ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ରେ ଏହି ୩ ଖେଳାଳିଙ୍କୁ ମିଳିପାରେ ସୁଯୋଗ

1 min read

ନୂଆଦିଲ୍ଲୀ: ବୁଧବାର ଆଫଗାନିସ୍ତାନ ବିପକ୍ଷରେ ନିଜର ଅନ୍ତିମ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହେବା ସହ ସିରିଜ ହାତେଇ ସାରିଛି ଭାରତ । ତେବେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ହେଉଛି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ । ଏଣୁ ଶେଷ ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । କୁହାଯାଉଛି କି ଅନ୍ତିମ ମ୍ୟାଚରେ ତିନିଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନୀତି ଅନୁସାରେ ସେ ସମସ୍ତ ଖେଳାଳିଙ୍କ ସିରିଜରେ ଖେଳିବାକୁ ସୁଯୋଗ ଦିଅନ୍ତି । ଏହାକୁ ଦେଖିଲେ ଶେଷ ମ୍ୟାଚରେ ସଞ୍ଜୁ ସାମସନ, ଆଭେସ ଖାନ ଏବଂ କୁଲଦୀପ ଯାଦବଙ୍କୁ ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିପାରେ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଦଳ ଟି-୨୦ ସିରିଜ ଖେଳୁଥିବାବେଳେ ହିଟମ୍ୟାନ ପ୍ରାୟତଃ ଦଳରେ ପରିବର୍ତ୍ତନ କରିନଥାନ୍ତି । ଏଣୁ ଦଳରେ ପରିବର୍ତ୍ତନ ନହେବାର ଅଧିକ ସମ୍ଭାବନା ରହିଛି । ଜିତେଶ ଶର୍ମାଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ମିଳିପାରେ । ସେହିପରି ଅର୍ଶଦୀପ ଏବଂ ମୁକେଶ କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ସୁଯୋଗ ମିଳିପାରେ । ଅନ୍ୟପଟେ ସ୍ପିନର ରବି ବିଷ୍ଣୋଇଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛି । ତେବେ ଦେଖିବାକୁ ବାକି ରହିଲା କି, ଦଳରେ କାହାକୁ ମିଳୁଛି ସ୍ଥାନ ।