କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଣବଙ୍କ କଡ଼ା ଜବାବ, ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ

1 min read

ଭୁବନେଶ୍ବର: ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଇଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ ନାହିଁ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର  ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ।

ତୃତୀୟରେ NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି । ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ କହି କଟାକ୍ଷ କରିଛନ୍ତି ପ୍ରଣବ । କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀଯୁକ୍ତ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ । ଯଦି ପ୍ରଶ୍ନ ସବୁ ଶୁଣି ରାଗ ଓ ରକ୍ତଚାପ ବଢ଼ିଯାଉଛି, ତେବେ ନିୟମିତ ଭାବେ ଯୋଗ କରିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ । କିଛି ଦିନ ତଳେ ଜିଲ୍ଲା ଗସ୍ତ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସବୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଆଜି ଯାଏଁ ଦେଇପାରିନାହାନ୍ତି ଧର୍ମେନ୍ଦ୍ର।