ଗାଜାରେ ହମାସର ଟନେଲ ଦେଖି ତାଜୁବ ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ: ପାଲେଷ୍ଟାଇନର ଗାଜାରେ ରହିଛି ହମାସ ସଂଗଠନର ସବୁଠୁ ବଡ଼ ଟନେଲ । ୪ କିଲୋମିଟରର ଏହି ଟନେଲରେ ହମାସ ଆତଙ୍କବାଦୀ ମାନେ ଇସ୍ରାଏଲକୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଥିଲେ । ଏଥିସହ ସୀମା ପାର କରିବାକୁ ଆତଙ୍କୀ ଏହି ଟନେଲକୁ ବ୍ୟବହାର କରୁଥିଲେ । ଟନେଲଟି ଏତେ ବଡ଼ ଯେ ତା ଭିତରେ ଏକ ଛୋଟ କାର ଯିବା ଆସିବା କରିପାରିବ । ଏହି ଟନେଲର ନିର୍ମାଣ କେବେ ହେଲା, ତାକୁ ନେଇ ଇସ୍ରାଏଲ ସେନା ଏବେ ଚିନ୍ତାରେ ପଡ଼ିଛି  । କାରଣ ଏହି ଟନେଲକୁ ତିଆରି କରିବା ପାଇଁ ଦୀଘ ବର୍ଷ ସମୟ ଲାଗିବ । ଏହି ଟନେଲ ତିଆରି ପରେ ହିଁ ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିଲା ।

ଏପଟେ ଦୁଇ ଦିନ ତଳେ ଦକ୍ଷିଣ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ଼ କରିଥିଲା ଇସ୍ରାଏଲ । ଏଭଳି ଆକ୍ରମଣ ଯୋଗୁଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଥିଲା  । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଥିଲା । ସେହି ଦିନ ଠାରୁ ଇସ୍ରାଏଲ ସେନା ଗାଜାରେ ସର୍ଚ୍ଚ ଅଭିଯାନ ଯୋରଦାର କରିଥିବା ବେଳେ ସେଠାରୁ ଟନେଲ ମିଳିବା ଆହୁରି ଚିନ୍ତା ବଢାଇଦେଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।