ଛତିଶଗଡ଼ରେ ଭୟଙ୍କର ଦୁର୍ଘଟଣା; ୧୨ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲା ଖପରୀ ନିକଟରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଲାଲ୍ ମୋରମ ଖଣିକୁ ଖସି ପଡ଼ିଥିଲା। ବସରେ ୩୦ରୁ ଅଧିକ ଶ୍ରମିକ ଥିଲେ। ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି ।

ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲା। ପ୍ରାଥମିକ ଚିକିତ୍ସା ପାଇଁ ସମସ୍ତଙ୍କୁ ସ୍ଥାନୀୟ ସରକାରୀ ମେଡିକାଲକୁ ନିଆଯାଇଥିଲା। କିଛି ଆହତଙ୍କୁ ରାୟପୁରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ପରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା, ରାୟପୁର ଏମ୍ସ ଯାଇ ଆହତ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପଟେ ଭୟଙ୍କର ଦୁର୍ଘଟଣା ପାଇଁ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।