ଠାକୁରଙ୍କୁ ଦର୍ଶନ କରାଇବାକୁ କହି ଠକି ଦେଲେ ଭଣ୍ଡ ବାବା

ଢେଙ୍କାନାଳ: ବାବାଙ୍କ ଉପରେ ଭରଷା କରି ଫସିଗଲେ ମାଆ, ଝିଅ । ବାବା ବେଶରେ ଆସିଥିବା ଠକ ଲୁଟି ନେଲା ନଗଦ ଟଙ୍କା ସହ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା । ଘଟଣା ଘଟିଛି ଢେଙ୍କାନାଳ ସହର ମୀନାବଜାରରେ । ଠାକୁରଙ୍କ ଦର୍ଶନ କରାଇବାକୁ କହି ଠକ ମାଆ, ଝିଅଙ୍କୁ ଲୁଟିଥିବା ହୋଇଛି ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ମୀନାବଜାରକୁ ସ୍ବର୍ଣ୍ଣପ୍ରଭା ସାହୁ ଝିଅ ସହ ଯାଇଥିଲେ । ମୋବାଇଲ ରିପ୍ୟାରିଂ କରି ଫେରୁଥିବା ବେଳେ ବାଟରେ ଅଟକାଇଥିଲେ ବାବା ବେଶଧାରୀ ଭଣ୍ଡ ଜଣଙ୍କ । ସ୍ୱର୍ଣ୍ଣପ୍ରଭାଙ୍କୁ ଠାକୁରଙ୍କୁ ଦର୍ଶନ କରାଇ ଦେବାକୁ କହିଥିଲେ । ଏହାସହ ତାଙ୍କ ନାବାଳକ ପୁଅଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇ ଥିଲେ ଦୁଇ ଭଣ୍ଡ ବାବା । ପରେ ସ୍ୱର୍ଣ୍ଣପ୍ରଭାଙ୍କଠାରୁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଦେବାକୁ କହିଥିଲେ । ପରେ ୫୧ ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ । ସ୍ୱର୍ଣ୍ଣପ୍ରଭା ଆଗକୁ ଯାଇ ବୁଲି ଦେଖିବା ବେଳକୁ ଚମ୍ପଟ ମାରିଥିଲେ ଦୁଇ ଭଣ୍ଡ ।  ଖବରପାଇ ଟାଉନ ଥାନା ପୋଲିସ ବଜାରରୁ ସିସିଟିଭି ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।