୨୫ କୋଟିଏ ଲେଖାଏଁ ଦେଇ ଆପ୍ ବିଧାୟକଙ୍କୁ କିଣିବାକୁ ଚାହୁଁଛି ବିଜେପି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିଜେପିକୁ ବିସ୍ଫୋରକର ବୟାନ । ବିଜେପି ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ସହ ବିଧାୟକଙ୍କୁ କିଣିବାକୁ ଚାହୁଁଥିବା ଅଭିଯୋଗ ଆଣିଲେ କେଜ୍ରିଓ୍ବାଲ । ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି ।

କେଜ୍ରିଓ୍ବାଲ କହିଛନ୍ତି, ବିଜେପି ଆମ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛି । ପ୍ରତି ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେବାକୁ ଅଫର ଦିଆଯାଉଛି । ଏପରିକି ଆପ୍ ବିଧାୟକଙ୍କ ମଧ୍ଯରେ ଫାଟ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ବିଧାୟକଙ୍କୁ ଟଙ୍କା ଯଚା ଯାଉଥିବା ନେଇ ଶୀଘ୍ର ପ୍ରମାଣ ଉପସ୍ଥାପନ କରିବି ।

କେଜ୍ରିଓ୍ବାଲଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଆମ ଆଦମୀ ପାର୍ଟିର ୭ ବିଧାୟକଙ୍କୁ ଯୋଗାଯୋଗ କରିଥିଲା ବିଜେପି । କେଜ୍ରିଓ୍ବାଲଙ୍କୁ କିଛିଦିନ ମଧ୍ୟରେ ଗିରଫ କରାଯିବ ବୋଲି ବିଜେପି କହିଥିବା ଆପ୍ ବିଧାୟକ ଅତିଶୀ କହିଛନ୍ତି । ଏହି ଫୋନକଲର ଭିଡିଓ ରେକର୍ଡିଂ ଅଛି । ଆବଶ୍ଯକ ହେଲେ ଏହି ରେକର୍ଡିଂକୁ ଦାଖଲ କରିବୁ ବୋଲି ଅତିଶୀ କହିଛନ୍ତି ।

୨୧ ଜଣ ବିଧାୟକଙ୍କ ସହ ବିଜେପି ନେତା ଆଲୋଚନା କରିଥିବା କେଜ୍ରିଓ୍ବାଲ କହିଛନ୍ତି । ସେପଟେ ଆପ୍ ଆଣିଥିବା ଅପରେସନ ଲୋଟସ ଅଭିଯୋଗକୁ ଅସ୍ବୀକାର କରିଛି ବିଜେପି । ଆପ୍ ଏଭଳି ଅଭିଯୋଗ ବାରମ୍ବାର ଆଣୁଛି, ହେଲେ ଏଥିରେ କୌଣସି ସତ୍ୟତା ନଥିବା ବିଜେପି କହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ଆପର ୬୨ ଓ ବିଜେପିର ୮ ବିଧାୟକ ଅଛନ୍ତି । ତେବେ ବିଜେପି ବିରୋଧରେ ବିଧାୟକଙ୍କୁ ଟଙ୍କା ଯଚା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ଯ ଅନେକ ଥର ଆପ୍ ଏଭଳି ଅଭିଯୋଗ ଆଣିଛି ।