ଗଞ୍ଜାମର ବିଭିନ୍ନ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଘୋଷଣା ହୋଇଛି: 5T ଅଧ୍ୟକ୍ଷ

1 min read

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର, ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ବର, ପୁରୁଷୋତ୍ତମପୁରର ତୁମ୍ବେଶ୍ବର, ପୋଲସରା ନିକଟସ୍ଥ ମାରଦାର ଶୂନ୍ୟ ମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ବର ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ତାଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ବପ୍ନ ଦେଖିବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଥିଲେ ।

ବିଭିନ୍ନ ମନ୍ଦିର ଓ  କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା କଥା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକର ଧବଳେଶ୍ୱର ମନ୍ଦିର ପାଇଁ ୧ କୋଟି ୨୦ଲକ୍ଷ, ଛତ୍ରପୁର ବ୍ଲକର ସୁନ୍ଦରେଶ୍ୱର ମନ୍ଦିର ପାଇଁ ଦେଢ କୋଟି, ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ଲକ୍ଷ, ବଟେଶ୍ୱର ମନ୍ଦିର ପାଇଁ ୧ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୨୦ ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଲକର ମାରଦା ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି, ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା, ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧବିନାୟକ ମନ୍ଦିର ଉନ୍ନତି ପାଇଁ ୧ କୋଟି ୨୦ଲକ୍ଷ, ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା, କେଶପୁର କଲେଜର ବିକାଶ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ୱତୀ ମନ୍ଦିର ପାଇଁ ୧ କୋଟି, କୋଦଳା ଦଣ୍ଡେଶ୍ୱର ମନ୍ଦିର ପାଇଁ ୫୦ ଲକ୍ଷ ମଞ୍ଜୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧ କୋଟି ଲେଖାଏଁ ମଞ୍ଜୁର ହୋଇଥିବା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।