ତେଜସ୍ବୀ ଯାଦବଙ୍କ ବଡ଼ ଘୋଷଣା, କହିଲେ ଖୁବଶୀଘ୍ର ବିହାରରେ ଆୟୋଜନ ହେବ ଆଇପିଏଲ ଏବଂ ଆନ୍ତର୍ଜାତୀୟ ମ୍ୟାଚ୍

ପାଟନା: ଖୁବଶୀଘ୍ର ବିହାରରେ ଆୟୋଜନ ହେବ ଆଇପିଏଲ ଏବଂ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଏଭଳି କହିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ସେ କହିଛନ୍ତି କି, ବିହାରରେ କ୍ରୀଡ଼ା ସମ୍ବଦ୍ଧରେ ନିରନ୍ତର କାର୍ଯ୍ୟ ଜାରି ରହିବା ସହ ପୃଥକ କ୍ରୀଡ଼ା ବିଭାଗ କରାଯାଇଛି । ଖେଳକୁ ନେଇ ଖୁବଶୀଘ୍ର ପରିବର୍ତ୍ତନ ଆସିବ ବୋଲି କହିଛନ୍ତି । କହି ରଖୁଛୁ କି, ଦୀର୍ଘ ୨୩ ବର୍ଷ ପରେ ବିହାରରେ ରଣଜୀ ଟ୍ରଫି ମ୍ୟାଚ ଆୟୋଜନ କରାଯାଇଥିଲା । ଏହାପରଠାରୁ ଖେଳକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଖରାପ ଷ୍ଟାଡିୟମ କାରଣରୁ ବିହାରକୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି । ଏଣୁ ବିହାର ସରକାର ବଡ଼ ଷ୍ଟାଡିୟମ ରୂପାନ୍ତରଣ କରିବା ଦିଗରେ କାର୍ଯ୍ୟ କରୁଥିବା କୁହାଯାଉଛି ।

ସେପଟେ କ୍ରିକେଟ ମଇଦାନ ଭଳି ରାଜେନୖତିକ ମଇଦାନରେ ଛକା ମାରିବା ପ୍ରଶ୍ନରେ ଉତ୍ତର ରଖି ତେଜସ୍ବୀ କହିଛନ୍ତି କି, ଆମେ ଟିମ ଉପରେ ବିଶ୍ବାସ ରଖୁ । ଜଣେ ଖେଳାଳି ଛକା ମାରନ୍ତି ଏବଂ ବାକି ଖେଳାଳି ଯଦି ଆଉଟ ହୋଇଯାନ୍ତି ତେବେ କୌଣସି ଫାଇଦା ହୋଇନଥାଏ । ଏଣୁ ଟିମର ପ୍ରଦର୍ଶନ ଉପରେ ଆମେ ବିଶ୍ବାସ ରଖୁ । ଏହାସହ ତେଜସ୍ବୀ କହିଛନ୍ତି କି, ମହାଗଠବନ୍ଧନ ଖେଳ ଉପରେ ଧ୍ୟାନ ଦେଉଛି । ଏଣୁ କ୍ରୀଡ଼ାକୁ ଭଲ ପାଉଥିବା ବିହାରବାସୀ ମଧ୍ୟ ମହାଗଠବନ୍ଧନ ଉପରେ ମଧ୍ୟ ବିଶ୍ବାସ ରଖିଛନ୍ତି ।