ରଙ୍ଗ ଖେଳ ଭିତରେ ୨୪ ବିଜୟ ତିଳକ ପିନ୍ଧିବା ପାଇଁ ବିଜେଡି ପ୍ରସ୍ତୁତି

1 min read

ଭୁବନେଶ୍ବର: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ମାହୋଲ ହୋଇଛି ଉଷ୍ମ । ହୋଲିରେ ରଙ୍ଗ ଖେଳ ଭିତରେ ଚବିଶ ବିଜୟ ତିଳକ ପିନ୍ଧିବା ପାଇଁ ପ୍ରସ୍ତୁତି ହେଲେଣି ବିଜେଡି, ବିଜେପି ଓ କଂଗ୍ରେସ । ୨୪ ବର୍ଷ ଶାସନ କାଳରେ ସବୁ କ୍ଷେତ୍ରରେ ଓଡ଼ିଶାର ଶୀର୍ଷରେ ରହିବା ସହ ଦେଶ ପାଇଁ ନବୀନ ଶାସନ ଏବେ ରୋଲ ମଡ଼େଲ ସାଜିଛି । ଯାହା ବିଜେଡିକୁ ନିର୍ବାଚନରେ ଏକପାଖିଆ ବିଜୟ ମୁକୁଟ ପିନ୍ଧାଇବ ବୋଲି ଶାସକ ଦଳ ଯୁକ୍ତି ବାଢ଼ିଛି । ଅନ୍ୟପଟେ ବିରୋଧୀ ଏଯାଏଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।

ଫଗୁଣରେ ଉଷ୍ମ ହେବାରେ ଲାଗିଛି ଓଡିଶାର ରାଜନୀତି । ହୋଲି ରଙ୍ଗ ଖେଳ ଭିତରେ ଚବିଶ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ମୁଖ୍ୟ ପୁଞ୍ଜି କରି ବିଜେଡି ୨୦୨୪ ନିର୍ବାଚନରେ ବଡ ବିଜୟ ପାଇଁ ଲମ୍ବା ରଣନୀତି ପ୍ରସ୍ତୁତ କରିଛି । ୧୨୮ ବିଧାନସଭା ଓ ୧୮ ଲୋକସଭା ଦଳ ହାତେଇବା ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛି । ଏନେଇ ସଂସଦୀୟ କ୍ଷେତ୍ରୱାରୀ ରଣନୀତି ପ୍ରସ୍ତୁତ କରିବା ସହ ବରିଷ୍ଠ ନେତାଙ୍କୁ ବିଜୟ ମନ୍ତ୍ର ଦେଉଛନ୍ତି ନବୀନ । ତେଣୁ ହୋଲିର ରଙ୍ଗରେ ରଙ୍ଗୀନ ହୋଇ ଓଡିଶାବାସୀ ବିଜେଡିକୁ ବିଜୟର ନାଲି ଟିକା ପିନ୍ଧାଇବାକୁ ପ୍ରସ୍ତୁତ ଥିବା କହିଛି ବିଜେଡି ।

୨୦୨୪ରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି ଫୋକସ କରିଛି । ନବୀନ ନିବାସରେ ଘନ ଘନ ବୈଠକ କରି ବିଜେଡିର ଶୀର୍ଷ ନେତୃତ୍ଵ, ନେତା ଓ କର୍ମୀଙ୍କ ମନରେ ଜୋସ ଭରୁଛନ୍ତି । ଅନ୍ୟପଟେ ଏଥର ହୋଲି କଂଗ୍ରେସ୍ ପାଇଁ ନୂଆ ରଙ୍ଗ ଆଣିବ ବୋଲି ବରିଷ୍ଠ କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ କହିଛନ୍ତି l କିନ୍ତୁ ଏଥର ନିର୍ବାଚନୀ ସମୟରେ ହୋଲି ସବୁ ଦଳ ପାଇଁ ଅଧିକ ରଙ୍ଗୀନ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରାର୍ଥୀ ମାନେ ବି ଗାଁ ମୁହାଁ ହୋଇଛନ୍ତି । ତେବେ ହୋଲିର ରଙ୍ଗ କାହାକୁ ନିର୍ବାଚନରେ ରଙ୍ଗୀନ କରୁଛି ତାହା ଦେଖିବାର ଅଛି ।