ଚୀନର ସ୍ପାଏ ବେଲୁନକୁ ନେଇ ଚାଞ୍ଚଲ୍ୟକର ଖବର, ଆମେରିକାର ISP ବ୍ୟବହାର କରୁଥିଲା ଡ୍ରାଗନ

ୱାଶିଂଟନ: ଚୀନର ସ୍ପାଏ ବେଲୁନକୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର । ଖୋଦ ଆମେରିକାର ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ବା ଆଇଏସପିକୁ ବ୍ୟବହାର କରି ତଥ୍ୟ ପାଉଥିଲା ଡ୍ରାଗନ । ସ୍ପାଏ ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ଜାରି ରହିଥିବାବେଳେ ତଥ୍ୟ ହାସଲ କରିବା ପରି ଗୁରୁତର ଅଭିଯୋଗ ଏବେ ପଦାକୁ ଆସିଛି ।

ସ୍ପାଏ ବେଲୁନ ସହ ଆମେରିକାର ଆଇଏସପି ମଧ୍ୟରେ ଯୋଗସୂତ୍ର ରହିଥିଲା ଯାହା ଫଳରେ ଆମେରିକାର ବହୁ ତଥ୍ୟ ଚୀନ ହାସଲ କରିଥିବା ସୂଚନା ମିଳିଛି । ଆମେରିକାର ବିଭିନ୍ନ ଅଞ୍ଚଳ ପ୍ରଦିକ୍ଷଣ କରୁଥିବାବେଳେ ସ୍ପାଏ ବେଲୁନ ଜରିଆରେ ଚୀନ ବହୁ ତଥ୍ୟ ପାଇଥିବା କୁହାଯାଇଛି । ଗତ ଫେବ୍ରୁଆରୀରେ ସ୍ପାଏ ବେଲୁନକୁ ନେଇ ସସପେନ୍ସ ବଢିଥିବାବେଳେ ଏହାକୁ ଖସାଇଦେଇଥିଲା ଆମେରିକା ।

ତେବେ ବେଲୁନଟି ସ୍ପାଏ ବେଲୁନ ନୁହେଁ ବରଂ ପାଣିପାଗ ଗବେଷଣା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଦାବି କରିଥିଲା ଚୀନ । ଭୂଗର୍ଭସ୍ଥ ଅସ୍ତ୍ରାଗାର, ଏୟାରବେସ, ଷ୍ଟ୍ରାଟେଜିକ ମିସାଇଲ ଆଦି ଗଚ୍ଛିତ ରହିଥିବା ଆମେରିକାର ଉତ୍ତର ପଶ୍ଚିମାଞ୍ଚଳରେ ଏହି ବେଲୁନ ଉଡିଥିବା ଦେଖାଯାଇଥିଲା ।