ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର୍ଥୀଙ୍କୁ ଏଣିକି ଦେୟ ଦେବାକୁ ପଡ଼ିବ । ଓଡ଼ିଶା ଲୋକସେବା ଆୟୋଗ ଅଧିନରେ କୌଣସି ଲିଖିତ ପରୀକ୍ଷା ଦେବାକୁ ଇଚ୍ଛୁକ ପରୀକ୍ଷାର୍ଥୀମାନେ ୭ଶହ ଟଙ୍କା ଦେୟ ଦେବାକୁ ପଡ଼ିବ । ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ଉପସ୍ଥିତ ରହିଲେ ଦେୟ ଫେରସ୍ତ କରାଯିବ । ଯଦି ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି, ତାହାଲେ ଦେୟ ଫେରସ୍ତ ହେବ ନାହିଁ । ଦେୟ ବ୍ୟବସ୍ଥା ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗୁ ହେବ ନାହିଁ । ୨୦୧୮ରେ ଓପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ଦେୟ ୫ଶହ ଟଙ୍କା ଥିବା ବେଳେ ୨୦୨୨ ମସିହାରେ ଏହାକୁ ସରକାର ଛାଡ଼ କରିଥିଲେ । ଏବେ ସରକାର ପୁଣି ଥରେ ଦେୟ ବ୍ୟବସ୍ଥା ଲାଗୁ କରିଛନ୍ତି ।
ଅପରାଧୀଙ୍କ ଘର ମାଟିରେ ମିସାଇଲେ ଉତ୍ତ୍ୟକ୍ତ ଲୋକେ: ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା
ରାସ୍ତାରୋକ, ପୋଡ଼ାଜଳା, ଭଙ୍ଗାରୁଜା । ଅପରାଧୀଙ୍କ ଘର ମାଟିରେ ମିସାଇଲେ ଉତ୍ତ୍ୟକ୍ତ ଲୋକେ । ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା । ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବବଲୁ ଥିଲେ ଘରର ରୋଜଗାରିଆ ପୁଅ। ବାପା ବୋଉ, ସ୍ତ୍ରୀ ଓ ଦୁଇଟି ଛୁଆଙ୍କ ବୋଝ ତାଙ୍କ ମୁଣ୍ଡ ଉପରେ ଥିଲା। ଭଉଣୀ ବାହାଘର ପାଇଁ ମଧ୍ୟ ଚାଲିଥିଲା ପ୍ରସ୍ତୁତି । ହେଲେ ଗତ ୨୭ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣା ନେଇଆସିଛି ଦାରୁଣ ଦୁଃଖ । ଜିତେନ୍ଦ୍ର ଦାସ ଓରଫ ବବଲୁଙ୍କ ହତ୍ୟାକାଣ୍ଡ ପରେ ଛାରଖାର ହୋଇଯାଇଛି ପୁରା ପରିବାର । ସେପଟେ ବବଲୁଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ଆଇନକୁ ହାତକୁ ନେଇଛନ୍ତି ଲୋକେ । ଦୁଇଘଣ୍ଟା ଧରି ରାଜରାସ୍ତା ଅବରୋଧ ସହ ହଲ୍ଲାବୋଲ ଡାକରା ଦେଇଥିଲେ ସାଧାରଣ ଲୋକେ । ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇଥିଲେ । ନୂଆବର୍ଷରେ ଏଭଳି ଦୃଶ୍ୟ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତ୍ରିକୋଣୀୟ ପ୍ରେମ ପାଇଁ ମର୍ଡର ଘଟଣାକୁ ଖଣ୍ଡନ କରିଛନ୍ତି ମୃତକଙ୍କ ସ୍ତ୍ରୀ ।
୨୭ ତାରିଖ ସନ୍ଧ୍ୟାରେ ୭ ଜଣ ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚୋଟ ପରେ ଚୋଟ ପକାଇ ବବ୍ଲୁଙ୍କୁ ଲହୁଲୁହଣ କରିଦେଇଥିଲେ । ଘରୋଇ ହସ୍ପିଟାଲରେ ୩୧ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ନାଣ୍ଡୁ ଓ ତାର ସହଯୋଗୀଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ । ଜିଲ୍ଲା ବାହାରେ ଚଢ଼ାଉ ଜାରି ରହିଛି । ଗତବର୍ଷ ଗଣେଶ ପୂଜାଠାରୁ ଦୁଇ ପକ୍ଷ ଭିତରେ ବିବାଦ ବଢିଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅପରାଧୀ ଏବେ ବି ତାଙ୍କ ଘର ସମ୍ମୁଖରେ ଖଣ୍ଡା ଧରି ବୁଲୁଛି । ଖୁବଶୀଘ୍ର ସେମାନଙ୍କୁ ଧରା ନଗଲେ ସେମାନେ ପୁଣି ରାଜରାସ୍ତା ଓ ଥାନା ଘେରାଉ କରବେ ବୋଲି ଚେତାବନୀ ଦେଇଛନ୍ତି ।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ଆଜି ରାଉରକେଲା ସହରର ହନୁମାନ ବାଟିକା ପରିସରରୁ ଶୋଭାଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ସ୍ବର୍ଣ୍ଣ ଧନୁଷ ରାଉରକେଲା ସହରର ହନୁମାନ ବାଟିକା ପରିସରରେ ପହଞ୍ଚିଥିଲା । ଆଜି ସକାଳ ସାଢେ ୧୧ଟା ସମୟରେ ସ୍ଵର୍ଣ୍ଣ ଧନୁଷର ଶୋଭାଯାତ୍ରା ଆରମ୍ଭ ହୋଇଛି । ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ରାଉରକେଲା ସହରରୁ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଆରମ୍ଭ ହୋଇ ୨୨ ଦିନ ଧରି ଅନୁଷ୍ଠିତ ହେଵ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ , ବିହାର, ଝତିସଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିଵାର କାର୍ଯ୍ୟକ୍ରମ ରହିଥିବା ସନାତନ ଜାଗରଣ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ: କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର
ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ। କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର। ବେଗୁନିଆ, ବାଘମାରି, ଭୁଆସୁଣୀ ପାଟଣା, ପରିଛଳ, ଗୋଡ଼ି, ଅଟ୍ରି ଅଞ୍ଚଳରେ ରଚିଛନ୍ତି ତାଣ୍ଡବ । ଭାଙ୍ଗୁଛନ୍ତି ଘର ନଷ୍ଟ କରୁଛନ୍ତି ଫସଲ । ହାତୀପଲ ରାତିସାରା ଆତଙ୍କ ଖେଳାଉଛନ୍ତି। ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଭୁଆସୁଣୀ ପାଟଣାର ପ୍ରିୟବ୍ରତ ପରିଡ଼ା । ଦୀର୍ଘ ସମୟ ଧରି ମୃତ ଯୁବକ ନିକଟରେ ଜଗି ରହିଥିଲା ଦନ୍ତା । ଯାହାକୁ ନେଇ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । ଖୋର୍ଦ୍ଧା ବନ ବିଭାଗ ରେଞ୍ଜରଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ବେଗୁନିଆ ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ହାତୀ ଉପଦ୍ରବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ଖୋର୍ଦ୍ଧା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ହାତୀ ରହିଛନ୍ତି । ଦିନରେ ଲୋକଙ୍କୁ ମାଇକ ଯୋଗେ ସଜାଗ କରିବା ସହ ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ସେପଟେ ଘଟଣାସ୍ଥଳରେ ବେଗୁନିଆ ବିଧାୟକ ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ୬୦ହଜାର ଟଙ୍କା ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ବନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ମୃତ ପରିବାରକୁ ସହାୟତା ଘୋଷଣା କରାଯାଇଛି।
ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଚମ୍ପୁଆ ବ୍ଲକ ରଜିଆ ସ୍ଥିତ ଅସନ ବାହାଳୀ ସରକାରୀ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଚାବି ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଫଳରେ ପାଠପଢା ବନ୍ଦ ରହିଛି । ଚମ୍ପୁଆ ବ୍ଲକ ଅନ୍ତର୍ଗତ ଅସନ ବାହାଳୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ବର ମହାନ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଘୋର ବିରୋଧ କରିଛନ୍ତି । ବଡଦିନ ଛୁଟି ହୋଇଥିବା ବେଳେ ତରବରିଆ ଭାବେ ଶିକ୍ଷକଙ୍କ ବଦଳି କରାଯାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କ ବଦଳି ବାତିଲ ନକରାଯାଇଛି ସେପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରୁ ତାଲା ଫିଟା ଯିବନାହିଁ ବୋଲି କହିଛନ୍ତି ।

