ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସରକାରୀ ଛୁଟି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ ।
ଜାଭେଦ ଅଖତର କହିଲେ କିଏ ହେବେ ଭବିଷ୍ୟତର ସୁପରଷ୍ଟାର
ମୁମ୍ବାଇ: ଦୀର୍ଘବର୍ଷ ଧରି ବଲିଉଡରେ ଷ୍ଟାର କିଡମାନେ ନିଜର ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି । କିଛି ଷ୍ଟାର ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଆଉ କିଛିଙ୍କ ଫିଲ୍ମ ଫ୍ଲପ ହେଉଛି । ତେବେ ଷ୍ଟାର କିଡଙ୍କୁ ନେଇ ଏକ ପ୍ରତିକ୍ରିୟା ରଖିଛନ୍ତି ଜାଭେଦ ଅଖତର । ସେ କହିଛନ୍ତି କି, ଅଗସ୍ତ୍ୟ ନନ୍ଦା ହେବେ ଭବିଷ୍ୟତ ସୁପରଷ୍ଟାର । ଶ୍ବେତା ବଚ୍ଚନଙ୍କୁ ଜାଭେଦ କହିଛନ୍ତି କି, ତୁମ ପୁଅ ବଲିଉଡର ଭବିଷ୍ୟତ ସୁପରଷ୍ଟାର । ଏକ ଇଣ୍ଟରଭିୟୁରେ ଏଭଳି କହିଛନ୍ତି ଜାଭେଦ ଅଖତର । ଋଷି କପୁରଙ୍କ ପରେ ଅଗସ୍ତ୍ୟ ହେବେ ତାଙ୍କ ଭଳି ଜଣେ କଳାକାର । ଋଷି କପୁରଙ୍କ ପରେ ଏମିତି ଷ୍ଟାରଙ୍କୁ ଦେଖିବାକୁ ମିଳିନାହିଁ । ଯାହାକି ଅଗସ୍ତ୍ୟଙ୍କ ପାଖରେ ଦେଖିବାକୁ ମିଳେ । ତେବେ କହି ରଖୁଛୁ କି, ଅଗସ୍ତ୍ୟ ହେଉଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତି । ସେ ତାଙ୍କ ମା’ ଙ୍କୁ ବେଶ ଭଲ ଭଲା ପାଉଥିବାବେଳେ ତାଙ୍କଠାରୁ ନମ୍ର ଭାବନା ଶିଖିଥିବା କହିଛନ୍ତି ।
ଆସ୍ଥା ଭକ୍ତି ଓ ବିଶ୍ବାସ, ଢିଙ୍କି ତଳୁ ବାହାରିଛି ହନୁମାନଙ୍କ ମୂତ୍ତି !
କଟକ: ଆପଣ ସାଧାରଣ ତ ହନୁମାନ ଠାକୁରଙ୍କୁ ମନ୍ଦିର ଦେଖିଥିବେ l ଆଉ ମନ୍ଦିରରେ ଭୋଗ ବି କରିଥିବେ l ହେଲେ କଟକ ଜିଲ୍ଲାରେ ରହିଛି ଏକ ନିଆରା ହନୁମାନ ମନ୍ଦିର । ଏହି ଠାକୁରଙ୍କ ମୃତ୍ତି ଢ଼ିଙ୍କି ତଳୁ ବାହାରିଥିବାଲୋକ କଥା ରହିଛି । ଠାକୁର ପୂର୍ବ ମୁହାଁ ସହିତ ଉପରକୁ ଅନେଇ ରହିଛନ୍ତି l ମନ୍ଦିରରେ ସ୍ବତନ୍ତ୍ର ଚୁଡୁ ମୁଆଁ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଲାଗି କରାଯାଇଥାଏ ।
ଆସ୍ଥା ଭକ୍ତି ଓ ବିଶ୍ବାସ । ଓଡ଼ିଆଙ୍କ ସଂସ୍କୃତି ଦେବ ଦେବୀଙ୍କୁ ପୂଜାର୍ଚ୍ଚନା । ଭଳିକି ଭଳି ଠାକୁରଙ୍କୁ ନିଆରା ଭୋଗ ଲାଗି ରହିଛି ପରମ୍ପରା । କଟକ ଜିଲ୍ଲା ଉମର ପଞ୍ଚାୟତରେ ଥିବା ହନୁମାନ ମନ୍ଦିରର ରହିଛି ସ୍ବତନ୍ତ୍ରତା । ଏଠାରେ ଠାକୁରଙ୍କୁ ଲାଗି ହୋଇଥାଏ ନିଆରା ଚୁଡୁ ମୁଆଁ ଭୋଗ । ଏହି ଭୋଗ ମନ୍ଦିର ଭିତରେ ଥିବା ରୋଷ ଘରେ ପ୍ରସ୍ତୁତ ହୋଇଥାଏ l ଅଟା ଛେନା ଗୁଆ ଘିଅ ଏବଂ ନଡ଼ିଆ କାଜୁ ଦ୍ବାରା ତିଆରି ହୋଇଥାଏ ଚୁଡୁ ମୁଆଁ । ଠାକୁରଙ୍କ ଦର୍ଶନ ସହ ଭୋଗ ପାଇଁ ମଙ୍ଗଳବାର ଓ ଶନିବାର ମନ୍ଦିରରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ । ଠାକୁରଙ୍କ ନିକଟରେ ମାନସିକ ରଖିଲେ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ମନ୍ଦିରରେ ଚୁଡୁ ମୁଆଁ ଭୋଗ ପୁରା ଓଡିଶା ପ୍ରସିଦ୍ଧ l ଏଠାକୁ ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନେ ଆସିଥାନ୍ତି । ମନ୍ଦିର ଚୁଡୁ ମୂଆଁ ଭୋଗର ଏକ ସ୍ବତନ୍ତ୍ରତା ରହିଥିବା ବେଳେ ଏହାକୁ GI ଟ୍ୟାଗ ପାଇଁ ଦାବି ହୋଇଛି । ଯାହାଦ୍ଵାରା ପର୍ଯ୍ୟଟନ ସ୍ଥଳିର ଏବଂ ଭୋଗର ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି କୁହାଯାଇଛି ।
ଜମୁଛି ଶିଶିର ସରସ ମେଳା, ଲାଗୁଛି ଲୋକଙ୍କ ଭିଡ଼
ଭୁବନେଶ୍ବର: ଜମୁଛି ଶିଶିର ସରସ ମେଳା । ପ୍ରତିଦିନ ସଂଧ୍ୟା ନଇଁଲେ ବରମୁଣ୍ଡା ପଡ଼ିଆର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ମେଳାର ଦେଖଣାହାରୀଙ୍କ ପ୍ରମୁଖ ଆକର୍ଷଣ ସାଜିଛି ନକଲି ଫୁଲ ଓ ଛୁଆଙ୍କ ପାଇଁ କିଡ୍ସ କାର । ପ୍ରାୟ ୪ଶହ ଷ୍ଟଲରେ ପଡ଼ିଥିବା ମସଲା, ଖାଦ୍ୟ , କାଠ କାମ, ଲୁଗାପଟା, ଘରସଜ୍ଜ ସାମଗ୍ରୀ କିଣିବା ପାଇଁ ଜମୁଛି ଗହଳି ।
ବିଭିନ୍ନ ରଙ୍ଗ ଓ ଡିଜାଇନର ଫୁଲ । ଦେଖିଲେ ଆଖି ଲାଖି ଯାଉଛି । ଏହାରି ଭିତରେ ବୁଲିବା ସହ ଫଟୋ ଉଠାଉଛନ୍ତି ଲୋକ । କିଏ ଘରର ଶୋଭା ବଢାଇବାକୁ କିଣି ବି ନେଉଛନ୍ତି । ଅସଲି ଦେଖାଉଥିବା ଏହି ନକଲି ଫୁଲ ଏବେ ଶିଶିର ସରସ ମେଳାର ସାଜିଛି ପ୍ରମୁଖ ଆକର୍ଷଣ। ମେଳାକୁ ବୁଲିବାକୁ ଆସୁଥିବା ଦର୍ଶକ ଏହାକୁ କିଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ଘର ସଜ୍ଜା ସାମଗ୍ରୀ ସାଙ୍ଗକୁ ଘରର ସଜାଇବାକୁ ବିଭିନ୍ନ ରଙ୍ଗର ଫୁଲ କିଣି ନେଉଛନ୍ତି ଲୋକ।
ସମସ୍ତେ କିଣା କିଣିରେ ମଜି ଯାଉଥିଲା ବେଳେ ପାଇଁ ଆସିଥିବା କିଡ୍ସ କାର ନିକଟରେ କିନ୍ତୁ ଜମୁଛି ପିଲାଙ୍କ ଭିଡ଼ । ଛୋଟ ଛୋଟ ଛୁଆଙ୍କ ମନୋରଞ୍ଜନର ଖୋରାକ ଯୋଗାଇଛି ଏହି କିଡସ କାର । କାରରେ ବସି ଭରପୁର ଆନନ୍ଦ ଉଠାଉଛନ୍ତି କୁନିକୁନି ପିଲା । କାରରେ ବସି ମେଳା ବୁଲିବାର ମଜା ବେଶ ନିଆରା । ମେଳାରେ ଏପରି ସୁବିଧା ମିଳୁଥିବାରୁ ଅଭିଭାବକ ବି ବେଶ ଖୁସ । ଆଉ ଗୋଟିଏ ଦିନ ପରେ ସରିବ ମେଳା । ଚଳିତ ଶିଶିର ସରସ ମେଳାରେ 400 ଷ୍ଟଲରେ SHG ମାଆ ମାନଙ୍କ ବିଭିନ୍ନ ଖାଦ୍ୟ ପଦାର୍ଥ ଓ ମସଲା ବିକ୍ରି ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ୍ ପାଖରୁ ସୂଚନା ଦିଆଯାଇଛି ।
ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି ସାନଭାଇ, ଏବେ ଗରିବୀ ସାଜିଛି ବାଧକ
ପୁରୀ: ଭାଇର ପରିବାର ପାଇଁ ସାହା ହୋଇଛି ଭାଇ । ବଡ ଭାଇର ମୃତ୍ୟୁ ପରେ ତାଙ୍କ ମାନସିକ ବିକୃତ ସ୍ତ୍ରୀ, ଝିଅ ଓ ପୁଅକୁ ସମ୍ଭାଳିଛନ୍ତି ସାନ ଭାଇ । ହେଲେ ତିନି ଜଣଙ୍କ ଔଷଧ ଖର୍ଚ୍ଚ ତୁଳାଇବା ପାଇଁ ଏବେ ସେ ସକ୍ଷମ ନୁହଁନ୍ତି । ଗରିବି ସାଜିଛି ସମସ୍ୟା । ତିନି ଜଣଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସାନ ଭାଇ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି ଏଭଳି ଖବର ।
ଭାଇ ହେବ ତ ଏମିତି । ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି । ମାନସିକ ବିକୃତ ଭାଉଜ, ଝିଆରୀ ଓ ପୁତୁରାର ଦାୟିତ୍ବ ନେଇଛନ୍ତି । ତିନି ଜଣଙ୍କ ଅଳି ଅର୍ଦ୍ଦଳି ସହୁଛନ୍ତି ସାନଭାଇ । ହେଲେ ଗରିବୀ ସାଜିଛି ବାଧକ । ସେମାନଙ୍କ ଚିକିତ୍ସା ପାଇଁ ଏବେ ସହାୟତା ମାଗୁଛନ୍ତି ପୁରୀ ବରପଦା ଗାଁର ଦେବେନ୍ଦ୍ର ଲେଙ୍କା । ବଡ ଭାଇ ରାଜକିଶୋର ଲେଙ୍କାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ବେସାହାରା ହୋଇ ପଡିଥିଲେ । ସେମାନଙ୍କ ଦାୟିତ୍ବ ନେବାକୁ କେହି ନଥିଲେ । ଫଳରେ ନିଜ ପରିବାରର ଅଙ୍ଗ ଭାବି ଏମାନଙ୍କ ଦାୟିତ୍ବ ମୁଣ୍ଡ ଉପରକୁ ନେଇଛନ୍ତି ଦେବେନ୍ଦ୍ର । ହେଲେ ତିନି ଜଣଙ୍କୁ ପୋଷିବାରେ ଦେବେନ୍ଦ୍ରଙ୍କ ବୃଦ୍ଧାବସ୍ତା ଏବଂ ଗରିବୀ ବାଧକ ସାଜିଛି । ଏବେ ସେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।
ଭାଉଜ, ଝିଆରୀ ଓ ପୁତୁରାଙ୍କ ସେବାରେ ଦିନ ଦିନ ବିତାଇ ଦେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ରଙ୍କ ଏହି ବଳିଦାନକୁ ପ୍ରଶଂସା କରିବା ସହ ଏହି ମାନସିକ ବିକୃତଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ ପାଇଁ ବନ୍ଦୋବସ୍ତ କରାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସେପଟେ ତିନି ମାନସିକ ବିକୃତଙ୍କ ଅତିଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ।

