ଗାଜା ଗଣହତ୍ୟା ବନ୍ଦ କରିବାକୁ ଇସ୍ରାଏଲକୁ ଆହ୍ବାନ

ନୂଆଦିଲ୍ଲୀ: ଦିନ ଗଢ଼ିବା ସହ ଆହୁରି ଉଗ୍ର ହେବାରେ ଲାଗିଛି ଗାଜା ଉପରେ ଇସ୍ରାଏଲର ଆକ୍ରମଣ । ହମାସ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଇସ୍ରାଏଲର ଗାଜାପଟ୍ଟକୁ ବାରୁଦ ଗଦାରେ ପରିଣତ କରିସାରିଛି । ଯାହାଦ୍ବାରା କେବଳ ହମାସ ଆତଙ୍କବାଦୀଙ୍କ ଜୀବନ ଯାଉନି, ସାଧାରଣ ଜନତାଙ୍କ ସମେତ ଛୋଟ ଛୋଟ ପିଲାଙ୍କର ବି ମୃତ୍ୟୁ ଘଟୁଛି । ଏମିତି ଗଣହତ୍ୟା ଯଥାଶୀଘ୍ର ବନ୍ଦ କରିବାକୁ ଇସ୍ରାଏଲକୁ ମିଳିତ ଜାତିସଂଘର ସର୍ବୋଚ୍ଚ ଅନ୍ତର୍ଜାତୀୟ ଅଦାଲତ ଆହ୍ବାନ ଦେଇଛନ୍ତି । ଏହାସହ ଏଭଳି କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କୁ ଦଣ୍ଡଦେବାକୁ ପରାମର୍ଶ ଦେଇଛନ୍ତି ।

ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଗାଜାରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ ମଧ୍ୟ କୌଣସି କ୍ଷୟକ୍ଷତିକୁ ରୋକିବା ପାଇଁ ପ୍ରୟାସ କରିବାକୁ ଇସ୍ରାଏଲକୁ କହିଛନ୍ତି । ଗାଜାରେ ଇସ୍ରାଏଲ ଉପରେ ଗଣହତ୍ୟା ଅଭିଯୋଗ ଆଣିଥିବା ମାମଲାକୁ ଖାରଜ କରାଯିବ ନାହିଁ ବୋଲି ଜାତିସଂଘର ସର୍ବୋଚ୍ଚ ଅଦାଲତ କହିଛନ୍ତି । ଗାଜାରେ ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧରେ ୨୬ ହଜାରରୁ ଅଧିକ ପାଲେଷ୍ଟାଇନ୍ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣର ପ୍ରତିକ୍ରିୟାରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା । ଯେଉଁଥିରେ ମହିଳା ଓ ଶିଶୁ ବି ପ୍ରାଣ ହରାଇଛନ୍ତି ।

ଅଦାଲତ କହିଛନ୍ତି, ‘ଇସ୍ରାଏଲ ପାଲେଷ୍ଟାଇନ ବିରୋଧରେ ଗଣହତ୍ୟାରୁ ରୋକିବାକୁ ପଦକ୍ଷେପ ନେବା ଉଚିତ୍ । ଇସ୍ରାଏଲ ବିରୋଧରେ ଦକ୍ଷିଣ ଆଫ୍ରିକାର ଗଣହତ୍ୟା ମାମଲାକୁ ଖାରଜ କରାଯିବ ନାହିଁ ।’ ସେପଟେ ଦକ୍ଷିଣ ଆଫ୍ରିକାର ଅଭିଯୋଗକୁ ଇସ୍ରାଏଲ ମିଥ୍ୟା ଓ ଅତ୍ୟନ୍ତ ବିକୃତ ବୋଲି କହି ଖଣ୍ଡନ କରିବା ସହ ସାଧାରଣ ନାଗରିକଙ୍କ କ୍ଷୟକ୍ଷତିକୁ ଏଡ଼ାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ବୋଲି କହିଛି ।