spot_img
Home Blog Page 237

ବୋମା ବିସ୍ଫୋରଣରେ ୨ ନାବାଳକ ଆହତ

ବ୍ରହ୍ମପୁର : ବୋମା ବିସ୍ଫୋରଣରେ ୨ ନାବାଳକ ଆହତ। ହାତରେ ଧରିଥିବା ବେଳେ ହଠାତ ଫୁଟିଗଲା ବୋମା। ବୋମା ଫୁଟି ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ନାବାଳକ ଆହତ ହୋଇଛି। ଉଭୟ ନାବାଳକ ଘର ବାରିପଟେ ଖେଳୁଥିବା ବେଳେ ସେଠାରେ ଥିବା ବୋମା ଧରି ପକାଇଥିଲେ। ବୋମାକୁ ବଲ୍ ଭାବି ଖେଳୁଥିବା ବେଳେ ହଠାତ୍ ଫୁଟି ଯାଇଥିଲା। ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଠାରେ ଏଭଳି ଏକ ଅଘଟଣ ଘଟିଛି। ଉଭୟ ନାବାଳକଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିରେ ଓମ୍ ପ୍ରକାଶ ଭୂୟାଁ ନାମକ ୧୪ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ଯ ଜଣେ ୮ ବର୍ଷର ନାବାଳକ ଗଣେଶ ଭୂୟାଁ ସାମାନ୍ଯ ଆହତ ହୋଇଥିବା ବେଳେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ତେବେ ବୋମା କେଉଁଠୁ ଆସିଲା? କିଏ ରଖିଥିଲା? କାହିଁକି ରଖିଥିଲା ତାହା ଅସ୍ପଷ୍ଟ ରହିଛି। କବିସୂର୍ଯ୍ୟନଗର ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ଧର୍ମଗଡ଼ରେ କାଳବୈଶାଖୀ ତାଣ୍ଡବ, ପ୍ରବଳ ବର୍ଷା ସହିତ କୁଆପଥର ମାଡ଼

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ କାଳବୈଶାଖୀ ତାଣ୍ଡବ l ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି l କାଳବୈଶାଖୀ ପ୍ରଭାବରେ ଧର୍ମଗଡ ଅଞ୍ଚଳରେ ପ୍ରବଳ କୁଆପଥର ବର୍ଷା ହୋଇଛି । ଏଭଳି କୁଆପଥର ବର୍ଷା ବିଗତ ୨୦ ବର୍ଷ ମଧ୍ୟରେ ହୋଇ ନଥିବା କୁହାଯାଉଛି । ରାଜ ରାସ୍ତାରେ କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଥିଲା । କିଛି ସମୟ ଧରି ପବନ ସହ ପ୍ରବଳ ବର୍ଷା ସହ କୁଆ ପଥର ବର୍ଷା ରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଜାତୀୟ ରାଜପଥରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ରାଜଧାନୀରେ ରଣହୁଙ୍କାର ଦେଲେ ଆଦିବାସୀ ସମାଜ

ଭୁବନେଶ୍ବର :  ରାଜଧାନୀରେ ରଣହୁଙ୍କାର ଦେଲେ ଆଦିବାସୀ ସମାଜ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବିଶାଳ ଗଣଧାରଣା ଦେଇଛନ୍ତି। ପେସା ଆଇନ ଲାଗୁ, ପରିବେଶ ସୁରକ୍ଷା, ଗୁଣାତ୍ମକ ଶିକ୍ଷା ସହ ଲୁଟ ହୋଇଥିବା ଜଙ୍ଗଲ ଜମି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି। ଖଣି ଲାଭରୁ ଆଦିବାସୀଙ୍କୁ ଅଂଶୀଦାର କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ପାରମ୍ପରିକ ବେଶରେ ନାଚି ଗାଇ ପ୍ରତିବାଦ କରିଛନ୍ତି।

ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି। ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ନେବା ସହ କୋଠ ଓ ଭଣ୍ଡାର ଘରର ତାଲା ଭାଙ୍ଗିଲେ ଦୁର୍ବୃତ୍ତ। ଘଟଣାକୁ ନେଇ ଭଦ୍ରକ ପୋଲିସ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି.। ଅନ୍ୟପଟେ ମା ଭଦ୍ରକାଳୀଙ୍କ ନୀତି କାନ୍ତି ବନ୍ଦ ରହିଛି। ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିର ପଛରେ ଥିବା ଗ୍ରିଲ୍ ଡେଇଁ ଭିତରକୁ ପଶିଥିବା ସନ୍ଦେହ କରାଯାଉଛି। ହୁଣ୍ଡି ଭାଙ୍ଗିବା ପରେ ଖୁଚୁରା ଟଙ୍କାକୁ କପଡ଼ାରେ ବାନ୍ଧି ମନ୍ଦିର ବେଢ଼ାରେ ଫିଙ୍ଗି ଦେଇଛନ୍ତି। କୋଠ ଓ ଭଣ୍ଡାର ଘରର ତାଲା ଭାଙ୍ଗିଥିବା ମଧ୍ୟ ଜଣାପଡିଛି। ତେବେ କୋଠ ଓ ଭଣ୍ଡାର ଘରୁ କଣ ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏସପି ଓ ଉପଜିଲ୍ଲାପାଳ ମନ୍ଦିରରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ମନ୍ଦିରରେ କୌଣସି ସିସିଟିଭି କାର୍ଯ୍ୟ କରୁନଥିବା ଜଣାପଡିଛି। ଯାହାକୁ ନେଇ ସେବାୟତ ମାନେ ଅସନ୍ତୋଷ ଜାହିର କରିବା ସହିତ ମନ୍ଦିର ଆଗରେ ଧାରଣା ଦେଇଛନ୍ତି।

ଦୟାନଦୀରେ ମରି ମାଛ ଭାସୁଥିବାରୁ ଲୋକେ ଆତଙ୍କିତ

କଣାସ : ପୁରୀ କଣାସ ଅଞ୍ଚଳରେ ଦୟାନଦୀରେ ମରି ଭାସୁଛନ୍ତି ମାଛ। ଗଙ୍ଗୁଆ ନାଳର ବର୍ଜ୍ୟ ଆଉ ନଦୀରେ ଭର୍ତ୍ତି ହେଇଥିବା ବିଲାତି ଦଳ ଯୋଗୁ ନଦୀ ଜଳ ଜହର ପାଲଟିଛି । ଅମ୍ଳଜାନ ଅଭାବ ଆଉ ଦୂଷିତ ଜଳ ଯୋଗୁ ଅନେକ ମାଛ ମରି ଭାସୁଛନ୍ତି । ଆଜି ସକାଳୁ କଣାସ ଅଞ୍ଚଳର ବିଭିନ୍ନ ସ୍ଥାନରେ ନଦୀ ଧାରରୁ ଲୋକମାନେ ମଲା ଓ ଜିନ୍ତା ଭାସୁଥିବା ମାଛକୁ ଗୋଟାଉଥିବାର ଦେଖିବାକୁ ମିଳିଛି ।ଚିଙ୍ଗୁଡ଼ି କଣ୍ଟିଆ କଳାବଇଞ୍ଚି ସରଣା, ବାଳିଆ ମାଛ ମାରି ଭାସୁଛି । ଏବେ ବିଷାକ୍ତ ନଦୀ ଜଳକୁ ଲୋକେ ପାନୀୟ ଭାବେ ବ୍ୟବହାର କରୁଥିବାରୁ ଅଞ୍ଚଳରେ ପୁଣି ଝାଡା ବାନ୍ତି ରୋଗ ବ୍ୟାପିବା ଆଶଙ୍କା ଉପୁଜିଛି ।

୪୫ ଦିନିଆ ଯୁଦ୍ଧ ବିରତି ପାଇଁ ଆଲୋଚନା….

ନନ୍ଦିଘୋଷ ବ୍ୟୁରୋ :  ଇରାନକୁ ଆମେରିକାର ଧମକ, ଟ୍ରମ୍ପଙ୍କ ଡେଡଲାଇନ, ସେହି ଧମକ ପ୍ରତି ଇରାନର ବେଖାତିର ମଧ୍ୟରେ ଆଉ ଏକ ନୂଆ ଅପଡେଟ୍ ଆସିଛି। ଉଭୟ ଦେଶ ମଧ୍ୟରେ ଭିତିରି ଆଲୋଚନା ଚାଲିଥିବା ଅନ୍ତର୍ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଛି। ୪୫ ଦିନିଆ ଯୁଦ୍ଧ ବିରତି ପାଇଁ ଆଲୋଚନା ହୋଇଥିବା କୁହାଯାଉଛି।
ଇରାନ, ଆମେରିକା ଓ ମଧ୍ୟପ୍ରାଚ୍ୟର କେତେକ ଦେଶ ମଧ୍ୟରେ ଏହି ଆଲୋଚନା ହୋଇଥିବା ଜଣାପଡ଼ିଛି। ଯୁଦ୍ଧ ବନ୍ଦ ଦିଗରେ ଏହା ପ୍ରଥମ ପଦକ୍ଷେପ ହୋଇପାରେ।

ଇରାନକୁ ଟ୍ରମ୍ପଙ୍କ ନୂଆ ଡେଡଲାଇନ, ଡିଲ୍ କର ନ ହେଲେ ପୁରା ଉଡା଼ଇ ଦେବୁ

ନନ୍ଦିଘୋଷ ବ୍ୟୁରୋ : ମଙ୍ଗଳବାର। ରାତି ୮ଟା। ଇଷ୍ଟର୍ନ ଟାଇମ। ଏହା ହେଉଛି ଇରାନକୁ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଇଥିବା ଡେଡଲାଇନ। ଏହି ସମୟ ଭିତରେ ହର୍ମୁଜ ପ୍ରଣାଳୀ ଖୋଲ। ଆମ ସହିତ ଡିଲ୍ କର। ଆମର ସବୁ ସର୍ତ୍ତ ମାନିନିଅ। ନ ହେଲେ ଇରାନକୁ ନର୍କରେ ପରିଣତ କରିଦେବୁ ବୋଲି ନୂଆ ଚରମ ଚେତାବନୀ ଦେଇଛନ୍ତି ଟ୍ରମ୍ପ। କୁହାଯାଉଛି ଟ୍ରମ୍ପଙ୍କ କଥା ନ ମାନିଲେ, ଇରାନର ବେସାମରିକ ଅନୁଷ୍ଠାନ, ଭିତ୍ତିଭୂମିକୁ ଟାର୍ଗେଟ କରିବ ଆମେରିକା। ଟ୍ରମ୍ପଙ୍କର ପୂର୍ବ ଡେଡଲାଇନ ଆଜି ସରିବାର ଥିଲା। ତାକୁ ମଙ୍ଗଳବାର ଯାଏ ବୃଦ୍ଧି କରିଛନ୍ତି ଟ୍ରମ୍ପ। ତାଙ୍କର ଏହି ଧମକକୁ ପୁରା ବେଖାତିର କରିଛି ଇରାନ। ତେହେରାନ ପକ୍ଷରୁ କୁହାଯାଇଛି, ପ୍ରତ୍ଯେକ ପରିସ୍ଥିତିର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ। ଯାହା ହେବ ଦେଖାଯିବ। ଇରାନ ଯୁଦ୍ଧ ଷଷ୍ଠ ସପ୍ତାହରେ ପହଞ୍ଚି ଥିବା ବେଳେ ଉଭୟ ପକ୍ଷରୁ ଜୋରଦାର ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି।
ପଡ଼ୋଶୀ ଦେଶରେ ଥିବା ଆମେରିକାର ବିଭିନ୍ନ ଶିବିର ଓ ଇସ୍ରାଏଲର ବିଭିନ୍ନ ସହର, ବନ୍ଦର, ବିମାନ ବନ୍ଦର ଓ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରି ଧ୍ଵଂସ କରିଦେଇଛି ତେହେରାନ। ଟ୍ରମ୍ପଙ୍କୁ ପାଲଟା ଚେତାବନୀ ଦେଇଛି ଇରାନ। କୁହାଯାଇଛି, ଇସ୍ରାଏଲ କଥାରେ ପଡ଼ି କାମ କଲେ, ପୁରା ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ। ସେପଟେ ଇରାନର ସହଯୋଗୀ ରୁଷିଆ କହିଛି, ଟ୍ରମ୍ପ ଏମିତି ଧମକ ଦିଅନ୍ତୁ ନାହିଁ। ବରଂ ଦୁଇ ଦେଶ ଆଲୋଚନା କରନ୍ତୁ। ସେପଟେ ତେହେରାନ ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି ରହିଛି। ବେସାମରିକ ଅଞ୍ଚଳରେ ବୋମା ପଡ଼ିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ସେହିପରି କୋମ୍ କୁ ବି ଟାର୍ଗେଟ କରିଛି ଇସ୍ରାଏଲ। ତେହେରାନରେ ଥିବା ଇରାନ ୟୁନିଭରସିଟି ଉପରେ ବୋମା ବର୍ଷଣ କରିଛି ଇସ୍ରାଏଲ। ଏଥିରେ ବହୁତ କ୍ଷୟକ୍ଷତି ହୋଇଛି। ଏପରିକି ପ୍ରାକୃତିକ ଗ୍ଯାସ ବିତରଣ କେନ୍ଦ୍ରର ପାଖରେ ବୋମା ପଡ଼ିଥିଲା। ବେରୁତ ଉପରେ ଇସ୍ରାଏଲ ଆକ୍ରମଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି।

ଉଦ୍ଧାର ହେଲା ପର୍ଯ୍ୟଟକଙ୍କ ମୃତଦେହ

ଗଜପତି : ମହେନ୍ଦ୍ରଗିରିରୁ ଉଦ୍ଧାର ହେଲା ପର୍ଯ୍ୟଟକଙ୍କ ମୃତଦେହ। ଗତକାଲି ଅପରାହ୍ନରୁ ସେ ନିଖୋଜ ଥିଲେ। ମୃତକ ହେଲେ କଟକ ଜିଲ୍ଲା ନିଆଳି ବ୍ଲକ ଓଲଟପୁରର ବିନୋଦ ଜେନା। ଗତକାଲି ୪ ଜଣ ସାଙ୍ଗ ମହେନ୍ଦ୍ରଗିରିକୁ ବୁଲିବାକୁ ଯାଇଥିଲେ। ହଠାତ ଆସିଥିଲା କାଳବୈଶାଖୀ। ଘଡଘଡି ଓ ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଯିଏ ଯୁଆଡ଼େ ପାରିଲେ ଦୌଡ଼ି ଯାଇ ଲୁଚିଲେ। ତିନି ଜଣ ଭୀମ ମନ୍ଦିର ଭିତରେ ଆଶ୍ରୟ ନେଇଥିଲେ। ବିନୋଦ କିନ୍ତୁ ସେମାନଙ୍କଠାରୁ ଅଲଗା ହୋଇଯାଇଥିଲେ। ୧୦ ମିିନିଟ ପରେ ବର୍ଷା ଛାଡ଼ିବାରୁ ବାକି ୩ ସାଙ୍ଗ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ବିନୋଦଙ୍କ ପତ୍ତା ମିଳିନଥିଲା। ଏହା ପରେ ୱାଚ ଟାୱାର ଓ ରିସୋର୍ଟରେ ନିୟୋଜିତ ବନବିଭାଗଙ୍କ ସାହାଯ୍ୟ ନିଆଯାଇଥିଲା। ଗତକାଲି ଅପରାହ୍ନରୁ ରାତି ଯାଏ ପୁରା ଅଞ୍ଚଳ ଖୋଜାଖୋଜି କରାଯାଇଥିଲା। ତଥାପି ବିନୋଦଙ୍କ ପତ୍ତା ମିଳିନଥିଲା। ଏହା ପରେ ଗାରବନ୍ଧ ପୋଲିସ ଓ ରମାଗିରି ରେଞ୍ଜର ବନ କର୍ମଚାରୀ ମିଶି ବିନୋଦଙ୍କୁ ଖୋଜିଥିଲେ। ହେଲେ ଆଜି ସକାଳେ ଭୀମ ମନ୍ଦିର ରାସ୍ତାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ଗାରାବନ୍ଧ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଆଶଙ୍କା କରାଯାଉଛି, ବଜ୍ରପାତରେ ବିନୋଦଙ୍କ ମୃତ୍ୟୁ ହୋଇଥାଇପାରେ।

ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ, ତିନି ମୃତ

ସୋର : ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଚାପି ହୋଇ ତିନି ଜଣଙ୍କ ମୃତ୍ୟୁ l ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ଆଗରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟୁ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଏକ ଟ୍ରକ ପଛରୁ ଧକା ଦେଇଥିଲା। ଫଳରେ ଟ୍ରକ ରେ ଥିବା ୩ ଜଣ ଚାପି ହୋଇ ରହିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟରରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହିତ ସୋର ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖି ଘଟଣାର ତଦନ୍ତ କରୁଛି। ମୃତାହତଙ୍କ ପରିଚୟ ମିଳି ପାରିନାହିଁ l

ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା କାର

ଭୁବନେଶ୍ବର : ରାଜଧାନୀରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ । ଶିଶୁ ଭବନ ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା କାର । କାରରେ ଥିଲେ ୨ ଯୁବକ ଓ ୩ଜଣ ଯୁବତୀ । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସନ୍ଦେହ କରୁଛି ପୋଲିସ । ଆହତ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ଗାଡ଼ି ଚାଳକ ମଧ୍ୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିଛି । କିଛିଦିନ ତଳେ ଏହି ସ୍ଥାନରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ରାଜଧାନୀରେ ରାତିରେ ପୋଲିସ ଚେକିଂ ବ୍ଲକିଂ କଡ଼ାକଡ଼ି କରୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।