ସିନ୍ଧିଆ ଗଡରେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ଭୋପାଳ: ଆଜି ମଧ୍ଯପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡ ନ୍ୟାୟ ଯାତ୍ରା। ରାଜସ୍ଥାନର ଧୋଲପୁରରୁ ମଧ୍ଯପ୍ରଦେଶରେ ପ୍ରବେଶ କରିବ ଯାତ୍ରା। ମଧ୍ଯପ୍ରଦେଶର ବିଭିନ୍ନ ସ୍ଥାନରେ ହେବ ସାଧାରଣ ସଭା ଓ ରୋଡ ଶୋ। ଆସନ୍ତା ମାର୍ଚ୍ଚ ୬ ଯାଏ ରାଜ୍ଯରେ ଚାଲିବ ଅଭିଯାନ। ଲୋକସଭା ନିର୍ବାଚନ ପୂର୍ବରୁ ଏହି ଯାତ୍ରା ରାଜନୈତିକ ଭାବେ ଗୁରୁତ୍ବ ବହନ କରିଛି।

ପ୍ରଥମ ଦିନରେ ମୋରେନା ଜିଲ୍ଲାର ପିପ୍ରାଇରେ ଏହି ଯାତ୍ରା ପହଞ୍ଚିବ। ଅଭିଯାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମିଲ ରହିବେ। ରାହୁଲ ଗାନ୍ଧୀଙ୍କ କେତେକ କାର୍ଯ୍ୟକ୍ରମ ଥିବାରୁ ଗତ ଫେବୃଆରୀ ୨୬ରୁ ମାର୍ଚ୍ଚ ୧ ଯାଏ ଏହି ଅଭିଯାନ ସ୍ଥଗିତ ରହିଥିଲା। ମଧ୍ଯପ୍ରଦେଶର ମୋରେନା, ଗ୍ବାଲିୟର, ଗୁନା, ମଣ୍ଡସର, ଶିବପୁରୀ, ରାଜଗଡ଼, ଇନ୍ଦୋର, ଶାଜାପୁର, ଉଜ୍ଜୟିନୀ, ଧର ଓ ରତଲାମ ଜିଲ୍ଲା ଦେଇ ଏହି ଯାତ୍ରା ଗତି କରିବ।

ମାର୍ଚ୍ଚ ୭ରେ ଏହି ରାଲି ରାଜସ୍ଥାନର ବାନସ୍ବାରାରେ ପ୍ରବେଶ କରି ଗୁଜରାଟ ଅଭିମୁଖେ ଯିବ। ଗୁଜରାଟର ଦାହୋଦ, ପଞ୍ଚମହଲ, ଛୋଟା ଉଦୟପୁର, ନର୍ମଦା, ଭାରୁଚ, ସୁରଟ ଓ ତାପି ଜିଲ୍ଲାରେ ଅଭିଯାନ ଚାଲିବ। ମଣିପୁରରୁ ମୁମ୍ବାଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ସମେତ ୧୫ ରାଜ୍ଯ ଦେଇ ଚାଲିଛି ଭାରତ ଯୋଡ ନ୍ୟାୟ ଯାତ୍ରା।