spot_img
Home Blog Page 2360

ଇସ୍ରାଏଲରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ, ଆରମ୍ଭ ହେଲା ଅପରେସନ ଅଜୟ

ଜେରୁଜେଲମ: ଇସ୍ରାଏଲରୁ ଉଦ୍ଧାର ହେବେ ଫଶିଯାଇଥିବା ଭାରତୀୟ । ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ । ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବେ । ସେପଟେ ଉତ୍ତର ଇସ୍ରାଏଲରେ ପଶିଛନ୍ତି ହମାସର ଆତଙ୍କୀ । ପାଖାପାଖି ୨୦ ଜଣ ଆତଙ୍କୀ ଇସ୍ରାଏଲରେ ବଡ଼ ଧର ଆକ୍ରମଣ କରିବାକୁ ଯୋଜନା କରିଛନ୍ତି । ଏପଟେ ଇସ୍ରାଏଲ ସରକାର ସେଠାକାର ଲୋକଙ୍କୁ ସତର୍କ ରହିବାକୁ କହିବା ସହ ସେନା ପଠାଯାଇଛି । ଗାଜା ଦଖଲ ପାଇଁ ଇସ୍ରାଏଲ ନିଜର ହମଲାକୁ ଜୋରଦାର କରିଛି ।

ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି । ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ । ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରାଯାଇଛି । ଏବେ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ ଅନ୍ଧକାରମୟ ହୋଇ ଯାଇଛି । ଇସ୍ରାଏଲ ଆକ୍ରମଣ ପରଠାରୁ ପାଲେଷ୍ଟାଇନ ଏନକ୍ଲେଭରେ ଥିବା ଏକ ମାତ୍ର ବିଜୁଳି ଷ୍ଟେସନ କାମ କରୁଥିଲା । ଏବେ ସେଠାରେ ତେଲ ଶେଷ ହୋଇ ଯାଇଛି । ଫଳରେ ପାୱାର ଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହେଉନି । ପୂରା ଗାଜା ଅନ୍ଧାର ଭିତରେ ରହୁଛି ।

ଦୁଇ ଦିନ ତଳେ ଇସ୍ରାଏଲ ପକ୍ଷରୁ ଗାଜାକୁ ସଂପୂର୍ଣ୍ଣ ଅନ୍ଧକାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଇସ୍ରାଏଲ ଖାଦ୍ୟ ଓ ତେଳ ଯୋଗାଣ ଗାଜାକୁ ବନ୍ଦ କରି ଦେଇଥିଲା । ଅନ୍ୟପକ୍ଷରେ ତେଲଅଭିଭରେ ଥିବା ଇସ୍ରାଏଲର ବେନଗୁରିଅନ ଏୟାରପୋର୍ଟ ଉପରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଛନ୍ତି । ଏଥିପାଇଁ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟରେ ସମସ୍ତ ସେବାକୁ ବାତିଲ କରି ଦିଆଯାଇଛି । ସେପଟେ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଗତକାଲି ଏକ ବିମାନ ଭର୍ତ୍ତି ଯୁଦ୍ଧାସ୍ତ୍ର ଆମେରିକା ଇସ୍ରାଏଲକୁ ପଠାଇଛି ।

ଜୟନ୍ତୀରେ ମନେ ପଡିଲେ ଅକ୍ଷୟ, ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ଉଦାହରଣ

କଟକ: ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି । କୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ସେହି ଓଡ଼ିଆ ସଂଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ । ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ । ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ ।

ପବିତ୍ର ମହାଳୟାରେ କଟକ ଜିଲ୍ଲା ବାଙ୍କୀ ମୁଣ୍ଡେଇରେ ମହାନଦୀ ତୀରେ ଜନ୍ମ ହୋଇଥିଲେ ସଂଗୀତ ସାମ୍ରାଜ୍ୟର ଅଜାତ ଶତ୍ରୁ । ସଂଗୀତ ଶିକ୍ଷା ନେଇନଥିଲେ ସତ ହେଲେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ । ସଂଗୀତଠୁ ଅଭିନୟ ଆଉ ସାହିତ୍ୟ । ସବୁଥିରେ ଅକ୍ଷୟ ଥିଲେ ପାରଙ୍ଗମ । ସେ ଲେଖିଥିଲେ ୭ ଖଣ୍ଡ ଉପନ୍ୟାସ, ଗଳ୍ପ ସଂକଳନ ଓ ଗୀତିକଥା ଏବଂ ଗୋଟିଏ ଭ୍ରମଣ କାହାଣୀ । ଆର୍ଯ୍ୟ ଦାସର ଶେଷଲିପିରେ ସେ ଲେଖିଛନ୍ତି ତାଙ୍କ ଜୀବନ କାହାଣୀ ।

୧୯୫୬ରେ ଆକାଶବାଣୀ କଟକର ସ୍ବିକୃତୀପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ । ‘ମା’ ଚଳଚ୍ଚିତ୍ରର ‘ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଦୀର୍ଘ କ୍ୟାରିୟରରେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି । ଏହା ସହିତ ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି। ତିନିଟି ଚଳଚ୍ଚିତ୍ରରେ ଅଭିନୟ ସହିତ ଗୋଟିଏ ସିନେମାରେ ଯୁଗ୍ମ ନିର୍ଦେଶକ ରହିଛନ୍ତି ।

ଅକ୍ଟୋବରରେ ପାରଦ ୩୫ ଡିଗ୍ରୀ ଉପରେ, ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ରାଜ୍ କରୁଛି ଗରମ ଗୁଳୁଗୁଳି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେଘ ମୁକ୍ତ ଆକାଶ ସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ।

ଗତକାଲି ସର୍ବାଧିକ ତାପମାତ୍ରା ଚାନ୍ଦବାଲିରେ ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବି ତାତି ଜାରି ରହିଛି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ ମଧ୍ୟ କମିଛି । ଫଳରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ସେପଟେ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେବାପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରିରେ ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ । ଯୋଡି ହେବ ଗାଁରୁ ରାଜଧାନୀ । ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ନବୀନ । ନିଜେ ମାଲକାନଗିରି ଯାଇ ଲୋକାଭିମୁଖି ଯୋଜନାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।

ଆଜିଠୁ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ଏହା ଚଳାଚଳ କରିବ । ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି ।

ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଯୋଜନା ଅଧିନରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ।

ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ ବଗି ଲାଇନଚ୍ୟୁତ, ୪ ମୃତ

ପାଟନା: ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି।‌ ଗତକାଲି ରାତି ପ୍ରାୟ ୯ଟା ୩୫ରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ନିକଟରେ ଦିଲ୍ଲୀ-ହାୱଡା ରେଳ ଲାଇନରେ ରେଳ ଦୁର୍ଘଟଣା ଘଟିଥିଲା । ଦାନାପୁର ଡିଭିଜନର ବକ୍ସର- ଆରା ମଧ୍ୟରେ ଥ‌ିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଏକ ବଗି ସମ୍ପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ୍ ହୋଇଯାଇଛି।

ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ରେଳବାଇ ଅଧିକାରୀ, ଏନଡିଆର ଏଫ, ଏସଡିଆର ଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧ‌ିବାସୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା । ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ବଗିରେ ଫସିଥିବା ଲୋକଙ୍କୁ ଦେଖ୍ ବାହାର କରାଯାଇଥିଲା ।

ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଏହି ସୁପରଫାଷ୍ଟ ଟ୍ରେନ୍‌ଟି ଦିଲ୍ଲୀରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଉକ୍ତ ମାର୍ଗରେ ସମସ୍ତ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସେଫ୍ ବିକାଶ ଖାନ୍ନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ରର ଅବିକଳ ପ୍ରତିକୃତି ସ୍ଥାପନା କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ବିକାଶ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରିଥିଲେ । କୋଣାର୍କ ଚକ୍ର ବିଶ୍ବ  ଏକତାର ପ୍ରତୀକ ବୋଲି ସେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବିକାଶ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରି  ତାଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ସେପଟେ କୋଣାର୍କ ମନ୍ଦିରରେ ବିକାଶ ଖାନ୍ନାଙ୍କୁ ସମ୍ବର୍ଧିତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ବିକାଶ ଖାନା ପୁଣି ଥରେ କୋଣାର୍କ ବୁଲିବା ସହ ବିଭିନ୍ନ ତଥ୍ୟ ଏବଂ କାରୁକାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।

ହମାସ-ଇସ୍ରାଏଲ ଯୁଦ୍ଧ ପ୍ରଭାବ, ଆହୁରି ମହଙ୍ଗା ହୋଇପାରେ ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଏବଂ ପାଲେଷ୍ଟାଇନର ହମାସ ସଂଗଠନ ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରଭାବ ସୁନା ବଜାର ଉପରେ ପୂର୍ବରୁ ପଡ଼ିସାରିଛି। ଇତିମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭୪୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ଏହାର ଦାମ୍ରେ ଆହୁରି ୩୦୦୦ ଟଙ୍କା ବୃଦ୍ଧି ହୋଇପାରେ। ସୁନା ଦାମ ବଢ଼ୁଥିବାରୁ ଭାରତରେ ଗ୍ରାହକମାନେ ସେମାନଙ୍କ ନିକଟରେ ରଖିଥିବା ସୁନାକୁ ପାର୍ବଣ ପୂର୍ବରୁ ବଜାରରେ ବିକ୍ରି କରିବେ ବୋଲି ସୋ’ରୁମ୍ ଗୁଡ଼ିକ ମତ ଦେଇଛନ୍ତି। ପୁରୁଣା ସୁନାକୁ ବିକ୍ରି କରି ଗ୍ରାହକମାନେ ନୂଆ ଗହଣା କିଣିବେ ବୋଲି ସେମାନେ କହିଛନ୍ତି।

ପଶ୍ଚିମ ଏସିଆରେ ଯଦି ଏହି ସଂଘର୍ଷ ଦୀର୍ଘଦିନ ଧରି ଜାରି ରହେ ତାହେଲେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୫୦୦ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।  ସୁନା ମୂଲ୍ୟ ବଢ଼ୁଥିବାରୁ ଗତବର୍ଷ ପାର୍ବଣ ଋତୁ ତୁଳନାରେ ଚଳିତବର୍ଷ ଗ୍ରାହକମାନେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁନା ବଦଳାଇବେ। ସେ କହିଛନ୍ତି ତାଙ୍କ କମ୍ପାନିରେ ସହରାଞ୍ଚଳରେ ଗ୍ରାହକମାନେ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପୁରୁଣା ସୁନା ବଦଳାଇଥାନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଉକ୍ତ ପ୍ରତିଶତ ୩୦ରୁ ୩୫ ପ୍ରତିଶତ। ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ନଗଦ ଅର୍ଥ କମ୍ ଥିବା କାରଣରୁ ସେମାନେ ପୁରୁଣା ସୁନାକୁ ବଦଳାଇ ନୂଆ ସୁନା କିଣିଥାନ୍ତି ବୋଲି ସେ କହିଛନ୍ତି।

ତନିସ୍କର ମୋଟ ବ୍ୟବସାୟରେ ଗୋଲ୍ଡ ଏକ୍ସଚେଞ୍ଜର ଅଂଶ ୪୧ ପ୍ରତିଶତ ଥିଲା। ଚଳିତବର୍ଷ ସେମାନେ ଏହାକୁ ୪୫ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କମ୍ପାନିର ସିଇଓ ଅଜୟ ଚାୱଲ କହିଛନ୍ତି। ଏକ୍ସଚେଞ୍ଜ ବ୍ୟବସାୟ ବୃଦ୍ଧି ଦ୍ବାରା ସୁନା ଆମଦାନି ହ୍ରାସରେ ସହାୟକ ହୋଇଥାଏ। ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର କହିବା ଅନୁଯାୟୀ ଗତ ଆର୍ଥିକବର୍ଷରେ କମ୍ପାନିର ମୋଟ ବ୍ୟବସାୟରେ ଗୋଲ୍ଡ ଏକ୍ସଚେଞ୍ଜର ଯୋଗଦାନ ୩୬ ପ୍ରତିଶତ ଥିଲା।

ଚଳିତବର୍ଷ ମଧ୍ୟ ଏହା ସମାନ ସ୍ତରରେ ରହିବ ବୋଲି କମ୍ପାନି ଆଶାବ୍ୟକ୍ତ କରିଛି। ହମାସ ଓ ଇସ୍ରାଏଲ ଯୁଦ୍ଧ ଦ୍ବାରା ବଜାରରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା କାରଣରୁ ଅନେକ ନିବେଶକ ଇକ୍ବିଟି ପରିବର୍ତ୍ତେ ସୁନାରେ ନିବେଶ କରିବାକୁ ଅଧିକ ପସନ୍ଦ କରିବେ। ଏଥିଯୋଗୁ ସୁନା ଚାହିଦା ଓ ମୂଲ୍ୟ ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ତେବେ ହୀରା ବ୍ୟବସାୟ ଉପରେ ପଶ୍ଚିମ ଏସିଆ ସମସ୍ୟା କେତେମାତ୍ରାରେ ପଡ଼ିବ ତାହା ଏବେଠାରୁ କୁହାଯାଇ ପାରିବ ନାହିଁ ବୋଲି ଜେମ୍ ଆଣ୍ଡ୍ ଜୁଏଲାରି ରପ୍ତାନି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ବିପୁଲ ଶାହ କହିଛନ୍ତି।

 ହୁରୁନ ପକ୍ଷରୁ ପ୍ରକାଶ ପାଇଲା ଭାରତର ଧନୀ ତାଲିକା, ଜାଣନ୍ତୁ ଦେଶର ଏକ ନମ୍ବର ଧନୀ କିଏ?

ବୁଧବାର: ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ୩୬୦ ୱାନ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କୁ ପଛରେ ପକାଇଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ୩୬୦ ୱାନ୍ ୱେଲ୍ଥ  ମିଶି ଜାରି କରିଥିବା ତାଲିକାରେ ଗୌତମ ଅଦାନୀଙ୍କ ସମ୍ପତ୍ତି ମୁକେଶ ଅମ୍ବାନୀଙ୍କ ତୁଳନାରେ ବହୁତ କମ୍ ଥିବା ଦେଖାଯାଇଛି। କାରଣ ଜାନୁଆରି ମାସରେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍ର ମୋଟ ସମ୍ପତ୍ତି ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହା ପୂର୍ବରୁ ସେ ଭାରତର ୧ନଂ ଧନୀ ହୋଇ ରହିଆସୁଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ସବୁ ବିଗାଡ଼ି ଦେଇଥିଲା।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୪ରେ ୧,୬୫,୧୦୦କୋଟି ଥିବା ବେଳେ ୨୦୨୩ ମସିହାରେ ଏହା ବଢ଼ି ପ୍ରାୟ ୮,୦୮,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ। ଏହା ସହ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ୪୭୪,୮୦୦କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ଏସ୍ ପୁନାୱାଲା ଭାରତର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୨,୭୮,୫୦୦ କୋଟି ଟଙ୍କା।

ଏଚସିଏଲର ପ୍ରତିଷ୍ଠାତା ଶିବ ନାଦରଙ୍କ ମୋଟ ସମ୍ପତ୍ତି ୨,୨୮,୯୦୦ କୋଟି ଟଙ୍କା ରହିଥିବା ବେଳେ ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିଭଳି ୧, ୭୬, ୫୦୦କୋଟି ଟଙ୍କା ସହିତ ପଞ୍ଚମ ସ୍ଥାନରେ ଅଛନ୍ତି ଗୋପିଚାନ୍ଦ ହିନ୍ଦୁଜା।

ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମ୍ସରେ ସଫଳତା ପାଇଥିବା ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  । ଏହି ଅବସରରେ ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ପୁରୁଷ ହକି ଫାଇନାଲରେ ପୁରୁଷ ଟିମ୍ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଦଳ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ଗୋଲ ଦେଇଥିଲେ ଅମିତ ରୋହିଦାସ । ସେହିଭଳି ମହିଳା ଟିମ୍ ବ୍ରୋଞ୍ଜ ପଦକ ହାତେଇଥିଲା  । ସେମାନଙ୍କର କଠିନ ପରିଶ୍ରମ ଓ ସଫଳତା ପାଇଁ ଓଡ଼ିଶା ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଗକୁ ଏଭଳି ପ୍ରୟାସ ଜାରି ରହୁ ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏହିସବୁ ରେକର୍ଡ କଲେ ହିଟମ୍ୟାନ

ନୂଆଦିଲ୍ଲୀ: ବିଶ୍ବକପର ଭାରତ ନିଜର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିଥିବାବେଳେ ୮ ଓ୍ବିକେଟରେ ବିଜୟୀ ହୋଇଛି । ତେବେ ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମା ଏହି ମ୍ୟାଚରେ ଅେନକ ରେକର୍ଡ ଅର୍ଜନ କରିଛନ୍ତି । ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାମରେ କରିଛନ୍ତି । ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ରୋହିତ ଦିନିକିଆରେ ୫୫୬ଟି ଛକା ମାରି ଏବେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି କ୍ରିସ୍ ଗେଲ୍ ସେ ୫୫୩ ଛକା ମାରିଛନ୍ତି । କେବଳ ଏତିକି ନୁହେଁ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ତାଙ୍କ ନାମରେ ଯୋଡ଼ି ହୋଇଛି ।

ଭାରତୀୟ କ୍ରିକେଟର ରୋହିତ ଶର୍ମା ବୁଧବାର ଦିନ ଆଫଗାନିସ୍ତାନ ବିରୋଧରେ ଶତକ ହାସଲ କରିଛନ୍ତି। ନିଜର ୧୯ତମ ଦିନିକିଆ ବିଶ୍ବକପ ମ୍ୟାଚରେ ସେ ସପ୍ତମ ଶତକ ହାସଲ କରିଛନ୍ତି। ଏହା ପୁଣି ୬୩ଟି ବଲରେ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ। ସେ ବିଶ୍ବକପରେ ସର୍ବାଧିକ ୭ଟି ଶତକ ହାସଲ କରିପାରିଛନ୍ତି। ତାଙ୍କ ତଳକୁ ସଚିନ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ସ୍ଥାନୀୟ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ହିଟ୍ମ୍ୟାନ ଏକାଧିକ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ବକପରେ ଆଜି ୧୦୦୦ ରନ୍ ପୂରା କରିଛନ୍ତି।

ସେ ଅନ୍ତର୍ଜାତୀୟ କ୍ରିକେଟରେ ୫୫୯ଟି ଛକା (ଦିନିକିଆ୩୦୦, ଟେଷ୍ଟ୭୭ ଓ ଟି-୨୦ରେ ୧୮୨) ମାରିବାରେ ପ୍ରଥମ ବ୍ୟାଟର ହୋଇପାରିଛନ୍ତି। ଆଜିର ମ୍ୟାଚକୁ ବାଦ୍ ଦେଲେ ରୋହିତ ଶର୍ମା ତାଙ୍କର ୨୫୩ଟି ଦିନିକିଆ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି। ସେ ୨୪୫ତମ ଇନିଂସରୁ ପୂର୍ବରୁ ସର୍ବାଧିକ ଦିନିକିଆ ସ୍କୋର ୨୬୪ ରନ୍ କରିଛନ୍ତି। ପୂର୍ବରୁ ସେ ୩୦ଟି ଦିନିକିଆ ଶତକ ହାସଲ କରିଥିଲେ। ତିନି ଥର ଦ୍ବିଶତକ ହାସଲ କରିଥିଲେ। ୫୩ଥର ଅର୍ଦ୍ଧଶତକ ମାରିଥିବା ବେଳେ ୯୩୫ଟି ଚୌକା ଓ ୨୯୬ଟି ଛକା ମାରିଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଦଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍-୨୦୨୩ରେ ଭାରତ ନିଜର ଦ୍ବିତୀୟ ମ୍ୟାଚରେ ବୁଧବାର ଆଫ୍ଗାନିସ୍ତାନକୁ ଭେଟିଛି। ଆଫ୍ଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅତିଥି ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱକେଟ୍ ହରାଇ ୨୭୨ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ୨୭୩ ରନରେ ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି।