ଆନନ୍ଦପୁର: କୁମାରପୁର୍ଣ୍ଣିମାରେ ଅଘଟଣ । ପୂଜା ପାଇଁ ବିଦ୍ୟୁତ୍ ସଂଯୋଗବେଳେ ଯୁବତୀଙ୍କ ମୃତ୍ୟୁ । ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁରେ ଅଘଟଣ । ମୃତ ଯୁବତୀ ହେଲେ ଶୈଳନ୍ଦ୍ର ଜେନାଙ୍କ ଝିଅ ରଶ୍ମିତା । ଗାଁରେ କୁମାରପୂର୍ଣ୍ଣିମା ପ୍ରସ୍ତୁତି ଚାଲିଥିବାବେଳେ ରଶ୍ମିତା ସାଉଣ୍ଡ ବକ୍ସ ବଜାଇବାକୁ ତାର ଲଗାଉଥିଲେ । ଅସାବଧାନତା ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆନନ୍ଦପୁର ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏଠାରେ ରାବଣଙ୍କୁ ପୂଜା କରନ୍ତି ଲୋକ
ବ୍ୟୁରୋ ରିପୋର୍ଟ: ଆମ ଦେଶ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ରାବଣକୁ ଜଳାଇବା ତ ଦୂରର କଥା ଏହି ସ୍ଥାନରେ ରାବଣକୁ ପୂଜା କରାଯାଏ । ଏପରିକି ଏହି ସ୍ଥାନର ଲୋକମାନେ ରାବଣକୁ ସେମାନଙ୍କର ଜ୍ବାଇଁ ବୋଲି ଭାବନ୍ତି। ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସହିତ ରାବଣର କିପରି ଏତେ ଗଭୀର ସମ୍ପର୍କ ରହିଛି ।
ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ମଧ୍ୟପ୍ରଦେଶରେ ଅଛି । ତେବେ ମଧ୍ୟପ୍ରଦେଶର ମନ୍ଦସୌରରେ ଲୋକମାନେ ରାବଣକୁ ତାଙ୍କ ଜ୍ୱାଇଁ ବୋଲି ଭାବିଥାନ୍ତି, ଯେଉଁଥିପାଇଁ ଲୋକମାନେ ରାବଣକୁ ଏଠାରେ ପୂଜା କରନ୍ତି । କୁହାଯାଏ ଯେ ରାବର ପତ୍ନୀ ମନ୍ଦୋଦରୀଙ୍କର ମନ୍ଦସୌରରେ ଘର ଥିଲା, ସେଥିପାଇଁ ଏଠାକାର ଲୋକମାନେ ଆଜି ଯାଏଁ ରାବଣକୁ ନିଜର ଜ୍ୱାଇଁ ବୋଲି ଭାବନ୍ତି । ମନ ଧ୍ୟାନ ଲଗାଇ ରାବଣକୁ ପୂଜା କରନ୍ତି ।
ରାବଣର ପ୍ରତିମାକୁ ପୂଜା କରାଯାଏ : ଦଶହରା ସଂନ୍ଧ୍ୟାରେ ସମଗ୍ର ଦେଶରେ ରାବଣକୁ ଜଳା ଯାଉଥିବାବେଳେ ମନ୍ଦସୌରରେ ରାବଣର ପୂଜା କରାଯାଏ । ମନ୍ଦସୌର ଠାରେ ଥିବା ରୁଣ୍ଡି ଅଞ୍ଚଳରେ ରାବଣର ଏକ ପ୍ରତିମା ମଧ୍ୟ ଅଛି ଯାହାକୁ ପୂଜା କରାଯାଏ । ଏଠାରେ ଲୋକମାନେ ଫୁଲମାଳ ଅର୍ପଣ କରି ରାବଣକୁ ପୂଜା କରନ୍ତି । ମନ୍ଦସୌର ବ୍ୟତୀତ ଆହୁରି ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣ ପୂଜା କରାଯାଏ । ଭାରତ ବ୍ୟତୀତ ଶ୍ରୀଲଙ୍କାରେ ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣକୁ ପୂଜା କରାଯାଏ
ଲିପଷ୍ଟିକ ବ୍ୟବହାର କରୁଛନ୍ତି କି?
ବ୍ୟୁରୋ ରିପୋର୍ଟ: ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ। ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି। ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏଏସ ବା ପରଫ୍ଲୁରୋଆଲକାଇଲ୍ ଆଣ୍ଡ ପଲିଫ୍ଲୁରୋଆଲକାଇଲ ସବଷ୍ଟାନ୍ଥେସକୁ ବହୁଳ ବ୍ୟବହାର କରିଥାଉ। ଏହା ‘ଫର୍ ଏଭର କେମିକାଲ ନାମରେ ମଧ୍ୟ ପରିଚିତ।
କିନ୍ତୁ ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ। ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ। ବିଶେଷକରି ୱାଟରଫ୍ରୁଫ୍ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ, ଆଇଶ୍ୟାଡୋ, ମସ୍କାରା ଇତ୍ୟାଦିରେ କରେ ପିଏଫଏଏସ ରହିଥାଏ। ଓ୍ବାଟରଫ୍ରୁପ୍ ଯୋଗୁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡି ନ ଥାଏ ।
ଏକ ଅଧ୍ୟୟନରୁ ଜଣାପଡିଛି କି, ଏହି ବହୁଳ ବ୍ୟବହାର କରିଥାଉ। ଯାହା ପିଲା ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେଣ୍ଟର ଫର୍ ଡିଜିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ, ପିଏଫଏଏସ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରିରେ ଶରୀରରେ ପ୍ରବେଶ କରିଥା ଏ । ୨୦୧୬ରେ କାନାଡାରେ, ୨୦୨୨ରେ ୟୁରୋପର ଅନେକ ଦେଶ ଏହି କେମିକାଲର ବ୍ୟବହାରକୁ ନିଷେଧ କରିଥିରିଲେ । ତେବେ କେବଳ ପ୍ରସାଧନ ସାମଗ୍ରୀ ଓ କପଡାରେ ନୁହେଁ ରୋଷେଇ ଘରେ ବ୍ୟବହୃତ ବାସନ, ପାଟିକୁ ସୁଆଦ ଲାଗୁଥିବା ଷ୍ଟ୍ରିଟ୍ ଫୁଡ୍ର ପ୍ୟାକେଜିଂ କଭରରେ ମଧ୍ୟ ଏହି କେମିକାଲ ବ୍ୟବହାର ହେଉଛ। ଏହି କେମିକାଲ ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା ମହିଳା ନିସନ୍ତାନ ହେବା, ମଧୁମେହ, କିଡନୀ ରୋଗ, ହର୍ମୋନ ଅସନ୍ତୁଳିତ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ ।
ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ
ଭୁବନେଶ୍ବର: ପଦ୍ମକେଶରୀପୁର ଖଣ୍ଡଯୁଦ୍ଧ ଘଟଣାରେ ୭୭ ଜଣଙ୍କୁ ବାନ୍ଧିଲା ପୋଲିସ । ଉଭୟ ପକ୍ଷରୁ ୭୭ ଜଣ ପୁରୁଷଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ । ଗିରଫଦାରୀ ସଂଖ୍ୟା ଆହୁରି ବଢିବ ବୋଲି ଡିସିପି କହୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଗିରଫଦାରୀ ଭୟରେ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇଛି ।
ଆକ୍ସନ ମୋଡରେ ଟିମ୍ ପ୍ରତୀକ । ୭୭ ଦଙ୍ଗାକାରୀଙ୍କ ବାନ୍ଧିଲା ପୋଲିସ୍ । ପଦ୍ମକେଶରୀପୁର ଖଣ୍ଡଯୁଦ୍ଧ ପରେ ଗାଁ ପୁରୁଷଶୁନ୍ୟ । ଏବେ ବି ବଳବତ୍ତର ରହିଛି ୧୪୪ ଧାରା । ଆଇନକୁ ହାତକୁ ନେଉଥିଲେ, ଏବେ ପୋଲିସ ଜାଲରେ ଫଶିଲେ । ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ କଡା ନିର୍ଦ୍ଦେଶ ପରେ ଗତ ଗୁରୁବାର ମଧ୍ୟରାତିରେ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭୭ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଆହୁରି ଗିରଫଦାରୀ ବଢିବ ବୋଲି ଶୁଣିବା ପରେ ପୁରା ଗାଁ ଏବେ ପୁରୁଷ ଶୁନ୍ୟ ହୋଇଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଲଗାଇଛି ସଙ୍ଗୀନ ଦଫା । 147, 148, 323, 324, 336, 337, 427, 307, 506, 149 , 34 ଦଫା ରେ ୭୭ ଜଣଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।
ପଞ୍ଚାୟତ ନିର୍ବାଚନ ଓ କମେଣ୍ଟମରାକୁ କେନ୍ଦ୍ରକରି ଗତ ସେପ୍ଟେମ୍ବର ୧ ତାରିଖରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଘଟଣାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ତେବେ ଘଟଣାରେ ମଞ୍ଚେଶ୍ବର ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଘଟଣାଦିନ ଗାଁ ରେ ନଥିବା କିଛି ନିରୀହ ଲୋକଙ୍କୁ ପୋଲିସ ବଳ ପୂର୍ବକ ଗିରଫ କରିଛି । ଅପରାଧୀ ଫେରାର ଥିବା ବେଳେ ନିରୀହ ଅପାଠୁଆ ଲୋକେ ବଳି ପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଚିଲିକାରେ ଚାଲିବ ସୌରଶକ୍ତି ଚାଳିତ ମୋଟର ବୋଟ୍
ଭୁବନେଶ୍ବର: ରୂପାନ୍ତର ପଥେ ଓଡ଼ିଶା । ଆହୁରି ରୂପବତୀ ହେବ ଚିଲିକା । ଚିଲିକାରେ ଚାଲୁଥିବା ଡିଜେଲ ମୋଟର ବୋଟ୍ ହଟାଇ ସୌରଶକ୍ତି ଚାଳିତ ମୋଟର ବୋଟ ଚାଲିବ । ଚିଲିକାର ଜୈବବିବିଧତା ଓ ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବାକୁ ରାଜ୍ୟ ସରକାର ଏହି ଅଭିନବ ପଦକ୍ଷେପ ନେବାକୁ ଯାଉଛନ୍ତି । ଶକ୍ତି ବିଭାଗ ଅଧୀନରେ ଥିବା ଓରେଡ଼ା ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟର୍ ପ୍ଲାନ୍ । ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୧୦୦ଟି ସୌରଶକ୍ତି ଚାଳିତ ମୋଟର ବୋଟ ପ୍ରଦାନ କରାଯିବ । ଯାହାକୁ ସ୍ବାଗତ କରିଛି ପର୍ଯ୍ୟଟନ ଶିଳ୍ପ ।
ଆହୁରି ସୁନ୍ଦରୀ ହେବ ଚିଲିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ ଅକ୍ଷୁଣ୍ଣ । ଜୈବ ବିବିଧତା ରହିବ ବଜାୟ। ଶବ୍ଦ ପ୍ରଦୂଷଣ ହେବ ଶୂନ । ଏଣିକି ନୀଳ ଜଳରାଶିରେ ଚାଲିବନି ଡିଜେଲ ଚାଳିତ ମୋଟର ବୋଟ । ତା ବଦଳରେ ଚିଲିକା ବକ୍ଷରେ ଚାଲିବ ସୌରଶକ୍ତି ଚାଳିତ ମୋଟର ବୋଟ୍। ଶକ୍ତି ବିଭାଗ ଅଧୀନରେ ଥିବା ଓଡ଼ିଶା ରିନିଓ୍ବେବଲ୍ ଡେଭଲପମେଣ୍ଟ ଏଜେନ୍ସି ବା ଓରେଡା ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ୍ । ମାଷ୍ଟର ପ୍ଲାନ୍ ଅନୁଯାୟୀ ଓରେଡା ଚିଲିକାରେ ପାଇଲଟ ପ୍ରକଳ୍ପ ଭାବେ ୧୦୦ଟି ସୌରଶକ୍ତି ଚାଳିତ ମୋଟର ବୋଟ୍ ଯୋଗାଇ ଦେବ ।
ପରେ ସବସିଡି ଦରରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟନ ପାଇଁ ଯୋଗାଇ ଦିଆଯିବ ଶବ୍ଦ ବିହୀନ ମୋଟର ବୋଟ୍ । ଚିଲିକାର ଜୈବ ବିବିଧତା ବଜାୟ ରଖିବା ସହିତ ଶବ୍ଦ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ ସରକାର ଏ ହେଉଛି ଅଭିନବ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ରୂପ ପାଇବ ଚିଲିକା । ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ବୋଟ୍ ଯୋଗୁ ଚିଲିକାରେ ରହୁଥିବା ଇରାଓ୍ବାଡି ଡଲଫିନଙ୍କ ଚଳପ୍ରଚଳ ପ୍ରଭାବିତ ହେଉଛି । ଚିଲିକାର ସୌନ୍ଦର୍ଯ୍ୟ ସୁରକ୍ଷିତ ରଖିବାକୁ ଏହା ହେଉଛି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ ।
ଚିଲିକା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଟୁରିଷ୍ଟ ଅପରେଟର୍ । ସବୁଜ ଶକ୍ତି ଓ ଅଣପାରମ୍ପରିକ ଶକ୍ତି ଦ୍ବାରା ମୋଟର ବୋଟ ହେଲେ ଡଲଫିନ୍ ଓ ବିଦେଶୀ ପକ୍ଷୀ ବିଚରଣ ଉପରେ ଆଉ ପ୍ରଭାବ ପଡ଼ିବନି । ଫଳରେ ପର୍ଯ୍ୟଟକମାନେ ଚିଲିକା ବକ୍ଷରେ ବୋଟିଂ କରିବା ସହିତ ନୀଳ ଜଳରାଶିର ଭରପୂର ମଜା ଉଠାଇପାରିବେ । ଏହାଦ୍ବାରା ଚିଲିକାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ । ରାଜ୍ୟ ସରକାର ଚିଲିକା ସମେତ ଭିତରକନିକା ଓ ଅନ୍ୟ ଜଳାଶୟ ପର୍ଯ୍ୟଟନ କ୍ଷେତ୍ରରେ ଚାଲୁଥିବା ବୋଟିଂଗୁଡ଼ିକୁ ଏପରି ରୂପାନ୍ତର କରିବା ଦରକାର ବୋଲି ଟୁର ଅପରେଟର ମତ ରଖିଛନ୍ତି ।
ରାଜ୍ୟ କଂଗ୍ରେସକୁ ଭରସା କେନ୍ଦ୍ରୀୟ ନେତା
ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ କେନ୍ଦ୍ରୀୟ ନେତା ଭରସା । କନ୍ଦଳ ଭିତରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କୁ ଆଣି ଦଳ ତୃଣମୂଳ ସ୍ତରରୁ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନିଜ ଉପରୁ ଦଳୀୟ ନିଲମ୍ବନ ଉଠାଇବା ପାଇଁ ବିଧାୟକ ମହମ୍ମଦ ମୋକିମ ବ୍ୟାକଳୁ ଥିବା ବେଳେ ଏବେ ନିଲମ୍ବନ ଉଠିବ ନାହିଁ ବୋଲି ପିସିସି ପ୍ରଭାରୀ କହିଛନ୍ତି । ସେପଟେ ଟିକେଟ୍ ବଣ୍ଟା ନେଇ କଂଗ୍ରେସ କସରତ ଆରମ୍ଭ କରିଛି ।
ରାଜ୍ୟ କଂଗ୍ରେସକୁ ଘାରିଛି ସ୍ଥିତି ସୁଧାରିବା ଚିନ୍ତା । ଦଳ ନେବ କେନ୍ଦ୍ରୀୟ ନେତାଙ୍କ ସହାୟତା । ଓଡ଼ିଶା ଆସିବାକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆମନ୍ତ୍ରଣ । ମୋକିମଙ୍କ ନିଲମ୍ବନକୁ ଝୁଲାଇ ରଖିଲେ ପ୍ରଭାରୀ । ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କ ସହାୟତାରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀଙ୍କୁ ନେଇ ୪ଟି ବଡ଼ସଭା କରିବାକୁ ଦଳ ଲକ୍ଷ୍ୟ ରଖିଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ କଂଗ୍ରେସର ଟପ୍ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବାରୁ ଦଳ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୪ ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବୁଥ୍ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।
ସେପଟେ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ନଉଠାଇବା ନେଇ କଂଗ୍ରେସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ଏବେ ନିଲମ୍ବନ ଉଠିବ ନାହିଁ । ପିସିସି ସଭାପତି ମଧ୍ୟ ପ୍ରଭାରୀଙ୍କ ସହ ସ୍ବର ମିଳାଇଛନ୍ତି । ଯାହା ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତାମାନେ ନିର୍ବାଚନ ଲଢ଼ିବା ନେଇ ଦ୍ବନ୍ଦ୍ବ ଲାଗି ରହିଛି । ନିର୍ବାଚନ ପ୍ରସ୍ତୁତି ଭିତରେ କଂଗ୍ରେସରେ ନିଲମ୍ବନ ଓ ନିର୍ବାଚନ ଲଢ଼ିବା ଦ୍ବନ୍ଦ୍ବକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ।
କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣି ସଂଗଠନକୁ ଚଳଚଞ୍ଚଳ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । କିନ୍ତୁ ଓଡ଼ିଶାକୁ ଏଆଇସିସି ଫୋକସ୍ କରୁନଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସ ୨୪ ନିର୍ବାଚନ ପାଇଁ କିପରି ପାଗ ଭିଡ଼ିବ ତା’ ଉପରେ ସମସ୍ତଙ୍କ ନଜର ।
ଧୁମଧାମରେ କଣ୍ଢେଇ ବାହାଘର
ପିପିଲି: ଶନିବାର ହେଉଛି କୁମାର ପୂର୍ଣ୍ଣିମା । ଏନେଇ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ। ହେଲେ କୁମାର ପୂର୍ଣ୍ଣିମାରେ ପିପିଲିରେ ନିଆରା ପରମ୍ପରା । ଚନ୍ଦ୍ର ପୂଜା କରିବା ସହିତ ହୋଇଥାଏ କଣ୍ଢେଇ ବାହାଘର ବା କୁମାରୀ ବିବାହ। ବିଶେଷ କରି ଲକ୍ଷ୍ମୀ ପୁରାଣ ଅନୁସାରେ କୁମାରୀଙ୍କ ମଧ୍ୟରେ ବୈଦିକ ରିତିନୀତିଅନୁସାରେ ଲକ୍ଷ୍ମୀ ନାରାୟଣ ବିବାହ ତିଥୀ ଅନୁସାରେ ବିବାହ ସଂପନ୍ନ କରାଯାଇଥାଏ ।
ବେଦି ପଡିଛି । ସଜା ହୋଇଛି ବାହାଘର ସାମଗ୍ରୀ । ଡିଜେ ବି ବାଜୁଛି । ନାଚଗୀତରେ ମସଗୁଲ ହୋଇଛନ୍ତି ବରଯାତ୍ରୀ । ଭୋଜି ଭାତ ବି ଆୟୋଜିତ ହୋଇଛି । ହେଲେ ସତ ସତିକା ବିବାହ ନୁହଁ ଚାଲିଛି କଣ୍ଢେଇ ବାହାଘର । ଗାଁର ମଙ୍ଗଳ ପାଇଁ କୁମାର ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ଭାରତୀପୁର ଗାଁରେ ଆୟୋଜିତ ହୋଇଛି ଏହି ମିଛିମିଛିକା ବାହାଘର ।
କୁମାର ପୂର୍ଣ୍ଣିମା ବ୍ରତ ପାଳନ ଦ୍ବାରା କାର୍ତ୍ତିକଙ୍କ ଭଳି ସୁନ୍ଦର,ଗୁଣବାନ ଜୀବନ ସାଥୀଟିଏ ଝିଅଙ୍କୁ ମିଳିଥାଏ ବୋଲି ବିଶ୍ବାସ ରହିଛି । ମାସକ ପୂର୍ବରୁ କେହି କେହି ଏହି ବ୍ରତ ପାଳନ କରୁଥିବା ବେଳେ କେହି କେହି ଦୁର୍ଗାପୂଜାଦିନ ଠାରୁ ଏହି ବ୍ରତ ପାଳନ କରିଥାନ୍ତି । ସକାଳୁ ସକାଳୁ ସୂର୍ଯ୍ୟ,କାତ୍ତିକଙ୍କ ଉଦ୍ଦେଶ୍ୟରେ ପୂଜା ପରେ ଦିନ ତମାମ ନିର୍ଜଳ ଉପବାସ କରିଥାନ୍ତି ଝିଅମାନେ । ସଂଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଚାନ୍ଦଭୋଗ ଲାଗି ପରେ କବାଟ କଣରେ ରହି ଏହି ଭୋଗକୁ ସେବନ କରିଥାନ୍ତି କୁମାରୀମାନେ ।
ପରମ୍ପରା ଅନୁସାରେ ଏହି ବ୍ରତ ପାଇଁ ସଂଧ୍ୟାରେ ଗାଁରେ ଅନୁଷ୍ଠିତ ହୋଇଥାଏ କଣ୍ଢେଇ ବା କୁମାରୀ ବିବାହ । ଲକ୍ଷ୍ମୀ ପୁରାଣନୁସାରେ ଯେଉଁ ଦିନ ଲକ୍ଷ୍ମୀ ନାରାୟଣଙ୍କ ବିବାହ ତିଥି ଥାଏ ସେହି ଦିନ ଗାଁର ଦୁଇଜଣ କୁମାରୀ କନ୍ୟାଙ୍କୁ ବର-କନ୍ୟା ବଶରେ ସଜ୍ଜିତ କରାଯାଇ ବିବାହ କରାଯାଇଥାଏ । ସମାଜରୁ କଳୁଷିତ ଯୌତୁକ ପ୍ରଥା ବନ୍ଦ କରିବା ପାଇଁ କଣ୍ଡେଇ ବିବାହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରାମବାସୀ କହିଛନ୍ତି ।
କୁମାରୀଙ୍କ ଜହ୍ନୀ ଓଷା
ବ୍ରହ୍ମପୁର: କୁମାର ପୂର୍ଣ୍ଣମୀରେ ଚଉଁରା ମୂଳେ କୂଆଁରୀଙ୍କ ଭିଡ଼। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । କୁମାର ପୂର୍ଣିମାରେ ଗଞ୍ଜାମ ଜିଲ୍ଲାର ପ୍ରତିଟି ଗାଁରେ ଜହ୍ନୀ ଓଷା ପାଳୁଛନ୍ତି କୁମାରୀ । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ବିନ ପୂର୍ଣ୍ଣିମା ଦୀର୍ଘ ଏକ ମାସ ଧରି ସୂର୍ଯ୍ୟ ଅସ୍ତ ହେଲା ପରେ ମାତା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ।
ହୁଳ ହୁଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଚଉଁରା ମୂଳେ କୂଆଁରୀଙ୍କ ଭିଡ଼ । ଠାକୁର ବହି ପଢାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । କୁମାର ପୂର୍ଣିମାରେ ଆଜି ଗଞ୍ଜାମ ଜିଲ୍ଲାର ପ୍ରତିଟି ଗାଁରେ ଜହ୍ନୀ ଓଷା ପାଳୁଛନ୍ତି କୁମାରୀ । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ବିନ ପୂର୍ଣ୍ଣିମା । ଦୀର୍ଘ ଏକ ମାସ ଧରି ସୂର୍ଯ୍ୟ ଅସ୍ତ ହେଲା ପରେ ମାତା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ମାନେ । ମାତା ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କଲେ ନିଜ ଭାଇ ସହ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁମାର ପୂର୍ଣ୍ଣିମାରେ ବଡି ଭୋରରୁ ବ୍ରତଧାରି କୁଆଁରୀ ଝିଅ ମାନେ ଚଉଁରା ଚାରିପଟେ ରଙ୍ଗମାଟି ଲିପି ଝୋଟି ପକାଇ କଳସଧରି ନଦୀ କିମ୍ବା ବଂଧରୁ ପାଣି ଆଣି ତୁଳଶୀ ଗଛରେ ପାଣି ଦେଇଥାନ୍ତି । ବିଭିନ୍ନ ନୀତିକାନ୍ତି ପରେ ସଂଧ୍ୟାରେ ମା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ।
ବିଗତ ମାସେ ଧରି କୁମାରୀମାନେ ଏହି ଓଷା ପାଳିଆସୁଛନ୍ତି । ଶେଷ ଦିନ ଅର୍ଥାତ କୁମାର ପୂର୍ଣ୍ଣିମା ଦିନ ମାତା ବୃନ୍ଦାବତୀଙ୍କ ନିକଟରେ ବସାଇ ଥିବା କଳଷ ଗୁଡିକୁ ବ୍ରତଧାରୀ ମାନେ ଏକ ବିରାଟ ପଟୁଆରରେ ଯାଇ ନଦୀରେ ଭସାଇ ବିସର୍ଜନ କରିଥାନ୍ତି । ହେଲେ ଆଜି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଯୋଗୁ ଦିନରୁ ହିଁ ସମସ୍ତ ପୂଜାବିଧି ଶେଷ କରିଛନ୍ତି କୁମାରୀ ।
ଗଛ ଉପରେ ରାତି କାଟୁଛନ୍ତି ଚାଷୀ
ସୋର: ବନ୍ୟଜନ୍ତୁଙ୍କ ଉତ୍ପାତ ପାଇଁ ଗଛ ଉପରେ ରାତି କାଟୁଛନ୍ତି ଚାଷୀ। ଗଛ ଉପରେ ନିର୍ମିତ ଅସ୍ଥାୟୀ ମଞ୍ଚ ପାଲଟିଛି ଚାଷୀଙ୍କ ଆବାସ। ରାତି ଦିନ ଏକ କରି ମଞ୍ଚ ଉପରେ ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ଫସଲ କୁ ଜଗି ରହିଛନ୍ତି ଚାଷୀମାନେ। ଚାଷୀଙ୍କୁ ଅତିଷ୍ଟ କରିଛନ୍ତି ଜଙ୍ଗଲୀ ଜନ୍ତୁ । ବର୍ଷ ଯାକର ପରିଶ୍ରମ ରାତିରେ ମିଳେଇଯାଉଛି । ଫସଲ ଖାଇଯାଉଛନ୍ତି ବାରାହା, ହାତୀ । ଫଳରେ ଏବେ ନିଜ ଫସଲକୁ ସୁରକ୍ଷା ଦେବାକୁ ଗଛ ଉପରେ କୁଡିକରି ରହୁଛନ୍ତି ବାଲେଶ୍ଵର ଜିଲ୍ଲା ଗଡ଼ସାହି ଗାଁର ଚାଷୀ । ପାହାଡ଼ ପାଦ ଦେଶରେ ଥିବା ଧାନ କ୍ଷେତରେ ଜଙ୍ଗଲ ଜନ୍ତୁଙ୍କ ପାଦୁର୍ଭାଵ ବଢିଚାଲିଛି । ସେଥିପାଇଁ ଚାଷୀ ମାନେ ଫସଲକୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରି ଗଛ ଉପରେ ଜଗି ରହୁଛନ୍ତି । ଚାଷୀମାନେ ଚାଷ ସମୟରେ ଘରକୁ ଭୁଲି କ୍ଷେତର ଜଗୁଆଳି ସାଜିଛନ୍ତି । ଗଛ ଉପରେ ଏକ ମଞ୍ଚା କରି ରହିଛନ୍ତି । ତେବେ ନିଜ ଫସଲ ସୁରକ୍ଷା ପାଇଁ ଏବେ ବନ ବିଭାଗର ସହାୟତା ଲୋଡିଛନ୍ତି ଚାଷୀ । ବନ କର୍ମଚାରୀ ଫସଲ ସୁରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍ । ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତ ହୋଇଛି କଳାହାଣ୍ଡି । ଏହାର ଆଉ ଏକ ଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍ ଯୋଜନା । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । ପଡ଼ିବ ‘ଲକ୍ଷ୍ମୀ’ପାଦ । ଉନ୍ନତିର ନୂଆ ଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବର ପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକୁକୁ ଗଡ଼ିବ ଲକ୍ଷ୍ମୀ ବସ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲାରେ ପହଞ୍ଚିଛି ୬୩ଟି ଲକ୍ଷ୍ମୀ ବସ୍ । ଏହି ଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବା ଦ୍ବାରା ପରିବହନ ସମସ୍ୟା ଦୂର ହେବା ସହ ବିକାଶ ତ୍ବରାନ୍ବିତ ହେବ । ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବି ରୋଡମ୍ୟାପ୍ ପ୍ରସ୍ତୁତି ଚାଲିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ ଉପହାର ଦେବେ । ଏଥିପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

