ଗଣତନ୍ତ୍ରର ମହାପର୍ବ: ପ୍ରଥମ ଥର ଭୋଟ ଦେବେ ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବବର୍ଗ

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବରେ ଭାଗ ନେବେ ଯୁବ ଭୋଟର । ପ୍ରଥମ ଥର ପାଇଁ ରାଜ୍ଯରେ ଇଭିଏମରେ ଭୋଟ ଦେବେ ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବାବର୍ଗ । ୧୦ ବର୍ଷ ଭିତରେ ଭୋଟରଙ୍କ ଧ୍ରୁବୀକରଣ ହୋଇଥିଲା । କିନ୍ତୁ ଏଥର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଯେଉଁ ପ୍ରାର୍ଥୀ ଯୁବକଙ୍କ ରୋଜଗାର, ରାଜ୍ୟ ଓ ଦେଶର ବିକାଶକୁ ପାଥେୟ କରିବ ତାକୁ ହିଁ ନିର୍ବାଚନରେ ଜନପ୍ରତିନିଧି ଭାବେ ବାଛିବେ ବୋଲି ମତ ପ୍ରକାଶ ପାଇଛି ।

ରାଜ୍ୟର ୭ ଲକ୍ଷରୁ ଅଧିକ ଯୁବକ, ଯୁବତୀ । ପ୍ରଥମ ଥର ପାଇଁ ୨୦୨୪ ନିର୍ବାଚନରେ ଦେବେ ଭୋଟ । ଇଭିଏମ୍ ବଟନ୍ ଚିପି ସାଉଁଟିବେ ନୂଆ ଅନୁଭୂତି । ଗଣତନ୍ତ୍ର ମହାପର୍ବରେ ନିଜ ସ୍ବାଧୀନ ମତାଧିକାର ସାବ୍ୟସ୍ତ କରିବାର ପାଇବେ ଅପୂର୍ବ ସୁଯୋଗ । କାହା ଦ୍ବାରା ପ୍ରଭାବିତ ନ ହୋଇ ନିଜ ବିବେକ ଅନୁସାରେ ଚୟନ କରିବେ ଜନପ୍ରତିନିଧି । ବିଶେଷକରି ଯିଏ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବ । ନିର୍ବାଚନ ଲଢୁଥିବା ପ୍ରାର୍ଥୀର ଅପରାଧୀକ ରେକର୍ଡ ନଥିବ, ସେପରି ପ୍ରାର୍ଥୀକୁ ଜନପ୍ରତିନିଧି ଭାବେ ନିର୍ବାଚିତ କରିବାକୁ ପସନ୍ଦ କରୁଛନ୍ତି ୟଙ୍ଗ୍ ଭୋଟର । ଭୋଟର ତାଲିକା ଅନୁଯାୟୀ ଯୁବ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ । ସେମାନଙ୍କ ଭିତରୁ ୧୮ରୁ ୧୯ ବର୍ଷ ଭିତରେ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ।

୧୦ ବର୍ଷ ଭିତରେ ଭୋଟର ଧ୍ରୁବୀକରଣ ହୋଇଛି । ଏଥରକ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଯୁବ ଭୋଟର ବହୁତ ସଚେତନ ଅଛନ୍ତି । ଶିକ୍ଷା ବ୍ୟବସ୍ଥା ମହଙ୍ଗା ନ ହୋଇ ଶସ୍ତା ହେବା ସମସ୍ତ ଚାହାଁନ୍ତି । ଏହାସହିତ ଯେଉଁ ସରକାର ରୋଜଗାର ସୃଷ୍ଟି କରିପାରିବ ତାକୁ ହିଁ ଯୁବ ଭୋଟର ପ୍ରଥମ ପସନ୍ଦ ଭାବେ ବାଛିବେ । ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଭୋଟର ଆରାମ ଜୀବନଶୈଳୀକୁ ବି ଛାଡ଼ିବେ ନାହିଁ । ଏବର ଯୁବ ଭୋଟର ବହୁତ ସଚେତନ । କେହି ତାଙ୍କୁ ପ୍ରଭାବିତ କରି ଭୋଟ ନେଇଯିବେ ଏପରି ସମ୍ଭାବନା ନାହିଁ ।