ବାଲେଶ୍ୱର : ଆଜି ବାଲେଶ୍ବରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ୍। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେଉଁଝର ଜିଲ୍ଲାରୁ ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସହିତ ୩୦ ଜଣ ଏସକର୍ଟକୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ବାହାରିଛି । ଆଜି ଠାରୁ ଟ୍ରେନ ବାହାରି ଓଁକାରେଶ୍ଵର ମନ୍ଦିର, ଓଜ୍ଜୟିନି ସହିତ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବେ। ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନାରେ ମାଗଣା ଖାଇବା, ରହିବା, ଔଷଧ ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏହି ସ୍ବତନ୍ତ୍ର ତୀର୍ଥ ଟ୍ରେନ୍ ଆସନ୍ତା ୧୦ ତାରିଖରେ ଫେରିବ ।
ଆରାଧ୍ୟ ଦେବତାଙ୍କ ପାଇଁ ଉତ୍ସବମୁଖର ଗାଁଠୁ ସହର; ଆଜିଠୁ ବୁଲିବ ଜଗନ୍ନାଥ ରଥ
ପୁରୀ : ଆରାଧ୍ୟ ଦେବତାଙ୍କ ପାଇଁ ପୂରା ଓଡ଼ିଶା ହେବ ଉତ୍ସବ ମୁଖର । ଆସନ୍ତା ୧୭ରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଏଥିପାଇଁ ଆଜିଠୁ ୧୭ ତାରିଖ ଯାଏ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ । ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଅରୁଆ ଚାଉଳ । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବେ ସଂକୀର୍ତ୍ତନ ମଣ୍ଡଳୀ । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରିବେ । ଏହାକୁ ଗାଁର ଜଗନ୍ନାଥ ମନ୍ଦିରରେ ରଖାଯିବ ।
ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ପଞ୍ଚାୟତରୁ ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ।
ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ଉପକୃତ ହେବେ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ର ରୂପାନ୍ତରଣରେ ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆହୁରି ଅଧିକ ଉଜ୍ଜୀବିତ କରିବାରେ ସହାୟକ ହେବେ । ୧୪୭ନିର୍ବାଚନୀ ମଣ୍ଡଳୀରୁ ୬ଲକ୍ଷରୁ ଅଧିକ ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ପ୍ରତିଦିନ ୨୦ହଜାର ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ତାରିଖରୁ ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ଆରମ୍ଭ ହେଉଥିବାରୁ ପୂରା ଓଡ଼ିଶାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ
କେନ୍ଦ୍ରାପଡ଼ା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଫଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପର୍ଯ୍ୟଟକ ଭିତରକନିକାକୁ ଯାଇପାରିବେ ନାହିଁ । ମହାକାଳପଡା , ରାଜନଗର, ଗହିରମଥା, କନିକା, ରାଜନଗର ସମେତ ୫ଟି ରେଞ୍ଜର ସଂଲଗ୍ନ ନଦୀ ନାଳଗୁଡିକରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଏଥିପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ ହେବେ । ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ କୁମ୍ଭୀର ଗଣନା କରିବେ । ସଠିକ ଆକଳନ ପାଇଁ ୩ ଦିନ ଆଗରୁ ବୋଟ୍ ଚଳାଚଳ ନିଷେଧ କରାଯାଇଛି । ଜିପିଏସ ମାଧ୍ୟମରେ କୁମ୍ଭୀରଙ୍କର ଫଠୋ ଉଠାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା ବଡ଼ ଧରଣର ତ୍ରୁଟି
ଭୁବନେଶ୍ବର : ଭୁବନେଶ୍ବର ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଲା ବଡ଼ ଧରଣର ତ୍ରୁଟି । ଦାୟିତ୍ବହୀନତା ଯୋଗୁ ଘଟିଥିଲା ଅଭାବନୀୟ ଘଟଣା । ବିସ୍ଫୋରଣରେ ଆହତ ହୋଇ ପରେ ପ୍ରାଣ ହରାଇଥିବା ଜ୍ୟୋତି ନାମକ ଜନୈକ ବ୍ୟକ୍ତିଙ୍କୁ ଭୁଲ୍ କ୍ରମେ ଦିଲୀପ ସାମନ୍ତରାୟ ଭାବି ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ବାମୀ ଦିଲୀପ ପ୍ରାଣ ହରାଇଥିବା ଖବର ପାଇ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ । ଅକାଳ ଓ ଅଯଥାରେ ଉଜୁଡି ଯାଇଥିଲା ପରିବାର ।
ଏବେ ହସ୍ପିଟାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ନିଜକୁ ଦିଲୀପ ବୋଲି କହିବା ପରେ ହସ୍ପିଟାଲ ଦ୍ୱାରା ହୋଇଥିବା ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ଭିତରେ ହୋଇଥିଲା ବିସ୍ଫୋରଣ । ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର । ବିସ୍ଫୋରଣରେ ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଏତେ ବଡ଼ ଭୁଲ ପାଇଁ ପ୍ରକୃତରେ ଦାୟୀ କିଏ ? କାହାର ତ୍ରୁଟିପୂର୍ଣ୍ଣ ସୂଚନା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ? ଅନ୍ୟପଟେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ କଣ ତାହାକୁ ନେଇ ସସପେନସ ଜାରି ରହିଛି ।
ଗତ ୨୯ ଡିସେମ୍ବରରେ ଏହି ଘଟଣା ଘଟିଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଥାର୍ଡ ପାର୍ଟି ଏଜେନସି ଚିହ୍ନଟ କରିଥିଲା । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ଏମର୍ଜେନସିରେ ଭର୍ତ୍ତି କରାଯାଇଥିଲା । ସେହି ୪ ଜଣଙ୍କ ନାମ ଥିଲା ଶ୍ରୀତମ ସାହୁ, ସୀମାଞ୍ଚଳ ବିଶ୍ବାଳ, ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକ । ତେବେ ୩୦ ଡିସେମ୍ବରରେ ଦିଲୀପଙ୍କ ମୃ୍ତ୍ୟୁ ନେଇ ଘୋଷଣା କରାଯାଇଥିଲା । ଏନେଇ ତାଙ୍କ ପରିବାରବର୍ଗକୁ ସୂଚନା ଦିଆଯାଇଥିଲା ।
ନିୟମ ଅନୁସାରେ ପୋଲିସର ତଦନ୍ତ କରିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ପରିବାର ପକ୍ଷରୁ ହିନ୍ଦୁ ଆଇନ ଅନୁସାରେ ଶେଷକୃତ୍ୟ କରାଯାଇଥିଲା । ଦ୍ବିତୀୟ ଆହତ ବ୍ୟକ୍ତି ଶ୍ରୀତମ ସାହୁଙ୍କ ମୃତ୍ୟୁ ଗତ ୩ ତାରିଖରେ ହୋଇଥିଲା । ଚିହ୍ନଟ ହୋଇଥିବା ଆହତ ବ୍ୟକ୍ତିଙ୍କ ପରିଚୟ ଅନୁସାରେ ଦୁଇ ଜଣ ବଞ୍ଚିଯାଇଥିଲେ । ସେମାନେ ହେଲେ ସୀମାଞ୍ଚଳ ବିଶ୍ବାଳ, ଓ ଜ୍ୟୋତିରଞ୍ଜନ ମଲ୍ଲିକ । ଜ୍ୟୋତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଗତକାଲି ଆକ୍ଟିଭ ଥିଲେ । ସନ୍ଧ୍ୟାରେ ଯେତେବେଳେ ରାଉଣ୍ଡସ ଲାଗି ଡାକ୍ତର ଗଲେ ସେତେବେଳେ ସେ ନିଜକୁ ଦିଲୀପ ସାମନ୍ତରାୟ ବୋଲି କହିଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । ସେ ପ୍ରାୟ ୬ ଦିନ ଧରି ଆଇସିୟୁରେ ଥିଲେ । ପରେ ତାଙ୍କ ପରିବାରକୁ ଡକାଯିବା ସହ ମନସ୍ତତ୍ତ୍ବବିତଙ୍କୁ ଡକାଯାଇଥିଲା । ଏହା ସହ ଜ୍ୟୋତି ଓ ଦିଲୀପଙ୍କ ପରିବାରକୁ ବି ଡକାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦ୍ବନ୍ଦ୍ବ ଦୂର ହୋଇପାରିନାହିଁ । ଏନେଇ ଆଇଆଇସିଙ୍କୁ ସୂଚନା ଦିଆଯିବା ସହ ସମାଧାନ କରିବା ଲାଗି ଅନୁରୋଧ କରାଯାଇଛି ।
ଆଜି ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା
ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ପ୍ରକାଶ ପାଇଥିବା ଥିବା ଭୋଟର ତାଲିକା ୨୦୨୪ ଅନୁସାରେ, ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଥିବା ବେଳେ, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୩ ହଜାର ୩୮୦ । ରାଜ୍ୟରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ଯୁବ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି ।
ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୫୭ ହଜାର ୮୨୧ । ନୂଆ ଭୋଟର ତାଲିକା ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର ଯୋଡି ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଙ୍କ ଆଲୋଚନା ପରେ ନିର୍ବାଚନ ଇସ୍ତାହାର ପାଇଁ ନିୟମ ପ୍ରଣୟନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।
ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନିୟମ ଆଦର୍ଶ ଆଚରଣବିଧି ପୁସ୍ତିକାରେ ସ୍ଥାନ ପାଇବ । ଏହା ଫଳରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମାର୍ଗଦର୍ଶନ ପାଇପାରିବେ । ସେହିପରି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ ଉପରେ ମଧ୍ୟ ଆଲୋଚନା ହୋଇଛି ।
ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ଼ାକି ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର : ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଙ୍କ ଆଲୋଚନା ପରେ ନିର୍ବାଚନ ଇସ୍ତାହାର ପାଇଁ ନିୟମ ପ୍ରଣୟନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନିୟମ ଆଦର୍ଶ ଆଚରଣବିଧି ପୁସ୍ତିକାରେ ସ୍ଥାନ ପାଇବ । ଏହା ଫଳରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମାର୍ଗଦର୍ଶନ ପାଇପାରିବେ । ସେହିପରି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ ଉପରେ ମଧ୍ୟ ଆଲୋଚନା ହୋଇଛି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ପ୍ରକାଶ ପାଇଥିବା ଥିବା ଭୋଟର ତାଲିକା ୨୦୨୪ ଅନୁସାରେ, ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଥିବା ବେଳେ, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୩ ହଜାର ୩୮୦ । ରାଜ୍ୟରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ଯୁବ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୫୭ ହଜାର ୮୨୧ । ନୂଆ ଭୋଟର ତାଲିକା ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର ଯୋଡି ହୋଇଛନ୍ତି ।
ଜାନୁଆରୀ ୬ରୁ ଆରମ୍ଭ ହେବ ଶିଶିର ସରସ- ୨୦୨୪ ମେଳା
ଭୁବନେଶ୍ୱର : ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଶିଶିର ସରସ- ୨୦୨୪ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ ଦ୍ବାରା ଆୟୋଜିତ ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪ଶହ ଟି ଷ୍ଟଲ ଖୋଲାଯିବ । ଓଡ଼ିଶାର ୩୦ ଜିଲ୍ଲାରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ୨୬ଟି ରାଜ୍ୟର ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ, ମସଲା ସାମଗ୍ରୀ ଉପଲବଧ ହେବ । ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲର ବନ୍ଦୋବସ୍ତ କରାଯାଇଛି । ମେଳାରେ ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । 
ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ।
ସାଂଗର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବିଟେକ ଛାତ୍ରଙ୍କ ଜୀବନ
ଭୋପାଳ : ଜଣେ ସାଂଗର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବିଟେକ ଛାତ୍ରଙ୍କ ପ୍ରାଣ । ଏକ କୁକୁର ଲାଗି ଜୀବନ ହରାଇଛନ୍ତି ୨୩ ବର୍ଷ ବୟସ୍କ ଜଣେ ଛାତ୍ର । ମଧ୍ୟପ୍ରଦେଶ ଭୋପାଳ ଏନଆଇଟିର ବିଟେକ ଛାତ୍ର ସରଳ ନିଗମଙ୍କ ତ୍ୟାଗ ସ୍ଥାନୀୟ ଅଞ୍ଚଳରେ ହୋଇଛି ଚର୍ଚ୍ଚାର ବିଷୟ । ଭୋପାଳ ଏନଆଇଟିର ପଢୁଥିଲେ ବିଟେକ ଗ୍ରାଜୁଏଟ ସରଳ ନିଗମ । ଗତକାଲି ଏକ ଡ୍ୟାମରେ ସରଳଙ୍କ ଜଣେ ବନ୍ଧୁଙ୍କ କୁକୁର ବୁଡିଯାଉଥିଲା । ତାକୁ ଉଦ୍ଧାର କରିବା ଲାଗି ଜୀବନକୁ ବାଜି ଲଗାଇଥିଲେ ସରଳ । ତେବେ କୁକୁର ସିନା ବଞ୍ଚିଗଲା, ସରଳ ବଞ୍ଚିପାରିଲେ ନାହିଁ । ସରଳ ବାପାମାଙ୍କ ଏକମାତ୍ର ପୁଅ ହୋଇଥିବାବେଳେ ସେ ୟୁପିଏସସି ଲାଗି ପ୍ରସ୍ତୁତ ହେଉଥିଲେ । ତଦନ୍ତକାରୀ ଅଧିକାରୀ ଏଏସଆଇ ଅନ୍ତରାମ ଯାଦବ କହିଛନ୍ତି ସରଳ ସ୍ଥାନୀୟ କେରଓ୍ବା ଡ୍ୟାମକୁ ନିଜ ସାଂଗମାନଙ୍କ ସହ ବୁଲିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସାଂଗର ଏକ ପୋଷା କୁକୁର ଡ୍ୟାମରେ ବୁଡିଯାଉଥିବାଦେଖି ତାକୁ ଉଦ୍ଧାର କରିାବ ଲାଗି ସାଂଗମାନଙ୍କ ସହ ସରଳ ଡ୍ୟାମ ଭିତରକୁ ପଶିଥିଲେ । ![]()
ତେବେ ସାଂଗମାନେ ରକ୍ଷା ପାଇଯାଇଥିବାବେଳେ ସରଳ ଗଭୀର ଜଣ ଭିତରକୁ ଚାଲିଯାଇଥିଲେ । ଖବର ପାଇ ରତିବାଡ ପୋଲିସ ପହଞ୍ଚିଥିଲେ ବି ସରଳଙ୍କ ସନ୍ଧାନ ମିଳି ନଥିଲା । ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାୟ ୧୫ ଫୁଟ ଗଭୀରରେ ତାଙ୍କ ମୃତଦେହ ଥିଲା । ସରଳଙ୍କ ବାପା ସୁଧୀର ନିଗମ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ବିକାଶମୂଳକ କାର୍ଯ୍ୟକୁ ସହି ପାରୁନାହାନ୍ତି ବଲାଙ୍ଗୀର ବିଧାୟକ ଓ ତାଙ୍କ ପୁଅ : କଳିକେଶ
ବଲାଙ୍ଗୀର : କଂଗ୍ରେସ ନେତାଙ୍କୁ ବିକାଶ ଦେଖାଯାଉନି । ଯେକୌଣସି ବିକାଶମୂଳକ କାର୍ଯ୍ୟକୁ ସହ୍ୟ କରିପାରୁନାହାଁନ୍ତି ବଲାଙ୍ଗୀର ବିଧାୟକ କି ତାଙ୍କ ପୁଅ । । ଏଆଇସିସି ସଦସ୍ୟ ତଥା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ଯକ୍ଷ କଳିକେଶ ନାରାୟଣ ସିଂଦେଓ । ଗତକାଲି ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ମାଆ ମାନଙ୍କୁ ଭଡାଟିଆ କହି ଅସମ୍ମାନ କରିଥିଲେ ବଲାଙ୍ଗୀର ବିଧାୟକ । ବିଧାୟକ ବିକାଶ ଦେଖି ସହି ପାରୁନାହାନ୍ତି, ବିଧାୟକଙ୍କୁ ଡ୍ୟାମର ପାଣି ଦେଖାଗଲାନି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କି ତାଙ୍କ ପରିବାର କେବେବି ବଲାଙ୍ଗୀର ବିକାଶ ପାଇଁ ଚିନ୍ତା କରିନାହାନ୍ତି ।
ନିଜ ପରିବାର କିପରି ଠିକା ପାଇବେ ସେ ନେଇ ଚିନ୍ତା କରିଛନ୍ତି ବୋଲି କଳିକେଶ ଅଭିଯୋଗ କରିଛନ୍ତି । ସେ ଜମିମାଫିଆ, ବାଲିମାଫିଆ, ଟେଣ୍ଡର ମାଫିଆଙ୍କୁ ସନ୍ତୁଷ୍ଟ କରି ବଲାଙ୍ଗୀରକୁ ଲୁଟ କରିଚାଲିଛନ୍ତି ବୋଲି କଳିକେଷ ଆକ୍ଷେପ କରିଛନ୍ତି । ବଲାଙ୍ଗୀରବାସୀ ସବୁ ଜାଣିଗଲେଣି, ଏଥର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାର ଜୀବନରେଖା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିଣ ଉତ୍ସବକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିଥିଲେ ସମରେନ୍ଦ୍ର ମିଶ୍ର ।
ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମର ମହାରାଷ୍ଟ୍ରରେ ଥିବା ପୈତୃକ ସମ୍ପତ୍ତି ନିଲାମ ହେବ
ନନ୍ଦିଘୋଷ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ । ଏଥର କିନ୍ତୁ ଭିନ୍ନ ପ୍ରସଙ୍ଗରେ । ମହାରାଷ୍ଟ୍ରରେ ଥିବା ୪ଟି ପୈତୃକ ସମ୍ପତ୍ତିର ଆସନ୍ତାକାଲି ହେବ ନିଲାମ । ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ ସମ୍ପତ୍ତି । ଦାଉଦ ଇବ୍ରାହିର ପୈତୃକ ଗ୍ରାମ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ ମୁମ୍ବକେ ଗ୍ରାମସ୍ଥିତ କେତେକ କୃଷି ଜମି ନିଲାମ ହେବ । ଚାରିଟି ପ୍ଲଟର ନିଲାମ ମୂଲ୍ୟ ରହିଛି ୧୯ ଲକ୍ଷ ୨ ହଜାର ଟଙ୍କା । ପୂର୍ବରୁ ୨୦୧୭ ଓ ୨୦୨୦ରେ ସାଫେମା ଜରିଆରେ ଦାଉଦ ଇବ୍ରାହିମର ୧୭ଟି ସମ୍ପତ୍ତିକୁ ନିଲାମ କରାଯାଇଥିଲା । ସ୍ମଗଲିଂ ଓ ଏନଡିପିଏସ ଆଇନ ଆଧାରରେ ଦାଉଦ ଓ ତାର ପରିବାରର ବିଭିନ୍ନ ସଦସ୍ୟଙ୍କ ସମ୍ପତ୍ତିକୁ ସାଫେମା ଆଟାଚ କରୁଛି । 
ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ରହିଛି ଦାଉଦର ମା ଅମିନାଙ୍କ କିଛି ସମ୍ପତ୍ତି । ପୂର୍ବରୁ ସାଫେମା ପକ୍ଷରୁ ଦାଉଦର ହୋଟେଲ ରୌନାକ ଆଫ୍ରୋଜ, ସବନମ ଗେଷ୍ଟ ହାଉସ, ଦାମରଓ୍ବାଲ ବିଲଡିଂରେ ଥିବା ୬ଟି ଘରକୁ ୧୧ କୋଟି ଟଙ୍କାରେ ୨୦୧୭ରେ ନିଲାମ କରାଯାଇଥିଲା । ଗତ ୨୦୨୦ରେ ବି ଦାଉଦର ୨୨ ଲକ୍ଷ ୭୯ ହଜାର ଟଙ୍କାର ସମ୍ପତ୍ତି ବି ନିଲାମ ହୋଇଥିଲା । କିଛି ଦିନ ତଳେ ଦାଉଦର ସ୍ବାସ୍ଥ୍ୟ ଖରାପ ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

