‘ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍’

1 min read

ଭୁବନେଶ୍ବର: ପ୍ରମେୟ ୧୨ ବର୍ଷ ପୂର୍ତ୍ତି ଓ NEWS-7ର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଏଡ଼ିଟର ସାନ୍ତ୍ବନା ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିକୂଳ ପରିସ୍ଥିତି ଭିତରେ ସାମ୍ବାଦିକମାନେ ବିଚଳିତ ନ ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ରଖିଛନ୍ତି । ଉତ୍ତର ପ୍ରଦେଶର ଓ କାଶ୍ମୀରରେ ବିପଦପୂର୍ଣ୍ଣ ରିପୋର୍ଟିଂ, ସିରିଆରେ ବିପଦପୂର୍ଣ୍ଣ ରିପୋର୍ଟିଂ ସମୟର ତିକ୍ତ ଅନୁଭୂତ ଓ ଅଭିଜ୍ଞତା ବଖାଣିଛନ୍ତି । ଯେ କୌଣସି ପରିସ୍ଥିତିରେ ସାମ୍ବାଦିକମାନେ ବିଚଳିତ ନ ହୋଇ ଭଲ କାହାଣୀ ତିଆରି କରିବା ଆବଶ୍ୟକ । ଲୋକମାନେ ସାମ୍ବାଦିକମାନଙ୍କ ଆଖିରେ ଖବରକୁ ଦେଖନ୍ତି । ତେଣୁ ଟେଲିଭିଜନ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ସଚେତନ ଭାବେ ଖବରକୁ ଭଲ ଭାବେ ତର୍ଜମା କରି ପ୍ରସାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ଶବ୍ଦର ସଂଯୋଜନାକୁ ନେଇ ପ୍ରତିଦିନ ସାମ୍ବାଦିକମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆସେ । ଯେପରି ପ୍ରତି ମୂହୁର୍ତ୍ତରେ ସାମ୍ବାଦିକମାନଙ୍କୁ ପରୀକ୍ଷା ଦେବାକୁ ହୁଏ । ତେଣୁ ସବୁ ପରିସ୍ଥିତି ଭିତରେ ଚ୍ୟାଲେଞ୍ଜ ଗ୍ରହଣ କରି ସାମ୍ବାଦିକ ଓ ସଂପାଦକମାନେ କାମ କରିବା ଦରକାର । ବର୍ତ୍ତମାନ ଯୁଗରେ ଟେଲିଭିଜନ ଓ ଛାପା ଗଣମାଧ୍ୟମ ତୁରନ୍ତ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ । କିନ୍ତୁ କମ୍ ସମୟ ଓ କମ୍ ଶବ୍ଦରେ ଅଧିକ ତଥ୍ୟ ଉପସ୍ଥାପନ କରିବା ଉଚିତ୍ ବୋଲି ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର, ନ୍ୟୁଜ ୭ ସିଇଓ ସୁନୀଲ ଦାସ, ନ୍ୟୁଜ ୭ କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ଡିଜିଟାଲ ମୁଖ୍ୟ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ନିକଟରେ ସଠିକ ଖବର ପହଞ୍ଚାଇବା ପାଇଁ ଅନେକ ସମୟରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରନ୍ତି । ସାମ୍ବାଦିକମାନଙ୍କ ନିଷ୍ଠା, ନିସ୍ଵାର୍ଥପର ଯୋଗଦାନ ପାଇଁ ଗଣତନ୍ତ୍ରରେ ଗଣମାଧ୍ୟମ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକମାନେ ଲୋକଙ୍କୁ ସଠିକ୍ ଓ ନିରପେକ୍ଷ ଖବର ପହଞ୍ଚାଇବାର ଦାୟିତ୍ୱ ନେବା ଉଚିତ ବୋଲି କହିଛନ୍ତି ପ୍ରମେୟ ନ୍ୟୁଜ ୭ ଗ୍ରୁପ୍ ଏଡ଼ିଟର ଗୋପାଳ କୃଷ୍ଣ ମହାପାତ୍ର । କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା, ତଥା ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।