ ଜୀବନ ଚାଲି ଯାଇଥିଲା ।

ଗରିବଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY , ମାଗଣା ଚିକିତ୍ସାରେ ସୁସ୍ଥ ହେଲେ କାମାକ୍ଷାନଗରର ମିନା ପାତ୍ର

କାମାକ୍ଷାନଗର : ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY  । ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁନଥିବା ଗରିବ ଲୋକ ହେଉଛନ୍ତି ଉପକୃତ  । କାମାକ୍ଷାନଗର କାଦୁଆ ଜଳଧରପୁର ଗାଁର ମିନା ପାତ୍ର BSKY କାର୍ଡ ମାଧ୍ୟମରେ ହୋଇପାରିଛନ୍ତି ମାଗଣାରେ ଚିକିତ୍ସା  । ଆଜକୁ ପ୍ରାୟ ବର୍ଷେ ହେବ ମିନାଙ୍କ ପେଟରେ ଷ୍ଟୋନ ହୋଇଥିଲା  । ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ ।

ମିନାଙ୍କ ପାଇଁ ସଞ୍ଜିବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା BSKY  । ଏହି କାର୍ଡ ସହାୟତାରେ ମିନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି  । ତାଙ୍କ ଭଳି ଅନେକ ଗରିବ ଲୋକ BSKY ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତି  । ସେଥିପାଇଁ ମିନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ସଂସଦରେ ଚନ୍ଦ୍ରାଣୀଙ୍କ ପ୍ରଶ୍ନ : ଓଡିଶାରେ କେତେ ନିବେଶ ହୋଇଛି ପୁଞ୍ଜି ?

ନୂଆଦିଲ୍ଲୀ : ଗତ ପାଞ୍ଚ ବର୍ଷରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ମାଧ୍ୟମରେ ଓଡ଼ିଶାରେ କେତେ ନିବେଶ ହୋଇଛି । ଏହା ଗତ ବର୍ଷ ତୁଳନାରେ ବଢିଛି ନା କମିଛି । ଏହି ସମୟ ଭିତରେ କେଉଁ ପାଞ୍ଚଟି ବୃହତ କ୍ଷେତ୍ରରେ ଓଡ଼ିଶାରେ ନିବେଶ କରାଯାଇଛି । ଓଡ଼ିଶାରେ ଏଫଡିଆଇ ନିବେଶକୁ ନେଇ ବିଜେଡିର ଲୋକସଭା ସାଂସଦ ଚନ୍ଦ୍ରାଣି ମୁର୍ମୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଦେଇଥିଲେ ମନ୍ତ୍ରୀ ।

୨୦୧୯-୨୦ରେ ୧୩.୫ ନିୟୁତ ଡଲାର, ୨୦୨୦-୨୧ରେ ୧୯.୭୬ ନିୟୁତ ଡଲାର, ୨୦୨୧-୨୨ରେ ୯୫.୩୩ ନିୟୁତ ଡଲାର, ୨୦୨୨-୨୩ରେ ୩୧.୬୩ ନିୟୁତ ଡଲାର ଏବଂ ୨୦୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫.୭୮ ନିୟୁତ ଡଲାର ନିବେଶ ହୋଇଛି । ରାଜ୍ୟରେ ମେଟାଲର୍ଜିକାଲ ଶିଳ୍ପ, କମ୍ପ୍ୟୁଟର, ସଫ୍ଟଓ୍ବେର, ହାର୍ଡଓ୍ବେର ଓ ଶିକ୍ଷା କ୍ଷେତ୍ରରେ ଅଧିକ ନିବେଶ କରାଯାଇଛି ।

ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ : ଦେଶରେ ଏନଏଚ ନିର୍ମାଣ କେଉଁଠି କେତେ ?

ନନ୍ଦିଘୋଷ ବ୍ୟୁରୋ :  ଦେଶରେ ଜାତୀୟ ରାଜପଥ ନିର୍ମାଣ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ସାରା ଦେଶରେ କେତେ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ତିଆରି କରାଯାଇଛି । ଗତ ପାଞ୍ଚ ବର୍ଷ ଭିତରେ ବର୍ଷକୁ ଓ ରାଜ୍ୟଓ୍ବାରୀ କେତେ କିଲୋମିଟର ଜାତୀୟ ରାଜପଥ କରାଯାଇଛି । ସେହିଭଳି ଓଡ଼ିଶାରେ ଗତ ପାଞ୍ଚ ବର୍ଷରେ କେତେ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ଜାତୀୟ ରାଜପଥ ଉପରେ ଅପଡେଟ ପାଇଁ ସଂସଦରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଭିନ୍ନ ରାଜ୍ୟର ତଥ୍ୟ ରଖିଥିଲେ । ଓଡ଼ିଶାରେ ୨୦୧୮-୧୯ରେ ୮୩୩.୯ କିମି ଏନଏଚ ତିଆରି ହୋଇଥିଲା ବେଳେ ୨୦୧୯-୨୦ରେ ୪୪୦.୭, ୨୦୨୦-୨୧ରେ ୬୮୩.୩, ୨୦୨୧-୨୨ରେ ୫୪୪.୩, ୨୦୨୨-୨୩ରେ ଏପର୍ଯ୍ୟନ୍ତ ସୁଦ୍ଧା ୪୦୯.୭ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି । ଚଳିତ ବର୍ଷ ମହାରାଷ୍ଟ୍ରରେ ସର୍ବାଧକ ୧୦୮୬.୮ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି ।

୩୦ ବର୍ଷ ପରେ ସାମ୍ନାକୁ ଆସିଲା ଭାରତର ମୋଷ୍ଟ ଓ୍ବାଣ୍ଟେଡ ଟାଇଗର ମେମନର ଫଟୋ

ନନ୍ଦିଘୋଷ ବ୍ୟୁରୋ : ୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅପରାଧି ଟାଇଗର ମେମନଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି । ଯାହାର ଠିକଣା ହାତରେ ଲାଗିଥିବା ଏକ ଜାତୀୟ ଗଣମାଧ୍ୟମ ଦାବି କରିଛି । ୧୯୯୩ ଏପ୍ରିଲ ୧୨ରେ ୧୨ଟି ସ୍ଥାନରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡର ଫଟୋ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। କରାଚିରେ ଅବସ୍ଥିତ ତା ଘରର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଟାଇଗର ମେମନ୍ ପାକିସ୍ତାନର କରାଚିର ଡିଫେନ୍ସ ହାଉସିଂ ଅଥରିଟିରେ ନିର୍ମିତ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଛି । କରାଚିର ଏହି ସ୍ଥାନ ପାକିସ୍ଥାନ ସେନା ଦ୍ବାରା ବିକଶିତ ହୋଇଛି । ସେଠାରେ ପାକିସ୍ତାନର ସେନା ଅଧିକାରୀ ଓ ସରକାରୀ କମର୍ଚାରୀ ରୁହନ୍ତି । ଏନଆଇଏ ନିଜ ଡକ୍ୟୁମେଣ୍ଟରେ ପାକିସ୍ତାନରେ ଟାଇଗର ମେମୋନର ଦୁଇଟି ଠିକଣା ଲେଖିଛି । ଯେଉଁଥିରେ ପ୍ରଥମେ ହାଉସ ନଂ-୩୪ଏ, ଷ୍ଟ୍ରିଟ୍-୨୯, ଫେଜ-ପାଞ୍ଚ, ଡିଏଚଏ କରାଚି, ପାକିସ୍ତାନ । ବଙ୍ଗଳା ଚାରିପାଖରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଦ୍ୱାରା ଜଗୁଆଳି ରହିଛନ୍ତି ।

ପାକିସ୍ତାନ ସୁରକ୍ଷାକର୍ମୀଙ୍କ ସୁରକ୍ଷା ବଳୟ ଭିତରେ ଏହି ବଙ୍ଗଳାରେ ସର୍ବାଧିକ ଆତଙ୍କବାଦୀ ରହୁଛନ୍ତି । ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ସେନା ଅଧିକାରୀମାନେ ଟାଇଗରକୁ ଭେଟିବାକୁ ଆସୁଛନ୍ତି । ଏନ୍ଆଇଏ ଅନୁଯାୟୀ, କରାଚିର ଏହି ଅଞ୍ଚଳରେ ଟାଇଗର ମେମନର ଆଉ ଏକ ବଙ୍ଗଳା ଅଛି ଯାହାର ଠିକଣା ହେଉଛି – ହାଉସ୍ ନଂ- ୧ / ଏ୨, ଗୋଲ୍ଫ୍ କୋର୍ସ ରୋଡ୍ -୧, ଫେଜ୍ ଚାରି, ଡିଏଚଏ କରାଚି, ପାକିସ୍ତାନ । ଏନଆଇଏ ଅନୁଯାୟୀ, କରାଚିରେ ଥିବା ବଙ୍ଗଳାଠାରୁ ଅଳ୍ପ ଦୂରରେ ଏକ ସପିଂ ମଲ୍ ଅଛି ଯେଉଁଠାରେ ଟାଇଗର ମେମନ୍ ରହୁଛି, ଯେଉଁଠାରେ ତାର ଏକ କାର୍ଯ୍ୟାଳୟ ମଧ୍ୟ ଅଛି । କଡା ସୁରକ୍ଷା ମଧ୍ୟରେ ସେ ବେଳେବେଳେ କାର୍ଯ୍ୟାଳୟ ପରିଦର୍ଶନ କରେ । ସେ ଏଠାରୁ ଦାଉଦ ଇବ୍ରାହିମର ଡ୍ରଗ୍ସ ଏବଂ ବ୍ୟବସାୟ ପରିଚାଳନା କରେ । ଏହି ସମଗ୍ର ଅଞ୍ଚଳ ସିସିଟିଭି କଭରେଜ୍ ଭିତରେ ରହିଛି ।

ଟାଇଗର ମେମନର ପ୍ରକୃତ ନାମ  ଇବ୍ରାହିମ ମେମନ୍

ଟାଇଗର ମେମନର ପ୍ରକୃତ ନାମ ହେଉଛି ଇବ୍ରାହିମ ମେମନ୍ । ଅଣ୍ଡରୱାର୍ଲ୍ଡକୁ ଆସିବା ପରେ ତାର ନାମ ଇବ୍ରାହିମରୁ ଟାଇଗରକୁ ବଦଳିଗଲା । ୧୯୯୩ ସିରିଏଲ ବିସ୍ଫୋରଣ ଯାହା ମୁମ୍ବାଇକୁ ଥରାଇ ଦେଇଥିଲା ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସାହାଯ୍ୟରେ ଦାଉଦ ଇବ୍ରାହିମ ନିର୍ଦ୍ଦେଶରେ ଟାଇଗର ମେମନ କରିଥିଲା । ପାକିସ୍ତାନ ଆରଡିଏକ୍ସକୁ ସମୁଦ୍ର ଦେଇ ମୁମ୍ବାଇ ପଠାଇଥିଲା, ଯାହା ଟାଇଗର ଗ୍ରହଣ କରିବା ସହ ତାର ଗ୍ୟାଙ୍ଗକୁ ଦେଇଥିଲା । ବୋମା ବିସ୍ଫୋରଣ ପୂର୍ବରୁ ଦାଉଦ ଏବଂ ଟାଇଗର ମୁମ୍ବାଇରୁ ଦୁବାଇକୁ ପଳାଇଥିଲେ। ପରେ ଆଇଏସଆଇ ଉଭୟଙ୍କୁ ପାକିସ୍ତାନକୁ ସ୍ଥାନାନ୍ତର କରିଥିଲା । ବର୍ତ୍ତମାନ ଦୁହେଁ କରାଚିରେ ରହି ସେଠାରୁ ସେମାନଙ୍କ ବେଆଇନ ଆନ୍ତର୍ଜାତୀୟ ଡ୍ରଗ୍ ନେଟୱାର୍କ ଚଳାଇଛନ୍ତି ।

ଟାଇଗର ମେମନର ପରିବାର ମୁମ୍ବାଇର ଥିଲେ । ଏହି ପରିବାରର ମୁଖ୍ୟ ଥିଲେ ଅବଦୁଲ ରଜାକ ମେମନ୍, ଯିଏ ଜଣେ ବ୍ୟବସାୟୀ ଥିଲେ । ସେ ତାଙ୍କ ପତ୍ନୀ ହନିଫା ଏବଂ ଛଅ ପୁଅଙ୍କ ସହ ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ରହୁଥିଲେ। ପରିବାରର ସାନପୁଅ ଇବ୍ରାହିମ୍ ଓରଫ ଟାଇଗର ମେମନ୍ ୮୦ ଦଶକରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସହ ଯୋଗାଯୋଗରେ ଆସି ତା’ର ବ୍ୟବସାୟରେ ସାମିଲ ହୋଇଥିଲା । ଟାଇଗର ମେମୋନର ଦ୍ୱିତୀୟ ଭାଇ ୟାକୁବ ମେମନ୍ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ । ସେ ଟାଇଗରର ବ୍ୟବସାୟରେ ମଧ୍ୟ ଜଡିତ ଥିଲେ। ୟାକୁବର କାମ ଥିଲା ଟାଇଗରର କଳା ଟଙ୍କାକୁ ଏକ ସୁରକ୍ଷିତ କରିବା ।

୧୯୯୪ରେ ଦିଲ୍ଲୀରୁ ୟାକୁବ ମେମନଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ ବିସ୍ଫୋରଣରେ ଟାଇଗରର ପିତା ରଜାକ, ମା ହନିଫା, ଭାଇ ଇସା ଏବଂ ୟୁସୁଫ, ୟାକୁବଙ୍କ ପତ୍ନୀ ରହୀନା, ବଡ ଭାଇଙ୍କ ପତ୍ନୀ ରହୀନା, ବଡ ଭାଇଙ୍କ ପତ୍ନୀ ରୁବିନା ମଧ୍ୟ ଅଭିଯୁକ୍ତ ହୋଇଥିଲେ। ନଭେମ୍ବର ୨୦୦୬ ରେ ମୁମ୍ବାଇର ସ୍ୱତନ୍ତ୍ର ଟାଡା କୋର୍ଟ ୧୯୯୩ ମସିହାରେ ହୋଇଥିବା ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଶୁଣାଣି କରିଥିଲେ । ମୋଟ ୬୦୦ ଜଣଙ୍କ ସାକ୍ଷ୍ୟ ପମାଷକୁ ଆଧାର କରି କରି ୧୦୦ ଜଣ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ଟାଇଗର ମେମନ୍ ପଳାଉଥିବା ବେଳେ ଯାକୁବ ମେମନ୍, ୟୁସୁଫ୍ ମେମନ୍, ଇସା ମେମନ୍ ଏବଂ ରୁବିନା ମେମନଙ୍କ ନାମ ମଧ୍ୟ ଏହି ଅପରାଧୀଙ୍କ ମଧ୍ୟରେ ରହିଥିଲା ।

ମୁମ୍ବାଇ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଥିବାରୁ କୋର୍ଟ ୟାକୁବ ମେମୋନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ତାଙ୍କୁ ୩୦ଜୁଲାଇ ୨୦୧୫ ରେ ନାଗପୁର କେନ୍ଦ୍ରୀୟ ଜେଲରେ ଫାଶୀ ଦିଆଯାଇଥିଲା। ଟାଇଗରର ପାଣ୍ଠି ପରିଚାଳନା କରିବା, ୧୫ ଜଣ ଯୁବକଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଚଳାଇବା ତାଲିମ ଦେବା ପାଇଁ ଏକ ଗୁପ୍ତ ସ୍ଥାନକୁ ପଠାଇବା ଓ ବୋମା ବିସ୍ଫୋରଣ, ଗୁଳି ଓ ଅସ୍ତ୍ରଶସ୍ତ୍ରରେ ବ୍ୟବହୃତ ଗାଡି କିଣିବା ଆଦି ମାମଲାରେ ଟାଡା କୋର୍ଟ ୟାକୁବକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ବିବେକାନନ୍ଦ ପବ୍ଲିକ ସ୍କୁଲର ୨୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର : ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ବିବେକାନନ୍ଦ ପବ୍ଲିକ ସ୍କୁଲର ୨୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମହିଳା ଗ୍ରାଣ୍ଡ ମାଷ୍ଟର କିରଣ ମନୀଷା ମହାନ୍ତି ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାଵରେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ବାଲଭବନର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ମିଶ୍ର, ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ବିଜୟ ଲଷ୍ମୀ ଦାଶ, କର୍ପୋରେଟର ଯଶୋଧାରା ପ୍ରଧାନ, ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପୂର୍ବତନ ଉପସଭାପତି ଚକ୍ରଧର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଓଡିଶା ହେଉଛି ଖେଳର ରାଜଧାନୀ। ବିଶ୍ୱ ଦରବାରରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ପ୍ରତିଭାକୁ ଦେଖି ଉତ୍ସାହିତ ଲାଗୁଛି ବୋଲି କହିଛନ୍ତି କିରଣ ମନୀଷା । ସ୍କୁଲ ସମୟରେ ଛୋଟ ବେଳୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖେଳକୁଦରେ ଭାଗ ନେଲେ ସେମାନଙ୍କ ଶିକ୍ଷା ସହିତ ସମାଜ ଶୃଙ୍ଖଳିତ ହେବା ସହିତ ଭବିଷ୍ୟତ ଉଜ୍ଜ୍ୱଳ ହେବ। ରାଜ୍ୟ ସରକାର ଖେଳକୁ ଏବେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି କିରଣ ମନୀଷା ।

ସେହିପରି ବିବେକାନନ୍ଦ ହେଉଛନ୍ତି ସକରାତ୍ମକ ଉର୍ଜ୍ଜା ଓ ଯୁବଶକ୍ତିର ପ୍ରତୀକ। କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଜିର ଦିନରେ ଭଲ ପଠା ପଢା ସହିତ ଖେଳକୁଦ ନିହାତି ଜରୁରୀ ବୋଲି ଅନ୍ୟତମ ଅତିଥି ତଥା ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କହିଛନ୍ତି । ଅନ୍ୟ ଅତିଥି ମଧ୍ୟ ବାର୍ଷିକ କ୍ରୀଡା ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଶୁଭେଚ୍ଛା ଜଣାଇବା ସହ ଶିକ୍ଷା ସହି ଖେଳକୁଦ ଅଵଶ୍ୟକ ବୋଲି ମତ ରଖିଥିଲେ। ଶେଷରେ ଅତିଥି ମାନେ ସ୍ପୋର୍ଟସ ଫ୍ଲାଗ ଓ ମଶାଲ ଧରି ବୁଲିବା ପରେ ବାର୍ଷିକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପାଇବେ ପୁରସ୍କାର। ଆସନ୍ତା ମାର୍ଚ୍ଚ ୧୨ରେ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହେବେ ଆଶୁତୋଷ ପରିଡ଼ା । ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଉତ୍ସବ ନୂଆଦିଲ୍ଲୀ ଠାରେ ପାଳନ କରାଯିବ ।

ଆଶୁତୋଷଙ୍କ ବୟସ ୭୮ ବର୍ଷ ଏବଂ ସେ ରିଜିଓନାଲ୍ ରିସର୍ଚ୍ଚ ଲାବୋରେଟରୀର ଜଣେ ବୈଜ୍ଞାନିକ ପଦରେ ଥାଇ ୨୦୦୫ ମସିହାରେ ଅବସର ଗ୍ରହଣ କରିଥିଲେ। ଏଯାବତ୍ ତାଙ୍କର ଏଗାର ଗୋଟି କବିତା ସଂକଳନ ପ୍ରକାଶ ପାଇଛି। ପୁରସ୍କାର ସଂପର୍କରେ ସୂଚନା ପାଇବାପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ଆଶୁତୋଷ ଶ୍ରୀ ପରିଡ଼ା କହିଛନ୍ତି, ଜଣେ କବି ହିସାବରେ ଏକ ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ଖୁସି ହେବା ସ୍ବାଭାବିକ। ସେ ଏହି ପୁରସ୍କାର ପାଇବେ ବୋଲି କେବେ ଆଶା କରିନଥିଲେ। ଚାକିରି ସହ କବିତା ପ୍ରତି ଏକ ଆକର୍ଷଣ ରହି ଆସିଥିଲା। ତା’ର ଫଳ ମିଳିଛି।

ଆଶୁତୋଷ ପରିଡ଼ା ୧୯୯୦ ମସିହାରେ ‘ଇପ୍ସିତ କ୍ରୋଧ’ ପୁସ୍ତକ ପାଇଁ ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ଗତ ବର୍ଷ  ତାଙ୍କର କବିତା ସଂକଳନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଦ୍ଵାରା ସର୍ଟଲିଷ୍ଟେଡ୍ ହୋଇଥିବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରେ ଏହା ମନୋନୀତ ହୋଇପାରି ନଥିଲା। ଶ୍ରୀ ପରିଡା ପୁରସ୍କୃତ ହେବାର ଘୋଷଣା ହେବା ପରେ ତା’ଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ କହିଛନ୍ତି ଆଶୁତୋଷଙ୍କୁ ପୁରସ୍କୃତ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଶା ପ୍ରତି ନ୍ୟାୟ କରିଛନ୍ତି ।

ପରିବହନ କ୍ଷେତ୍ରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର

ନନ୍ଦିଘୋଷ ବ୍ୟୁରୋ : ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କଲା ପାରାଦୀପ ବନ୍ଦର । ଭାରତର ସମସ୍ତ ପ୍ରମୁଖ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରିବାରେ ସଫଳ ହୋଇଛି।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୪୫ ମିଲିୟନ ମେଟ୍ରିକ ଟନରୁ ଉର୍ଦ୍ଧ୍ବ ପଣ୍ୟ ପରିବହନ କରିବାର ଲକ୍ଷ୍ୟ ରଖିଛି ବନ୍ଦର। ଏହାକୁ ନେଇ ବନ୍ଦର ପ୍ରଶାସନିକ ଭବନରେ କେକ୍ କାଟି ସମସ୍ତ ଅଧିକାରୀଙ୍କ ସହିତ ସେଲିବ୍ରେସନ ପାଳନ କରିଛନ୍ତି ବନ୍ଦର ଅଧ୍ୟକ୍ଷ ପି. ଏଲ. ହରାନାଦ  । ଚଳିତବର୍ଷ କେବଳ ୬୪% ଆଇରନ କାରବାର କରିଛି ପାରାଦ୍ୱୀପ ବନ୍ଦର । ଆସନ୍ତା ୨୦୨୬ ସୁଦ୍ଧା ୱେଷ୍ଟର୍ନ ଡକ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ ଏବଂ ପାରାଦ୍ୱୀପ ବନ୍ଦର ୪୦୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ ପରିବହନ କରିବାର କ୍ଷମତା ହାସଲ କରିବ ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା, ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ରାଉରକେଲା : ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସ୍ବାସ୍ଥ୍ୟ ସଚିବ କହିଛନ୍ତି, ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ । ନୂଆ ରୋଗୀ ଗୁରୁତର ମଧ୍ୟ ହେଉନାହାନ୍ତି । ଆସନ୍ତା ୨ରୁ ୩ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସଂପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଣି ନମୁନା ପରୀକ୍ଷା କରାଯାଇଛି । ଆକ୍ରାନ୍ତ ହେବାର କାରଣ ଖୋଜିବ ସ୍ୱତନ୍ତ୍ର ଟିମ୍ । ରୋଗୀଙ୍କୁ ଚିକିତ୍ସା ପାଇଁ PHC ୨୪ଘଣ୍ଟା ଚାଲିବ । ରାତିରେ ମଧ୍ୟ ରୋଗୀ ଆସିଲେ ଚିକିତ୍ସା କରାଯିବ । ବର୍ତ୍ତମାନ ସୁଦ୍ଧା ୧୦୨୫ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୬ ଜଣଙ୍କର ଜୀବନ ଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଝାଡ଼ାବାନ୍ତିର ସମୀକ୍ଷା କରିଥିବା ବେଳେ, ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବ । ଜନସ୍ଵାସ୍ଥ୍ୟ ନିର୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ୬ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି ।