ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ନବରଙ୍ଗପୁର: ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ।

ଡାବୁଗାଁ ବ୍ଲକର ଭଣ୍ଡାରୀଗୁଡାଠାରେ ପହଞ୍ଚି ଓଲମାଠାରୁ ମାଟିଗାଁ ଯିବା ରାସ୍ତା ଓ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ପାପଡାହାଣ୍ଡି ଘୋଡାଖୁଣ୍ଟାରେ ପହଞ୍ଚି ଆଟିଗାଁ ପଡିଆଗୁଡା ରାସ୍ତାରେ ପୋଲ ନିର୍ମାଣ, ଜଟାବାହାଲଠାରେ ତୁରୀ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କୋଷଗୁମୁଡ଼ା ବ୍ଲକ ଟେମରାଠାରେ ଗାଈଯୋଡି ଆମ୍ବଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ୩୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୨ ଶହ କୋଟି ଟଙ୍କାର କାର୍ଯ୍ୟ ଚାଲିଛି ।

କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଧାୟକ ମନୋହର ରନ୍ଧାରୀ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା ।