spot_img

Latest Posts

ସିଜେପି-କେନ୍ଦ୍ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ିବସିଛି ସଙ୍ଗଠନ

ନନ୍ଦିଘୋଷ ବ୍ୟୁରୋ: ସିଜେପି (CJP) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି। ତେବେ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ସିଜେପି ପକ୍ଷରୁ ରଖାଯାଇଥିବା ତିନୋଟି ପ୍ରମୁଖ ଦାବି ମଧ୍ୟରୁ ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବେ ଉଭା ହୋଇଛି।
ଗତକାଲି ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ସିଜେପି ପ୍ରତିନିଧି ଦଳ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ପିଏମଓ ଦାୟିତ୍ୱରେ ଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରତିନିଧିତ୍ୱ କରିଥିଲେ।

ତେବେ ସୂଚନା ଅନୁଯାୟୀ, ସିଜେପିର ପ୍ରଥମ ଦୁଇଟି ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପ୍ରକାର ଗ୍ରୀନ୍‌ ସିଗନାଲ୍‌ ମିଳିଛି। ସେଗୁଡ଼ିକ ହେଲା:
୧. ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ।
୨. ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ପୋଲିସ ଦ୍ୱାରା ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର।

ପ୍ରଥମ ଦୁଇଟି ଦାବି ନେଇ ସରକାର ରାଜି ଥିବା ଜଣାପଡିଛି ହେଲେ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ସିଜେପି ଆଦୌ ହଟିବାକୁ ପ୍ରସ୍ତୁତ ନୁହେଁ। ଏହି ପ୍ରସଙ୍ଗରେ ବିଚାର ବିମର୍ଶ ପାଇଁ କେନ୍ଦ୍ର ସରକାର ଆଜି ଅପରାହ୍ନ ସୁଦ୍ଧା ସମୟ ମାଗିଥିବା ଜଣାପଡ଼ିଛି। ଅନ୍ୟପଟେ ସିଜେପି ସ୍ପଷ୍ଟ ଚେତାବନୀ ଦେଇଛି ଯେ, ଯଦି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ଏହି ଆଲୋଚନାର କୌଣସି ମୂଲ୍ୟ ରହିବ ନାହିଁ। ଏହି ଦାବିରୁ ସଙ୍ଗଠନ ଆଦୌ ପଛଘୁଞ୍ଚା ଦେବ ନାହିଁ ଏବଂ ଦାବି ପୂରଣ ନ ହେଲେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସିଜେପି ପକ୍ଷରୁ କୁହାଯାଇଛି ।

Latest Posts

Don't Miss