spot_img
Home Blog Page 2341

ଟଙ୍କଧରଙ୍କୁ ବିଜେପି କର୍ମୀଙ୍କ ବିରୋଧ, ଆମଦାନୀ ନୁହେଁ ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କର

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଜେପିରେ କିଛି ଠିକ ନାହିଁ । ଟଙ୍କଧର ତ୍ରିପାଠୀଙ୍କୁ ନେଇ ଜିଲ୍ଲା ବିଜେପିରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଝାରସୁଗୁଡ଼ାରେ ଟଙ୍କଧରଙ୍କୁ ବିଜେପି କର୍ମୀ ଜୋରଦାର ବିରୋଧ କରିଛନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କୁ ଟିକେଟ ମିଳୁ କହି ବିଜେପି ଅଫିସରେ ଟଙ୍କଧରଙ୍କ ନାରାବାଜି ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେପି ଦଳର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଚୟନ ଦାବି ହୋଇଛି । ଝାରସୁଗୁଡାର ସ୍ଥାୟୀ ବାସିନ୍ଦାଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା ଦାବି ନେଇ ଝାରସୁଗୁଡା ସର୍ବାହଲ ସ୍ଥିତ ବିଜେପି ଅଫିସ ଘେରାଉ କରାଯାଇଛି । ଏହାସହ ବିଜେପି ଜିଲ୍ଲା ସଭାପତି ସୁନୀଲ ପଣ୍ଡାଙ୍କୁ ସ୍ଥାନୀୟ ବିଜେପି କର୍ମୀ ଦାବିପତ୍ର ପ୍ରଧାନ କରିଛନ୍ତି ।

ବିଗତ ଦିନରେ ଝାରସୁଗୁଡା ବିଧାନସଭା ନିର୍ବାଚନରେ ଜିଲ୍ଲା ବାହାର ନେତାଙ୍କୁ ପ୍ରାର୍ଥୀ କରାଯାଉଥିବା ବେଳେ ଏଥର ନିର୍ବାଚନରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାର୍ଥୀ କରାଗଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆନ୍ଦୋଳନରତ ବିଜେପି କର୍ମୀ କହିଛନ୍ତି । ନିର୍ବାଚନ ପାଖେଇ ଆସିଲା ପରେ ଏପରି ବିରୋଧ ଝାରସୁଗୁଡା ବିଜେପି ଦଳରେ ରହୁଥିବା ଫାଟକୁ ସ୍ପଷ୍ଟ କରୁଥିବା ବେଳେ ଟଙ୍କଧରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନିଜ ଦଳର କର୍ମୀ ।

ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଲୋକାର୍ପଣ: ମୁଖ୍ୟମନ୍ତ୍ରୀ କହିଲେ- ସ୍ବାସ୍ଥ୍ୟସେବାରେ ନୂଆ ଯୁଗର ଆରମ୍ଭ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା । ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ହସ୍ପିଟାଲ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ ଆରମ୍ଭ କରିଛି । କର୍କଟ ରୋଗ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ନୂଆ ଯୁଗ । 5T ମାଧ୍ୟମରେ ସବୁ ହସ୍ପିଟାଲର ରୂପାନ୍ତରଣ ହେଉଛି । ସାରା ଦେଶରେ BSKY ବେଞ୍ଚ ମାର୍କ ସୃଷ୍ଟି କରିଛି । ଆମ ହସ୍ପିଟାଲ ଯୋଜନାରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ସୁବିଧା ଦିଆଯାଉଛି । ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି ।’

ଆଗକୁ ସେ କହିଥିଲେ, ‘କ୍ୟାନସର ପ୍ରତି ସମସ୍ତେ ସଚେତନ ହେବା ଜରୁରୀ । ଆମକୁ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବା ଜରୁରୀ । ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଦେବା ଆମ ସରକାରର ପ୍ରଥମ ଗୁରୁତ୍ବ । ପୂର୍ବ ଭାରତରେ ଉତ୍ତମ ସ୍ବାସ୍ଥ୍ୟସେବା ଦେବାରେ ଓଡ଼ିଶା ଆଗରେ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ନିୟମିତ ବ୍ୟବଧାନରେ ଡାକ୍ତର ଓ ପାରା ମେଡିକ ପୋଷ୍ଟ ପୂରଣ କରାଯାଉଛି ।’

ସୂଚନାଯୋଗ୍ୟ, ଦେଶରେ କର୍କଟ ରୋଗ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହି ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଛି । ବାଗଚି ଶ୍ରୀଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ । କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟ ସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଲାଗି ଲୋକଙ୍କୁ ସାଧାରଣତଃ ରାଜ୍ୟ ବାହାରର ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗାଁ ଗହଳିର ଲୋକଙ୍କ ଲାଗି ବଡ଼ ବଡ଼ ସହରରେ ରହି ଏହି ଚିକିତ୍ସା କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ । ପୂର୍ବ ଭାରତରେ ଶତକଡ଼ା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ରୋଗୀ ପ୍ରତିବର୍ଷ କର୍କଟ ରୋଗରେ ପଡୁଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତର ଭାରତର ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରଖା ଯାଇଛି ।

୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କର୍କଟ ହସ୍ପିଟାଲଟି ବାଗଚି ଦମ୍ପତ୍ତିଙ୍କ ସାହାଯ୍ୟ ପାଇଁ ସଫଳ ରୂପ ନେଇଛି । ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୨ ଏକର ଜମି ପ୍ରଦାନ କିରଛନ୍ତି । ସମଗ୍ର ପୂର୍ବ ଭାରତରେ ଅନ୍ୟତମ ବୃହତ୍ କର୍କଟ ହସ୍ପିଟାଲ ଭାବେ ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି । ଏହା ଲକ୍ଷାଧକ କର୍କଟ ରୋଗୀଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କର୍କଟ କେନ୍ଦ୍ରଟି ସମ୍ପୂର୍ଣ ଭାବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ଦୈନିକ ୩ ଶହ ରୋଗୀ ଏଠାରେ ରେଡ଼ିଓଥେରାପି ଚିକିତ୍ସା ପାଇବାକୁ ଥିବାବେଳେ ୬୦ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯିବାକୁ ସୁବିଧା ରହିଛି । ଦୂରରୁ ଯାତ୍ରା କରୁଥିବା ରୋଗୀଙ୍କ ପାଇଁ ନାମକୁ ମାତ୍ର ଦେୟରେ ସ୍ଵଚ୍ଛ ସମୟ ରହଣି ପାଇଁ ୩୦୦ଟି ଶୀତତାପ ନିୟନ୍ତ୍ରିତ ଗୃହର ବ୍ୟବସ୍ଥା କରାଯାଇଛି ।

ଅଭିନେତା ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ

କଟକ: ଓଲିଉଡ ଷ୍ଟା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ବିଶିଷ୍ଟ ଶିକ୍ଷାବିତ ଓ ନାଟ୍ୟକାର ଭାବେ ସେ ବେଶ ପରିଚିତ ହେଲେ । ମୃତ୍ଯୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

କଟକ ଚୌଧୁରୀ ବଜାର ବାସଭବନରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ଶୁଭେଚ୍ଛୁ । ଦୀର୍ଘଦିନ ଧରି ତାଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ଥିଲା । ମୃତ୍ଯୁଶଯ୍ୟା ନିକଟରେ ଦୁଇ ପୁଅ ଅନୁଭବ ଏବଂ ଅନୁପ୍ରାସ ଉପସ୍ଥିତ ଥିଲେ ।

ଏନଡିଏରେ ସାମିଲ ହେବ କି ନ୍ୟାସନାଲ କନଫରେନ୍ସ ? ସଙ୍କେତ ଦେଲେ ଫାରୁକ ଅବଦ୍ଦୁଲା

ଜମ୍ମୁ ଓ କାଶ୍ମୀର: ସାଧାରଣ ନିର୍ବାଚନ ସମୟ ଯେତେ ପାଖଉଛି, ଇଣ୍ଡିଆ ମେଣ୍ଟର ସମସ୍ୟା ବଢ଼ି ବଢ଼ି ଯାଉଛି । ବିଜେପି ଓ ଏନଏଡିଏକୁ ଟକ୍କର ଦେବାକୁ ଏକାଠି ହୋଇଥିବା ଦଳମାନଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଅଲଗା ହେଉଛନ୍ତି । ପ୍ରଥମେ ମମତା ବାନାର୍ଜୀ, ତା’ପରେ ଅରବିନ୍ଦ କେଜ୍ରିଓ୍ବାଲ ଆଉ ଏବେ ଫାରୁକ ଅବଦ୍ଦୁଲା ଇଣ୍ଡିଆ ମେଣ୍ଟ ଛାଡି ଏକା ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଏପରିକି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲା ଏନଡିଏରେ ସାମିଲ ହେବା ମଧ୍ୟ ସଙ୍କେତ ଦେଇଛନ୍ତି ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, ‘ମୁଁ ଭାବୁଛି, ଜମ୍ମୁ ଓ କାଶ୍ମୀରରେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ହେଲେ ଆମ ଦଳ ଏକା ଏକା ନିର୍ବାଚନ ଲଢ଼ିବ । ଦେଶ ଗଠନ ପାଇଁ ଯାହା ଆବଶ୍ୟକ ସେ ସବୁ ମୁଁ କରିବି । ଯଦି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦେଖା କରିବାକୁ ଡାକିବେ ନିଶ୍ଚିତ ଦେଖା କରିବି । ଡାକରା ଆସିଲେ କିଏ ବା ମନା କରିବ ।’

ଏନଡିଏରେ ମିଶିବାକୁ ନେଇ ଫାରୁକ କହିଛନ୍ତି, ‘ବର୍ତ୍ତମାନ ସ୍ଥିତିରେ ଆମେ ଏକା ଏକା ନିର୍ବାଚନ ଲଢ଼ିବାକୁ ଯାଉଛୁ । ଭବିଷ୍ୟତରେ ଏନଡିଏରେ ସାମିଲ ହେବା ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । ଇଣ୍ଡିଆ ମେଣ୍ଟରେ ଶାସନ ବୁଝାମଣା ବିଫଳ ହୋଇଯାଇଥିବାରୁ ଏମିତି ନିଷ୍ପତ୍ତି ନେଇଛୁ ।’

କେବଳ ଫାରୁକ ନୁହେଁ, ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବରେ ଏକା ଏକା ନିର୍ବାଚନ ଲଢ଼ିବାକୁ ସ୍ପଷ୍ଟ କରି ସାରିଛନ୍ତି । ପଶ୍ଚିମବଙ୍ଗରେ ମମତା କଂଗ୍ରେସକୁ ଦୁଇଟି ସିଟ୍ ଦେବାକୁ ଚାହୁଁଥିଲେ । ହେଲେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୂରା ୪୨ ସିଟରେ ପ୍ରାର୍ଥୀ ଦେବାକୁ ମମତା ଘୋଷଣା କରିସାରିଛନ୍ତି । ସେହିପରି ପଞ୍ଜାବରେ ଆପ୍ କଂଗ୍ରେସକୁ ୬ଟି ଆସନ ଦେବାକୁ ରାଜି ଥିଲା । ହେଲେ ଏହାକୁ ନେଇ ସହମତି ନହେବାରୁ ଆପ୍ ପୂରା ୧୩ଟି ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ସେହିପରି ଦିଲ୍ଲୀରେ ଆପ୍ କଂଗ୍ରେସକୁ ଗୋଟିଏ ଆସନ ଅଫର କରିଛି । ଏପରିକି ନିଷ୍ପତ୍ତି ନେବାକୁ କିଛିଦିନ ସମୟ ଦେଇଛି । କଂଗ୍ରେସ ଏହାକୁ ନେଇ ଶୀଘ୍ର ନିଷ୍ପତ୍ତି ନନେଲେ ଦିଲ୍ଲୀରେ ମଧ୍ୟ ଆପ୍ ଏକା ନିର୍ବାଚନ ଲଢ଼ିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଇଣ୍ଡିଆ ମେଣ୍ଟ ମୁଣ୍ଡରେ ଖଣ୍ଡା ଝୁଲୁଛି । ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳ ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇସାରିଛି । ଏହାସହ ଏନଡିଏରେ ସାମିଲ ହେବା ନେଇ ମଧ୍ୟ ଔପଚାରିକ ଭାବେ ଘୋଷଣା କରିସାରିଛନ୍ତି । ସେପଟେ ସମାଜବାଦୀ ପାର୍ଟୀ କଂଗ୍ରେସକୁ ୧୧ଟି ସିଟ୍ ଅଫର କରିଛି ଯାହାକୁ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ବାହାରିପାରିନାହିଁ ।

ତିନ୍ ତଲାକ୍ ଚାପରେ ଇସଲାମ ଛାଡି ହିନ୍ଦୁ ପ୍ରେମିକକୁ ବିବାହ କଲେ ମହିଳା

ନୂଆଦିଲ୍ଲୀ : ବସନ୍ତ ପଞ୍ଚମୀରେ ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କଲେ ଜଣେ ମୁସଲିମ୍ ମହିଳା । ନିକାହ ହଲାଲା ଏବଂ ତିନ୍ ତଲାକ ପାଇଁ ନିରନ୍ତର ହଇରାଣ ହୋଇ ଏପରି ପଦକ୍ଷେପ ନେଇଛନ୍ତି ଏହି ମହିଳା । ୟୁପିର ବୁଲନ୍ଦଶାହର ବାସିନ୍ଦା ହେଉଛନ୍ତି ଶାହାନା । ନିକଟରେ ସେ ବରେଲିର ନିବାସୀ ଓମପ୍ରକାଶଙ୍କୁ ବିବାହ କରି ସନାତନ ଧର୍ମକୁ ଆପଣାଇଛନ୍ତି ।

ଶାହାନା କହିଛନ୍ତି ଯେ, ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ ତିନ୍ ତଲାକ ପାଇବା ପରେ ମଧ୍ୟ ତାଙ୍କୁ ନିକାହ ହଲାଲା ପାଇଁ ନିରନ୍ତର ହାଇରାଣ କରାଯାଉଥିଲା  । ଯାହା ଫଳରେ ସେ ମାନସିକ ଚାପରେ ରହୁଥିଲେ ।  ଏହି ସମୟରେ ସେ ଓମ୍ ପ୍ରକାଶଙ୍କୁ ଭେଟି ଥିଲେ  । ଧୀରେ ଧୀରେ ସେମାନଙ୍କ ବନ୍ଧୁତା ପ୍ରେମରେ ପ୍ରରିଣତ ହେଲା ଏବଂ ବର୍ତ୍ତମାନ ସେ ପରସ୍ପରକୁ ବିବାହ କରିଛନ୍ତି ।

ଗତକାଲି ବସନ୍ତ ପଞ୍ଚମୀର ଶୁଭ ଅବସରରେ ଶାହାନା ଓମପ୍ରକାଶଙ୍କୁ ବିବାହ କରି ସନାତନ ଧର୍ମ ଗ୍ରହଣ କରିଛନ୍ତି । ଏହା ପରେ ସେ ଶାହାନାରୁ ନାମ ପରିବର୍ତ୍ତନ କରି ଶାରଦା ନାମ ରଖିଛନ୍ତି । ସେ କହିଛନ୍ତି, ମୁଁ ମୋ ଧର୍ମ ଏବଂ ନାମ ପରିବର୍ତ୍ତନ କରିଛି । ତିନ୍ ତଲାକ ଏବଂ ହାଲାଲା ପାଇଁ ବାରମ୍ବାର ନିର୍ଯାତିତ ଏବଂ ହଇରାଣ ହୋଇ ଏପରି ପଦକ୍ଷେପ ନେଇଛି । ମୁଁ ଓମ୍ ପ୍ରକାଶକୁ ଭଲପାଏ ଏବଂ ବିବାହ ପାଇଁ ମୋତେ କୌଣସି ଚାପ ପ୍ରକାଶ କରାଯାଇନାହିଁ ।

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।

ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ। ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ।

ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି।

ଲାକ୍ଷାଦ୍ୱୀପରେ INSର ନୂଆ ବେସ୍ ; ଏଥର ପଡ଼ୋଶୀ ରାଷ୍ଟ୍ର ଉପରେ ନଜର ରଖିବ ଭାରତ

ନୂଆଦିଲ୍ଲୀ : ମାଳଦ୍ୱୀପ ଏବଂ ଚୀନର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭାରତର ନୂଆ ଚାଲ୍  ।  ପଡୋଶୀ ରାଜ୍ୟ ଉପରେ ଟିକିନିକି ନଜର ରଖିବା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତ ସରକାର । ଲକ୍ଷଦ୍ୱୀପର ମିନିକୋଏ ଆଇଲ୍ୟାଣ୍ଡରେ ନୌସେନାଙ୍କ ଏକ ବେସ୍ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । ଯାହା ୪ କିମ୍ବା ୫ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଉଦଘାଟନ କରାଯିବ  । ଏହା ଛଡା ଅତାଗୀ ଆଇଲାଣ୍ଡରେ ମଧ୍ୟ ଏକ ବେସ୍ କ୍ୟାମ୍ପ ତିଆରି କରାଯିବ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ୱୀପ ଯାତ୍ରାପରେ ଭାରତ ସରକାର ଅଗାତୀ ଏବଂ ମିନିକୋଏ ଆଇଲ୍ୟାଣ୍ଡରେ ନୌସେନାଙ୍କ ବେସ୍ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ମିନିର୍କାୟରେ ଆଇଏନଏସ୍  ଜଟାୟୁର ନୌସେନାଙ୍କ ବେସ୍ ନିର୍ମାଣ କରାଯାଉଛି ।  ଏହି ସେନା ବେସ୍ ଲକ୍ଷଦ୍ୱୀପ ଠାରୁ ମାତ୍ର ୫୨୪ କିମି ଦୂରରେ ଅବସ୍ଥିତ । କେବଳ ଏତିକି ନୁହେଁ ଭାରତ ନିଜର ଅଗାତୀ ଆଇଲ୍ୟାଣ୍ଡରେ ଏବେ  ଏୟାଷ୍ଟ୍ରିପକୁ ଅପଗ୍ରେଡ୍ କରୁଛି । ଯାହାର ବ୍ୟବହାର ଫାଇଟର ଜେଟ୍ ଏବଂ ଭାରୀ ବିମାନ ସଂଚାଳନ ପାଇଁ କରାଯିବ । ଏହା ସହିତ ମାଳଦ୍ୱୀପ ଏବଂ ଚୀନ ଉପରେ ମଧ୍ୟ କଡ଼ା ନଜର ରଖାଯାଇପାରିବ ।

ଖୁବ୍ ଶୀଘ୍ର ଆସିବ କ୍ଯାନ୍ସର ଭାକ୍ସିନ, ଋଷ ରାଷ୍ଟ୍ରପତିଙ୍କ ସୂଚନା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ କ୍ଯାନସର ଭାକ୍ସିନ। ଋଷର ବୈଜ୍ଞାନିକମାନେ ଭାକ୍ସିନ ତିଆରିରେ ଲାଗିଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ କହିଛନ୍ତି- କ୍ଯାନସର ଭାକ୍ସିନ ତିଆରି ନେଇ ଚାଲିଥିବା ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆ ପିଢି ଲାଗି ଉପଲବ୍ଧ ହେବ ଇମୁନୋମୋଡୁଲାଟୋରୀ ଔଷଧ।

ଯଦିଓ ପୁଟିନ କେଉଁ ପ୍ରକାରର କର୍କଟ ଲାଗି ଟିକା ତିଆରି ହେଉଛି ତାହାର ସୂଚନା ଦେଇନାହାନ୍ତି ତଥାପି ଏହା ଯେ କର୍କଟ ରୋଗର ବିନାଶ ଲାଗି ଏକ ପ୍ରମୁଖ ଅସ୍ତ୍ର ହେବ ତାହାର ଆଶା କରାଯାଉଛି। ବର୍ତ୍ତମାନ ବହୁ ଦେଶ ଓ କମ୍ପାନି ଏହି ଧରଣର ଭାକସିନ ପ୍ରସ୍ତୁତିରେ ଲାଗିଛନ୍ତି। ଗତବର୍ଷ କ୍ୟାନସର ଚିକିତ୍ସା ସଂକ୍ରାନ୍ତରେ ବ୍ରିଟେନ ଓ ଜର୍ମାନୀର ବାୟୋଏନଟେକ ସହ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ସେହିପରି ମଡର୍ଣ୍ଣା ଓ ମର୍କ ଆଣ୍ଡ କୋ ମଧ୍ଯ କ୍ୟାନସର ଭାକ୍ସିନ ପ୍ରସ୍ତୁତି ଲାଗି ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ସର୍ଭିକାଲ କ୍ଯାନ୍ସର ସମେତ ଅନ୍ଯାନ୍ୟ କ୍ୟାନ୍ସରର କାରଣ ସାଜୁଥିବା ହ୍ୟୁମାନ ପାପିଲୋମାଭାଇରସ ବା ଏଚପିଭି ବିରୋଧରେ ୬ଟି ଲାଇସେନ୍ସପ୍ରାପ୍ତ ଭାକସିନ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ସେହିପରି ଲିଭର କ୍ୟାନସରର କାରଣ ସାଜୁଥିବା ହେପାଟାଇଟିସ ବି ବା ଏଚପିଭି ବିରୋଧରେ ମଧ୍ଯ ଭାକ୍ସିନ ରହିଛି। କୋଭିଡ କାଳରେ ଋଷୀୟ କମ୍ପାନି ସ୍ପୁଟନକି ଭି ଭାକ୍ସିନ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।

ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ

ଲେବାନନ: ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ । ନାବାତି ଗଭର୍ଣ୍ଣରେଟ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣରେ କୋଠାବାଡି ନଷ୍ଟ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇବା ସହ ୧୧ ଜଣ ଆହତ ହୋଇଛନ୍ତି ବୋଲି କହିଛି ଲେବାନନ ସିଭିଲ ଡିଫେନସ ।

ମାନଚିତ୍ରରୁ ଇସ୍ରାଏଲକୁ ହଜାଇ ଦେବା ଲାଗି ହେଜବୁଲ୍ଲା ମୁଖ୍ଯ ହାସନ ନସରଲ୍ଲା ଧମକ ଦେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ଖାଁ ୟୁନିସସ୍ଥିତ ଅଲ ଅମାଲ ହସ୍ପିଟାଲରେ ଜୋରଦାର ବୋମାମାଡ ହୋଇଥିବା ସୂଚନା ମିଳିଛି। ତେଣେ ଇସ୍ରାଏଲର ଆକ୍ରମଣ ଜୋରଦାର ହେବା ପରେ ନାସେର ହସ୍ପିଟାଲରେ ଆଶ୍ରୟ ନେଇଥିବା ପାଲେଷ୍ଟିନୀୟମାନେ ପଳାୟନ କରିଛନ୍ତି। ଗତ ଅକ୍ଟୋବର ୭ ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ପହଞ୍ଚିଛି ୨୮ ହଜାର ୫୭୬ରେ।

ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଳମତୁମ୍ପା ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଉପରେ ଚଢଉ ବେଳେ ଆହତ ହୋଇଛନ୍ତି ଦୁଇ ଏସଓଜି ଯବାନ। ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ଯୋଗୁଁ ଦୁଇ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।  ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀମାନେ ସକ୍ରିୟ ଥିବା ସୂଚନା ରହିଥିଲା। ତେଣୁ SOG ଓ DVF ପକ୍ଷରୁ ଆଜି ସର୍ଚ୍ଚ ଅପରେସନ କରାଯାଉଥିଲା। ସର୍ଚ୍ଚ ଅପରେସନ ସମୟରେ  ଘଟିଥିଲା  ଅଘଟଣ।

ବୌଦ୍ଧ ଜିଲ୍ଲାରେ କିଛିଦିନ ହେଲା ମାଓ ଗତିବିଧି ବଢିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ, DVF, SOG ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଉପରେ ଚଢଉ କରି ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।