ମାନ-ସମ୍ମାନ ଆଗରେ ତୁଚ୍ଛ ହେଲା ସମ୍ପର୍କ; ଝିଅକୁ ମାରି ପୋଡି ଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ସମ୍ମାନ ପାଇଁ ନୃଶଂସ ବାପାର ଉନ୍ମତ୍ତକାଣ୍ଡ । ଝିଅକୁ ମାରି ଶବ ଜାଳିଦେଲା ବାପା । ୩୩ ଦିନ ପରେ ସାମ୍ନାକୁ ଆସିଲା ଘଟଣା ।ହରିୟାଣାର ଗୁରୁଗ୍ରାମରେ ଘଟିଛି ଏପରି ଅନର କିଲିଙ୍ଗ । ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗୁରୁଗ୍ରାମର ସୋହନା ଗାଁରେ ଘଟିଛି ଏହି ଘଟଣା । ମିଛ ଗାରିମା ପାଇଁ ନିଜର ୧୮ ବର୍ଷିୟା ଝିଅକୁ ମାରି ପୋଡିଛି ବାପା । ଘଟଣାରେ ମାନସୀର ବାପା,ଭାଇ ଏବଂ ବଡ଼ବାପାଙ୍କୁ ଗିରଫ କରିଛି ପୋଲିସ । ଆହୁରି ୨ ଅଭିଯୁକ୍ତ ଏବେ ଯାଏଁ ଫେରାର ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଜାନୁଆରୀ ୩୧ରେ ମାନସୀ କମ୍ପ୍ୟୁଟର କ୍ଲାସ ପାଇଁ ଘରୁ ଯାଇଥିଲେ ଏବଂ ଆଉ ଫେରିନଥିଲେ  । ଯାହା ପରେ ମାନସୀ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକ  । କିନ୍ତୁ ୩୩ ଦିନ ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି ଯେ, ମାନସୀ ଜାନୁଆରୀ ୩୧ରେ ନିଜ ପୁରୁଷ ବନ୍ଧୁଙ୍କ ସହ କେଉଁଆଡେ ପଳାଇଥିଲେ । ଫେବୃଆରୀ ୨ରେ ଯୁବକଙ୍କ ପରିବାର ଲୋକ ଦୁହଁଙ୍କୁ ବୁଝାସୁଝା କରି ଫେରାଇଆଣିଥିଲେ ଏବଂ ମାନସୀକୁ ତା ଘରକୁ ପଠାଇ ଦେଇଥିଲେ । କିନ୍ତୁ ମାନସୀ ଏପରି କରି ପରିବାରର ସମ୍ମାନ, ଇଜ୍ଜତ ମାଟିରେ ମିଶେଇ ଦେଇଥିବା ଭାବି ତାକୁ ବାପା, ଭାଇ ଏବଂ ବଡ଼ବାପା ମିଶି ହତ୍ୟା କରିଥିଲେ ବୋଲି ପୋଲିସ କହିଛି ।