ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଗିବେ ୯୦ ପ୍ଲାଟୁନ୍ ଫୋର୍ସ

1 min read

ପୁରୀ: ଦିନକ ପରେ ବିଦାୟ ନେବ ୨୦୨୩ ଓ ଆସିବ ୨୦୨୪ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ଦିନ ଆରମ୍ଭ କରିବାକୁ ପୁରୀରେ ଲାଗିବ ଗହଳି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ପୁରୀରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ଅବସରରେ ପୁରୀରେ ମୁତୟନ ହେବେ ୯୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଲେଣ୍ଟର ମୁତୟନ ରହିବେ ।

ସୁରକ୍ଷା ଦାୟିତ୍ବରେ ୨୦ ଡିଏସପି, ୫୦ରୁ ଊର୍ଦ୍ଧ୍ବ ଇନ୍ସପେକ୍ଟର ଓ ୧୪୦ ଏଏସଆଇ ରହିବେ । ପାନୀୟ ଜଳ, ଟଏଲେଟ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକ, ଛୋଟ ପିଲାଙ୍କୁ ଧରି ଆସିଥିବା ମହିଳା ଓ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଛି । ଏମାନଙ୍କୁ ଦର୍ଶନରେ ସହଯୋଗ କରିବାକୁ ପ୍ରାୟ ୫୦ ଜଣ ଭଲେଣ୍ଟର ନିୟୋଜିତ ରହିବେ । ଯେଉଁ ବରିଷ୍ଠ ନାଗରିକ ନିଜ ପରିବାର ସହ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଏହାସହ ସିଂହଦ୍ବାରରେ ପ୍ରବେଶ ପରେ ଦିବ୍ୟାଙ୍ଗଙ୍କୁ ନେଇ ଶ୍ରୀଜୀଉଙ୍କ ଦର୍ଶନ କରାଇବାକୁ କଲେଣ୍ଟର ନିୟୋଜିତ ରହିବେ । ସେହିପରି ମନ୍ଦିର ଭିତରେ ମହାପ୍ରଭୁଙ୍କ ସମ୍ମୁଖରେ ଯେମିତି ଗହଳି ନହେବ ସେଥିପାଇଁ ପୋଲିସ ମୁତୟନ ରହିବେ ।

ନୂଆବର୍ଷରେ ପୁରୀକୁ ଆସି ଭକ୍ତ ଏକ ନୂଆ ଅନୁଭୂତି ସାଉଣ୍ଟିବେ । ସେହିଦିନ ଏସି ସେଡ କାର୍ଯ୍ୟକ୍ଷମ ହେବ । ଯାହା ପୁରୀ ଆସିଥିବା ଭକ୍ତଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ । ସେହିପରି  ନିୟମ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ । ଏନେଇ ଜେଟିପି, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ସହ ପୋଲିସ ପ୍ରଶାସନର ବୈଠକ ହୋଇଛି । ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ପୁରୀ ଏସପି କନଓ୍ବର ବିଶାଲ ସିଂ ।

ଡିସେମ୍ବର ୩୧ ରାତି ୧୨ଟାରୁ ପୁରୀରେ ଟ୍ରାଫିକ କଟକଣା ଲାଗୁ ହେବ । ପୁରୀବାସୀଙ୍କ ପାଇଁ କୌଣସି ଟ୍ରାଫିକ କଟକଣା ରହିବ ନାହିଁ । ପୁରୀର ଦୁଇଟି ସ୍ଥାନରେ ନୋ ଭେଇକିଲ ଜୋନ୍ କରାଯାଇଛି । ମରିଚକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ ରହିବ । ସେହିପରି ଲାଇଟ୍ ହାଉସରୁ ସି-ବିଚ୍ ଥାନା ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ୍ ରହିବ । ମାଳତିପାଟପୁରରେ ପୁରୀକୁ ଆସୁଥିବା ବସ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ତିନି ଓ ଚାରିଚକିଆ ଯାନ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ, ଶରଧାବାଲି ଓ ଯାତ୍ରିକାରେ ଚାରିଚକିଆ ଜାନ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି । ମାର୍କେଟ ଛକ ଓ ବଡଦାଣ୍ଡରେ ଦୁଇଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସମୁଦ୍ର କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର କୂଳକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବ ପୋଲିସ ପ୍ରଶାସନ । ଏଥିପାଇଁ ୪ଟି ପୋଲିସ ପୋଷ୍ଟ କରାଯାଇଛି । ସମୁଦ୍ର କୂଳରେ ହଟସ୍ପଟ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହାସହ ସମୁଦ୍ର କୂଳରେ ଦୁଇଟି ମେଡିକାଲ ଏଡ ପୋଷ୍ଟ ରହିବ । ଯାହା କୌଣସି ଅଘଟଣରେ ତୁରନ୍ତ ମେଡିକାଲ ସହାୟତା ଯୋଗାଇ ପାରିବେ । ଏହାସହ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ଉପରେ ପୋଲିସ ପ୍ରଶାସନ ସମେତ ଲାଇଫ୍ ଗାର୍ଡଙ୍କ ମଧ୍ୟ ନଜର ରହିବ । କୌଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସ ପ୍ରଶାସନ ଓ ଲାଇଫ ଗାର୍ଡଙ୍କ ସହାୟତା ନେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ହୋଟେଲ ଆସୋସିଏସନ ସହ ବୈଠକ କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି ।