ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଢିବେ ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ

ନନ୍ଦିଘୋଷ ବ୍ୟୁରୋ : କେରଳ ଓ୍ବାୟନାଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ବିରୋଧରେ ୨୪୨ଟି ଅପରାଧିକ ମାମଲା ରହିଥିଲେ ବି ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଏହି ମାମଲାଗୁଡିକ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛନ୍ତି ସୁରେନ୍ଦ୍ରନ ।  କେବଳ ସେ ନୁହନ୍ତି, ଏର୍ଣ୍ଣାକୁଲମ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା କେ.ଏସ. ରାଧାକ୍ରିଷ୍ଣନଙ୍କ ନାମରେ ରହିଛି ୨୧୧ଟି ମାମଲା । ତେବେ ଏହି ମାମଲାଗୁଡିକ ମଧ୍ୟରୁ ଅଧିକାଂଶ ମାମଲା ୨୦୧୮ର ଏବଂ ସାବରିମାଲା ଆନ୍ଦୋଳନ ବେଳେ ଦାୟର ହୋଇଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜର୍ଜ କୁରିଅନ । ପଥାନାମଥିଟ୍ଟାସ୍ଥିତ ସାବରିମାଲା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ଯ ସରକାର କାର୍ଯ୍ୟକାରୀ କରିବାବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା । ଓ୍ବାୟନାଡ ଆସନରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୪ ରହିଥିବାବେଳେ ଏପ୍ରିଲ ୮ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।