ଥାନା ଅଧିକାରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା

ଯାଜପୁର: ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଓ‌ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କଲେ କୋର୍ଟ । ମେଡିକାଲରେ ଚିକିତ୍ସାଧୀନ ଥାନାର ଡ୍ରାଇଭର ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ସୁକିନ୍ଦା କୋର୍ଟ । ଶିବ ବର୍ତ୍ତମାନ କଟକ ଜିଲ୍ଲା ବାଙ୍କୀ ଥାନାରେ କାର୍ଯ୍ୟରତ ଅଛନ୍ତି ।

୨୦୨୨ ମାର୍ଚ୍ଚ ୩ ତାରିଖରେ ସୁକିନ୍ଦା ଥାନାରେ କାର୍ଯ୍ୟରତ ଡ୍ରାଇଭର ସୁକୁମାର ସ୍ବାଇଁ ଅସୁସ୍ଥତା କାରଣରୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟା ସମୟରେ ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଶିବ ସେଠାରେ ପହଞ୍ଚି ଥିଲେ । କୌଣସି କାରଣରୁ ଉଭୟଙକ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ ହୋଇଥିଲା । ଥାନା ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଡ୍ରାଇଭର ସୁକୁମାରଙ୍କୁ ମେଡ଼ିକାଲରୁ ଥାନାକୁ ନିଆଯାଇଥିଲା । ଘଟଣାକୁ ନେଇ ସେହି ମାସ ୧୬ ତାରିଖ ଦିନ ସୁକୁମାରଙ୍କ ମାଆ ସୁକିନ୍ଦା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଥାନା ଅଧିକାରୀ ଶିବ ଚରଣ ବେହେରା ମେଡ଼ିକାଲରେ ଚିକିତ୍ସାଧୀନ ସୁକୁମାର ଓ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିବା ଓ ଥାନା ଭିତରେ ତାଙ୍କ ବାପା ପଞ୍ଚାନନ ବେହେରା ସୁକୁମାରଙ୍କୁ ମାଡ଼ ମାରିଥିବା ନେଇ ମଧ୍ୟ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ମାମଲାକୁ ବିଚାରକୁ ନେଇ ସାକ୍ଷ୍ୟ ପ୍ରମାଣ ଆଧାରରେ ଶିବ ଚରଣ ବେହେରା ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।