spot_img
Home Blog Page 2416

କଟକ ବାଲିଯାତ୍ରା: ଆରମ୍ଭ ହେଲା ପ୍ଲଟ ନିଲାମ, ୯ ଶହରୁ ଅଧିକ ବ୍ୟବସାୟୀ ନିଲାମୀରେ ସାମିଲ

କଟକ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ନିଲାମ । ୯ ଶହରୁ ଅଧିକ ବ୍ୟବସାୟୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିବ ଏହି ନିଲାମ ପ୍ରକ୍ରିୟା । ସେପଟେ ଏଥର ବାଲିଯାତ୍ରା ଅଧିକ ଆକର୍ଷଣୀୟ କରିବା ପାଇଁ କଟକ ଇନ କଟକକୁ ଦିଆଯାଉଛି ନୂଆ ରୂପ । ଖାଲି ଏତିକି ନୁହେଁ କୋଡିଏ ହଜାର ବର୍ଗଫୁଟ ଅଞ୍ଚଳରେ G-20 ସମ୍ମିଳନୀ କକ୍ଷ ଶୈଳୀରେ ମହାନଗର ନିଗମ ନିର୍ମାଣ କରିବ ପ୍ରଦର୍ଶନୀ ହଲ । ଅତ୍ୟାଧୁନିକ ଲେଜର ଶୋ’ ସହ ଡିଜିଟାଲ ସ୍କ୍ରିନରେ ରାଜ୍ୟର ଉନ୍ନତି ମୂଳକ କାର୍ଯ୍ୟ ପ୍ରଦର୍ଶିତ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ପ୍ଲଟ ନିଲାମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବାରବାଟୀ ପ୍ୟାଲେସ ସମେତ ୬ଟି ସ୍ଥାନରେ ୧୦ଟି କାଉଣ୍ଟରରେ ଚାଲିଛି ନିଲାମ । ପାଖାପାଖି ୯ ଶହ ବ୍ୟବସାୟୀ ୧୬ ଶହରୁ ଅଧିକ ପ୍ଲଟ ପାଇଁ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସିଙ୍ଗଲ ବିଡ୍ ଜରିଆରେ ବ୍ୟବସାୟୀଙ୍କ ପାଇଁ ସୁବିଧା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ । ଅନେକ ବ୍ୟବସାୟୀ ସିଙ୍ଗଲ ବିଡର ଭାବେ ପ୍ଲଟ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ବାଲିଯାତ୍ରାକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଓ ଜାକଜମକରେ ଆୟୋଜନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତବର୍ଷର ଆକର୍ଷଣ ସାଜିଥିବା ‘କଟକ ଇନ କଟକ’କୁ ଦିଆଯାଉଛି ନୂଆ ରୂପ । ଏଥର ସହର ଭିତରେ ଗ୍ରାମାଞ୍ଚଳର ସୁନ୍ଦର ପରିବେଶ ଦେଖିବାକୁ ପାଇବେ ଦର୍ଶକ । ଗାଁ ପରିବେଶ ଭଳି ଛୋଟ କୁଡ଼ିଆରୁ ଆରମ୍ଭ କରି ଗାଈ ଗୁହାଳ, ଅସ୍ଥାୟୀ ପୋଖରୀରେ ମାଛ ଓ ବତକଙ୍କ ଜଳକ୍ରୀଡ଼ା ଦେଖିବାକୁ ମିଳିବ । ପ୍ରାଥମିକ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ଓ ଗାଁ ମୁଣ୍ଡର ପିଣ୍ଡି ସ୍ଥାନ ପାଇବ କଟକ ଇନ କଟକରେ । ସେହିପରି ୨୦ ହଜାର ବର୍ଗଫୁଟ ଅଂଚଳରେ ସିଏମସି ନିର୍ମାଣ କରିବ G-20  ଶୈଳୀର ପ୍ରଦର୍ଶନୀ ପ୍ରକୋଷ୍ଠ । ଅତ୍ୟାଧୁନିକ ଲେଜର ଶୋ ଠାରୁ ଆରମ୍ଭ କରି ଡିଜିଟାଲ ସ୍କ୍ରିନ ଜରିଆରେ ରାଜ୍ୟ ବିକାଶର ପ୍ରତିଛବି ଦେଖିବେ ଲୋକେ । ଏହାଛଡା ବିଭିନ୍ନ ସ୍ଥାନରେ ପ୍ରଜ୍ଞାପନ ମେଢ ବୁଲିବା ସହ କଟକ ସହରର ଦୁଇ ପ୍ରବେଶ ପଥରେ ବଡ ତୋରଣ ନିର୍ମାଣ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ସେହିପରି ବାଲିଯାତ୍ରାରେ ଚାରଚାନ୍ଦ ଲଗେଇବେ ବଲିଉଡ଼ ଓ ଓଲିଉଡ଼ର ନାମୀଦାମୀ କଣ୍ଠଶିଳ୍ପୀ ।

ବିଶ୍ବକପ୍: ଟିମ୍ ଇଣ୍ଡିଆ ଦେବ ଦିଓ୍ବାଲୀ ଗିଫ୍ଟ, ଶତକର ଅର୍ଦ୍ଧଶତକ କରିବା ଲକ୍ଷ୍ୟରେ ବିରାଟ

ବେଙ୍ଗାଲୁରୁ: ଆସନ୍ତାକାଲି ସାରା ଦେଶ ପାଳନ କରିବ ଆଲୋକର ପର୍ବ ଦୀପାବଳି । ଆଉ ଆସନ୍ତାକାଲି ଭାରତ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପର ଶେଷ ଲିଗମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇ । ଚଳିତ ବିଶ୍ବକପରେ ଅପରାଜୟ ଥିବା ଭାରତୀୟ ଟିମ୍ ନେଜରଲାଣ୍ଡକୁ ହରାଇ ଦେଶବାସୀଙ୍କୁ ଦୀପାବଳି ଗିଫ୍ଟ ଦେବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ, ମ୍ୟାଚରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । କାରଣ, ଫୁଲ ଫର୍ମରେ ଥିବା କୋହଲି କାଲିର ମ୍ୟାଚରେ ଆଉ ଏକ ଶତକୀୟ ପାରି ଖେଳି ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ ଶତକ କରିବାର ରେକର୍ଡ ନିଜ ନାଁରେ କରିବାକୁ ଚାହିଁବେ ।

ଭାରତ ପ୍ରଥମ ଦଳ ଭାବେ ସେମିଫାଲନାଲରେ ପ୍ରବେଶ କରି ସାରିଥିବା ବେଳେ ନେଦରଲାଣ୍ଡ ବିଶ୍ବକପରୁ ବାହାର ହୋଇ ସାରିଛି । କେବଳ ଔପଚାରିତା ରହି ଯାଇଥିବା ଏହି ମ୍ୟାଚରେ ଭାରତ ବିଶେଷ କିଛି ପରିବର୍ତ୍ତନ ନକରି ଫିଲ୍ଡକୁ ଓହ୍ଲାଇ ପାରେ । କାଲିର ମ୍ୟାଚ୍ ବିଶ୍ବକପ୍ ପଏଣ୍ଟ ଟେବୁଲ ପାଇଁଏତେ ଗୁରୁତ୍ବପୂର୍ଣ୍ଣ ହୋଇ ନଥିଲେ ବି ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ନଜର କୋହଲିଙ୍କ ଉପରେ ରହିବ । ସଚିନଙ୍କୁ ଦେଖି କ୍ରିକେଟ୍ ଶିଖିଥିବା କୋହଲି କାଲି ତାଙ୍କ ଆଇଡଲଙ୍କ ରେକର୍ଡ ଅତିକ୍ରମ କରିବା ସହ ସଚିନଙ୍କ ଭବିଷ୍ୟବାଣୀକୁ ସତ କରିବାକୁ ଚାହିଁବେ ।

ଅନ୍ୟପକ୍ଷରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ୧୫ ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଖେଳାଯିବା ୨୦୨୩ ବିଶ୍ବକପର ପ୍ରଥମ ସେମିଫାଇନାଲ । ତେବେ ଏହି ମ୍ୟାଚ୍ ପୂର୍ବରୁ ନେଦରଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଭଲ ଅଭ୍ୟାସ ହେବ । ୨୦ ବର୍ଷ ପରେ ନ୍ୟୂଜଲାଣ୍ଡକୁ ବିଶ୍ବକପରେ ହରାଇ ଥିବା ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗୋଟିଏ ବିଶ୍ବକପରେ ଭାରତ ପାଖରୁ ଦୁଇ ଦୁଇଟି ପରାଜୟ ବରଣ କରିବାକୁ ଚାହିଁବି ନାହିଁ ।

ଦିନିକିଆ ବିଶ୍ପକପ୍: ସେମିଫାଇନାଲ ଲାଇନ୍ ଅପ୍ ପକ୍କା, ଜାଣନ୍ତୁ କାହା ସହ କାହାର ଟକ୍କର ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଫିଲ୍ଡକୁ ଓହ୍ଲାଇବା ପୂର୍ବରୁ ବିଶ୍ବକପ୍ ସେମିଫାଇନାଲ ରେସରୁ ଏକ ପ୍ରକାର ବାହାର ହୋଇଯାଇଛି । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ କେବଳ ଏକ ଔପଚାରିତା ରହି ଯାଇଥିବା ବେଳେ ୨୦୨୩ ବିଶ୍ବକପର ଚାରି ସେମିଫାଇନାଲିଷ୍ଟ ସ୍ଥିର ହୋଇ ସାରିଛି । ଭାରତ ସମେତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଷ୍ଟ୍ରେଲିଆ ମଧ୍ୟରେ ହେବ ସେମିଫାଇନାଲ ଟକ୍କର ।

କେମିତି ପାକିସ୍ତାନ ସେମିଫାଇନାଲ ରେସରୁ ହେଲା ବାହାର ?

ଆଜି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ବିଶ୍ବକପର ୪୪ ତମ ମ୍ୟାଚ ଆଜି ଖେଳାଯାଉଛି । ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ବୋଲିଂ ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଓ୍ବାଲର୍ଡ କପରୁ ବାହାର ହୋଇଯାଇଛି । କାରଣ, ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଇଂଲଣ୍ଡକୁ ଏକ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ଏବେ ପାକିସ୍ତାନକୁ ଲକ୍ଷ୍ୟର ପିଛା କରି ୨୮୪ ବଲ୍ ପୂର୍ବରୁ ମ୍ୟାଚ ଜିତିବାକୁ ପଡ଼ିବ । ଅର୍ଥାତ ଇଂଲଣ୍ଡ ଯାହା ଟାର୍ଗେଟ ଦେବ ପାକିସ୍ତାନକୁ ମାତ୍ର ୩ ଓଭରରେ ହାସଲ କରିବାକୁ ପଡ଼ିବ । ଏହାର ଅର୍ଥ, ମ୍ୟାଚର ଫଳାଫଳ ଯାହା ବି ହେଉ, ପାକିସ୍ତାନ ସେମିଫାଇନାଲ ରେସରୁ ଆଉଟ୍ ।

ଚାରି ସେମିଫାଇନାଲିଷ୍ଟ

ବିଶ୍ବକପରେ ୮ରୁ ୮ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଏକ ନମ୍ବରରେ ଥିବା ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ୍ କାଟିଥିଲା । ସ୍ବିତୀୟ ଦଳ ଭାବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲକୁ ଯାଇଥିଲା । ଦକ୍ଷିଣ ଆଫ୍ରିକା ୯ଟିରୁ ୭ଟି ମ୍ୟାଚ୍ ଜିତିଛି ।

ସେହିପରି ଆଫଗାନିସ୍ତାନକୁ ହରାଇ ତୃତୀୟ ଦଳ ଭାବେ ଆଷ୍ଟ୍ରେଲିଆ ସେମିଫାଇନାଲକୁ କ୍ବାଲିଫାଏ କରିଛି । ହେଲେ ୨୩ ବିଶ୍ବକପରେ ଚତୁର୍ଥ ସେମିଫାଇନାଲିଷ୍ଟକୁ ନେଇ ସସପେନ୍ସ ଲାଗି ରହିଥିଲା । ଏମିତି ସ୍ଥିତିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ଶେଷ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । କାରଣ ପାକିସ୍ତାନକୁ ଏତେ ବଡ଼ ବ୍ୟବଧାନରେ ଜିତିବା ଅସମ୍ଭବ ।

ସେମିଆାଇନାଲ ସିଡ୍ୟୁଲ

ଭାରତ ବନାମ ନ୍ୟୁଜିଲାଣ୍ଡ – ନଭେମ୍ବର ୧୫, ମୁମ୍ବାଇ, ଓ୍ବାଙ୍ଖଡେ ଷ୍ଟାଡିୟମ

ଦକ୍ଷିଣ ଆଫ୍ରିକା ବନାମ ଆଷ୍ଟ୍ରେଲିଆ– ନଭେମ୍ବର ୧୬, କୋଲକାତା, ଇଡେନ ଗାର୍ଡେନ

ଫାଇନାଲ– ୧୯ ନଭେମ୍ବର, ଅହମ୍ମଦାବାଦ, ନରେନ୍ଦ୍ର ମୋଦି ଷ୍ଟାଡିୟମ

ଇସ୍ରାଏଲ ସହ ମହା ସଂଗ୍ରାମର ପ୍ରସ୍ତୁତି, ଏକାଠି ହେବେ ୫୭ ମୁସଲିମ ଦେଶ

ରିୟାଦ: ଘମାସାନ ହେଉଛି ଗାଜା ଉପରେ ଇସ୍ରାଏଲର ଆକ୍ରମଣ । ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଲକ୍ଷ୍ୟରେ ଗାଜାପଟ୍ଟି ଉପରେ ନନଷ୍ଟପ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏପଟେ ପାଲେଷ୍ଟାଇନ ସମର୍ଥନରେ ଏକାଠି ହେଉଛନ୍ତି ମସୁଲିମ ଦେଶ । ୫୭ ମୁସଲିମ ଦେଶଙ୍କୁ ନେଇ ଗଠିତ ଅର୍ଗାନାଇଜେସନ ଅଫ ମୁସଲିକ କୋଅପରେସନ (OIC)ର ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଆସନ୍ତାକାଲି ୧୨ ନଭେମ୍ବରରେ ବସିବାକୁ ଯାଉଛି । ଓଆଇସି ଅଧ୍ୟକ୍ଷ ସାଉଦି ଆରବର ନିମନ୍ତ୍ରଣ କ୍ରମେ ଏହି ବୈଠକ ବସୁଛି । ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ଆକ୍ରମଣକୁ ନେଇ ଏଥିରେ ଚର୍ଚ୍ଚା କରାଯିବ । ପାଲେଷ୍ଟାଇନର ବର୍ତ୍ତମାନ ସ୍ଥିତିକୁ ଦେଖି ଅଧିକାଂଶ ମୁସଲିମ ଦେଶ ଏଥିରେ ସାମିଲ ହେବାକୁ ସହମତି ଜଣାଇଛନ୍ତି ।

ଗଲ୍ଫ ଦେଶଙ୍କ ସହ ଇସଲାମିକ ଦେଶଙ୍କ ସମ୍ପର୍କକୁ ନେଇ ବିଶେଷଜ୍ଞ କହୁଛନ୍ତି, ଇସ୍ରାଏଲର ଆକ୍ରାମଣାତ୍ମକ ଆଚରଣକୁ ନେଇ ମୁସଲିକ ଦେଶ ଏକାଠି ହେବାର ଏହା ଏକ ଭଲ ସମୟ । ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରିବା, ଘେରାବନ୍ଦୀ ହଟାଇବା, ସହାୟତର ପହଞ୍ଚାଇବା ପାଇଁ ଅନୁମତି ଦେବା ଓ ଅନ୍ତରାଷ୍ଟ୍ରୀୟ ନିୟମକୁ ସମ୍ମାନ ଦେବା ନେଇ ଓଆଇସି ସଦସ୍ୟ ଦେଶର ନେତାମାନେ ଦାବି କରିପାରନ୍ତି ।  ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ନେଇ ମଧ୍ୟ ସଙ୍ଗଠନର ସଦସ୍ୟ ଦେଶମାନେ ଦାବି କରିଛନ୍ତି ।

ସାଉଦି ଆଣବ ଏହି ବୈଠକ ଡାକିବାର ଉଦ୍ଦେଶ୍ୟ, ଗାଜାରେ ପାଲେଷ୍ଟାଇନ ନାଗରିକଙ୍କୁ ରକ୍ଷା ଓ ଯୁଦ୍ଧ ଶେଷ କରିବା । ହମାସ ଆକ୍ରମଣ ପରେ ଗାଜା ସମର୍ଥନରେ ସବୁଠାରୁ ଅଧିକ ବାହାରି ଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ।

ବରଫ ଚାଦରରେ ଘୋଡାଇ ହେଲାଣି ବଦ୍ରିନାଥ, ମଜା ନେଉଛନ୍ତି ଶ୍ରଦ୍ଧାଳୁ ପର୍ଯ୍ୟଟକ

ଡେରାଡୁନ: ବଦ୍ରିନାଥରେ ଭୀଷଣ ବରଫପାତ । ବରଫରେ ଢାଙ୍କିହୋଇଯାଇଛି ମନ୍ଦିର । ଭୀଷଣ ଥଣ୍ଡାରେ ବି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଦ୍ରିନାଥ ଧାମରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ସାଙ୍ଗକୁ ହାଲୁକା ଧରଣର ବରଫପାତ ହୋଇଥିଲା ।

ଉଚ୍ଚ ସ୍ଥାନ ମାନଙ୍କରେ ବର୍ଷା ଯୋଗୁଁ ବଦ୍ରିନାଥରେ ଥଣ୍ଡା ଅନୁଭୂତ ହେଉଛି । ଧାମରେ ୧ଡିଗ୍ରୀ ତଳକୁ ପାରଦ ଖସି ଚାରି ଆଡେ ବରଫରେ ଆଚ୍ଛାଦିତ ହୋଇଯାଇଛି । ବରଫପାତର ମଜା ନେବାକୁ ଲାଗିଛି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ।

୧୫ରେ ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ, ତାଇଓ୍ବାନକୁ ନେଇ ହୋଇପାରେ ଆଲୋଚନା

କାଲିଫର୍ଣ୍ଣିଆ: ଆସନ୍ତା ୧୫ରେ ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । କାଲିଫର୍ଣ୍ଣିଆରେ ଆୟୋଜିତ ଭେଟଘାଟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ବାଣିଜ୍ୟ, ଦ୍ବିପାକ୍ଷିକ ସମ୍ପର୍କ ନେଇ ହେବ ଆଲୋଚନା । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।

ଏନେଇ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କାରିନ ଜାଁ ପିଏରେ । ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆସନ୍ତା ମଙ୍ଗଳବାରରୁ ୧୭ ତାରିଖ ଯାଏ ଆପେକ ସମ୍ମିଳନୀ ଚାଲିବ ଏବଂ ସେହି ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ । ତାଇଓ୍ବାନ ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟର ଗୁରୁତ୍ବ ଅଧିକ ରହିଛି ।

ଯୁଦ୍ଧ ରୋକିବାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଆହ୍ବାନ, ମନା କଲେ ନେତ୍ୟାନାହୁ

ତେଲ ଆଭିଭ: ଇସ୍ରାଏଲ-ହମାସ ମଧ୍ୟରେ ଜୋରଦାର ସଂଘର୍ଷ। ଗତକାଲିର ହମଲାରେ ଦେଢଶହରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି। ମାସେରୁ ଅଧିକ ସମୟ ହେଲାଣି ଲାଗିଛି ଯୁଦ୍ଧ। ଇସ୍ରାଏଲ ସେନା ଗାଜାରେ ହମାସ ଆତଙ୍କୀଙ୍କୁ ସଫା କରୁଛି। ଟ୍ୟାଙ୍କ ଓ ଯବାନଙ୍କୁ ନେଇ ଚାଲିଛି ଆତଙ୍କୀ ଦମନ ଗ୍ରାଉଣ୍ଡ ଅପରେସନ। ଗତକାଲି ପାଲେଷ୍ଟାଇନର ସବୁଠାରୁ ବଡ ଅଲ୍ ସିଫା ହସ୍ପିଟାଲରେ ହୋଇଥିଲା ଘାତକ ହମଲା। ଏଥିରେ ପାଲେଷ୍ଟାଇନରେ ସ୍ବାସ୍ଥ୍ୟସେବା ପୂରା ବିଗିଡି ଯାଇଛି।

ଘମାଘୋଟ ସଂଘର୍ଷ ଚାଲିଥିବାରୁ ଯୁଦ୍ଧ ରୋକିବାକୁ ଆହ୍ବାନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଗାଜାରେ ସାଧାରଣ ଜନତାଙ୍କ ଉପରେ ବୋମା ବର୍ଷଣ ବନ୍ଦ ହେଉ ବୋଲି କହିଛନ୍ତି ରାଷ୍ଟ୍ରପତି ମାକ୍ରନ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଇମାନୁଏଲ ମାକ୍ରନଙ୍କ ଆଲୋଚନା ସତ୍ବେ ଇସ୍ରାଏଲ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଯୁଦ୍ଧବିରାମ କରିବାକୁ ମନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ।

ହମାସ ସହ ଯୁଦ୍ଧବିରାମର ଅର୍ଥ ଆତ୍ମସମର୍ପଣ ବୋଲି କହିଛନ୍ତି ନେତନ୍ୟାହୁ। ଯୁଦ୍ଧ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଛି। ପାଲେଷ୍ଟାଇନର ଦକ୍ଷିଣ ସୀମାବର୍ତ୍ତୀ ଅଂଚଳରୁ ମାନବୀୟ ସହାୟତା ଜାରି ରଖିବାକୁ ଆହ୍ବାନ କରିଛନ୍ତି ଅନେକ ଦେଶ ।ଇସ୍ରାଏଲ-ହମାସ ଯୁଦ୍ଧରେ ପାଲେଷ୍ଟାଇନର ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଏବେବି ହମାସ ଆତଙ୍କୀ ପାଖରେ ୨୩୯ ପଣବନ୍ଦୀ ରହିଛନ୍ତି । ସେମାନଙ୍କୁ ନଛାଡିବା ଯାଏ ଆକ୍ରମଣ ଜାରି ରହିବ ବୋଲି କହିଛି ଇସ୍ରାଏଲ ।

ଗାଜା-ପାଲେଷ୍ଟାଇନ ସଂଘର୍ଷ ଯୋଗୁଁ ମଧ୍ୟପ୍ରାଚ୍ୟରେ ରାଜନୈତିକ ପଟ୍ଟଚିତ୍ର ବଦଳିବାରେ ଲାଗିଛି।ଇସ୍ରାଏଲ ସେନା ଓ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇ ଚାଲିଛି। ୟେମେନରେ ଇରାନ ସମର୍ଥନରେ ଥିବା ହୁଥୀ ବିଦ୍ରୋହୀ ମିସାଇଲ ପରୀକ୍ଷଣ କରିଥିବା କହିଛି। ଯୁଦ୍ଧରେ ଏବେ ସୁଦ୍ଧା ପାଲେଷ୍ଟାଇନର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲର ଯାଇଛି ୧୪ଶହରୁ ଅଧିକ ଲୋକଙ୍କ ଜୀବନ।

୮୦୦ରୁ ଅଧିକ ଥର ଭୂକମ୍ପରେ ଥରିଲା ଆଇସଲ୍ୟାଣ୍ଡ, ଜାରି ହେଲା ଏମରଜେନ୍ସୀ

ରିଆକ୍ବାଜାଭିକ୍‌: ଆଇସଲ୍ୟାଣ୍ଡରେ ସିରିଜ ଭୂକମ୍ପ । ସାରା ଦେଶରେ ଆତଙ୍କ । ଗୋଟିଏ ନୁହେଁ କି ଦୁଇଟି ନୁହଁ । ୮୦୦ରୁ ଅଧିକ ଥର ଭୂକମ୍ପ ପରେ ଆଗ୍ନେୟ ଉଦଗିରଣକୁ ନେଇ ହଇଚଇ । ଭୂକମ୍ପ ପରେ ଆଇସଲ୍ୟାଣ୍ଡରେ ଜାରି ହୋଇଛି ଏମରଜେନ୍ସୀ । ଦକ୍ଷିଣିପଶ୍ଚିମ ରେକଜାଭିକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବେସାମରିକ ନାଗରିକ ସୁରକ୍ଷା ଓ ଜରୁରୀକାଳୀନ ପରିଚାଳନା ବିଭାଗ କହିଛି- ଗ୍ରିନ୍ଦାଭିକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହେବା ପରେ ଏମର୍ଜେନସି ଜାରି କରାଯାଇଛି ।

ସିରିଜ ଭୂକମ୍ପ ପରେ ବିଭିନ୍ନ ସ୍ଥାନରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉତ୍ତର ଗ୍ରିନ୍ଦାଭିକରେ ସର୍ବାଧିକ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ବଡକଥା ହେଉଛି ଗଚ ଅକ୍ଟୋବର ପରଠାରୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହେଲାଣି । ଗତକାଲି ମଧ୍ୟରାତ୍ରୀରୁ ବର୍ତ୍ତମାନ ସୁଦ୍ଧା ୮୦୦ ଥର କମ୍ପନ ସୃଷ୍ଟି ହୋଇଛି । ସେହି ଅଞ୍ଚଳକୁ ପାଟ୍ରୋଲ ଭେସେଲ ପଠାଯାଇଛି ।

ଅଧିକାଂଶ ସ୍ଥାନରେ ହୋଟେଲକୁ ବନ୍ଦ କରିଦିଆଯାଇଛି । ସମ୍ଭାବ୍ୟ ଆଗ୍ନେୟ ଉଦଗିରଣ ଆଶଙ୍କାରେ ବିଭିନ୍ନ ପ୍ଲାଣ୍ଟରେ ସୁରକ୍ଷା ବଢାଇ ଦିଆଯାଇଛି । ୨୦୧୦ରେ ଏଜାଫାଜକୁଲରେ ବଡଧରଣର ଉଦଗିରଣ ହୋଇଥିବାରୁ ୧ ଲକ୍ଷ ବିମାନ ବାତିଲ ହୋଇଥିଲା । ଫଳରେ ୧୦ ଲକ୍ଷରୁ ଅଧିକ ଯାତ୍ରୀ ଅଟକି ରହିଥିଲେ ।

ବିଜେଡିରୁ ତଡା ଖାଇଥିବା ନେତାଙ୍କୁ କୋଳାଉଛି ବିଜେପି, ଟାର୍ଗେଟ କଲେ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ପ୍ରେସମିଟ୍‌ କରି ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ତା । ଜନବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ତଡା ଖାଇଥିବା ନେତାଙ୍କୁ କୋଳାଉଛି ବିଜେପି । ଠକ, ମାଫିଆଙ୍କ ସହ ସମ୍ପର୍କ ରଖିଥିବା ଜଣେ ବ୍ୟକ୍ତିଙ୍କୁ କିପରି ବିଜେପି କୋଳାଉଛି ? ବିଜେପିର ଦୋମୁହାଁ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ବ୍ୟକ୍ତିଙ୍କୁ ବିଜେପି ନିଜ ଦ୍ବାର ଖୋଲା ରଖିଥିବାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିକ୍ରମ । ସେ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ଯେଉଁ ଦଳ ତାଙ୍କୁ ସମାଲୋଚନା କରୁଥିଲା ଆଜି ତାଙ୍କୁ କୋଳାଇ ନେଉଛି । ବିଜେପି ନେତା କେବଳ ଭାଷଣବାଜିରେ ମାହିର୍ ।

ଚାକିରି ଦେବା ନାଁରେ ଟଙ୍କା ଠକେଇ କରି ପ୍ରଦୀପ ବିଳାସପୂର୍ଣ୍ଣ ଜୀବନ କଟାଉଥିଲେ । ମଦ ଓ ବାଲି ମାଫିଆଙ୍କଠୁ ବି ନେଇଛନ୍ତି କୋଟି କୋଟି ଟଙ୍କା । କୋଭିଡ ସମୟରେ ଚାର୍ଟାର୍ଡ ଫ୍ଲାଇଟରେ ବୁଲିଥିଲେ ପ୍ରଦୀପ । ବିଧାୟକ ହୋଇ ବି ନୀତି, ନିୟମ ଆଦି ସବୁକିଛି ଭୁଲି ଯାଇଥିଲେ । ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି । ବିଜେପିର ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ନାହିଁ । ଆଗକୁ ଜନସାଧାରଣ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତ ବିକ୍ରମ ।

ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବେ ରାଜ୍ୟ ସରକାର, ପ୍ରତି ହସ୍ପିଟାଲରେ ବଢିବ ଶଯ୍ୟାସଂଖ୍ୟା

ଭୁବନେଶ୍ବର: ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ୍‌ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି । ସେହିପରି ସବୁ PHCରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ୍‌ ରହିବ । ରାଜ୍ୟରେ ଖୋଲିବ ନୂତନ ୩୦୬ PHC । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି PHC ଅଛି ।

CHCରେ ବେଡ ସଂଖ୍ୟା ବଢ଼ିବ । ପ୍ରତି CHCରେ ୩୦ ଲେଖାଏଁ ବେଡ଼ ରହିବ ।  PHS ୨୦୨୨ ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ ପାଇଁ କାମ ଚାଲିଛି । ଡାକ୍ତର ସଂଖ୍ୟା ବି ବଢିବ । ଏବେ ୧୧ଟି ମେଡିକାଲ କଲେଜ ଅଛି । ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ବଢିବ ।

ବର୍ତ୍ତମାନ ରାଜ୍ୟରେ ୧୧୬ UPHC, ୭୫ CHC, ୭ UCHC, ୩୨ ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ।