spot_img
Home Blog Page 238

ରାସ୍ତାକଡ଼ରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ ଆବର୍ଜନା

ଘଟଗାଁ : ରାସ୍ତାକଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା । ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡୁଛି । କେନ୍ଦୁଝର ଅଧିଷ୍ଠାତ୍ରୀ ଘଟଗାଁ ମା ତାରିଣୀ ପୀଠ ରାସ୍ତାକଡ଼ରେ ଏପରି ଦେଖିବାକୁ ମିଳିଛି । ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ପରିତାପର ବିଷୟ ଘଟଗାଁକୁ ସଫା ରଖିବା ପାଇଁ କାହାର ନିଘା ନାହିଁ । ଆଉ ଦିନ କେଇଟା ପରେ ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ ପାଳିତ ହେବ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ମାଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତ ରାସ୍ତା ପାର୍ଶ୍ୱରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଦେଇ ଯିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଘଟଗାଁ ବଜାରର ଅଳିଆ ଆବର୍ଜ୍ଜନା ଓ ସ୍ଥାନୀୟ ହୋଟେଲ୍ ଗୁଡିକରୁ ବାହାରୁଥିବା ଅଇଁଠା ଖଲି ରାସ୍ତା କଡ଼ରେ ପକାଉଥିବାରୁ ରାସ୍ତା ପାର୍ଶ୍ବ ଦୁର୍ଗନ୍ଧରେ ଫାଟି ପଡୁଛି। ରାସ୍ତା କଡରେ ଏପରି ଅଳିଆ ଆବର୍ଜ୍ଜନା ଦେଖି ନାକ ଟେକି ଫେରିଯାଉଛନ୍ତି ଭକ୍ତ। ଆବର୍ଜ୍ଜନା ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାର ଆବଶ୍ୟକ ଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡିନାହିଁ । ତେବେ ଯଥାଶୀଘ୍ର ଅଳିଆ ପକାଉଥିବା ଦୋକାନୀଙ୍କୁ ନୋଟିସ କରିବା ସହ ମାଇକ ଯୋଗେ ସଚେତନ କରିବାକୁ ଦାବି ହୋଇଛି। ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିବାବେଳେ ଅଳିଆ ଉଠାଇବା ସହ ପରିବେଶକୁ ସ୍ବଚ୍ଛ ରଖିବା ଜରୁରୀ ହୋଇପଡିଛି।

ପାଣି ଯୋଗାଣ ଦାବିରେ ସ୍ଥାନୀୟ ମହିଳାଙ୍କ ବିକ୍ଷୋଭ

ତାଲଚେର : ଡହ ଡହ ଖରାରେ ପାନୀୟ ଜଳ ସଙ୍କଟ । ୪ ଦିନ ଧରି ବନ୍ଦ ରହିଛି ପାନୀୟ ଜଳ ଯୋଗାଣ । ତାଳଚେର କଣିହାଁ ବ୍ଲକ ଏବଂ ତାଳଚେର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖାଯାଇଛି ପାନୀୟ ଜଳ ସଙ୍କଟ । ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଯାହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ମହିଳା । ଏହି ସଙ୍କଟ ପ୍ରାୟୋଜିତ ହୋଇଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ଗ୍ରାମବାସୀ । ଦୀର୍ଘ ବର୍ଷ ଧରି ଠିକାଦାର ମାନେ କରିଥିବା କାମର ବିଲ୍ ନ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ଠିକାଦାର। ବଲାଙ୍ଗି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗେଟରେ ତାଲା ପକାଇଥିଲେ । ଫଳରେ କାର୍ଯ୍ୟାଳୟ ଭିତରକୁ ଯାଇପାରିନଥିଲେ କର୍ମଚାରୀ। ପାଣି ପମ୍ପ ନ ଚାଲିବା ଯୋଗୁଁ ଓଭର ହେଡ ଟାଙ୍କି ଗୁଡିକୁ ପାଣି ଯୋଗାଣ ବନ୍ଦ ଥିଲା । ଯାହାକୁ ନେଇ ଉଭୟ ଗ୍ରାମବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାନୀୟ ଜଳ ଯୋଗାଣ ସ୍ୱାଭାବିକ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ଅଧୀନ ରିଙ୍ଗିବାଡ଼ି ଗାଁ ନିକଟରେ ବନ ବିଭାଗର ଚଢ଼ାଉ । ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ବାଘଛାଲର ଲମ୍ବ ୧୬୮ ସେଣ୍ଟିମିଟର ରହିଛି । ଅଭିଯୁକ୍ତ ପଙ୍କଜ କହଁରକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ପଙ୍କଜ ବାଘଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଏହାକୁ ଜବତ କରିଥିଲେ । ଅଭିଯୁକ୍ତକୁ ଅଧିକ ପଚାରଉଚରା କରାଯାଉଥିବା କହିଛନ୍ତି ଫୁଲବାଣୀ ଏସିଏଫଓ ।

ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି । ଅସହ୍ୟ ଖରା ଓ ଗୁଳୁଗୁଳିରେ ଲୋକ ଆଉଟୁପାଉଟୁ ହେଉଛନ୍ତି । ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ତାତିରୁ ତ୍ରାହି ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ମାଲକାନଗିରି, ନବରଙ୍ଗପୁର କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ,ଗଜପତି, ଗଂଜାମ, ବୌଦ୍ଧ ,ସୋନପୁର ,ନୂଆପଡା,ବଲାଙ୍ଗୀର, ନୟାଗଡ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୮ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ୩୦ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ୮ ତାରିଖ ଯାଏ ରାଜ୍ୟରେ ଲାଗିରହିବ ବର୍ଷା। ଅନ୍ୟପଟେ ୮ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ରାୟଗଡାର ଆରଗୁଡାରେ ୭୫.୮ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

ତୀର୍ଥଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ, ୫ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଗୌରଚନ୍ଦ୍ରପୁର ଓଭର ବ୍ରିଜ ନିକଟରେ ଦୁର୍ଘଟଣା । ତୀର୍ଥଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ ଯାତ୍ରୀ ଗୁରୁତର ହୋଇଛନ୍ତି । ତୀର୍ଥ ଯାତ୍ରୀମାନେ ଦୁଇଟି କାରରେ ଆନ୍ଧ୍ର ପ୍ରଦେଶରୁ ଅଯୋଧ୍ୟା ଯାଉଥିଲେ । ଚାନ୍ଦପୁର ବାଇପାସ ଗୌରଚନ୍ଦ୍ରପୁର ନିକଟରେ କାର ଦୁଇଟିକୁ ପାର୍କିଂ କରି ଚା ପାଉଥିବା ବେଳେ ଗୋଟିଏ କାରକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଚାନ୍ଦପୁର ପୋଲିସ ୨ ଗାଡିକୁ ଜବତ କରି ତଦନ୍ତ କରୁଛି ପୋଲିସ ।

ୱାଶିଂଟନ ଡିସିର ମେୟର ହେବେ ଭାରତୀୟ ବଂଶୋଦ୍ଭବ ରିନି !

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ୱାଶିଂଟନ୍ ଡିସିରେ ମେୟର ନିର୍ବାଚନ ହେଉଛି। ଏହି ନିର୍ବାଚନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତୀୟ ବଂଶୋଦ୍ଭବ ମହିଳା ରିନି ସମ୍ପଥ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ରିନି ପ୍ରଥମ ଦକ୍ଷିଣ ଏସୀୟ ପ୍ରାର୍ଥୀ ହୋଇଛନ୍ତି ଯିଏ ପ୍ରାଥମିକ ନିର୍ବାଚନ ବାଲାଟରେ ଦେଖା ଦେଇଛନ୍ତି। ରିନି, ଜଣେ ଭାରତୀୟ ମହିଳା, ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ୩୧ ବର୍ଷ ବୟସ୍କା ଏବଂ ଜଣେ ସରକାରୀ ଠିକାଦାର। ରିନି ତାଙ୍କର ପ୍ରଚାର ଅଭିଯାନକୁ ମୌଳିକ ଜିନିଷ ଉପରେ ଆଧାରିତ କରିଛନ୍ତି।

“ମୁଁ ଜଣେ ରାଜନେତା ନୁହେଁ। ମୁଁ କୌଣସି ବିଶେଷ ସ୍ୱାର୍ଥ ଗୋଷ୍ଠୀର ଅଧୀନ ନୁହେଁ। ଏହା ଏକ ବାହାର ବ୍ୟକ୍ତି ଆସିବା ଏବଂ କେବଳ ଆମ ସହରର ମୌଳିକ ସେବାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେବାର ସମୟ,” ରିନି ସମ୍ପଥ ତାଙ୍କ ନିର୍ବାଚନ ୱେବସାଇଟରେ ଏକ ପୋଷ୍ଟରେ କହିଛନ୍ତି।

ରିନି ସାତ ବର୍ଷ ବୟସରେ ଆମେରିକା ଆସିଥିଲେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ୱାଶିଂଟନ୍, ଡିସିରେ ରହୁଛନ୍ତି। ସେ କହିଛନ୍ତି, “ଏହା ସ୍ପଷ୍ଟ ଯେ ଆମର ବିଜୟ ପାଇଁ ଏକ ସ୍ପଷ୍ଟ ପଥ ଅଛି।” ମାତ୍ର ଚାରି ସପ୍ତାହ ମଧ୍ୟରେ, ରିନି କହିଛନ୍ତି, “ଆମେ ଡିସିର ଇତିହାସରେ ପ୍ରଥମ ଦକ୍ଷିଣ ଏସୀୟ ପ୍ରାର୍ଥୀ ହୋଇଛୁ ଯିଏ ମେୟର ବାଲଟରେ ଦେଖାଦେଇଛୁ।” ଜନଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି, “ଜନଶକ୍ତି ଦ୍ୱାରା ପରିଚାଳିତ ଏକ ଅଭିଯାନ ନିଶ୍ଚିତ ଭାବରେ ଏହା ହାସଲ କରିପାରିବ। କଳ୍ପନା କରନ୍ତୁ ଯଦି ଆମ ପାଖରେ ସହରର ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସମ୍ବଳ ଥାଆନ୍ତା ତେବେ ଆମେ କ’ଣ କରିପାରିବା।”

ୱାଶିଂଟନ୍, ଡିସିରେ ଡେମୋକ୍ରାଟମାନଙ୍କର ପ୍ରଭାବ ପ୍ରବଳ। ୧୯୭୫ ମସିହାରେ ନିର୍ବାଚନ ଆରମ୍ଭ ହେବା ପରଠାରୁ ଏହି ସହରରେ କେବେବି କୌଣସି ରିପବ୍ଲିକାନ୍ ମେୟର ନାହାଁନ୍ତି। ଏହା ପୂର୍ବରୁ, ସହରଟି ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ କମିଶନରମାନଙ୍କ ଏକ ବୋର୍ଡ ଦ୍ୱାରା ପରିଚାଳିତ ହେଉଥିଲା। କଲମ୍ବିଆ ଜିଲ୍ଲା ଜଣେ ମେୟର ଏବଂ ଲୋକଙ୍କ ଦ୍ୱାରା ନିର୍ବାଚିତ ୧୩ ସଦସ୍ୟ ବିଶିଷ୍ଟ ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ହୁଏ।

ସମ୍ପଥ କହିଛନ୍ତି, “ଡିସିର ମେୟର ଭାବରେ, ମୋର ପ୍ରାଥମିକତା ହେବ ଯେ ଆମର ସହର ଏହାର ବାସିନ୍ଦାଙ୍କ ପ୍ରତି ଥିବା ମୌଳିକ ପ୍ରତିଶ୍ରୁତି ପୂରଣ କରେ। ଆମର ରାସ୍ତାରେ ଥିବା ଖାଲ ପୂରଣ କର। ପୋଟୋମାକ୍ ନଦୀରେ ବିନାଶକାରୀ ସ୍ୱେରେଜ୍ ନିଷ୍କାସନ ବନ୍ଦ କର।”

ବାଲି ଚଲାଣକୁ ବିରୋଧ କରିବାରୁ ଫୁଟିଲା ଗୁଳି ସହ ବୋମା

କୋଣାର୍କ : ବାଲି ଚଲାଣକୁ ବିରୋଧ କରିବାରୁ ଫୁଟିଲା ଗୁଳି ସହ ବୋମା । ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ଶତାଧିକ ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କାକଟପୁର ଥାନା ବାଲିକୂଳ ନିକଟରେ ବାଲି ଉଠାଣକୁ ନେଇ ଅଞ୍ଚଳବାସୀ ବିରୋଧ କରିଥିଲେ । ଅନ୍ଧାର ରାତିର ସୁଯୋଗ ନେଇ ବାଲି ଉଠାଣସ୍ଥାନରେ ବୋମାମାଡ଼ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କାକଟପୁର ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ କାକଟପୁର ଥାନାରେ ନିମାପଡା ଏସଡିପିଓ ପହଂଚି ତଦନ୍ତ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ନିର୍ଦ୍ଧାରିତ ଲିଜ ଏରିଆକୁ ବାଦ ଦେଇ ଅନ୍ୟ ସ୍ଥାନରୁ ବାଲି ଉଠାଉଛନ୍ତି ଲିଜଧାରୀ। ବାଲି ଲୁଟ ଫଳରେ ନଦୀ ଜଳର ଗତିପଥ ବଦଳିବା ସହ ନଦୀ କୂଳ ଖାଇଯାଉଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ବାଲିକୂଳ, ମୁତୁଣିଆ, ଡାହାଣୀ ଖିଆ ଗାଁ ଲୋକେ। ଗାଁ ଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବସିଥିବା ବେଳେ ବାଲି ଉଠାଣକୁ ବିରୋଧ କରିଛନ୍ତି ଗାଁ ଲୋକ ।

ହୋଟେଲ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ୪ ମଦ୍ୟପ

ଭୁବନେଶ୍ବର : ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ । ହୋଟେଲ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ । ଖାରବେଳ ନଗର ଥାନା ୟୁନିଟ ୪ ମାଛ ମାର୍କେଟ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ହୋଟେଲରୁ କାମସାରି ଫେରୁଥିବା ବେଳେ, ୨ ଜଣ ଯୁବକ ଆସି ହୋଟେଲ କର୍ମଚାରୀଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଆଉ ୨ ଜଣ ଯୁବକ ଆସି ହୋଟେଲ କର୍ମଚାରୀଙ୍କୁ ମାଡପିଟ କରିବା ସହ ଗୋଡାଇ ଗୋଡାଇ ହାଣିଥିଲେ। ଆହତ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନାପୁରର ବୁଦ୍ଧ ଭୂୟାଁ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ୪ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ।

ହର୍ମୁଜ ଖୋଲିବାକୁ ୪୮ ଘଣ୍ଟାର ମହଲତ ଦେଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଇରାନକୁ ୪୮ ଘଣ୍ଟାର ମହଲତ। ଇରାନ ଆଗରେ ଦୁଇଟି ବିକଳ୍ପ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୪୮ ଘଣ୍ଟାରେ ଚୁକ୍ତି କର ନଚେତ୍ ହର୍ମୁଜ ଖୋଲ । ନହେଲେ ଇରାନରେ ନର୍କ ବର୍ଷିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଇରାନ ଉପରେ କଠୋର ପରିଣାମ ଆସିବାକୁ ମାତ୍ର ୪୮ ଘଣ୍ଟା ବାକି ଅଛି । ଯଦିଓ ଇରାନ ଯୁକ୍ତରାଷ୍ଟ୍ରର ପ୍ରସ୍ତାବକୁ ଏକପାଖିଆ ଏବଂ ଅନ୍ୟାୟ ବୋଲି ପ୍ରତ୍ୟାଖ୍ୟାନ କରିଛି । ଆସନ୍ତାକାଲି ୧୦ ଦିନ ପୁରୁଥିବା ବେଳେ ଟ୍ରମ୍ପଙ୍କ ଏଭଳି ଧମକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟମ୍ପଙ୍କ ଏଭଳି ଚେତାବନୀ ପରେ ଇରାନରେ ଆମେରିକା ଗ୍ରାଉଣ୍ଡ ଅପରେସନର ଭୟ ବଢ଼ିଛି । ସେପଟେ ଇରାନ ଉପରେ ଇସ୍ରାଏଲ ମଧ୍ୟ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଇରାନର ମହାସହର ପେଟ୍ରୋ କେମିକାଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଇରାନ ମିଡିଆ ଦାବି କରିଛି । ଇରାନ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ହୋଇଛି । ଏହାସହ ମଧ୍ୟପ୍ରାଚ୍ୟର ଦେଶ ଉପରେ ଇରାନ ଆକ୍ରମଣ ଜାରି ରଖିଛି । ଅନ୍ୟପଟେ ନିଖୋଜ ଥିବା F-15 ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଆମେରିକା।

ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତ

ଜଳେଶ୍ବର : ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତ । ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରେ ଲୁଟ ହୋଇଛି । ଅମର୍ଦ୍ଦା ବଜାରରେ ଥିବା ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ଗଗନଙ୍କୁ ଆକ୍ରମଣ କରିବା ସହ ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଲୁଟ ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଦୋକାନୀ କହିଛନ୍ତି । ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।