ଟାଙ୍ଗରମୁଣ୍ଡା ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡା ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ଲୋକଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ତେଲେନଡିହି ଟାଙ୍ଗରମୁଣ୍ଡା ମନ୍ଦିର ନିକଟରେ  ଏକ ଅଟୋ ଉପରେ ହାଇଓ୍ବା ଚଢ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ।

ମିଳିଥିବା ସୂଚନା ଅନୁସାରେ ମୃତକମାନେ ଗୋଟିଏ ପରିବାରର । ମୃତକମାନେ ରିଜେଣ୍ଟ ମାର୍କେଟ ନିକଟ ବଗିଚାପଡ଼ା ଅଞ୍ଚଳର । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି । ପିକନିକ୍ କରିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାର କିଞ୍ଜିରକେଲା ପଟରୁ ଅଟୋରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ଧକ୍କା ଦେଇ ଅଟୋ ଉପରେ ଚଢ଼ି ଯାଇଥିଲା