spot_img
Home Blog Page 2286

ପ୍ରେମ ସପ୍ତାହରେ ଜୀବନ ହାରିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର: ଚାଲିଛି ପ୍ରେମ ସପ୍ତାହ। ଖୁସିରେ ୭ ଦିନକୁ ପାଳୁଛନ୍ତି ପ୍ରେମୀ ଯୁଗୋଳ। ହେଲେ ପ୍ରେମ ସପ୍ତାହରେ ଆସିଛି ଦୁଃଖଦ ଖବର। ନବରଙ୍ଗପୁର ଜିଲ୍ଲା ବୁର୍ଜା ଗାଁରେ ପ୍ରେମୀ ଯୁଗଳ କରିଛନ୍ତି ଆତ୍ମହତ୍ୟା। ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ସନାଧାର ଭତ୍ରା ହେଉଛନ୍ତି ଉମରକୋଟ ପୂଜାରିଗୁଡ଼ା ଗ୍ରାମର । ପ୍ରେମିକା ପ୍ରିୟଙ୍କା ଗଣ୍ଡ ହେଉଛନ୍ତି ନିକଟସ୍ଥ କୁର୍ସୀ ଗ୍ରାମର।

ବିବାହ ପାଇଁ ସାମାଜିକ ସ୍ବୀକୃତି ନମିଳିବାରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅପରାହ୍ନରେ ବସିବ ବୈଠକ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଆସିପାରେ। ଏହସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।

ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ, ଘରେ ପଶି ମରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଝରିଗାଁ ଥାନା ଭାଲୁ କନାରୀ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି ୧୪ ଲକ୍ଷ ଟଙ୍କା। ବ୍ୟବସାୟୀ ଅମୀୟ ଦାସ ଏକୁଟିଆ ଘରେ ଥିବା ବେଳେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଡକାୟତ।

ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ ଡକାୟତ। ଅମୀୟଙ୍କ ହାତ ବାନ୍ଧିଦେବା ସହ ବେକରେ ଖଣ୍ଡା ଲଗାଇ ଘରେ କଳାକନା ବୁଲାଇଥିଲେ ୮ରୁ ୧୦ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରା ଦଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷାଣା ହୋଇଥିବାରୁ ସବାଗତ କରିଛନ୍ତି ଲୋକେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ୧୦୦୦, ୧୨୦୦ ଓ ୧୪୦୦ ଅର୍ଥ ରାଶି ପାଇବେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରାଯାଇଛି।

5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଭତ୍ତା ଟଙ୍କା ବୃଦ୍ଧି ପାଇଁ ଅଭିଯୋଗ କରିଥିଲେ ଲୋକେ। ଆଉ ଏହି କଥାକୁ କାର୍ତ୍ତିକ ପାଣ୍ଡିଆନ ହୃଦୟଙ୍ଗମ କରିଥିଲେ। ଆଉ ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ଆଉ ଭତ୍ତା ଟଙ୍କା ବୃଦ୍ଧି ପରେ ହିତାଧିକାରୀ ମାନେ ବେଶ ଖୁସି ଥିବା ବେଳେ ସେମାନଙ୍କ କହିବା କଥା ଏହି ଟଙ୍କା ଏବେ ସେମାନଙ୍କୁ ବହୁ ସହାୟକ ହେବ। ଏଥିପାଇଁ ଆଜି ଅନୁଗୁଳ ବିଜୁ ମୈଦାନ ଠାରେ ଶତାଧିକ ହିତାଧିକାରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଆଦି ଯୋଗ ଦେଇଥିଲେ।

କତାରରୁ ମୁକୁଳିଲେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନ

ବ୍ୟୁରୋ ରିପୋର୍ଟ: ଭାରତୀୟ କୂଟନୀତିର ବଡ ବିଜୟ। ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି।

କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅପିଲ କରିଥିଲେ। ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।

ଏହି ଫଳରସ ସହ ଖାଆନ୍ତୁ ଆଇରନ ବଟିକା, ମିଳିବ ଭଲ ଫାଇଦା

ବ୍ୟୁରୋ ରିପୋର୍ଟ: ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ଡାକ୍ତରମାନେ ଅନେକ ଲୋକଙ୍କୁ ଆଇରନ ଟାବଲେଟ୍ ନେବାକୁ ପରାମର୍ଶ କରନ୍ତି । ଆଇରନ ଶରୀର ପାଇଁ ଏକ ଜରୁରୀ ଉପାଦାନ। ଏହା ହେମୋଗ୍ଲୋବିନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍ ଯାହା ଶରୀରରେ ଅମ୍ଳଜାନ ବହନ କରିଥାଏ । ଲୌହ ବା ଆଇରନର ଅଭାବ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଗର୍ଭାବସ୍ଥାରେ ମହିଳାମାନଙ୍କୁ ଏହି ଲୌହ ବା ଆଇରନ ଅଭାବକୁ ବହୁତ ସାମ୍ନା କରିବାକୁ ପଡିଥାଏ। ମହିଳାମାନଙ୍କୁ ଗର୍ଭାବସ୍ଥାରେ ଆଇରନ ଟାବଲେଟ୍ ଦିଆଯାଏ । ଯାହାଫଳରେ ସେମାନଙ୍କ ଶରୀରରେ ରକ୍ତ ଅଭାବ ହୋଇନଥାଏ।

ଆଇରନ ଟାବଲେଟକୁ ପାଣି ସହିତ ନଖାଇ ଯଦି ତାହାକୁ କମଳା ରସ ବା ଅରେଞ୍ଜ ଜୁସ୍ ସହିତ ଖାନ୍ତି ତେବେ ଏହା ଶରୀରର ପାଇଁ ବେଶ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଟାବଲେଟର ଅବଶୋଷଣ ଶୀଘ୍ର ଘଟେ ଏବଂ ଏହାର ପ୍ରଭାବ ଆମ ଶରୀରରେ ଶୀଘ୍ର ଦେଖାଦିଏ । ହିମୋଗ୍ଲୋବିନ୍ ଅଭାବକୁ ଦୂର କରିବାରେ ଆଇରନ୍ ଏବଂ ଭିଟାମିନ୍ ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଆପଣ ଭିଟାମିନ୍ ସି ମିଶ୍ରିତ ଖାଦ୍ୟ ସହିତ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତି, ଏହା ଶରୀରରେ ଆଇରନ୍ ସଠିକ୍ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଲୋକଙ୍କୁ କମଳା ରସ, ଲେମ୍ବୁ ପାଣି ଭଳି ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଆଇରନ ଟାବଲେଟ୍ ବ୍ୟତୀତ ସବୁଜ ପତ୍ରଯୁକ୍ତ ପନିପରିବାରେ ମଧ୍ୟ ପ୍ରଚୁର ପରିମାଣରେ ଆଇରନ ଥାଏ। ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ପତଳା ପ୍ରୋଟିନ୍, ସାମୁଦ୍ରିକ ଖାଦ୍ୟ, ଡାଲି, ଡାଲି, ଟୋଫୁ, ଶାଗୁଣା, କାଲ, ବ୍ରୋକୋଲି ଇତ୍ୟାଦି ଖାଇବା ଜରୁରୀ ହୋଇଥାଏ । କଞ୍ଚା କଦଳୀ ଲୌହର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଯଦି ଏହି ଜିନିଷଗୁଡ଼ିକୁ ଲେମ୍ବୁ ରସ ମିଶାଇ ଖିଆଯାଏ, ତେବେ ଆପଣ ଉତ୍କୃଷ୍ଟ ଫଳାଫଳ ପାଇପାରିବେ।

ଏହାବ୍ୟତୀତ ବିଶ୍ୱାସ କରାଯାଏ ଯେ ଲୁହା ପାତ୍ରରେ ଖଟା ଜିନିଷ ରାନ୍ଧିବା ଆପଣଙ୍କ ଖାଦ୍ୟରେ ଲୌହ ବା ଆଇରନର ପରିମାଣ ବଢ଼ାଇଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଶରୀରରେ ଲୌହ ଅଭାବ ଦୂର ହୋଇଥାଏ। ଏହି ଖାଦ୍ୟ ଏବଂ ପାନୀୟ ଯେକୌଣସି ସମୟରେ ଖାଇ ପାରିବେ।

ଆଜି ଲୋକାର୍ପିତ ହେବ ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ

ଯାଜପୁର: ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ନୂଆ ଅଧ୍ଯାୟ। ଆଜି ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ। ଅପରାହ୍ନ ୫ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ଫାଇଭ-ଟି ସ୍କୁଲର ଲୋକାର୍ପଣ କରିବେ। 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆରୂପ ପାଇଛି। ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି।

ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ  ଓଡ଼ିଶାର ସାରଥୀ ହେବେ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି।  ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।

ଆଜି ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ଯ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭାରେ ଶକ୍ତି ପରୀକ୍ଷଣ। ଆସ୍ଥା ଲୋଡିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆସ୍ଥାଭୋଟକୁ ଲକ୍ଷ୍ଯ କରି ଚାଲିଛି ରିସୋର୍ଟ ପଲିଟିକ୍ସ। କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ନିଆଯାଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ସଂଖ୍ୟା ୧୨୮ ରହିଛି। ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି।

ସେପଟେ ବିରୋଧୀ ମେଣ୍ଟରେ ଅଛନ୍ତି ୧୧୪ ସଦସ୍ୟ। ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାଯକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। ଏହି ଦଳର ସଦସ୍ଯ ସଂଖ୍ୟା ମାତ୍ର ଜଣେ। ବିହାର ବିଧାନସଭାରେ ମ୍ଯାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ଯ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛି। ଆରଜେଡି ବିଧାୟକମାନେ ତେଜସ୍ବୀ ଯାଦବଙ୍କ ବାସଭବନରେ ରହିଥିବାବେଳେ କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦରେ ରହିଛନ୍ତି। ବିଧାନସଭାରେ ଉପସ୍ଥିତ ରହିବା ଲାଗି ନିଜର ବିଧାୟକଙ୍କ ଲାଗି ହ୍ବିପ ଜାରି କରିଛନ୍ତି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ନେତା ଜିତନରାମ ମାନଝି।

ଆଜିଠୁ ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ

ବ୍ୟୁରୋ ରିପୋର୍ଟ: ଆଜିଠୁ ଆଉ ୫ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ। ବରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ଏହି ୫ ଜିଲ୍ଲାରେ ଗମନାଗମନ କ୍ଷେତ୍ରରେ ଲେଖାହେବ ନୂଆ ଇତିହାସ। ଗ୍ରାମାଞ୍ଚଳରେ ଦୂର ହେବ ଯାତାୟାତ ସମସ୍ଯା। ଏହାକୁ ମିଶାଇ ରାଜ୍ଯର ମୋଟ ୧୪ ଜିଲ୍ଲାକୁ ପରିବ୍ଯାପ୍ତ ହେବ ଲକ୍ଷ୍ମୀ।

ଏହା ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, କୋରାପୁଟ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ସେବା ଆରମ୍ଭ ହୋଇସାରିଛି। ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଫାଇଭ-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ମୀ ବସ  ଗାଁର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ।

ପୂର୍ବରୁ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଗଲା। ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସକୁ ବ୍ୟବହାର କରିପାରୁଛନ୍ତି। ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ୁଛି । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରୁଛି । ପିଲାଙ୍କୁ ସ୍କୁଲ କଲେଜ ନେବା , ଚାଷୀଙ୍କୁ ମାର୍କେଟ ସହିତ ଯୋଡିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ମାଆ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍ ରେ ଯିବା ଆସିବା କରିପାରୁଛନ୍ତି ।

ଭୁବନେଶ୍ବରରେ କଗ୍ନିଜେଣ୍ଟ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ । ଭୁବନେଶ୍ବରରେ ଖୋଲିଲା କଗ୍ନିଜେଣ୍ଟର ନୂଆ କେନ୍ଦ୍ର । ବିଶ୍ଵର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀର ଭୁବନେଶ୍ଵର କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାର ପ୍ରଗତି ଯାତ୍ରାର ଏହା ଆଉ ଏକ ସଫଳ କାହାଣୀ । ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟର ଅଧିକାରୀ କଗ୍ନିଜେଣ୍ଟ ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ଭୁବନେଶ୍ୱରକୁ ଦେଶର ଅନ୍ୟତମ ସହର ଭାବରେ ଯୋଡ଼ିଛି ବୋଲି କହିବା ସହ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି, ରାଜ୍ୟ ଦୃଢ଼ ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି । ମୋର ବିଶ୍ଵାସ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନ ଓ ନୂତନ ଯୁଗର ଚିନ୍ତାଧାରାକୁ ପ୍ରୋତ୍ସାହିତ କରି ଏକ ସୁଦୃଢ଼ ଇକୋସିଷ୍ଟମ ଦ୍ୱାରା ଓଡ଼ିଶା ବିକାଶର ପଥକୁ ଅଧିକ ସଂପ୍ରସାରିତ କରିପାରିବ । କଗ୍ନିଜେଣ୍ଟର ଉପସ୍ଥିତି ଓଡ଼ିଶାର ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । କମ୍ପାନୀର ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଏହି ଅବସରରେ କଗ୍ନିଜେଣ୍ଟର ସିଇଓ ରବି କୁମାର ଏସ୍ କହିଛନ୍ତି, ଭୁବନେଶ୍ୱରର ଏହି ନୂଆ ବୈଷୟିକ କେନ୍ଦ୍ରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ଉତ୍ସାହିତ ଅଛୁ । ଭୁବନେଶ୍ଵରରେ ଏକ ନୂତନ କେନ୍ଦ୍ର ଖୋଲିବା ସହିତ ଟାୟାର-୨ ସହରରେ ସମ୍ପ୍ରସାରଣ କରିଥିବାରୁ ଆମେ ଉତ୍ସାହିତ । ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି, ବୈଷୟିକ ଶିକ୍ଷାନୁଷ୍ଠାନ, ସୁଦୃଢ଼ ଭିତ୍ତିଭୂମି ଓ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ଆକର୍ଷିତ କରିଛି । ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଓଡିଶାରେ କଗ୍ନିଜେଣ୍ଟର ଉପସ୍ଥିତି ରାଜ୍ୟର ସୂଚନା ପ୍ରଯୁକ୍ତି ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବ ।

ଏହି ସେଣ୍ଟର ପ୍ରତିଷ୍ଠା ଦ୍ୱାରା ରାଜ୍ୟର ବୈଷୟିକ ଅଭିବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ । ଓଡ଼ିଶାକୁ ଆଇଟି କମ୍ପାନୀଙ୍କ ପ୍ରଥମ ପସନ୍ଦ କରିବାରେ ଆମେ ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି । ଯାହାଦ୍ୱାରା ଆଜି ଓଡ଼ିଶା ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହୋଇପାରିଛି । ଭୁବନେଶ୍ୱରରେ କଗ୍ନିଜେଣ୍ଟ ପ୍ରୟୋଗ କେନ୍ଦ୍ର ରାଜ୍ୟର ଆଇଟି ଇକୋସିଷ୍ଟaକୁ ଆହୁରି ସୁଦୃଢ଼ କରିବ ଓ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ଅନେକ ସୁଯୋଗ ଆଣିଦେବ । ଭୁବନେଶ୍ଵର କଗ୍ନିଜେଣ୍ଟରଏହି ନୂତନ କେନ୍ଦ୍ରରେ ଅତ୍ୟାଧୁନିକ ବୈଷୟିକ ଦକ୍ଷତା ସମ୍ପନ୍ନ  ୮୦୦ରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କ କାର୍ଯ୍ୟ କରିବା ପାଇଁ ଯୋଜନା କରାଯାଇଛି । ଉଦଘାଟନୀ ସମାରୋହରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ କମ୍ପାନୀର ବରିଷ୍ଠ ନେତୃତ୍ୱ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।